କେରଳଠାରୁ ହାଇଦ୍ରାବାଦ୍‌ ସବୁ ଥିଲା ଉତ୍କଳର ଅଂଶ, ଭାରତର ସବୁଠାରୁ ବଡ଼ ଭୁଖଣ୍ଡ ଥିଲା ଆମ ରାଜ୍ୟ

ଭୁବନେଶ୍ୱର(ମିହିର ପଟ୍ଟନାୟକ): ଓଡିଶା କହିଲେ ହୁଏତ ଆପଣଙ୍କ ଆଗରେ ଝଲସି ଉଠିବ ମୟୂରଭଞ୍ଜଠାରୁ ମାଲକାନଗିରି ଆଉ ପୁରୀଠାରୁ ପଶ୍ଚିମ ଓଡିଶାର କୌଣସି ସହର। ରାଜ୍ୟ ସୀମାନ୍ତରେ ଥିବା ଏହି ସବୁ ଅଞ୍ଚଳକୁ ନେଇ ଆପଣ ଓଡିଶାର ସୀମା ବାରି ପାରିବେ । ଯାହା ସମ୍ପ୍ରତି ଆମ ରାଜ୍ୟ ମାନଚିତ୍ରରେ ସ୍ଥାନୀତ ହୋଇଛି। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଓଡିଶା ଦିନେ ଭାରତର ସବୁଠାରୁ ବଡ଼ ଭୂଖଣ୍ଡ ଥିଲା। ଯାହାକୁ ତ୍ରିକଳିଙ୍ଗ ନାମରେ ନାମକରଣ କରାଯାଇଥିଲା। ମରହଟ୍ଟା ଶାସକଙ୍କୁ ଛତ୍ରପତି ଭାବେ ନାମକରଣ କରି ସବୁଠାରୁ ବୀର ଓ ଦୁର୍ଦ୍ଧର୍ଷ ରାଜ୍ୟ ବୋଲି ଭାରତବାସୀ ଗ୍ରହଣ କରିଥିବା ସମୟରେ ପ୍ରାଚୀନ ଉତ୍କଳ ଉଭା ହୋଇଥିଲା ଏକ ବିରାଟ ସାମ୍ରାଜ୍ୟ ଭାବେ । ଯାହାର ଶାସକଙ୍କ ନାମକରଣ ଗଜପତି ଭାବେ କରାଯାଇଥିଲା। ଆଉ ଏହି ଉତ୍କଳ ଭୂଖଣ୍ଡ ଦେଶର ଅନ୍ୟ ପ୍ରାନ୍ତୀୟ ରାଜାଙ୍କ ଚିନ୍ତାର କାରଣ ପାଲଟିଥିଲା।

