ଦେବଦର୍ଶନ

ସେ ଈଶ୍ୱର ଥିଲେ। ହଁ, ସେ ଈଶ୍ୱର ଥିଲେ।

ଶ୍ରାବଣର ଏଭଳି କଥା ଶୁଣି ତା ମାଆ ପୁଣି ତାକୁ ଗାଳିଦେଲା। ଏମିତି ବାୟାଙ୍କ ପରି କାହିଁକି ହେଉଛୁ ଏଇ ବୟସରେ। ତୋ ପାଇଁ ଝିଅ ଦେଖି ବୋହୂ ଆଣିଦେବା ସ୍ୱପ୍ନକୁ ତୁ କାହିଁକି ଧୂଳିସାତ କରୁଛୁ। ବାରିପଟୁ ଭାଉଜ ଛିଗୁଲେଇ କହିଲେ, ଈଶ୍ୱର ଥିଲେ ତ, ବର କାଇଁ  ମାଗିଲନି, ଶ୍ରବଣ କିନ୍ତୁ ନିର୍ବିକାର। ସାହାଯ୍ୟ ବଦଳରେ ବର ମାଗିବା ତ ସ୍ୱାର୍ଥନ୍ୱେଷୀ ମଣିଷର ପ୍ରବୃତ୍ତି। ସେ କେଉଁ ବଡ଼ କାମ କରିଦେଇଛି ଯେ। କିନ୍ତୁ ତା’ର ଦୃଢ଼ୋକ୍ତିଭରା ସ୍ୱରରେ ସେ ବାରମ୍ବାର କହୁଥିଲା- ସେ ଈଶ୍ୱର ଥିଲେ।

ଶ୍ରବଣକୁ ଏବେ ଚାଳିଶି ପାଖାପାଖି ବୟସ। ମନୋବିଜ୍ଞାନରେ ପିଏଚ୍‌ଡି କରି ଏବେ ଘରେ ବସିଛି। କେଉଁ କଲେଜରେ ତାକୁ ଅଧ୍ୟାପନା କରିବା କଥା, ମାତ୍ର ସେ ସବୁକୁ ଆଡେଇ ଏମିତି କାହିଁକି ହେଉଛି? ଭାଇ-ଭାଇଙ୍କ ଉପରେ ବୋଝ ହେଉଛି। ବାପା ଆଉ କେଉଁ ଜାତିର ସ୍ତ୍ରୀ ଲୋକ ସହ ଭାବ ଯୋଡ଼ି ଉତ୍ତୀର୍ଣ୍ଣ ବୟସରେ ସଂସାର ଗଢ଼ିଲେ। ସେଇ ଘଟଣା ପାଇଁ କ’ଣ ଶ୍ରବଣ ପାଗଳ ହୋଇଗଲା କି? ମାକୁ ଛାଡ଼ି କୁଆଡ଼େ ଯିବାକୁ ସେ ନାରାଜ। ଭାଇଜ କେମିତି ମା’କୁ ଖଟାଏ, ସେ ଠିକ୍‌ ଜାଣେ, କିନ୍ତୁ ସେ ନାଚାର। ହାତରେ ରୋଜଗାର ନାହିଁ ଏମିତି ମାଆକୁ ନେଇ ସେ କୁଆଡ଼େ ଯିବ? ଖୁବ୍‌ ମେଧାବୀ ପିଲାଟା ଏମିତି ପାଗଳ ପ୍ରାୟ କାହିଁକି ହେଉଛି, ତା’ ଉତ୍ତର ଖୋଜି ଖୋଜି ମା’କୁ ଏବେ ରକ୍ତଚାପ ରୋଗ। ଶ୍ରବଣ ବେଶ୍ ପରିଷ୍କାର ପରିଚ୍ଛନ୍ନ, କଥାବାର୍ତ୍ତା ମଧ୍ୟ ସଂଯମ। ବେଶଭୁଷା, ବାଳ, ନଖ ସବୁ ସଫାସୁତରା। ପୁଣି କାହିଁକି ସେ ପାଗଳ ହେବ? କିନ୍ତୁ କୁଆଡ଼େ ସେ ଯାଏ ଓ ଆସେ କେହି ଜାଣି ପାରନ୍ତିନି। କେତେ କେତେ ରାତି ମା’ ତାକୁ ଦେଖିଛି ଏମିତି ଉଜାଗର ରହିବା, ମନେ ମନେ କାନ୍ଦିବା। ସେ କାହାକୁ କିଛି କହେନା। ଫୁଟବଲ୍ ଖେଳୁଥିବା ଓ କବିତା ଲେଖୁଥିବା ପିଲାଟା ପାଗଳ ହେଲା କେମିତି ? ମା’ ସେଦିନ ରାତିରେ ତା’ ଖାଇବା ଦେଇଗଲେ ତା କୋଠରୀରେ। ପୁଣି ଫେରିଆସି ବସିଲେ ତା’ ପାଖରେ। ଆଦରରେ ଅତି କୋମଳ ଭାବରେ ଆଉଁସିଲେ ତା’ ମୁଣ୍ଡକୁ। ପ୍ରଶ୍ନ କଲେ- କେଉଁଠି ଦେଖିଲୁରେ ବାୟା ଈଶ୍ୱରଙ୍କୁ? ଶ୍ରବଣ ଉତ୍ତର ଦେଲା- ରାସ୍ତାକଡ଼ ବରଗଛ ମୂଳରେ ମା’।

