ଭୁବନେଶ୍ୱର: ଜିଓ ପକ୍ଷରୁ ଭାରତରେ ଏକ ଡିଜିଟାଲ୍ ସାକ୍ଷରତା କାର୍ଯ୍ୟକ୍ରମ ‘ଡିଜିଟାଲ୍ ଉଡ଼ାନ୍’ ବାବଦରେ ଘୋଷଣା କରାଯାଇଛି। ଏହା ପ୍ରଥମ ଥର ଇଣ୍ଟରନେଟ୍ ବ୍ୟବହାର କରୁଥିବା ଲୋକମାନଙ୍କୁ ଇଣ୍ଟରନେଟ୍ ବାବଦରେ ବୁଝାଇବା ସହିତ ସେମାନଙ୍କୁ ସଚେତନ କରାଇବ। ଜିଓର ଗ୍ରାହକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପ୍ରଥମ ଥର ଇଣ୍ଟରନେଟ୍ ବ୍ୟବହାର କରୁଥିବା ବ୍ୟବହାରକାରୀ। ସେଥିପାଇଁ ଜିଓ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି।
‘ଡିଜିଟାଲ୍ ଉଡ଼ାନଡ଼’ ଅଭିଯାନରେ ଜିଓ ପକ୍ଷରୁ ପ୍ରତି ଶନିବାର ସେମାନଙ୍କୁ ଜିଓ ଫୋନ୍ର ବିଭିନ୍ନ ସୁବିଧା, ବିଭିନ୍ନ ଆପ୍ର ବ୍ୟବହାର, ଇଣ୍ଟରନେଟ୍ ସୁରକ୍ଷା ବାବଦରେ କୁହାଯିବ। ଅନ୍ୟପକ୍ଷରେ କିଭଳି ସରଳ, ସୁରକ୍ଷିତ ଏବଂ ନିରାପଦ ଉପାୟରେ ଫେସବୁକ୍ ବ୍ୟବହାର କରିହେବ ସେହି ବିଷୟରେ କୁହାଯିବ। ଏଥିପାଇଁ ୧୦ଟି ଆଞ୍ଚଳିକ ଭାଷାରେ ଅଡିଓ-ଭିଜୁଆଲ ପ୍ରଶିକ୍ଷଣ ବିଷୟବସ୍ତୁ ତିଆରି କରାଯାଇଛି। ଜିଓ ଏବଂ ଫେସ୍ବୁକ ଏକାଠି ଆୟୋଜନ କରୁଥିବା ଏହି ପ୍ରଶିକ୍ଷଣରେ ତାଲିମଦାତାଙ୍କୁ ତାଲିମ ଭିଡିଓ ଏବଂ ସୂଚନା ପୁସ୍ତିକା ମଧ୍ୟ ଦିଆଯିବ।
ଏହି କାର୍ଯ୍ୟକ୍ରମକୁ ୧୩ଟି ରାଜ୍ୟର ପାଖାପାଖି ୨୦୦ ବିଭିନ୍ନ ଅଞ୍ଚଳରେ ଶୁଭାରମ୍ଭ କରାଯାଇଛି। ରିଲାଏନ୍ସ ଜିଓର ନିର୍ଦ୍ଦେଶକ କହିଛନ୍ତି, “ଡିଜିଟାଲ ଉଡ଼ାନ ଅଭିଯାନ ସୂଚନା ଅସମାନତାରେ ରହିଥିବା ପ୍ରତିବନ୍ଧକକୁ ଦୂର କରିବା ସହ ରିଅଲ ଟାଇମ୍ରେ ପହଞ୍ଚାଇବ। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଜଣେ ହେଲେ ବି ଭାରତୀୟ ଡିଜିଟାଲ୍ ଅଭିଯାନରୁ ଅଲଗା ହୋଇ ରହିବେ ନାହିଁ, ତାହା ନିଶ୍ଚିତ କରିବା। ଜିଓ ଏହି କାର୍ଯ୍ୟକ୍ରମକୁ ଭାରତର ପ୍ରତିଟି ଗାଁ ଓ ସହରରେ ପହଞ୍ଚାଇ ଦେଶରେ ୧୦୦% ଡିଜିଟାଲ ସାକ୍ଷରତା ହାସଲ କରିବାକୁ ଲକ୍ଷ୍ୟ ରଖିଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।