ମୁହଁ ଖୋଲିଲେ ଆଲିଆ, କହିଲେ- କାହିଁକି ହଟାଇଲେ ‘ଆରଆରଆର’ ପୋଷ୍ଟର

ମୁମ୍ବାଇ: ଅପପ୍ରଚାରକୁ ନେଇ ରାଗିପାଚି ଲାଲ ହେଲେ ଆଲିଆ । ସୋଶାଲ ମିଡିଆ ୟୁଜର୍ସଙ୍କ କ୍ଲାସ୍‌ ନେବାକୁ ବି ପଛାଇଲେ ନାହିଁ। କହିଲେ କିଛି ନ ଜାଣି ନିଜ ଅନୁମାନକୁ ଅନ୍ୟ ଉପରେ ଲଦି ଦେବା ଠିକ୍‌ ନୁହେଁ। ଇନଷ୍ଟାଗ୍ରାମରେ ଆଲିଆଙ୍କ ଏହି ପୋଷ୍ଟ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

‘ଆରଆରଆର’ ଫିଲ୍ମ ବ୍ଲକବଷ୍ଟର ହୋଇଥିବା ବେଳେ ଏଥିରେ ମିଳିଥିବା କମ୍‌ ସ୍କ୍ରିନ୍‌ ସ୍ପେଶକୁ ନେଇ ଖୁସି ନ ଥିଲେ ଆଲିଆ। ଏହି ଫିଲ୍ମରେ ଆଲିଆଙ୍କର କେବଳ ୯ ମିନିଟ୍‌ର ସିନ୍‌ ଥିବା ବେଳେ    ତାଙ୍କର ସୀତା ଚରିତ୍ରଟି ସେତେଟା ଦମ୍‌ଦାର ମଧ୍ୟ  ନ ଥିଲା। ଏହାକୁ ନେଇ ଭିତରେ ଭିତରେ ରାଗିଥିବା ଗଙ୍ଗୁବାଇ ଶେଷରେ ନିଜ ଇନଷ୍ଟାଗ୍ରାମରୁ ନିର୍ଦ୍ଦେଶକ ରାଜମୌଲିଙ୍କୁ ଅନଫଲୋ କରିବା ସହ  ଆରଆରଆରର ପୋଷ୍ଟର ଡିଲିଟ ଖବର ପ୍ରଚାରିତ ହୋଇଥିଲା। ହେଲେ ଏହାକୁ ସିଧା ସିଧା ଖଣ୍ଡନ କରିଛନ୍ତି ଆଲିଆ। ଏହି ଚର୍ଚ୍ଚାରେ ସେ ଲଗାଇଛନ୍ତି ବିରାମ ।

ନିଜ ପୋଷ୍ଟରେ ଆଲିଆ ଉଲ୍ଲେଖ କରିଛନ୍ତି, ସମସ୍ତଙ୍କୁ ଅନୁରୋଧ କରୁଛି , ଦୟାକରି ନିଜ ଅନୁମାନକୁ ଅନ୍ୟ ଉପରେ ଲଦି ଦିଅନ୍ତୁ ନାହିଁ । ତାହା ଆପଣଙ୍କ ମତ ହୋଇପାରେ। ହେଲେ ତାହା ସହ ଅନ୍ୟଜଣଙ୍କ ମତ ମେଳ ଖାଇବ ବୋଲି କିଛି ମାନେ ନାହିଁ।

ଇନଷ୍ଟାରୁ ଆରଆରଆର ପୋଷ୍ଟର ଡିଲିଟ ସମ୍ପର୍କରେ ସଫେଇ ଦେବାକୁ ଯାଇ ଆଲିଆ କହିଛନ୍ତି, ମୁଁ ସବୁବେଳେ ମୋ ସୋଶାଲ ମିଡିଆ ଆକାଉଣ୍ଟକୁ ତାଜା ରଖିବାକୁ ଚେଷ୍ଟା କରେ, ତେଣୁ ପୁରୁଣା ପୋଷ୍ଟକୁ ହଟାଇ ନୂଆ ଫଟୋ, ଭିଡିଓକୁ ସାମିଲ କରେ।

