ମୁମ୍ବାଇ: ବିବାହର ୧୮ ବର୍ଷ ପରେ ଚଳିତ ବର୍ଷ ପ୍ରାରମ୍ଭରେ ନିଜ ରାସ୍ତା ଅଲଗା କରି ନେଇଛନ୍ତି ସାଉଥ ସେନସେସନ୍ ଧନୁଷ ଓ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା । ଉଭୟଙ୍କ ସମ୍ପର୍କକୁ ପୁଣି ଥରେ ଯୋଡ଼ିବାକୁ ପରିବାର ଲୋକ ବହୁତ ଚେଷ୍ଟା କରିବା ସତ୍ତ୍ୱେ ତାହା ସମ୍ଭବ ହୋଇପାରି ନାହିଁ। ଏବେ ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ନୂଆ ଭିଡିଓ ଆଲବମ ନିମନ୍ତେ ଧନୁଷ ଦେଇଥିବା ଶୁଭକାମନାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଏହି ଟ୍ୱିଟରେ ଧନୁଷ ଐଶ୍ୱର୍ଯ୍ୟାଙ୍କୁ ନିଜ ଭଲ ବନ୍ଧୁ ରୂପେ ବିବେଚନା କରିଥିବା ବେଳେ ତାଙ୍କୁ ନିଜ ନୂଆ ଭିଡିଓ ପାଇଁ ଜଣାଇଛନ୍ତି ଶୁଭେଚ୍ଛା ।
ୱାର୍କ ଫ୍ରଣ୍ଟ କଥା କହିଲେ, ଐଶ୍ୱର୍ଯ୍ୟାଙ୍କ ଏକ ମ୍ୟୁଜିକ୍ ଭିଡିଓ ଗତକାଲି ରିଲିଜ ହୋଇଛି। ସୋଶାଲ ମିଡିଆରେ ପୋଷ୍ଟ ହେବା ପରେ ଐଶ୍ୱର୍ଯ୍ୟାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ତାଲିକାରେ ଧନୁଷ ବି ପଛରେ ନାହାନ୍ତି। ସେ ମଧ୍ୟ ଐଶ୍ୱର୍ଯ୍ୟାଙ୍କ ମ୍ୟୁଜିକ୍ ଭିଡିଓକୁ ନିଜ ଟ୍ୱିଟରରେ ଶେଆର କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଧନୁଷ ଲେଖିଛନ୍ତି, ମୋର ବନ୍ଧୁ ଐଶ୍ଚର୍ଯ୍ୟା ତୁମକୁ ମ୍ୟୁଜିକ୍ ଭିଡିଓରେ ଅଭିନନ୍ଦନ, ଭଗବାନ ଆଶୀର୍ବାଦ କରନ୍ତୁ । ଏହି ମେସେଜ ଏବେ ସୋଶାଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
୧୮ ବର୍ଷର ବୈବାହିକ ସମ୍ପର୍କ ପରେ ନିଜ ରାସ୍ତା ଅଲଗା କରି ଦେଇଥିଲେ ସାଉଥ ଇଣ୍ଡଷ୍ଟ୍ରିର ଏହି ସୁପରହିଟ ଯୋଡ଼ି। ଗତ ଜାନୁଆରୀ ମାସରେ ଧନୁଷ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ନିଜ ବିଚ୍ଛେଦ ସମ୍ପର୍କରେ ମୋହର ମାରି ପୋଷ୍ଟ କରିଥିବା ବେଳେ ଐଶ୍ୱର୍ଯ୍ୟା ମଧ୍ୟ ଏହାକୁ ରିପୋଷ୍ଟ କରିଥିଲେ।
ଏହି ଖବର ପ୍ରଚାରିତ ହେବା ପରେ ଉଭୟଙ୍କ ଫ୍ୟାନ୍ସଙ୍କୁ ଏହା ଶକ୍ତ ଆଘାତ ଦେଇଥିଲା। ଉଭୟଙ୍କ ପରିବାର ଲୋକ ମଧ୍ୟ ଏହାକୁ ସହଜେ ଗ୍ରହଣ କରିପାରି ନାହାନ୍ତି। ଝିଅ ଜ୍ୱାଇଁଙ୍କ ଘର ପୁଣି ଥରେ ବସୁ ବୋଲି ରଜନୀକାନ୍ତ ଚାହୁଁଥିବା ବେଳେ ଧନୁଷଙ୍କ ପିତା ତଥା ସାଉଥର ଆଗଧାଡ଼ିର ପ୍ରଡ୍ୟୁସର କସ୍ତୁରୀ ରାଜା ମଧ୍ୟ ଏହା ଏକ ପାରିବାରିକ ଗଣ୍ଡଗୋଳ, ଉଭୟ ମଧ୍ୟରେ ଥିବା ମତାନ୍ତର ଦୂର ହେବ ବୋଲି କହିଥିଲେ। ହେଲେ ଏ ପର୍ଯ୍ୟନ୍ତ ଉଭୟଙ୍କ ସମ୍ପର୍କରେ ସୁଧାର ପରିଲକ୍ଷିତ ହେଉ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।