ସ୍ମିତହାସ୍ୟ ଦେଇ ଉଠିଯିବାକୁ ଉଦ୍ୟତ ହେଲାବେଳେ ତାଙ୍କ ହାତ ଧରି ବସାଇଲା। ଶ୍ରବଣ।

– ତୁ ତ ମୋତେ ବିଶ୍ୱାସ କର ମା’। ସେ ହିଁ ଈଶ୍ୱର ଥିଲେ।

ଏତେ କଷ୍ଟ ପାଇ ମଧ୍ୟ ମୁଁହରେ ବିଷର୍ଣ୍ଣତାର ଛାପ ନଥିଲା। ମୋ ପଟେ ଏମିତି ଅନେଇ ରହିଥିଲେ। ସତେ କି ମୁଁ ତାଙ୍କର ଆତ୍ମୀୟସ୍ୱଜନ। ‘ତୁ ବିଶ୍ୱାସ କର ମା’ ବୋଲି ଶ୍ରବଣ ଜୋର୍ ଦେଇ କହୁଥିଲା।

ରାସ୍ତା କଡ଼ରେ ମୁଁ ତାଙ୍କୁ ଦେଖିଥିଲି। କୁଷ୍ଠ ରୋଗରେ ହାତ ଗୋଡ଼ ଘାଆ ଭର୍ତ୍ତି। ପାଖ ଟ୍ୟୁବ୍‌ୱେଲ୍‌ରୁ ପାଣି ନେଇ ଧୋଇଲି। ମୋ ପୁରୁଣା ଲୁଗା ନେଇ ପିନ୍ଧାଇଥିଲି। ମଲମ ଲଗାଇଥିଲି। ଖୁବ୍ କ୍ଷୀଣ ଦେଖା ଯାଉଥିଲେ। ତାଙ୍କୁ ପାଉଁରୁଟି ଓ ପାଣି ଦେଇଥିଲି। ପାଖରେ ଥିବା ଯାତ୍ରୀ ବିଶ୍ରାମାଗାରରେ ତାଙ୍କୁ ବସାଇ ମୁଁ ଡାକ୍ତରଖାନା ପଟେ ଗଲି। ତାଙ୍କୁ ଆଗରୁ କେବେ ଆମ ଗାଁରେ ଦେଖିନଥିଲି। ଓୌଷଧ ନେଇ ଆସିଥିଲି ତାଙ୍କୁ ଦେବାପାଇଁ। ମାତ୍ର ସେ ନଥିଲେ। ଏତେ କ୍ଷୀଣ ଶରୀରରେ ବେଶୀ ଦୂର ଯାଇପାରି ନଥିବେ ଭାବି ମୁଁ ଖୁବ୍ ଖୋଜିଲି। କିନ୍ତୁ ତାଙ୍କୁ ପାଇଲିନି। ମା’ର ହାତକୁ ଜାବୁଡ଼ି ଶ୍ରବଣ ପୁଣି ଦୋହରାଇଲା- ସେ ହିଁ ଈଶ୍ୱର ଥିଲେ। ମା’ ପୁଣି ତା ମୁଣ୍ଡ ଆଉଁସି କହିଲେ, ଶୋଇପଡ଼। ରାତି ଅନେକ ହେଲାଣି।

