ଭୁବନେଶ୍ୱର: ଚଳିତ ବନ୍ୟାରେ ୨୧୮ କୋଟି ୭୨ ଲକ୍ଷର କ୍ଷୟକ୍ଷତି ଆକଳନ କରିଛନ୍ତି ରାଜ୍ୟ ସରକାର। କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ହୋଇଥିବା ବନ୍ୟା କ୍ଷୟକ୍ଷତି ନେଇ ରିପୋର୍ଟ ପ୍ରସ୍ତୁତ ହୋଇଛି। ଏହି ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ।
ଜୁଲାଇ ୧୫ରୁ ୧୯ ତାରିଖ ଭିତରେ ହୋଇଥିବା ବନ୍ୟାରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ତେବେ ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାରେ ବେଶୀ କ୍ଷତି ହୋଇଥିଲା। ପ୍ରବଳ ବର୍ଷା ଯୋଗୁଁ ନବରଙ୍ଗପୁରରେ ଉପୁଜିଥିଲା ବନ୍ୟା ଭଳି ପରିସ୍ଥିତି। ବିଶେଷ କରି ଫ୍ଳାସ୍ ଫ୍ଲଡ଼୍ରେ ଧୋଇ ଯାଇଥିଲା କଲ୍ୟାଣସିଂପୁର ବ୍ଲକର ସବୁ କିଛି। ଏବେ ଆସିଛି ଏହି ୫ ଜିଲ୍ଲାର ବନ୍ୟା ଓ ବର୍ଷା ଜନିତ କ୍ଷୟକ୍ଷତି ରିପୋର୍ଟ। ବିଭିନ୍ନ ବିଭାଗର ହିସାବ ଅନୁଯାୟୀ, ବନ୍ୟାରେ ମୋଟ୍ ୨୧୮ କୋଟି ୭୨ ଲକ୍ଷ ୩୫ ହଜାର ଟଙ୍କାର ସଂପତ୍ତି ନଷ୍ଟ ହୋଇଛି। ସବୁଠୁ ଅଧିକ କ୍ଷୟକ୍ଷତି ହୋଇଛି ରାସ୍ତାଘାଟ ପୂର୍ତ୍ତ ବିଭାଗରେ। ଏହି ବିଭାଗରେ ମୋଟ୍ ୬୦ କୋଟି ୭୯ ଲକ୍ଷର କ୍ଷତି ଆକଳନ କରାଯାଇଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତାଘାଟରେ ୪୩ କୋଟି ୩୬ ଲକ୍ଷ ଓ ବିଲ୍ଡିଂରେ ୪ କୋଟି ୬୪ ଲକ୍ଷର ସଂପତ୍ତି ନଷ୍ଟ ହୋଇଛି। ପଞ୍ଚାୟତିରାଜ ବିଭାଗ ଅଧୀନରେ ଆସୁଥିବା ରାସ୍ତାଘାଟ, କଲଭର୍ଟ, ପୋଲ ଓ ବିଲଡିଂ ବାବଦକୁ ୪୮ କୋଟି ୯୦ ଲକ୍ଷ ଓ ପାଇପ୍ ଜଳ ଯୋଗାଣ କ୍ଷେତ୍ରରେ ୧ କୋଟି ୭ ଲକ୍ଷର ସଂପତ୍ତି ନଷ୍ଟ ହୋଇଛି। ନଦୀ ଓ କେନାଲ୍ ବନ୍ଧ, କ୍ଷୁଦ୍ର ଜଳସେଚନ ଓ ଉଠା ଜଳସେଚନ ପ୍ରକଳ୍ପକୁ ୨୫ କୋଟି ୩୭ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଆକଳନ କରିଛି ଜଳସଂପଦ ବିଭାଗ।
ସେହିପରି ଶକ୍ତି ବିଭାଗର ୪ କୋଟି ୬୩ ଲକ୍ଷ ଓ କୃଷି ବିଭାଗର ୪ କୋଟି ୩୬ ଲକ୍ଷ ଟଙ୍କା କ୍ଷତି ହୋଇଛି। କଲ୍ୟାଣସିଂପୁରରେ ୮୩ଟି ଅଙ୍ଗନଓ୍ୱାଡି କେନ୍ଦ୍ର କ୍ଷତିଗ୍ରସ୍ତ ହେବାଦ୍ୱାରା ୧ କୋଟି ୬୬ ଲକ୍ଷ ହୋଇଥିବା ମହିଳା ଓ ଶିଶୁ ବିକାଶ ବିଭାଗ ଦର୍ଶାଇଛି। ସେହିପରି ୮୪ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ଓ ୩୮ଟି ହାଇସ୍କୁଲ କ୍ଷତିଗ୍ରସ୍ତ ହେବାଦ୍ୱାରା ୩ କୋଟି ୮୫ ଲକ୍ଷ ଟଙ୍କାର ସଂପତ୍ତି ନଷ୍ଟ ହୋଇଛି। ଏହାବ୍ୟତୀତ ବନ୍ୟାରେ ବ୍ୟକ୍ତିଗତ ଘର ଭଙ୍ଗା କ୍ଷତି ଆକଳନ ୭ କୋଟି ୨୨ ଲକ୍ଷ କରାଯାଇଛି। ଏସ୍ଆରସି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟକୁ କେନ୍ଦ୍ର ସରକାରଙ୍କୁ ଦିଆଯିବ।
ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ରେଳ ଲାଇନ୍, ରେଲେଓ୍ୱ ବ୍ରିଜ୍, ଜାତୀୟ ରାଜପଥ ଓ ଟେଲିକମ୍ ଲାଇନ୍ ତୁରନ୍ତ ମରାମତି ପାଇଁ କେନ୍ଦ୍ରକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି। ତେବେ ବନ୍ୟାରେ ଭଦ୍ରକ, ଯାଜପୁର, ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହୋଇଥିଲେ ସୁଦ୍ଧା ସେ ଜନିତ କ୍ଷୟକ୍ଷତି ରିପୋର୍ଟ ଏଯାଏଁ ଆକଳନ କରାଯାଇପାରିନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।