ଉଡ୍ର ବା ଓଡ୍ର ରାଷ୍ଟ୍ରର ସେନା ଗୋଟିଏ ପରେ ଗୋଟିଏ ରାଜ୍ୟ ଜୟ କରି ଓଡିଶାର ସୀମା ବଢାଇବାକୁ ଲାଗିଥିଲେ ସେ ସମୟରେ। ତାମିଲନାଡୁ, କେରଳ, ତେଲଙ୍ଗାନା ଭଳି ରାଜ୍ୟ ଥିଲ ଓଡିଶାର ଅଂଶ। ୧୪୬୪ ମସିହାରେ ତାମିଲନାଡୁର ଦକ୍ଷିଣ ଅର୍କଟ ଜିଲାରେ ଥିବା ଅଭିଲେଖରୁ ଜଣାଯାଏ, ୧୪୫୭ ମସିହାରେ ନିମ୍ନ କାବେରୀ ଉପତ୍ୟକା ପର୍ଯ୍ୟନ୍ତ ଉତ୍କଳ ରାଜା କପିଳେନ୍ଦ୍ର ଦେବଙ୍କ ଶାସନ ଥିଲା । ୧୪୫୭ରେ କପିଳେନ୍ଦ୍ର କେରଳ ରାଜ୍ୟ ଜୟ କରିଥିଲେ । ଏହି ସମୟରେ ତେଲଙ୍ଗାନାକୁ ବାହାମନି ସୁଲତାନ୍ ଅକ୍ତିଆର କରି ନେଇଥିଲେ। ସ୍ଥାନୀୟ ଲୋକେ ତାଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ କୌଣସି କରଦ ରାଜାଙ୍କ ସହାୟତାରେ କପିଳେନ୍ଦ୍ରଙ୍କୁ ସାହାଯ୍ୟ ଭିକ୍ଷା କରିଥିଲେ। କପିଳେନ୍ଦ୍ର ବାହାମନି ସମ୍ରାଟଙ୍କୁ ପରାସ୍ତ କରି ସ୍ଥାନୀୟ ଲୋକଙ୍କୁ ପରାଭବରୁ ମୁକ୍ତ କରିଥିଲେ। ୧୪୫୮ରେ ତେଲଙ୍ଗାନା ହେଲା ଉତ୍କଳର ଅଂଶ । ବାହାମନି ବର୍ତ୍ତମାନର ହାଇଦ୍ରାବାଦ୍‌ ଦକ୍ଷିଣ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା। ଯାହାର ରାଜଧାନୀ ଥିଲା କୁଳବର୍ଗ(ହାଇଦ୍ରାବାଦ୍‌ର ଅଞ୍ଚଳର ଏହା ଏକ ସ୍ଥାନର ପ୍ରାଚୀନ ନାମ)। ତେଲଙ୍ଗାନା ବିଜୟ ପରେ ଦୁର୍ଦ୍ଦଶ ପାଇକ ସେନା ସହିତ ବହାମନି ଆକ୍ରମଣ କରି ସେଠାରେ କପିଳେନ୍ଦ୍ର ଉଡାଇଥିଲେ ବିଜୟ ପତାକା। ଫଳତଃ ସେଦିନର ବାହମନି ତଥା ଆଧୁନିକ ହାଇଦ୍ରାବାଦ୍‌ ଉତ୍କଳ ଶାସକଙ୍କ ଦ୍ୱାରା ଶାସିତ ହେଲା। ବାହାମନି ଅକ୍ତିଆର କରିବା ପରେ ଉତ୍କଳ ଗଜପତିଙ୍କ ଉପାଧି ସୁବିସ୍ତ୍ରୁତ ହୋଇଥିଲା। ଗଜପତି ଉପାଧିରେ “କଳବର୍ଗେଶ୍ୱର” ନାମ ସଂଯୋଜିତ ହେଲା। କପିଳେନ୍ଦ୍ରଙ୍କ ପରେ ତାଙ୍କ ପୁତ୍ରମାନେ ମଧ୍ୟ ଉତ୍କଳ ସୀମାକୁ ବୃଦ୍ଧି କରିଥିଲେ। ଗଜପତି ପୁରୁଷୋତ୍ତମ ଦେବଙ୍କ ପର୍ଯ୍ୟନ୍ତ ପ୍ରାଚୀନ ଉତ୍କଳ ଭାରତ ବର୍ଷର ସବୁଠାରୁ ବଡ ଭୁଖଣ୍ଡ ଭାବେ ନିଜ ଗାରିମା ବଜାଏ ରଖିଥିଲା। ହେଲେ ଚୈତନ୍ୟ ମହାପ୍ରଭୁଙ୍କ ଉତ୍କଳ ଆଗମନ ପରେ ଗଜପତି ପ୍ରତାପରୁଦ୍ରଦେବ ତାଙ୍କ ସାନିଧ୍ୟକୁ ଯାଇ ଭକ୍ତିବାଦ୍‌ ପ୍ରଚାରରେ ଅଧିକ ସମୟ ଦେଲେ। ଫଳରେ ଉତ୍କଳର ସୀମା ସଙ୍କୁଚିତ ହେବାକୁ ଲାଗିଲା।

ଏହାପରେ ଆସିଲେ ଇଂରେଜ । ସେମାନେ ଏହି ରାଜ୍ୟକୁ ଖଣ୍ଡ ଖଣ୍ଡ କରି ଶାସନ କରିବାକୁ ଲାଗିଲେ। ଉତ୍କଳର ସୀମା ଆହୁରି ସଙ୍କୁଚିତ ହେଲା। ଓଡିଶା ନିଜ ସତ୍ତା ହରାଇ ବଙ୍ଗଳା ରାଜ୍ୟରେ ମିଶିବାକୁ ଯାଉଥିଲା। ମାତ୍ର ଇଂରେଜମାନଙ୍କ ଏହି କୁଟ ଚକ୍ରାନ୍ତକୁ ଫଳବତୀ ହେବାକୁ ଦେଇ ନ ଥିଲେ ଓଡିଶାର ବୀରପୁତ୍ରମାନେ । ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସ କବି ଫକୀର ମୋହନ ସେନାପତି, ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେର, ଗୌରୀ ଶଙ୍କର ରାୟଙ୍କ ପରି କେତେକ ବରପୁତ୍ର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବାକୁ ଆରମ୍ଭ  କରିଥିଲେ ସଂଘର୍ଷ।  ଏଥିପାଇଁ ୧୯୦୩ରେ ପ୍ରଥମେ ଗଠନ ହେଲା ଉତ୍କଳ ସମ୍ମିଳନୀ। ଶେଷରେ ବହୁ ସଂଗ୍ରାମ ପରେ ୧୯୩୬ ଏପ୍ରିଲ ୧ ତାରିଖରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ।

Previous ArticleNext Article

Send this to a friend