ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଗତ ନଭେମ୍ବର ମାସରେ ଓଲିଉଡର ପ୍ରତିଷ୍ଠିତ ଅଭିନେତ୍ରୀ ମହାଶ୍ୱେତା ରାୟଙ୍କ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଚୟନ ନେଇ ଫେସ୍‌ବୁକ୍‌ରେ ଆପତ୍ତି ଉଠାଇଥିଲେ ମହାଶ୍ୱେତା । ଦର୍ଶକ, ସମାଲୋଚକ ତଥା ଶୁଭେଛୁଙ୍କଠାରୁ ପାଇଥିବା ମତାମତ ଅନୁଯାୟୀ ‘ଚିନି’ ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ବଳିଷ୍ଠ ଥିଲା। ସେ ଦୃଷ୍ଟିରୁ ଏହି ଚଳଚ୍ଚିତ୍ର ପାଇଁ ପୁରସ୍କାର ମିଳିବା କଥା। ତେବେ ‘ଧରା ଦେଲା କଥା ସରେ’ ପାଇଁ ତାଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ପୁରସ୍କାର ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା କହିଥିଲେ ମହାଶ୍ୱେତା । ଦୀର୍ଘ ୪୦ ବର୍ଷ ଧରି ସେ ଅଭିନୟ ସହ ଜଡିତ।

ହେଲେ ଯେଉଁଭଳି ଭାବେ ପୁରସ୍କାର ଚୟନ କରାଗଲା, ସେଥିରେ ସେ ଗଭୀର ମର୍ମାହତ ବୋଲି କହିଥିଲେ । ଏହିପରିପ୍ରେକ୍ଷୀରେ ଗତ କିଛିଦିନ ତଳେ ମହାଶ୍ୱେତା ରାୟ ଓଟିଭିର ଲୋକପ୍ରିୟ ଶୋ ‘ଖୋଲାକଥାକୁ ଅତିଥିଭାବେ ଆସିଥିଲେ। ଏଥିରେ ସିନେମା ଜଗତର ବିଭିନ୍ନ ପ୍ରସଙ୍ଗ ଉଠାଇବା ସହ ‘ଚିନି’ ଚଳଚ୍ଚିତ୍ର ସଂକ୍ରାନ୍ତରେ ମଧ୍ୟ ନିଜ ମତ ରଖିଥିଲେ।

ସେ କହିଥିଲେ ଯେ, ପ୍ରତ୍ୟେକ ମୂହୁର୍ତ୍ତ ଏବଂ ପ୍ରତ୍ୟେକ ସମୟରେ କୌଣସି ଜିନିଶକୁ ନେଇ ବିଦ୍ରୋହ କରିବା ଆବଶ୍ୟକ ନାହିଁ। ‘ଚିନି’ ପାଇଁ ମୁଁ ଯେଉଁ ନିରବତା ଭାଙ୍ଗିଲି ତାହା ବହୁ ଭାବିଚିନ୍ତି କରିଛି । ମହାଶ୍ୱେତା ପୁରସ୍କାର ଚୟନକୁ ପ୍ରକ୍ରିୟାକୁ ନେଇ ସେ ପ୍ରଶ୍ନ ମଧ୍ୟ ଉଠାଇଥିଲେ । କହିଥିଲେ ବିଚାରକମାନଙ୍କୁ କିଏ ଚୟନ କରୁଛନ୍ତି ଏବଂ ତାଙ୍କୁ ଯିଏ ଚୟନ କରୁଛନ୍ତି ତାଙ୍କୁ କିଏ ବାଛୁଛନ୍ତି? ସେ କହିଥିଲେ ଯେ, ଚିନି ଚଳଚ୍ଚିତ୍ର ସର୍ବଶ୍ରେଷ୍ଠ ଚଳଚ୍ଚତ୍ର ଭାବେ ପୁରସ୍କାର ପାଉଛି। କିନ୍ତୁ ସେଥିରେ ଥିବା କହାଣୀ, ଚିତ୍ରନାଟ୍ୟ,ନିର୍ଦ୍ଦେଶନା, ସମ୍ପାଦନା, ଅଭିନୟ, ସଙ୍ଗୀତ ଏମିତି କିଛି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେଲା ନାହିଁ।

