“ଉତ୍କର୍ଷ କଳାର କ୍ଷେତ୍ର ଉତ୍କଳ। ଜଗନ୍ନାଥ ସଂସ୍କୃତି ମହନୀୟ। ପୁରୀ ହେଉଛି ପୂର୍ବ ଭାରତର ଜ୍ଞାନ ବା ବିଦ୍ୟା ନଗରୀ। ଗୋଟିଏ ଶବ୍ଦରେ କହିଲେ ଏହା ପୂର୍ବକାଶୀ। ଖାଲି ସେତିକି ନୁହେଁ ଖୋର୍ଦ୍ଧା ହେଉଛି ବୀର ମାଟି। ଯେଉଁଠାରୁ ସ୍ୱାଧୀନତା ସଂଗ୍ରାମର ବିଗୁଲ ବାଜିଥିଲା।” ଏମିତି କିଛି କଥା କହି ଓଡିଆଙ୍କ ମନ କିଣି ନେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୨ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହ ଅରୁଗୁଳଠାରେ ଆଇଆଇଟି ଭୁବନେଶ୍ୱରର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ଅବସରେ ଏଭଳି ବକ୍ତବ୍ୟ ରଖିଛନ୍ତି। ତା ହେଲେ ସେ କ’ଣ କହିଛନ୍ତି ପଢନ୍ତୁ ପୁରା ଖବର।
ପୁରୀ: ଯଦି କେବେ ତୀର୍ଥ ଯିବାର ସୁଯୋଗ ମିଳେ, ତାହାଲେ ପ୍ରଥମେ ପୁରୀ ଆସିବି। ମହାପ୍ରଭୁଙ୍କ ସାନିଧ୍ୟରେ ତୀର୍ଥ କରିବି।” ପୁରୀସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇ ଏହା କହି ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଅଭିଭାଷଣ ଆରମ୍ଭ କରିଥିଲେ । ଚାରିଧାମ ସଂପର୍କରେ ମତ ରଖି ପୂର୍ବ ଭାରତରେ ପୁରୀ ଧାମର ସ୍ୱତନ୍ତ୍ରତା ସମ୍ପର୍କରେ କହିଥିଲେ।
ସଂସ୍କୃତ ଭାଷା ଦେଶର ଏକତା ଓ ଅଖଣ୍ଡତା ପାଇଁ କାର୍ଯ୍ୟ କରୁଛି । ପୁରୀକୁ ବିଦ୍ୟାନଗରୀ ଓ ପୂର୍ବ ଭାରତର କାଶୀ ମଧ୍ୟ କୁହାଯାଏ ବୋଲି ସେ କହିଥିଲେ। ଗୁରୁ ନାନକ ଓ ଶ୍ରୀଚୈତନ୍ୟଙ୍କ ପରି ମୁନିଋଷି ଏଠାକୁ ଆସିଛନ୍ତି। ରଥଯାତ୍ରା ସମ୍ପର୍କରେ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରହିଛି । ତେଣୁ ପୁରୀଧାମରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ସେ ଅତ୍ୟନ୍ତ ଖୁସି ବୋଲି କହିଥିଲେ ରାଷ୍ଟ୍ରପତି । ପୁରୀ ତାଳବଣିଆର ଶ୍ରୀ ସଦାଶିବ କ୍ୟାମ୍ପସରେ ଆୟୋଜିତ ଏହି ଉତ୍ସବରେ ରାଷ୍ଟ୍ରପତିଙ୍କ ପତ୍ନୀ ସବିତା କୋବିନ୍ଦ ମଧ୍ୟ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ରାଜ୍ୟପାଳ ଏସ୍ସି ଜମିର, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଯୋଗ ଦେଇଥିଲେ। ଏ ଅବସରରେ ରାଷ୍ଟ୍ରପତି କୋବିନ୍ଦ ନବକଳେବରର ସ୍ମାରକୀ ୧୦୦୦ ଟଙ୍କିଆ ଓ ୧୦ ଟଙ୍କିଆ ମୁଦ୍ରା ଉନ୍ମୋଚନ କରିଥିଲେ ।
ଖୋର୍ଦ୍ଧା: ୨ ଦିନିଆ ଓଡ଼ିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରିଯାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଗସ୍ତର ଶେଷ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଖୋର୍ଦ୍ଧା ଅରଗୁଳସ୍ଥିତ ଭୁବନେଶ୍ୱର ଆଇଆଇଟିର ଷଷ୍ଠ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ଦେଇଥିଲେ। ଛାତ୍ରଛାତ୍ରୀଙ୍କୁ ନିଜର ସ୍ୱତନ୍ତ୍ରତା ଦେଖାଇ ଦେଶ ଓ ଜାତି ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ ।
ପାଇକ ବିଦ୍ରୋହ କଥା ମନେ ପକାଇ ଖୋର୍ଦ୍ଧା ମାଟିକୁ ପାଇକଙ୍କ ମାଟି ବୋଲି କହିଥିଲେ । ଏହି ଅଞ୍ଚଳକୁ ରାମ ଓ ପାଣ୍ଡବ ବୁଲି ଆସିଥିବା କିମ୍ବଦନ୍ତୀ ମଧ୍ୟ ସେ ଅବତାରଣା କରିଥିଲେ। ୧୮୫୭ ସିପାହୀ ବିଦ୍ରୋହ ପୂର୍ବରୁ ଏଠି ପାଇକ ବିଦ୍ରୋହ ହୋଇଥିଲା । ୧୮୧୭ରେ ବକ୍ସି ଜଗବନ୍ଧୁ ଏଠାରେ ସ୍ୱାଧୀନତା ପାଇଁ ଲଢ଼ିଥିଲେ ବୋଲି ରାଷ୍ଟ୍ରପତି ରାମନାଥ କହିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଇନ୍ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି ICT- ଇଣ୍ଡିଆନ୍ ଅଏଲ୍ ଓଡ଼ିଶା କ୍ୟାମ୍ପସ୍ର ଉଦ୍ଘାଟନ ସହ ସ୍କିଲ୍ ଡେଭଲପ୍ମେଣ୍ଟ ଇନ୍ଷ୍ଟିଚ୍ୟୁଟ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ନିଜ ଅଭିଭାଷଣରେ ରାଷ୍ଟ୍ରପତି ଦକ୍ଷତା ବିକାଶ ଇନଷ୍ଟିଚ୍ୟୁଟ୍ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକାର ପ୍ରଶଂସା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।