Advertisment

ଜାତୀୟ ରାଜପଥରେ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ଦାୟୀ କିଏ ?

NHAI ଓଡ଼ିଶା ମୁଖ୍ୟ ମହାପ୍ରବନ୍ଧକଙ୍କୁ ଚିଠି ଲେଖି ପରିବହନ ସଚିବ ଊଷା ପାଢ଼ୀ କହିଛନ୍ତି, NHAI ପାଟ୍ରୋଲିଂ ଟିମ୍‌ର ଅସମ୍ବେଦନଶୀଳତା ତଥା କର୍ତ୍ତବ୍ୟରେ ଅବହେଳା ଯୋଗୁ ଏତେବଡ଼ ଦୁର୍ଘଟଣା ଘଟିଛି।

author-image
Manoranjan Sial
Road accident

Road accident

ଜାତୀୟ ରାଜପଥ(NH)ରେ ବେଆଇନ ଗାଡ଼ି ପାର୍କିଂ ଡାକୁଛି ବିପଦ। ଘଟୁଛି ଦୁର୍ଘଟଣା, ଚାଲିଯାଉଛି ନିରୀହ ଜୀବନ। କେନ୍ଦୁଝର ହେଉ ବା ଭୁବନେଶ୍ୱର ଅଥବା ଆଜି ଯାଜପୁରରେ ଘଟିଥିବା ଦୁର୍ଘଟଣା, ସବୁଠି ବେଆଇନ ଗାଡ଼ି ପାର୍କିଂ ମୁଖ୍ୟ କାରଣ।

Advertisment

ହେଲେ ଘଟଗାଁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାକୁ ନେଇ ଏବେ ରାଜ୍ୟ ସରକାର ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ(NHAI) ମୁହାଁମୁହିଁ ହୋଇଛନ୍ତି। ପରସ୍ପରକୁ ଦୋଷ ଲଦାଲଦି ହୋଇଛନ୍ତି। କେନ୍ଦୁଝର ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଲାଗି NHAI କର୍ତ୍ତୃପକ୍ଷକୁ ସିଧାସଳଖ ଦାୟୀ କରିଛି ପରିବହନ ବିଭାଗ।

NHAI ଓଡ଼ିଶା ମୁଖ୍ୟ ମହାପ୍ରବନ୍ଧକଙ୍କୁ ଚିଠି ଲେଖି ପରିବହନ ସଚିବ ଊଷା ପାଢ଼ୀ କହିଛନ୍ତି, NHAI ପାଟ୍ରୋଲିଂ ଟିମ୍‌ର ଅସମ୍ବେଦନଶୀଳତା ତଥା କର୍ତ୍ତବ୍ୟରେ ଅବହେଳା ଯୋଗୁ ଏତେବଡ଼ ଦୁର୍ଘଟଣା ଘଟିଛି। କିଛି ବ୍ୟକ୍ତିଙ୍କ ଅବହେଳା ପାଇଁ ମଣିଷ ଜୀବନ ଯିବାକୁ ବିଲକୁଲ ସାଲିସ କରାଯିବ ନାହିଁ। ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବ। ଅନ୍ୟପକ୍ଷରେ ଯଦି ରାଜପଥ ପାଟ୍ରୋଲିଂ କିମ୍ବା ଆମ୍ବୁଲାନ୍ସ କର୍ମଚାରୀ ଷ୍ଟ୍ରାଇକ କରୁଛନ୍ତି, NHAI ତତ୍କାଳ ବିକଳ୍ପ ବ୍ୟବସ୍ଥା କରିବାକୁ ବାଧ୍ୟ। ଅନ୍ୟପକ୍ଷରେ ଦୁର୍ଘଟଣାସ୍ଥଳକୁ ବ୍ଲାକ୍ ସ୍ପଟ ଚିହ୍ନଟ କରାଯାଇଥିବା ସତ୍ତ୍ୱେ NHAI କାହିଁକି ପଦକ୍ଷେପ ନେଇ ନଥିଲା ବୋଲି ସଚିବ ପ୍ରଶ୍ନ କରିଛନ୍ତି।

Advertisment

ଜବାବରେ NHAI ଓଡ଼ିଶା ମୁଖ୍ୟ କହିଛନ୍ତି, ଯେଉଁ ସ୍ଥାନରେ ଦୁର୍ଘଟଣା ଘଟିଛି, ତାହା ବ୍ଲାକ୍ ସ୍ପଟ ନୁହେଁ। ତେବେ ଦୁର୍ଘଟଣା ନେଇ ଖବର ମିଳିବାର ୩୫ ମିନିଟ୍ ମଧ୍ୟରେ ଅର୍ଥାତ୍ ଧାର୍ଯ୍ୟ ସମୟର ୧୫ ମିନିଟ୍ ବିଳମ୍ବରେ NHAI ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲା। ଯଦି କୌଣସି କର୍ମଚାରୀ ବା ଏଜେନ୍ସିର ତ୍ରୁଟି ଥିବା ଜଣାପଡ଼ିବ, ତାଙ୍କ ବିରୋଧରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ରାଜପଥ କଡ଼ରେ ବେଆଇନ ପାର୍କିଂ ହଟାଇବା ସ୍ଥାନୀୟ ପ୍ରଶାସନର ଦାୟିତ୍ୱ ବୋଲି ସେ କହିଛନ୍ତି।

ପ୍ରତିବର୍ଷ ସଡ଼କ ଦୁର୍ଘଟଣା ଯୋଗୁ ରାଜ୍ୟରେ ପ୍ରାୟ ୫ ହଜାର ଲୋକଙ୍କ ଜୀବନ ଯାଉଛି। ସେଥିମଧ୍ୟରୁ କେବଳ ଜାତୀୟ ରାଜପଥରେ ହେଉଥିବା ଦୁର୍ଘଟଣା ପାଖାପାଖି ୨ ହଜାର ଲୋକଙ୍କ ମୃତ୍ୟୁର କାରଣ ପାଲଟୁଛି। ଏବେ ପ୍ରଶ୍ନ, ବାସ୍ତବରେ NHରେ ଦୁର୍ଘଟଣାଜନିତ ମୃତ୍ୟୁ ଲାଗି ଦାୟୀ କିଏ ? କିଭଳି କମିବ NHରେ ଦୁର୍ଘଟଣା?

Accident Roadaccident