ନୂଆଦିଲ୍ଲୀ: ପାକିସ୍ତାନୀ ଫିଲ୍ମ ଅଭିନେତ୍ରୀ ବୀଣା ମଲିକ ଗତକାଲି ଏକ ଟ୍ୱିଟ୍ କରିଥିଲେ। ଏହି ଟ୍ୱିଟ୍କୁ ନେଇ ବିବାଦ ଦେଖା ଯାଇଛି। ତାଙ୍କର ଏହି ଟ୍ୱିଟ୍ ଦେଖିବା ମାତ୍ରେ ଲୋକେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଥିଲେ। ବିଶେଷ କରି ଭାରତୀୟମାନେ ତାଙ୍କୁ ସମାଲୋଚନା କରୁଛନ୍ତି। ତା’ହେଲେ, ସେ ଏମିତି କ’ଣ ଟ୍ୱିଟ୍ କରିଥିଲେ?
ସେ R.I.H (rot in hell or rest in heaven ଅର୍ଥାତ୍ ନର୍କରେ ଷଢ଼ ବା ସ୍ୱର୍ଗକୁ ଯାଅ) ଲେଖି ଏକ ଇମୋଜି ଶେଆର୍ କରିଥିଲେ। ଯଦିଓ ସେ ତାଙ୍କ ଟ୍ୱିଟ୍ରେ ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ନାଁ ନେଇ ନାହାନ୍ତି କି ସେ ବିଷୟରେ କିଛି ଉଲ୍ଲେଖ କରି ନାହାନ୍ତି, ତଥାପି ଲୋକେ ଅନୁମାନ ଲଗାଇଛନ୍ତି ଯେ, ବୀଣା ତାଙ୍କରି ଉଦ୍ଦେଶ୍ୟରେ ହିଁ ଏହି ପୋଷ୍ଟ୍ କରିଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ସୁଷମାଙ୍କର ପରଲୋକ ହୋଇଥିଲା।
R.I.H🔥
— VEENA MALIK (@iVeenaKhan) August 6, 2019
ବୀଣାଙ୍କୁ ସମାଲୋଚନା କରି ଗୀତିକା ସ୍ୱାମୀ ଲେଖିଛନ୍ତି, ସୁଷମା ସ୍ୱରାଜଙ୍କ ମୃତ୍ୟୁକୁ ନେଇ ପାକିସ୍ତାନୀମାନେ ଏମିତି ପ୍ରତିକ୍ରିୟା ଦେଉଛନ୍ତି। ସେ ଜଣେ ସଚ୍ଚା ଜନନେତା ଥିଲେ, ଯିଏ ମାନବିକତାକୁ ପ୍ରାଧ୍ୟାନ୍ୟ ଦେଉଥିଲେ। ଲାଗୁଛି ସେମାନେ ହାଫିଜ୍ ସଇଦକୁ ମାନନ୍ତି।
ସେହିଭଳି ଆଉ ଜଣେ ଟ୍ୱିଟର୍ ବ୍ୟବହାରକାରୀ ଲେଖିଛନ୍ତି, ସେ (ସୁଷମା ସ୍ୱରାଜ) ତ ସ୍ୱର୍ଗକୁ ଯିବେ, କିନ୍ତୁ ତୁମେ ନର୍କକୁ ଯିବ।
ଯଦି ବୀଣା ପ୍ରକୃତରେ ସୁଷମାଙ୍କ ଉଦ୍ଦେଶ୍ୟରେ R.I.H ଲେଖିଥିଲେ, ତା’ହେଲେ ସେ ବୋଧହୁଏ ଭୁଲି ଯାଇଛନ୍ତି ଯେ, ସୁଷମା କେବଳ ଭାରତୀୟମାନଙ୍କୁ ସାହାଯ୍ୟ କରି ନାହାନ୍ତି। ମାନବିକତା ଦୃଷ୍ଟିକୋଣରୁ ସେ ବହୁ ପାକିସ୍ତାନୀଙ୍କୁ ବି ସାହାଯ୍ୟ କରିଛନ୍ତି।
ତେତଲାନୀ କୃଷ୍ଣନ୍ ନାମକ ଜଣେ ବ୍ୟକ୍ତି ମଧ୍ୟ ଏ କଥା ଉଲ୍ଲେଖ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି,“ମୋର ଯାହା ମନେ ପଡ଼ୁଛି ସୁଷମା ସ୍ୱରାଜ ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିବା ବେଳେ ପ୍ରାୟ ୧୦୦ ପାକିସ୍ତାନୀଙ୍କୁ ମେଡିକାଲ୍ ଭିଜା ପ୍ରଦାନ କରିଥିଲେ। କିନ୍ତୁ ଏବେ ଦେଖନ୍ତୁ ତାଙ୍କ ପରଲୋକରେ କେମିତି ପ୍ରତିକ୍ରିୟା ମିଳୁଛି।”
ସୂଚନାଯୋଗ୍ୟ, ୨୦ ବର୍ଷ ଧରି ଡାଇବେଟିସ୍ରେ ଆକ୍ରାନ୍ତ ଥିବା ସୁଷମାଙ୍କର କିଡ୍ନୀ ପ୍ରତିରୋପଣ ହୋଇଥିଲା। ମଙ୍ଗଳବାର ରାତିରେ ହଠାତ୍ କାର୍ଡିଆକ୍ ଆରେଷ୍ଟ୍ (ହୃତ୍ପିଣ୍ଡ ଶରୀରର କୌଣସି ଅଂଶକୁ ରକ୍ତ ପଠାଇବାକୁ ଅକ୍ଷମ ହେବାରୁ) ଯୋଗୁ ତାଙ୍କର ପରଲୋକ ହୋଇଥିଲା।
ସୂଚନାଯୋଗ୍ୟ, ବୀଣା ମଲିକ ବଲିଉଡ୍ ଫିଲ୍ମରେ ଅଭିନୟ କରିବା ସହିତ ଟିଭି ରିଆଲିଟି ଶୋ’ ବିଗ୍ବସ୍ରେ ବି ଭାଗ ନେଇଥିଲେ। ‘ଡାଲ୍ ମେ କୁଛ୍ କାଲା ହେ’, ‘ଜିନ୍ଦେଗୀ ଫିପ୍ଟି ଫିପ୍ଟି’ ଓ ‘ସୁପର୍ମଡେଲ୍’ ଆଦି ଫିଲ୍ମରେ ସେ ଅଭିନୟ କରିଥିଲେ। ସେହିଭଳି ଏକ କନ୍ନଡ଼ ଫିଲ୍ମ ’ଡାର୍ଟି ପିକ୍ଚର୍’ରେ ବି ବୀଣା ଅଭିନୟ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।