ନୂଆଦିଲ୍ଲୀ: କାର କମ୍ପାନୀ ମାରୁତି ସୁଜୁକି ପରେ ଦେଶର ଅନ୍ୟତମ ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ଅଶୋକ ଲେୟଲ୍ୟାଣ୍ଡ ତା’ର ସାମୟିକ ବନ୍ଦ କରିବ ବୋଲି ନିଷ୍ପତ୍ତି ନେଇଛି। ଚଳିତ ମାସ କମ୍ପାନୀ ୫ରୁ ୧୮ ଦିନ ସମ୍ପୂର୍ଣ୍ଣ ପ୍ଲାଣ୍ଟ ବନ୍ଦ ରଖିବ ବୋଲି ଆଜି ଅଶୋକ ଲେଲ୍ୟାଣ୍ଡ ତରଫରୁ କୁହାଯାଇଛି। ହେଲେ କେଉଁ ତାରିଖରେ କମ୍ପାନୀ ପ୍ଲାଣ୍ଟ ବନ୍ଦ ରଖିବ ସେ ନେଇ ସୂଚନା ମିଳିନାହିଁ। ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥା ଓ ଅଟୋମୋବାଇଲ ଶିଳ୍ପରେ ବିକ୍ରି କମିଯାଇଥିବାରୁ କ୍ଷତିରୁ ବର୍ତ୍ତିବା ପାଇଁ ଏପରି ନିଷ୍ପତ୍ତି ନେଇଛି ଅଶୋକ ଲେଲ୍ୟାଣ୍ଡ।
କମ୍ପାନୀ ପନ୍ତନଗର ପ୍ଲାଣ୍ଚକୁ ସର୍ବାଧିକ ୧୮ ଦିନ ବନ୍ଦ ରଖିବ ବୋଲି ନିଷ୍ପତ୍ତି ନେଇଥିବା ବେଳେ ଅଲଓ୍ୱର ପ୍ଲାଣ୍ଟ ୧୦ ଦିନ, ଭଣ୍ଡାରା ପ୍ଲାଣ୍ଟ ୧୦ ଦିନ, ଏନ୍ନୋର ପ୍ଲାଣ୍ଟ ୧୬ ଦିନ ଏବଂ ହୋସୁର ପ୍ଲାଣ୍ଟ ସର୍ବନିମ୍ନ ୫ ଦିନ ବନ୍ଦ ରହିବ ବୋଲି କମ୍ପାନୀ କହିଛି।
କମ୍ପାନୀ ଏହି ନିଷ୍ପତ୍ତି ନେବା ପୂର୍ବରୁ ନିଜ କର୍ମଚାରୀଙ୍କୁ ଚାକିରି ଛାଡ଼ିବା ପାଇଁ ମଧ୍ୟ ଅଫର ଦେଇ ସାରିଛି। ଅଗଷ୍ଟ ମାସରେ କମ୍ପାନୀର ବିକ୍ରୀ ଗତବର୍ଷ ତୁଳନାରେ ୪୭ ପ୍ରତିଶତ ହ୍ରାସ ପାଇଛି। ଗତ ମାସରେ ଏହି କମ୍ପାନୀ ୯ ହଜାର ୨୩୧ଟି ବାହନ ବିକ୍ରୀ କରିଥିବାବେଳେ ଗତବର୍ଷ ଅଗଷ୍ଟରେ ୧୭ ହଜାର ୩୮୬ଟି ବାହନ ବିକ୍ରୀ କରିଥିଲା।
ସୂଚନାଯୋଗ୍ୟ, ଦେଶର ଅଭିବୃଦ୍ଧି ହାର କମିବା ପରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଅଟୋମୋବାଇଲ ଶିଳ୍ପ। ଅଶୋକ ଲେଲ୍ୟାଣ୍ଡ ପୂର୍ବରୁ ମାରୁତି ସୁଜୁକିର ହରିଆନାର ମାନେସର ସେପ୍ଟେମ୍ୱର ୭ ଏବଂ ଗୁରୁଗ୍ରାମ ପ୍ଲାଣ୍ଟ ଆଜି ବନ୍ଦ ରଖିଛି। ଦେଶରେ ଏଯାବତ ୨ ଲକ୍ଷ କର୍ମଚାରୀ ଛଟେଇ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।