allia- bhat
ଆଲିଆ ଭଟ୍ଟ ଓ ରାଜ ମୌଲି ।

ରାଜମୌଲିଙ୍କ ଉପରେ ଆଲିଆ ଖପ୍ପା ଥିବା ବି-ଟାଉନ୍‌ରେ ଗସିପ ହେଉଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଆଲିଆ । ସେ ନିଜ ଇନଷ୍ଟାରେ ଲେଖିଛନ୍ତି, “ମୁଁ ଚିରଦିନ ପାଇଁ କୃତଜ୍ଞ ଯେ ମୁଁ RRR  ଫିଲ୍ମର ଏକ ଅଂଶ ହୋଇପାରିଛି। ମୁଁ ସୀତା ରୋଲକୁ ଖୁବ୍‌ ଭଲ ପାଉଥିଲି।  ରାଜମୌଲି ସାରଙ୍କ  ନିର୍ଦ୍ଦେଶନାରେ କାମ କରିବା କୌଣସି ସୌଭାଗ୍ୟଠାରୁ କମ୍‌ ନୁହେଁ।  ଏହି ଫିଲ୍ମ ପାଇଁ ରାଜମୌଲି ସାର୍‌ ଖୁବ୍‌ ପରିଶ୍ରମ କରିଛନ୍ତି। ତେଣୁ ଏହାକୁ ନେଇ ଯେପରି କୌଣସି ମିଥ୍ୟା ଗୁଜବ ସୃଷ୍ଟି ନ ହୁଏ ସେଥିପ୍ରତି ମୁଁ ଖୁବ ତତ୍ପର ।

ଗତ ୨୫ ତାରିଖରେ ରିଲିଜ ହୋଇଥିବା RRR ଫିଲ୍ମ ଖୁବ୍‌ ଶୀଘ୍ର ଶହେ କୋଟି କ୍ଲବରେ ସାମିଲ ହୋଇଥିଲା । ଅଜୟ ଦେବଗନ, ଏନଟିଆର, ରାମଚରଣଙ୍କ ପରି ହେଭିୱେଟ ଷ୍ଟାରକାଷ୍ଟଙ୍କୁ ନେଇ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ଧମାଲ କରୁଛି । ଏହି ଫିଲ୍ମରେ ରାମ ଚରଣଙ୍କ ଅପୋଜିଟ୍‌ରେ ଅଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ଏହା ତାଙ୍କର ପ୍ରଥମ ସାଉଥ ଡେବ୍ୟୁ ଫିଲ୍ମ। ପୂର୍ବରୁ ଆଲିଆଙ୍କୁ ଏଥିରେ ଦମଦାର ରୋଲ ମିଳିଥିବା ନେଇ ଚର୍ଚ୍ଚା ହେଉଥିଲା। ତେବେ ଫିଲ୍ମ ରିଲିଜ ହେବା ପରେ କିନ୍ତୁ ସବୁ କିଛି ଓଲଟା ହୋଇଯାଇଛି।

ଏହି ଫିଲ୍ମରେ ଅଭିନେତା ଅଜୟ ଦେବଗନଙ୍କ ଚରିତ୍ର ଦମଦାର ରହିଥିବା ବେଳେ ତାହା ତୁଳନାରେ ଆଲିଆଙ୍କ ସିନ୍‌ କିଛି ନାହିଁ। ଏହାକୁ ନେଇ ସେ ଏବେ ରାଗି ଯାଇଥିବା କୁହାଯାଇଛି। ସେପଟେ ନିକଟରେ ଆର୍‌ଆର୍‌ଆର୍‌ର ପ୍ରମୋସନାଲ ଇଭେଣ୍ଟରେ ମଧ୍ୟ ଆଲିଆ ଖୁବ୍‌ କମ୍‌ ନଜର ଆସିଥିବା ଦେଖିବାକୁ ମିଳିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।