ପୁଲିସ ଏଏସ୍‌ଆଇଙ୍କ ବାଇକ ଚୋରି ହେବା ପରେ...

ଭଡ଼ା ଘରୁ ଚୋରି ହୋଇଥିଲା ପୁଲିସ ଏଏସ୍‌ଆଇଙ୍କ ବାଇକ।

କଣ୍ଟାବାଞ୍ଜି ଏସ୍‌ଡିପିଓ ଗୌରାଙ୍ଗ ଚରଣ ସାହୁ

  • Published: Monday, 23 September 2024
  • , Updated: 23 September 2024, 10:19 PM IST

ଭଡ଼ା ଘରୁ ଚୋରି ହୋଇଗଲା ପୁଲିସ ଏଏସ୍‌ଆଇଙ୍କ ବାଇକ। ସେହି ବାଇକକୁ ଖୋଜୁ ଖୋଜୁ ପୁଲିସ୍ ହାତରେ ଧରା ପଡ଼ିଛି ଏକ ତିନି ଜଣିଆ ବାଇକ ଚୋର ଗ୍ୟାଙ୍ଗ। ପୁଲିସ ସେମାନଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଜବତ ହୋଇଛି ମୋଟ ୧୧ଟି ଦୁଇ ଚକିଆ ଗାଡ଼ି। ଘଟଣାଟି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର।

କଣ୍ଟାବାଞ୍ଜି ଏସ୍‌ଡିପିଓ ଗୌରାଙ୍ଗ ଚରଣ ସାହୁଙ୍କ ସୂଚନା ଅନୁଯାୟୀ, ଗତ ୧୯ ତାରିଖ ଦିନ କଣ୍ଟାବାଞ୍ଜି ଥାନାରେ କାର୍ଯ୍ୟରତ ପୁଲିସ ଏଏସଆଇ ଈଶ୍ୱର ମାଝୀ ଡ୍ୟୁଟି ସାରି ତାଙ୍କ ଭଡ଼ା ଘରକୁ ଫେରିଥିଲେ। ଘର ବରଣ୍ଡାରେ ସେ ବାଇକ୍‌କୁ ଠିକ୍ ଭାବେ ଲକ୍ କରିଥିଲେ। କିନ୍ତୁ ତା’ ପରଦିନ ସକାଳେ ଦେଖିଲା ବେଳକୁ ସେଠାରେ ତାଙ୍କ ବାଇକ ନଥିଲା। ବାଇକ୍ ଚୋରି ହୋଇଥିବା ନେଇ ସେ ଥାନାରେ ଏତଲା ଦେଇଥିଲେ। କଣ୍ଟାବାଞ୍ଜି ଥାନା ପୁଲିସ ଅଭିଯୋଗ ପାଇବା ପରେ ଘଟଣାର ଖୋଳତାଡ଼ କରିଥିଲା।

ତଦନ୍ତ ବେଳେ ପୁଲିସକୁ ମିଳିଥିଲା ସଫଳତା। କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ରୁପ୍ରାରୋଡ଼ ଗାଁର ଅବିନାଶ ସାହୁଙ୍କୁ ଧରିଥିଲା ପୁଲିସ। ତାଙ୍କଠାରୁ ଏଏସ୍‌ଆଇ ଈଶ୍ୱର ମାଝୀଙ୍କ ବାଇକ ଜବତ କରାଯାଇଥିଲା। ତାଙ୍କୁ ଗିରଫ କରି ଜେରା କରାଯିବା ବେଳେ କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାରୁ ସେ ମୋଟ ୧୧ଟି ଦୁଇ ଚକିଆ ଯାନ ଚୋରି କରିଥିବା କହିଥିଲେ। ତାଙ୍କ ସୂଚନା ଆଧାରରେ ପୁଲିସ ତଦନ୍ତକୁ ଆଗକୁ ନେଇଥିଲା। ଆଉ ଅବିନାଶଙ୍କ ଦୁଇ ସହଯୋଗୀଙ୍କୁ ଧରିବାରେ ସଫଳ ହୋଇଥିଲା। ସେମାନେ ହେଉଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଆମ୍ବଗାଁର ଦୀପକ ଡାକୁଆ ଓ ଲାଣ୍ଡରୁକେଟ ଗାଁର ଅମନ ଦିଗଲ।

୧୧ଟି ଦୁଇ ଚକିଆ ଯାନରୁ ଈଶ୍ୱର ଗୋଟିଏ ନିଜ ପାଖରେ ରଖିଥିବା ବେଳେ ୮ଟି ଦୀପକ ଡାକୁଆଙ୍କୁ ଦେଇଥିଲେ ଓ ୨ଟି ଅମନ ଦିଗଲକୁ ଦେଇଥିଲେ। ପୁଲିସ ସେମାନଙ୍କଠାରୁ ସମସ୍ତ ଗାଡ଼ି ଜବତ କରିଛି। ଜବତ ୧୧ଟି ଗାଡ଼ି ମଧ୍ୟରେ ରହିଛି ୨ଟି ଆପାଚି, ୩ଟି ସ୍କୁଟି, ଗୋଟିଏ ପଲସର ଓ ଅନ୍ୟାନ୍ୟ ଗାଡ଼ି। ପୁଲିସର ତଦନ୍ତ ଜାରି ରହିଛି।

ରିପୋର୍ଟ- କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Related story