ପରଦିନ ସକାଳୁ ଶ୍ରବଣକୁ ମା’ ବିଛଣା ଛାଡ଼ିବା ଦେଖି ନଥିଲେ। କେତେବେଳୁ ସେ ଉଠି କୁଆଡ଼େ ଚାଲିଯାଇଛି। ଏମିତିରେ ତ ସେ କୁଆଡ଼େ ଯାଏ ଓ ଆସେ କାହାକୁ କହେନା। ତେଣୁ ସମସ୍ତ ନିଜନିଜ କାମରେ ବ୍ୟସ୍ତ ରହିଲେ। ଖାଇବା ବେଳଟାରେ ବି ତା ଦେଖାନାଇଁ। ମା’ ଭାବୁଥିଲେ, ପାଗଳାଟା ପୁଣି ଯାଇଥିବ ସେ କୁଷ୍ଠରୋଗୀକୁ ଖୋଯିବା ପାଇଁ। ବେଳ ପାଇଲେ ନିଜେ ଫେରି ଆସିବ। ରାତିରେ ବି ତା’ର ଦେଖା ମିଳିଲାନି। ତା ପରଦିନ ଭାଇ ଭାଉଜଙ୍କୁ ମା’ ଜଣାଇଲେ। ପ୍ରଥମେ ବ୍ୟସ୍ତ ହେଲେନି। କିନ୍ତୁ ଦୁଇଦିନ ବିତିଯିବା ପରେ ସମସ୍ତେ ବ୍ୟସ୍ତ ହେଲେ। ଭାଇ ପୁଲିସର ସହାୟତା ନେବାପାଇଁ ପରାମର୍ଶ ଦେଲେ। ଥାନାକୁ ଯାଇ ଜଣାପଡ଼ିଲା, ଗୋଟିଏ ଅଚିହ୍ନା ଶବ ଡାକ୍ତରଖାନା ଶବଗୃହରେ ଅଛି। ସମସ୍ତେ ଧାଇଁଲେ ସେଇଠିକୁ। ମାଆ, ଭାଇ, ଭାଉଜ ସମସ୍ତଙ୍କ ଆଖିରେ ଲୁହ। ସେ ହିଁ ଥିଲା ଶ୍ରବଣ।

ଗାଁଟା ସାରା ହୁରି ପଡ଼ିଗଲା- ଶ୍ରବଣ ଦୁର୍ଘଟଣାରେ ଆର ପାରିକି ଚାଲିଗଲା। ତାଙ୍କ ଘରେ ଭିଡ଼ ଜମିଲା। ଗାଁର ଏମିତି କେହି ନଥିଲା ଯାହାକୁ ଶ୍ରବଣ ସାହାଯ୍ୟ କରିନଥିଲା। ଚିହ୍ନା ଲୋକଙ୍କ ସହ ଅଚିହ୍ନା ମୁହଁ ସବୁ ମଧ୍ୟ ବାରି ହୋଇପଡୁଥିଲା। ସେଇ ଭିଡ଼ ଭିତରେ ଜଣେ ବୃଦ୍ଧ ଲୋକ ହାତରେ ଫୁଲମାଳ ଓ କିଛି ଗୋଲାପ ପାଖୁଡ଼ା ଆଣି ତା ଶବ ଉପରେ ଦେଲେ।

‘ଏହା ଶ୍ରବଣର ଇଚ୍ଛା ଥିଲା। ମୁଁ ପାଖ ପାର୍କରେ ମାଳି କାମ କରେ। ସମୟ ଦେଖି ଶ୍ରବଣ ଯାଉଥିଲା ପାର୍କକୁ। ଏ ବୃଦ୍ଧ ମାଳିକୁ ସାହାଯ୍ୟ କରୁଥିଲା। ଚାରା ପୋତୁଥିଲା। ପତ୍ର ସଫା କରୁଥିଲା। ପାଣି ଦେଉଥିଲା। ବୃଦ୍ଧଟିଏ ଆଉ କ’ଣ ଦେଇପାରିବି? ଏ କଥା ଦିନେ ପଚାରିଲାରୁ ସେ କହିଥିଲା- ‘ମୁଁ ମରିଗଲେ ମୋ ମୃତ ଶରୀର ଉପରେ ଏଇ ପାଖୁଡ଼ା ବିଛେଇ ଦେବ। ମୁଁ ଖୁସି ହେବି।’ ଏହା ଶୁଣି ଶ୍ରବଣର ମାଆ ଆହୁରି ଭୋ ଭୋ ହୋଇ କାନ୍ଦି ଉଠିଲେ।

