ଟାଇଗର ସ୍ରଫ୍ଙ୍କ ଅପକମିଂ ଫିଲ୍ମ ‘ମୁନ୍ନା ମାଇକେଲ’କୁ ନେଇ ଏବେ ବଲିଉଡ୍ରେ ଖୁବ୍ ଚର୍ଚ୍ଚା। ଫିଲ୍ମର ଅଧିକାଂଶ ଭାଗର ସୁଟିଂ ସରି ଯାଇଛି। ହେଲେ ଏ ପର୍ଯ୍ୟନ୍ତ ରିଲିଜ୍ ଡେଟ୍ ସ୍ଥିର ହୋଇନାହିଁ। ତେବେ ଓଡିଆ ଦର୍ଶକଙ୍କ ସହ ଏ ଫିଲ୍ମର ରହିବ ଏକ ବିଶେଷ ସଂପର୍କ। କାରଣ ପୂରା ଫିଲ୍ମରେ ଟାଇଗରଙ୍କ ସହ ପାଖେ ପାଖେ ଅଛନ୍ତି ଓଡିଆ ଯୁବକ ବିକ୍ରମ ସ୍ୱାଇଁ।
ବର୍ଷକ ତଳେ ଗଂଜାମ ଜିଲ୍ଲାର ଅପରିଚିତ ଯୁବକ ବିକ୍ରମଙ୍କୁ ଚିହ୍ନି ଥିଲା ସାରା ଓଡିଶା। ଯେତେବେଳେ ଟାଇଗରଙ୍କ ବାଗି ଫିଲ୍ମ ରିଲିଜ୍ ହୋଇଥିଲା। ଆଉ ଏହାସହ ଚର୍ଚ୍ଚାକୁ ଆସିଥିଲା ବିକ୍ରମଙ୍କ ଦାଦନ ଜୀବନରୁ ବଲିଉଡ୍ ଯାତ୍ରାର କାହାଣୀ। ଅଭାବ ପାଇଁ ଦିନେ ଘରଦ୍ୱାର ଛାଡି ବିକ୍ରମ ଚାଲି ଯାଇଥିଲେ ମୁମ୍ୱାଇ। ଘର ଘର ବୁଲି ସେ କାର୍ ସଫା କରୁଥିଲେ। ଦିନ ମଜୁରୀରୁ ଯେତିକି ମିଳିଲା ସେତିକିରେ କଟୁଥିଲା ତାଙ୍କ ଜୀବନ। ବ୍ୟସ୍ତବହୁଳ ମାୟା ନଗରୀରେ ସ୍ୱପ୍ନ ଦେଖିବା ଯେମିତି ତାଙ୍କ ପାଇଁ ପାପ ଥିଲା।
ଅଭାବି ପେଟକୁ ଦାନ ଯୋଗାଡ ସରିବା ପରେ ସେ ଚାଲି ଯାଉଥିଲେ ମୁମ୍ୱାଇର ଜୁହୁ ବିଚ୍କୁ। ମନ ହେଲେ ଡେଉଁ ଥିଲେ ବିସ୍ତୀର୍ଣ୍ଣ ବେଳାଭୂମିରେ। ଆଉ ସେହି ଡେଇଁବା ଭିତରେ ସହରୀ ଭାଷାରେ ଷ୍ଟଣ୍ଟ କହୁଥିବା କିଛି କଳା ଅଜାଣତରେ ଦେଖାଇ ଚାଲୁଥିଲେ ବିକ୍ରମ ବିଚ୍ରେ ବୁଲୁଥିବା ଲୋକଙ୍କୁ।
ଆଉ ଏବେ କୃଷ୍ଣ ଦେଇଛନ୍ତି ସୁଦାମାଙ୍କୁ ବ୍ରେକ୍। ରିଲିଜ୍ ଅପେକ୍ଷାରେ ଥିବା ବଲିଉଡ୍ ମୁଭି ମୁନ୍ନା ମାଇକେଲ୍ରେ ପରଦାକୁ ଆସୁଛନ୍ତି ବିକ୍ରମ। ଓଡିଶା ରିପୋର୍ଟର ସହ କଥାବାର୍ତ୍ତା ବେଳେ ଖୁବ୍ ଭାବପ୍ରବଣ ହୋଇଯାଇଥିଲେ ବିକ୍ରମ। କହିଥିଲେ, ପ୍ରଥମରୁ ଶେଷ ପର୍ଯ୍ୟନ୍ତ ପ୍ରାୟ ସବୁ ସିନ୍ରେ ସେ ଅଛନ୍ତି। ଏପରିକି କି ଅନେକ ସିକ୍ୟୁଏନ୍ସରେ ତାଙ୍କ ଡାଇଲଗ୍ ମଧ୍ୟ ରହିଛି। ଏବେ ଅପେକ୍ଷା ରିଲିଜ୍ ଡେଟ୍କୁ। କାରଣ ସେଦିନ ଓଡିଶା ସହ ସାରା ଦେଶ ଦେଖିବ ଜଣେ ଦାଦନର ବଦଳି ଯାଇଥିବା ଜୀବନକୁ।