‘ମନ ବଦଳି ଗଲାଣି, ବାହା ହେବି, କନିଆ ବଛା ବି ସରିଛି...’

ସେଦିନ ମୋରି ନିର୍ଦ୍ଦେଶରେ ବାସର ଘର ଭିତରେ ମଦ ରଖିଥିଲା ସେହି ବଇଦ… ସେଦିନ ମୋରି ନିର୍ଦ୍ଦେଶରେ ରୋଷେଇ ଘର ଭିତରେ ନିଆଁ ଲଗାଇଥିଲା ସେହି ବଇଦ… ସେଦିନ ମୋରି ନିର୍ଦ୍ଦେଶରେ ତୋର ସାନ ଭାଇର ଗାଡ଼ି ଭିତରେ ବ୍ରାଉନ୍‌ସୁଗର ରଖିଥିଲା ସେହି ବଇଦ… ସେଦିନ ମୋରି ନିର୍ଦ୍ଦେଶରେ ତୋରି ସାନ ଭଉଣୀ ଜିତାକୁ ପାର୍କ ଭିତରେ ଧର୍ଷଣ କରିଥିଲା ସେଇ ବଇଦ… କେବଳ ପ୍ରତିଶୋଧ ନେବା ପାଇଁ। କାରଣ ତୋରି ବାପା ମୋ ମାଆକୁ ମାରିଦେଇଥିଲା। […]

mantu-das

Jitendra Garnayak
  • Published: Wednesday, 13 November 2019
  • , Updated: 13 November 2019, 03:22 PM IST

ସେଦିନ ମୋରି ନିର୍ଦ୍ଦେଶରେ ବାସର ଘର ଭିତରେ ମଦ ରଖିଥିଲା ସେହି ବଇଦ... ସେଦିନ ମୋରି ନିର୍ଦ୍ଦେଶରେ ରୋଷେଇ ଘର ଭିତରେ ନିଆଁ ଲଗାଇଥିଲା ସେହି ବଇଦ... ସେଦିନ ମୋରି ନିର୍ଦ୍ଦେଶରେ ତୋର ସାନ ଭାଇର ଗାଡ଼ି ଭିତରେ ବ୍ରାଉନ୍‌ସୁଗର ରଖିଥିଲା ସେହି ବଇଦ... ସେଦିନ ମୋରି ନିର୍ଦ୍ଦେଶରେ ତୋରି ସାନ ଭଉଣୀ ଜିତାକୁ ପାର୍କ ଭିତରେ ଧର୍ଷଣ କରିଥିଲା ସେଇ ବଇଦ... କେବଳ ପ୍ରତିଶୋଧ ନେବା ପାଇଁ। କାରଣ ତୋରି ବାପା ମୋ ମାଆକୁ ମାରିଦେଇଥିଲା। ଆଉ ସେହିଦିନ ଶପଥ ନେଇଥିଲି ତୋ ବାପାର ବଂଶକୁ ନିପାତ କରିବା ପାଇଁ ...। ସାତଶଙ୍ଖ ଗଣନାଟ୍ୟର ‘ପାପ ହାଟ’ ନାଟକରେ ‘ବିକାଶ ଚୌଧୁରୀ’ ଚରିତ୍ରରେ ଅଭିନୟ କରିଥିବା ମଣ୍ଟୁ ଦାସଙ୍କ ମୁହଁରୁ ଏହି ସଂଳାପ ଛାତି ଥରାଇ ଦିଏ।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା ତାଳଦଣ୍ଡା ଗାଁରେ ମଣ୍ଟୁ ଦାସଙ୍କ ଜନ୍ମ। ପିଲାବେଳୁ କଳାପ୍ରତି ଥିଲା ଅହେତୁକ ଦୁର୍ବଳତା। ଅଭିନୟ କରିବାର ନିଶା ତାଙ୍କୁ ଘାରିଥିଲା। ଅଭିନୟ ନିଶା ଦେଖି ପରିବାର ଲୋକେ ମଣ୍ଟୁଙ୍କୁ ବମ୍ୱେ ଆର୍ଟ କଲେଜରେ ପାଠ ପଢ଼ାଇବାକୁ ଚାହିଁଥିଲେ। ମାତ୍ର ଏଥିରେ ତାଙ୍କ ବଡ଼ ଭାଇ ରାଜି ହୋଇ ନଥିଲେ। ପରେ ମଣ୍ଟୁ ଭୁବନେଶ୍ୱର ଚାଲି ଆସିଲେ। ଏଠାରେ ଶାରଳା ଏକାଡେମୀରେ ଦୁଇ ବର୍ଷ ଧରି ଅଧ୍ୟୟନ କରିଥିଲେ। ଏଠାରେ ପଢ଼ୁଥିବା ବେଳେ ଡିଡି-୧ରେ ପ୍ରସାରିତ ‘ଜୀବନସାଥୀ’, ‘ପଣତ କାନି’ ଓ ‘କାଚ କଣ୍ଢେଇ’ ପ୍ରମୁଖ ଧାରାବାହିକରେ ଅଭିନୟ କରିଥିଲେ। ଏହାଛଡ଼ା କିଛି ଆଲ୍‌ବମ୍‌ରେ ମଧ୍ୟ ଅଭିନୟ କରିବାର ସୁଯୋଗ ପାଇଥିଲେ।

