ବଲିଉଡର କୌଣସି ଷ୍ଟାର ଯଦି ଆପଣଙ୍କୁ ବିବାହ ପ୍ରସ୍ତାବ ଦେବେ ତେବେ ଆପଣ କ’ଣ କରିବେ। ନିଶ୍ଚିତ ଆପଣଙ୍କ ଖୁସିର ସୀମା ରହିବ ନାହିଁ। ଲାଗିବ ଯେମିତି ଗୋଡ଼ ତଳୁ ମାଟି ଖସି ଯାଉଛି ଆଉ ଆପଣ ଛିଡା ଛିଡା ସ୍ୱପ୍ନ ରାଇଜକୁ ଚାଲି ଯାଇଛନ୍ତି। କାରଣ ବି-ଟାଉନର ଗ୍ଲାମର ଦୁନିଆ ଏହିପରି। ଅଭିନୟରେ ସାମାନ୍ୟତମ ଯୋଗଦାନ ନ ଥିଲେ ମଧ୍ୟ ପତି ଷ୍ଟାର ହୋଇଥିଲେ ପତ୍ନି ବି ଷ୍ଟାର ବନି ଯାଇଥାନ୍ତି। ହେଲେ ବଲିଉଡରେ ଏମିତି କିଛି ଷ୍ଟାର ଅଛନ୍ତି ଯେଉଁମାନଙ୍କ ପତ୍ନି ଏପରି ଚାକଚକ୍ୟଠାରୁ ନିଜକୁ ଦୂରେଇ ରଖିବାକୁ ପସନ୍ଦ କରନ୍ତି। ହେଲେ ପତିଙ୍କ ସଫଳତା ପଛରେ ରହିଛି ସେମାନଙ୍କ ବହୁତ ବଡ଼ ଭୂମିକା। ଆସନ୍ତୁ ଜାଣିବା ଏପରି କିଛି ଅଭିନେତାଙ୍କ ସମ୍ପର୍କରେ ଯେଉଁମାନଙ୍କ ପତ୍ନୀ ପରଦା ପଛରେ ରହି ପତିଙ୍କ ସଫଳତାରେ ନିଭାଉଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା।
ଇମ୍ରାନ ହାସମୀ-ପରବିନ ସାହାନୀ: ପରବିନ ହେଛନ୍ତି ବଲିଉଡର କିସ୍ ଷ୍ଟାର ଇମ୍ରାନ ହାସମୀଙ୍କ ପତ୍ନୀ। ୨୦୦୬ରେ ପରବିନଙ୍କୁ ବିବାହ କରିଥିଲେ ଇମ୍ରାନ। ଇମରାନଙ୍କ ସଫଳତା ଦେଖି ନିଶ୍ଚିତ କହିବାକୁ ପଡ଼ିବ ଏହା ପଛରେ ପରବିନଙ୍କ ହାତ ରହିଛି। କାରଣ ଗୋଟେ ପରେ ଗୋଟେ ଫିଲ୍ମରେ କିସ୍ ସିନ୍ ଦେଇ ଚାଲିଥିବା ଏହି ଷ୍ଟାରଙ୍କୁ ରିଲ ଲାଇଫ୍ରେ ଆଗେଇବାକୁ ପତ୍ନୀଙ୍କ ସପୋର୍ଟ ମିଳୁଛି। ଏପରି ହୋଇ ନ ଥିଲେ ଇମରାନ ପରବିନଙ୍କୁ ଛାଡପତ୍ର ଦେଇ ସାରିଥାନ୍ତେ ନହେଲେ କିସ୍ କରିବା ଭୁଲି ସାରିଥାନ୍ତେ। ତେବେ ଏହି ଷ୍ଟାରଙ୍କ ପତ୍ନୀଙ୍କୁ ବହୁତ କମ ଲୋକ ଜାଣିଛନ୍ତି।