ଯେହେତୁ ସମ୍ପୂର୍ଣ୍ଣ ସିନେମାରେ କୌଣସି ଅଂଶ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେଉ ନାହିଁ ତେଣୁ ସିନେମାଟି କେମିତି ଶ୍ରେଷ୍ଠ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ଚିନି ପାଇଁ ସେ ଦମଦାର ଅଭନିୟ କରିଛନ୍ତି। ଆଉ ସେଥିପାଇଁ ସେ ପୁରସ୍କାର ପାଇବା କଥା। ଏଥିରେ ତାଙ୍କର ପୂର୍ଣ୍ଣ ଆତ୍ମବିଶ୍ୱାସ ଥିଲା। କିନ୍ତୁ ତାଙ୍କୁ ଏହି ଚଳଚ୍ଚିତ୍ର ପାଇଁ ପୁରସ୍କାର ମିଳିଲା ନାହିଁ। ତେବେ ଚିନି ପାଇଁ ତାଙ୍କ ଚରିତ୍ରକୁ ପୁରସ୍କାର ନ ମିଳିବା ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ଥିବା ସେ ବାରିପାରିଥିଲେ ବୋଲି କହିଛନ୍ତି। ସେଥିପାଇଁ ଏହାକୁ ନେଇ ସେ ମୁହଁ ଖୋଲିଥିଲେ । ସେହିପରି ସେ ନିଜେ ଏହି ଅନ୍ୟାୟ ସମ୍ପର୍କରେ ମୁହଁ ଖୋଲିଥିବା ବେଳେ ଅଲିଉଡ ସିନେମା ଶିଳ୍ପର ଅନ୍ୟମାନେ କାହିଁକି ସାଥ ଦେଲେ ନାହିଁ ବୋଲି ପ୍ରଶ୍ନ କରିବାରୁ ସେ ଏହାର ଜବାବ ରଖିଥିଲେ।

କହିଥିଲେ ଓଡ଼ିଆ ସିନେମାର ବନ୍ଧୁମାନେ ଦୀର୍ଘ ଦିନ ଧରି ଅବହେଳା ଏବଂ ଅନ୍ୟାୟ ସହି ଆସୁଛନ୍ତି । ଏବେ ଆଉ ସେ ସମୟ ନାହିଁ। ଧିରେ ଧିରେ ସମସ୍ତେ ଆଗୁକୁ ଆସିବେ ଏବଂ ପ୍ରତିବାଦ କରିବେ ବୋଲି କହିଥିଲେ। ଏହି ପରିପ୍ରକ୍ଷୀରେ ସେ ଅନେକ ପ୍ରଶ୍ନର ଉତ୍ତର ରଖିଥିଲେ। ସେଥିରେ ଉଭୟ ସିନେମା ଓ ବ୍ୟକ୍ତିଗତ ସମ୍ପର୍କିତ ମଧ୍ୟ ଥିଲା। ଚଳଚ୍ଚିତ୍ର ‘ଶେଷ ଶ୍ରାବଣ’ରେ ସିନେମାରେ ଖଳନାୟକ ଭୂମିକାରେ ଥିବା ଦୁଃ‌ଖିରାମ ସ୍ୱାଇଁଙ୍କୁ ଦେଖି ସେ ଡରିଯାଇଥିବା ସ୍ୱୀକାର କରିଥିଲେ। ସେ କହିଥିଲେ ଫିଲ୍ମରେ ସେମିତି ଏକ ସିକୁଏନ୍ସ ଥିଲା। ସିନ୍‌ଟି ହେଉଛି ସେ ନଦୀକୂଳରେ ବସି ଗାଧଉଥିଲେ। ଏହି ସମୟରେ ପଛରୁ ଆସି ଦୁଃ‌ଖିରାମ ଡାକନ୍ତି। କୁହନ୍ତି ଆଲୋ ମାଣିକ। ଏହି ସମୟରେ ମୁଁ ପଛକୁ ଅନେଇ ଚାହିଁଲା ବେଳକୁ ତାଙ୍କ ଭୟଙ୍କର ରୂପ ଦେଖି ଡରିଯାଇଥିଲି। ଆଉ ଭୟରେ ମୁଁ ପୋଖରୀ ଭିତରକୁ ପଶିଯାଇଥିଲି। ସେମିତି ଅଭିନୟ ଖୁବ୍‌ ବିରଳ ବୋଲି ସେ କହିଛନ୍ତି। ଦୁଃ‌ଖିରାମଙ୍କ ଜୀବନ୍ତ ଅଭିନୟ ଅତୁଳନୀୟ କହି ମହାଶ୍ୱେତା ତାଙ୍କୁ ପଶଂସା କରିଥିଲେ। ସେହିପରି କଥା ପ୍ରସଙ୍ଗରେ ମତେ ଯଦି କେହି ଆଇ ଲଭ ୟୁ କହି ନଥାନ୍ତେ ମୋର ହିରୋଇନ୍‌ ହେବା ବୃଥା ହୋଇଯାଇଥାନ୍ତା ବୋଲି କହିଛନ୍ତି। ତେବେ ସମ୍ପୂର୍ଣ୍ଣ ଇଣ୍ଟର୍ଭ୍ୟୁଟି ଦେଖନ୍ତୁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।