ଯାତ୍ରାକୁ ଯିବା କଥା କେବେ ସ୍ୱପ୍ନରେ ଭାବି ନଥିଲେ ମଣ୍ଟୁ। ତେବେ ହଠାତ୍‌ ଯାତ୍ରା ଜଗତର ସୁପର୍‌ଷ୍ଟାର୍‌ ସୁରେଶ ପଣ୍ଡାଙ୍କ ଅଭିନୟ ତାଙ୍କୁ ଆକର୍ଷିତ କରିଥିଲା। ଆଉ ନିଜ ଅଜାଣତରେ ଟାଣି ହୋଇଗଲେ ଯାତ୍ରା ଦୁନିଆକୁ। କିନ୍ତୁ ସୁଯୋଗ ତ ଦରକାର? ପାଠ ପଢ଼ୁଥିବା ବେଳେ ତାଙ୍କର ଦେଖାହୁଏ ‘ଗଙ୍ଗୋତ୍ରୀ ଯାତ୍ରା’ ପାର୍ଟିର ମାଲିକ ନାରାୟଣ ସାହୁଙ୍କ ପୁଅ ପପୁ ବାବୁଙ୍କ ସହ। ଆଉ ତାଙ୍କ ପରାମର୍ଶରେ ମୁହଁରେ ରଙ୍ଗ ମାରି ମଞ୍ଚ ଉପରେ ଅଭିନୟ କରିବାକୁ ଆଗେଇ ଆସନ୍ତି ମଣ୍ଟୁ। ହେଲେ ରାତିର ଅନିଦ୍ରା ତାଙ୍କୁ ବ୍ୟଥିତ କରିଥିଲା। କିନ୍ତୁ ତାକୁ ଖାତିର କରି ନଥିଲେ। ସେ କହନ୍ତି,“ମଞ୍ଚ ଉପରେ ୪ ଘଣ୍ଟା ଆମ ପାଇଁ ନିଆରା ଖୁସି ଆଣିଦିଏ। ହେଲେ ରାତି ପାହିଗଲେ ପୁଣି ବାସ୍ତବ ଦୁନିଆ କଲବଲ କରେ।”

ସ୍ୱର୍ଗତ ଅନନ୍ତ ଓଝାଙ୍କ ପ୍ରଥମ ନାଟକ ହେଉଛି ‘ଶବ ହସୁଛି’। ଏହି ନାଟକରେ ଜଣେ ଗାଉଁଲି ଯୁବକ ଚରିତ୍ରରେ ଅଭିନୟ କରିଥିଲେ ମଣ୍ଟୁ। ଏହି ନାଟକ ତାଙ୍କ ଯାତ୍ରା ଜଗତରେ ପରିଚୟ ଦେଇଥିଲା। ତେବେ ‘ସାତଶଙ୍ଖ’ ଗଣନାଟ୍ୟର ନାଟକ ‘ପାପ ହାଟ’ ଯାତ୍ରା ଜଗରେ ସ୍ୱତନ୍ତ୍ର ପ୍ରତିଷ୍ଠା ଦେଇଥିଲା। ତା’ପରେ ମଣ୍ଟୁ ଦୁର୍ଗାଶ୍ରୀ ଯାତ୍ରା ପାର୍ଟିକୁ ଯାଇଥିଲେ।

ମଣ୍ଟୁ କହନ୍ତି,“କଳାକାର ଲକ୍ଷ ଲକ୍ଷ ଟଙ୍କା ଆୟ କରନ୍ତି। ସେହି ପଇସାରେ ମାର୍ବଲ ଲଗାଇ ପକ୍କା ଘର ତିଆରି କରନ୍ତି। ହେଲେ ସେହି ଘର ଭିତରେ ଦିନେ ବୋଲି ଶୋଇବାର ସୁଯୋଗ ପାଆନ୍ତି ନାହିଁ। ପର ଘର ବାରଣ୍ଡା ଓ ସ୍କୁଲ୍‌ ଘରେ ବର୍ଷକରୁ ୩୫୦ ଦିନ ବିତି ଯାଏ। ଯାତ୍ରା ପାର୍ଟିରୁ ଛୁଟି ମିଳେନି। ଆଗରୁ ୪ ମାସ ଛୁଟି ମିଳୁଥିବା ବେଳେ ଏବେ ୧୦ ଦିନ ଛୁଟି ମିଳୁଛି।”

ମଣ୍ଟୁ ଏ ଯାଏ ବାହା ହୋଇ ନାହାନ୍ତି। ଏ ବିଷୟରେ ସେ କହିଛନ୍ତି,“ ଯେଉଁ ସମୟରେ ବାହା ହେବା କଥା ସେହି ସମୟରେ ବାହା ହୋଇପାରିଲି ନାହିଁ। ଯେତେବେଳେ ଯାତ୍ରା ପରିଚାଳନା ଦାୟିତ୍ୱ ଆସିଲା, ସେତେବେଳେ ମନ ଭିତରେ ଅଲଗା ଗୋଟିଏ ଚିନ୍ତାଧାରା ଆସିଲା। ଆଉ କେବେ ଯାତ୍ରାରେ ଥାଇ ବାହା ହେବିନି ବୋଲି ଚିନ୍ତା କଲି। କିନ୍ତୁ ଏବେ ମନ ବଦଳିଗଲାଣି। ବାହା ହେବି। କନିଆ ବଛା ସରିଛି। ହେଲେ ଦିନବାର ଠିକ୍‌ ହୋଇନି।”
ସୂଚନାଯୋଗ୍ୟ, ମଣ୍ଟୁ ଏବେ ଯାତ୍ରା ‘ନ୍ୟୁ ସଚ୍ଚିଦାନନ୍ଦ’ରେ ଅଭିନୟ କରୁଛନ୍ତି।

Related story