ମଞ୍ଚରେ ଅଭିନୟ କରୁଥିବା ବେଳେ ପଡ଼ିଗଲେ, ଉଠିପାରିଲେନି

ବାଲେଶ୍ୱର (ରଞ୍ଜିତ ପାକଳ): ଯଲିଉଡ୍‌ର ରୋମାଣ୍ଟିକ୍ ଓ ଷ୍ଟାଇଲିଷ୍ଟ୍ ହିରୋ ହେଉଛନ୍ତି ଦେବଦତ୍ତ ମହାନ୍ତି। ଯଲିଉଡ୍‌ର ସେ ଶଙ୍ଖାଳି ଭାବେ ବେଶ୍ ପରିଚିତ। ତେବେ ଆଜି ସେ ଅସୁସ୍ଥ। ଭୁବନେଶ୍ୱରରେ ଏକ ହସ୍ପିଟାଲ୍‌ରେ ସେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଆଶୁ ଆରୋଗ୍ୟ କାମନା କରି ବହୁ ଯାତ୍ରା ପ୍ରେମୀ ଇଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି। ତେବେ ‘ଯାତ୍ରୀଶ୍ରୀ ବିଶ୍ୱଦରବାର’ କର୍ତ୍ତୃପକ୍ଷ ଆଶାବ୍ୟକ୍ତ କରିଛନ୍ତି, ଚିକିତ୍ସା ପରେ ସେ ପୁଣି ଥରେ ମଞ୍ଚକୁ ଫେରିବେ। ଗତ ୨୩ ତାଖରେ […]

shankhali

Jitendra Garnayak
  • Published: Monday, 30 September 2019
  • , Updated: 30 September 2019, 06:09 PM IST

ବାଲେଶ୍ୱର (ରଞ୍ଜିତ ପାକଳ): ଯଲିଉଡ୍‌ର ରୋମାଣ୍ଟିକ୍ ଓ ଷ୍ଟାଇଲିଷ୍ଟ୍ ହିରୋ ହେଉଛନ୍ତି ଦେବଦତ୍ତ ମହାନ୍ତି। ଯଲିଉଡ୍‌ର ସେ ଶଙ୍ଖାଳି ଭାବେ ବେଶ୍ ପରିଚିତ। ତେବେ ଆଜି ସେ ଅସୁସ୍ଥ। ଭୁବନେଶ୍ୱରରେ ଏକ ହସ୍ପିଟାଲ୍‌ରେ ସେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଆଶୁ ଆରୋଗ୍ୟ କାମନା କରି ବହୁ ଯାତ୍ରା ପ୍ରେମୀ ଇଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି। ତେବେ ‘ଯାତ୍ରୀଶ୍ରୀ ବିଶ୍ୱଦରବାର’ କର୍ତ୍ତୃପକ୍ଷ ଆଶାବ୍ୟକ୍ତ କରିଛନ୍ତି, ଚିକିତ୍ସା ପରେ ସେ ପୁଣି ଥରେ ମଞ୍ଚକୁ ଫେରିବେ।

ଗତ ୨୩ ତାଖରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରାରେ ‘ଯାତ୍ରାଶ୍ରୀ ବିଶ୍ୱଦରବାର’ ତା’ର ଚର୍ଚ୍ଚିତ ନାଟକ ‘ବରଷା ରାତିର ସାଥୀ’ ପରିବେଷଣ କରୁଥିଲା। ମେଲୋଡ଼ି ଓ ରେକର୍ଡ ଡ୍ୟାନ୍ସ ପରେ ଆରମ୍ଭ ହୋଇଥିଲା ନାଟକ। ଝିଲ୍‌ମିଲ୍‌ ଲାଇଟ୍ ଭିତରେ ନିଜର ସ୍ୱାଭାବିକ ଢଙ୍ଗରେ ଷ୍ଟେଜ୍ ଉପରକୁ ଆସିଥିଲେ ନାୟକ ଦେବଦତ୍ତ ମହାନ୍ତି ଓରଫ ଶଙ୍ଖାଳି। ଦୁଇଟି ସିନ୍‌ରେ ଅଭିନୟ କରିଥିଲେ। ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ତୃତୀୟ ସିନ୍‌ରେ କିଛି କହିବା ପୂର୍ବରୁ ସେ ମଞ୍ଚ ଉପରେ ହଠାତ୍ ପଡ଼ି ଯାଇଥିଲେ। କେହି କିଛି ବୁଝି ପାରିଲେ ନାହିଁ- ଷ୍ଟେଜ୍ ଉପରେ ଥିବା ସହ ଅଭିନେତା ହେଉ ବା ଗ୍ରୀନ୍ ରୁମ୍‌ରେ ଅପେକ୍ଷା କରିଥିବା ସାଥୀ କଳାକାର। ସମସ୍ତେ ହତବାକ୍ ହୋଇଯାଇଥିଲେ। ଆଉ ତା’ପରେ କୋଳାହଳମୟ ହୋଇଗଲା ଗ୍ରୀନ୍ ରୁମ୍। ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରାଯାଇ କୁତ୍ରା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ହାର୍ଟ ସମସ୍ୟା ଥିବାରୁ ଡାକ୍ତର ତାଙ୍କୁ ଅପରେସନ୍ ପାଇଁ ପରାମର୍ଶ ଦେଇଥିଲେ। ଗତ ୨୬ ତାରିଖରେ ତାଙ୍କର ଅପରେସନ୍ କରାଯାଇଛି। ଅପରେସନ୍ ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ୭ରୁ ୧୦ ରେଷ୍ଟ୍ ନେବା ପରେ ପୁଣି ଥରେ ଷ୍ଟେଜ୍‌କୁ ଫେରିବେ ବୋଲି “ଯାତ୍ରାଶ୍ରୀ ବିଶ୍ୱଦରବାର” ମାଲିକ କିଶୋର ଚନ୍ଦ୍ର ମିଶ୍ର କହିଛନ୍ତି।