ସତରେ ଶ୍ରବଣ କେବେ ନିଜ ସାହାଯ୍ୟର ହିସାବ ରଖୁ ନଥିଲା। ତା’ କାମ ଯେ ମୂଲ୍ୟହୀନ ଅବା ମୂଲ୍ୟବାନ ଏକଥା ଭାବିବାକୁ ତା’ର ବେଳ ନଥିଲା। ଛୋଟ ପିଲାଙ୍କୁ ଗୁଡି, ରକେଟ, ଡଙ୍ଗା ତିଆରି କରି ଦେଉଥିଲା। ତାଙ୍କ ଖୁସିରେ ଖୁସି ହେଉଥିଲା। ବୁଲା କୁକୁର, ଗାଈ, ବିଲେଇଙ୍କୁ ନିଜ ପଇସାରେ ବିସ୍କୁଟ୍ କିଣି ଖୁଆଉଥିଲା। ଛୋଟ ପିଲା ଓ ବୃଦ୍ଧବୃଦ୍ଧାଙ୍କୁ ରାସ୍ତା ପାରି ହେବାରେ ସାହାଯ୍ୟ କରୁଥିଲା। କାହା ପାଇଁ ପୂଜାଫୁଲ ତୋଳୁଥିଲା, କାହାର ଭଙ୍ଗା ଚଷମା ସଜାଡ଼ି ଆଣୁଥିଲା। କିଏ ଖଣ୍ଡିଆ ହେଲେ ଔଷଧ ଦେଉଥିଲା, କାହାକୁ ରକ୍ତଦାନ କରୁଥିଲା।

ଏମିତି ତ ଚାଲିଥିଲା ତା’ ଜୀବନ। ପୁଣି କାହିଁକି ସେ ପାଗଳ ହେଲା? ତାକୁ ପାଗଳ ଭାବିବା ଲୋକ ହିଁ ପାଗଳ ଥିବ। ଭିଡ଼କୁ ଆଡେଇ ଧାଇଁ ଆସିଲା ଗୋଟିଏ ଝିଅ। ସିଧା ଯାଇ ଶ୍ରବଣର ଗୋଡ଼ ଧରି କାନ୍ଦିଲା। କାହିଁକି ସେ ଏମିତି ଶୋଇଛି କହି କହି ଉଠାଇବାକୁ ଚେଷ୍ଟା କରୁଥିଲା। ଶବ ପରି ଦିନେ ସେ ଅଚେତ୍‌ ହୋଇ ପଡ଼ି ରହିଥିବା ବେଳେ, କେମିତି ଏଇ ଦେବପୁରୁଷ ତାକୁ ଉଦ୍ଧାର କରିଥିଲା, ଉଲଗ୍ନ ଶରୀରରେ ଢାଙ୍କି ଦେଇଥିଲା ନିଜେ ଘୋଡ଼ି ହୋଇଥିବା ଚାଦର। ଚେତା ଫେରିବା ପରେ ଛାଡ଼ି ଦେଇଥିଲା ଘରେ। ଏତେ ଲୋକଙ୍କୁ ସାହାଯ୍ୟ କରିଥିବା ଓ ଜୀବନ ଦେଇଥିବା ମଣିଷ- ‘ସେ ତ ଈଶ୍ୱର ଥିଲେ’। ଝିଅଟି ବାରମ୍ବାର ଦୋହରାଉଥିଲା- ‘ସେ ତ ଈଶ୍ୱର।’

ଭବାନୀପାଟଣା, କଳାହାଣ୍ଡି

 

 

 

 

 

 

 

 

Previous ArticleNext Article

Send this to a friend