ଇର୍ଫାନ ଖାନ-ସୁତପା ସିକନ୍ଦର: ବଲିଉଡଠାରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ନିଜର ଜଲୱା ଦେଖାଇ ସାରିଥିବା ଇରଫାନଙ୍କ ପତ୍ନୀ ସୁତପାଙ୍କୁ ବହୁତ କମ ଲୋକ ଜାଣିଛନ୍ତି। କାରଣ ସୁତପା ସବୁ ବେଳେ ରୂପେଲି ଦୁନିଆର ଚାକଚକ୍ୟରୁ ଦୂରେଇ ରହିଥାନ୍ତି। ନ୍ୟାସନାଲ ସ୍କୁଲ ଅଫ୍ ଡ୍ରମାରେ ଟ୍ରେନିଂ ନେବା ସମୟରେ ଇରଫାନ ସୁତପାଙ୍କ ପ୍ରେମରେ ପଡିଥିଲେ। ଏହା ପରେ ବିବାହ। ସିଲଭର ସ୍କ୍ରିନ୍କୁ ଆସୁ ନ ଥିବା ସୁତପା କିନ୍ତୁ ସ୍କ୍ରିପ୍ଟ୍ ରାଇଟିଂରେ ଧୁରନ୍ଧର। ଏବେ ସେ ପରିବାର ଚଳାଇବା ସହ ଏହି କାମରେ ବ୍ୟସ୍ତ ରହୁଛନ୍ତି।
ସରମନ୍ ଯୋଶୀ-ପ୍ରେରଣା ଚୋପ୍ରା: ‘ଥ୍ରୀ ଇଡିଅଟ’ରେ ରାତାରାତି ଷ୍ଟାର ପାଲଟି ଯାଇଥିବା ସରମନଙ୍କ ପତ୍ନୀ ପ୍ରେରଣା ବିଷୟରେ ଖୁବ କମ୍ ଲୋକ ଜାଣିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରେରଣା ଫିଲ୍ମ ପରିବାରରୁ ଆସିଛନ୍ତି। ଜାଣିଛନ୍ତି ପ୍ରେରଣାଙ୍କ ବାପା କିଏ ? ଆଜ୍ଞା ହଁ ପ୍ରେରଣା ହେଉଛନ୍ତି ବଲିଉଡରେ ମୋଷ୍ଟ ୱାଣ୍ଟେଡ ଖଳନାୟକ ପ୍ରେମ ଚୋପ୍ରାଙ୍କ ଝିଅ। ବାପା ଓ ପତି ଷ୍ଟାର ହୋଇଥିଲେ ମଧ୍ୟ ସେ ନିଜକୁ ଏଥିରୁ ଦୂରେଇ ରଖିଛନ୍ତି।
ହନୀ ସିଂ-ଶାଲିନୀ ସିଂ: ବଲିଉଡର ଫେମସ୍ ୟାର୍ପର ହନି ସିଂଙ୍କ ଘର ଛୁଆଙ୍କ ଠାରୁ ବୁଢା ସମସ୍ତଙ୍କୁ ଜଣା। ମାତ୍ର ୨୦୧୧ରେ ହନୀ ବିବାହ କରିଥିବା ଶାଲୀନିଙ୍କୁ ବହୁତ କମ୍ ଲୋକ ଜାଣନ୍ତି।
ଆର୍. ମାଧବନ୍-ସରିତା ବିରଜେ: ସାଉଥ ସିନେମା ସହ ବଲିଉଡରେ ନିଜର ଅଭିନୟର ଯାଦୁ ଦେଖାଉଥିବା ଷ୍ଟାର ଆର୍. ମାଧବନ୍ ସରିତାଙ୍କୁ ୧୯୯୯ରେ ବିବାହ କରିଥିଲେ। ଏମାନଙ୍କ ମଧ୍ୟରେ ପ୍ରେମ ଏକ ଷ୍ଟଡି କ୍ଲାସରୁ ଆରମ୍ଭ ହୋଇଥିଲା। ସରିତା ମଧ୍ୟ ଏହି ରଙ୍ଗବୋଳା ଚାକଚକ୍ୟଠାରୁ ଦୂରେଇ ରହିବା ପସନ୍ଦ କରନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।