ଶଙ୍ଖାଳି ଅସୁସ୍ଥ ପରେ ସେଦିନ ଆଉ ଯାତ୍ରା ପରିବେଷଣ କରାଗଲା ନାହିଁ। ତେଣୁ ରେକର୍ଡ ଡ୍ୟାନ୍ସ ଓ ମେଲୋଡ଼ି କରାଯାଇଥିଲା। ତା’ପରେ ତାଙ୍କ ଚରିତ୍ରରେ କୃଷ୍ଣ ପଣ୍ଡା ଅଭିନୟ କରୁଛନ୍ତି। କୃଷ୍ଣ ହେଉଛି ଅଲିଉଡ୍‌ର ଜଣେ ପରିଚିତ ଚେହେରା। ତାଙ୍କୁ ନେଇ ନାଟକ ଆଗେଇ ନେଉଛନ୍ତି।

ଶଙ୍ଖାଳିଙ୍କ ସଂପର୍କରେ ସଂକ୍ଷେପରେ

ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ନୂଆଗାଁରେ ଶଙ୍ଖାଳିଙ୍କ ଜନ୍ମ। ଗାଁ ସ୍କୁଲରେ ପାଠ ପଢ଼ିଥିଲେ। ତେବେ ୧୯୯୧ ମସିହାରେ ସେ ବିଏର ପ୍ରଥମ ବର୍ଷରେ ପଢ଼ୁଥିବା ବେଳେ ନିଜ ଭଉଣୀ ଘର ଭୁବନେଶ୍ୱର ଆସିଥିଲେ। ସେଠାରେ ସିଆର୍‌ପିଏଫ୍‌ ଇଣ୍ଟରଭ୍ୟୁ ଦେଇ ଚାକିରି ପାଇଥିଲେ। ଏପରିକି ନାଗାଲାଣ୍ଡର ଦିମାପୁର ତାଲିମ ନେଇ ଥିଲେ। ସେଠାରେ ତାଲିମ ନେଉଥିବା ବେଳେ ମସ୍ତିଷ୍କ ଜ୍ୱରରେ ଆକ୍ରାନ୍ତ ହେଲେ। ଜ୍ୱର ଭଲ ନହେବାରୁ ତାଙ୍କୁ ଚାକିରି ଛାଡ଼ିବାକୁ ପଡ଼ିଥିଲା। ଘରକୁ ଫେରିବା ପରେ ସେ ବିଏ ପାସ୍‌ କଲେ। ଏହି ସମୟରେ ସେ ହିଲ୍‌ ଷ୍ଟେସନ୍‌ ହୋଟେଲ୍‌ ଗ୍ରୁପ୍‌ରେ ଚାକିରି କରିଥିଲେ। ତେବେ ୧୯୯୭ ମସିହାରେ ତାଙ୍କର ମାଆଙ୍କ ଦେହାନ୍ତ ପରେ ସେ ଘରକୁ ଫେରିଆସିଲେ। ମା’ଙ୍କୁ ହରାଇବା ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଆଉ ଘର ଛାଡ଼ି ବାହାରକୁ ଯାଇ ନଥିଲେ। ତେବେ ‘ତାରାପୁର ଅପେରା’ର ମାଲିକ ମନୋରମା ଦାଶଙ୍କ ପରାମର୍ଶରେ ଯାତ୍ରା ପାର୍ଟିରେ ଯୋଗ ଦେଇଥିଲେ। ଆଜିକୁ ୨୦ ବର୍ଷ ଧରି ଯାତ୍ରାରେ ଅଭିନୟ କରୁଛନ୍ତି। ବହୁ ପ୍ରତିଷ୍ଠିତ ଯାତ୍ରା ଅନୁଷ୍ଠାନରେ ଅଭିନୟ କରି ଦର୍ଶକଙ୍କଠାରୁ ପ୍ରଶଂସା ସାଉଁଣ୍ଟିଛନ୍ତି।

ଏବେ ଦୀର୍ଘ ୫ ବର୍ଷ ଧରି “ଯାତ୍ରାଶ୍ରୀ ବିଶ୍ୱଦରବାର”ରେ ମୁହଁରେ ରଙ୍ଗ ମାରି ହସ ଓ ଦୁଃଖ ବାଣ୍ଟୁଛନ୍ତି। ଚଳିତବର୍ଷ ସେ “ତୁମ କଥା ଭାରି ମନେ ପଡ଼େ”, “ବରଷା ରାଣୀର ଭିଜା ଓଢ଼ଣୀ”, “ଆକାଶ କଇଁଆ ଚିଲିକା ମାଛ”, “ଗୁପ୍ତ ସମ୍ପର୍କ”, “ଚଉଠି ରାତିର ଚଉଦ କଥା”, “ଭଲ ପାଇବାକୁ ଭୟ ଲାଗୁଛି” ଓ “ବରଷା ରାତିର ସାଥୀ” ପରି ନାଟକରେ ଅଭିନୟ କରୁଛନ୍ତି।

Related story