ଗେରୁଆ ପିନ୍ଧିଲେ ଜୁନିଅର ଏନଟିଆର, ଛାଡ଼ି ଦେବେ କି ଫିଲ୍ମ ଦୁନିଆ?

ହାଇଦ୍ରାବାଦା: ଗେରୁଆ ରଙ୍ଗର କୁର୍ତ୍ତା ସାଙ୍ଗକୁ ପାଇଜାମା। ବେକରେ ମାଳ ପଡ଼ିଥିବା ବେଳେ ମଥାରେ ରହିଛି ତିଳକ ଚିହ୍ନ । ଜୁନିୟର ଏନଟିଆରଙ୍କ ଏପରି ଗେଟଅପ୍‌ର ଫଟୋ ଏବେ ସୋଶାଲ ମିଡିଆରେ ଛାଇ ଯିବାରେ ଲାଗିଛି। ହେଲେ ନିଜ ପ୍ରିୟ ହିରୋଙ୍କ ଏପରି ଗେଟଅପ୍‌କୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ଫ୍ୟାନ୍ସ। ଏପରିକି ଫିଲ୍ମ ମୋହ ଛାଡ଼ି ଏହି ସାଉଥ ସୁପରଷ୍ଟାର ବାବା ହୋଇଯିବେ ବୋଲି ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ହେଲେ ଏହା ପଛର କାହାଣୀ ଭିନ୍ନ ।

ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜମୌଲିଙ୍କ ଫିଲ୍ମ ‘ଆରଆରଆର’ ବ୍ଳକବଷ୍ଟର ଫିଲ୍ମ ହୋଇ ସାରିଥିବା ବେଳେ ହଜାରେ କୋଟିରୁ ଅଧିକ ଆୟ କରି ସାରିଲାଣି।  ଫିଲ୍ମର ସଫଳତା ଦେଖି ଜୁନିଅର ଏନଟିଆରଙ୍କ ମନ ଆକାଶରେ ଉଡ଼ୁଥିବା ବେଳେ ସେ କିନ୍ତୁ ଭଗବାନଙ୍କ ନିକଟରେ ଏଥିନିମନ୍ତେ କୃତଜ୍ଞତା ଜଣାଇଛନ୍ତି। ଏପରିକି ନିଜେ ହନୁମାନ ଦୀକ୍ଷା ନେଇଥିବା ବେଳେ ୨୧ ଦିନ ପର୍ଯ୍ୟନ୍ତ ଖାଲି ପାଦରେ ରହିବେ, ଜୋତା ପିନ୍ଧିବେ ନାହିଁ । ଏହି ସମୟରେ ସେ ଗେରୁଆ ବସ୍ତ୍ର ପିନ୍ଧିବା ସହ ସ୍ୱାତିକ ଭୋଜନ ଗ୍ରହଣ କରିବେ ବୋଲି ଜଣାଯାଇଛି। ଏହାପୂର୍ବରୁ ‘ଆରଆରଆର’  ଫିଲ୍ମର ଅନ୍ୟତମ ହିରୋ  ରାମଚରଣ  ସବରୀମାଳା ମନ୍ଦିରରେ ଦୀକ୍ଷା ଗ୍ରହଣ କରିଥିଲେ।  

ଜୁନିଅର ଏନଟିଆରଙ୍କ ୱର୍କଫ୍ରଣ୍ଟ କଥା କହିଲେ, ସେ ଖୁବ୍‌ ଶୀଘ୍ର କୋରାତାଲା ଶିବାଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମରେ ନଜର ଆସିବେ । ଏଥିନିମନ୍ତେ ସେ ନିଜ ଓଜନ ମଧ୍ୟ କମ୍‌ କରି ସାରିଛନ୍ତି। ଏହାବାଦା ପ୍ରଶାନ୍ତ ନିଲଙ୍କ ଏକ ଫିଲ୍ମରେ ବି ସେ ନଜର ଆସିବେ।

ଆରଆରଆର’  ଏକ ମଲ୍ଟି ଷ୍ଟାରର ଫିଲ୍ମ ହୋଇଥିବା ବେଳେ ଏହାର ଲିଡ୍‌ ରୋଲରେ ଜୁନିଅର ଏନ୍‌ଟିଆର୍‌, ରାମଚରଣ, ଅଜୟ ଦେବଗନ ଓ ଆଲିଆ ଭଟ୍ଟ ଅଭିନୟ କରିଛନ୍ତି।  ବହୁବଳୀ ଫେମ୍‌ ଏସ୍‌ ଏସ୍‌ ରାଜାମୌଲି ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଏହା ବ୍ଲକବଷ୍ଟର ହିଟ ସାବ୍ୟସ୍ତ ହୋଇ ହଜାରେ କୋଟିରୁ ଅଧିକ ରୋଜଗାର କରି ସାରିଲାଣି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।