ସଞ୍ଜୟ ଦତ୍ତ ଗାଇଲେ ଗଣେଶ ବନ୍ଦନା

ମୁମ୍ୱାଇ: ଆସନ୍ତାକାଲି ଗଣେଶ ଚତୁର୍ଥୀ। ଏଥିପାଇଁ ସାରା ଦେଶରେ ଉତ୍ସବର ମାହୋଲ। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସମସ୍ତେ ଧୁମ୍‌ଧାମ୍‌ରେ ଗଣେଶ ପୂଜା କରିବାକୁ ପ୍ରସ୍ତୁତି ଚଲାଇଥିବା ବେଳେ ବଲିଉଡ୍‌ ଷ୍ଟାରମାନେ ପଛରେ ପଡ଼ନ୍ତେ କିପରି? ଅନେକ ଅଭିନେତା ଓ ଅଭିନେତ୍ରୀ ନିଜ ନିଜ ଘରେ ଗଣେଶ ପୂଜାର ଆୟୋଜନ କରିଛନ୍ତି। ତେବେ ଏଥର ଅଭିନେତା ସଞ୍ଜୟ ଦତ୍ତଙ୍କ ପାଇଁ ଗଣେଶ ପୂଜା ଟିକେ ନିଆରା ରହିବ। କାରଣ ସେ ତାଙ୍କର ଆଗାମୀ ଫିଲ୍ମ ‘ଭୂମି’ ପାଇଁ ଗଣେଶ ବନ୍ଦନାର ରେକର୍ଡିଂ ଶେଷ କରିଛନ୍ତି। ସେ ନିଜେ ଗଣେଶ ବନ୍ଦନା ଗାଇଛନ୍ତି। ଆଉ ଏଥିପାଇଁ ସେ ଭାରି ଖୁସି ଅଛନ୍ତି।

ସଞ୍ଜୟ କହିଛନ୍ତି,“ଯଦି ଆପଣ ଏହି ଫିଲ୍ମର ଟ୍ରେଲର ଦେଖିଥିବେ, ତା’ହେଲେ ଜାଣିଥିବେ ଯେ  ଏହା ‘ଜୟ ଗଣେଶ’ରୁ ଆରମ୍ଭ ହେଉଛି। ଏହା ଫିଲ୍ମର ବହୁତ ଗୁରୁତ୍ୱପୂର୍ଣ୍ଣ ଅଂଶ। ଗଣେଶ ବନ୍ଦନା ଠିକ୍ ଭାବେ ଗାଇବା ପାଇଁ ମୁଁ ପ୍ରଶିକ୍ଷଣ ନେଇଛି। ଗଣେଶ ବନ୍ଦନା ଗାଇବାକୁ ମୋତେ ସୁଯୋଗ ଦିଆଯାଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି।’’

ଏହି ଫିଲ୍ମର ନିର୍ଦ୍ଦେଶକ କହିଛନ୍ତି,“ମୋର ପୂରା ବିଶ୍ୱାସ ରହିଛି ଏହି ଗୀତ ବଜାରରେ ଭଲ ଚାଲିବ ଓ ହିଟ୍‌ ହେବ।”

ଫିଲ୍ମ ‘ଭୂମି’ ବାପ-ଝିଅର ସମ୍ପର୍କକୁ ନେଇ ଆଧାରିତ। ଅଦିତି ରାଓ ହୈଦରୀଙ୍କୁ ସଞ୍ଜୟଙ୍କ ଝିଅ ଚରିତ୍ରରେ ଦେଖିବାକୁ ମିଳିବ। ଏହି ଫିଲ୍ମ ଡିସେମ୍ୱର ୨୨ରେ ରିଲିଜ୍ ହେବ।