ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଟାଙ୍ଗଣାପଲ୍ଲୀ ଗ୍ରାମର ଟୁକୁନା ପ୍ରଧାନଙ୍କ ଗଳିତ ଶବକୁ ଉଦ୍ଧାର କରାଯାଇଛି। ଗତ ଡିସେମ୍ୱର ୨୭ ତାରିଖରୁ ଟୁକୁନା ନିଖୋଜ ଥିଲେ। ଟୁକୁନାଙ୍କ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଆଜି ସକାଳେ ଚମାଖଣ୍ଡି ଗ୍ରାମର ଜଣେ ଲୋକ ସିଙ୍ଗିବନ୍ଧକୁ ଶୌଚ ପାଇଁ ଯାଇଥିବା ବେଳେ ଟୁକୁନାର ଗଳିତ ଶବ ପାଣିରେ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ଏକ ବାଇକ୍ ଜବତ କରିଛି।
ପୂର୍ବରୁ ଟୁକୁନାଙ୍କୁ ହତ୍ୟା ଧମକ ମିଳିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଟୁକୁନାଙ୍କ ପରିବାରକୁ ନ୍ୟାୟ ଦେବା ଓ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଅଞ୍ଚଳବାସୀ ଜାତୀୟ ରାଜପଥ ଅବରୋଧ କରିଥିଲେ। ଛତ୍ରପୁର ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ।
ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଚମାଖଣ୍ଡି ଥାନା ଅଧିକାରୀ ଅଶୋକ କୁମାର ପରିଡ଼ଶ କହିଛନ୍ତି।