ସଲମାନ ମୋର ସାନଭାଇ ବୋଲି କାହିଁକି କହିଲେ ସଞ୍ଜୟ ?

ମୁମ୍ବାଇ: ମୁନାଭାଇ ଓ ଭାଇଜାନଙ୍କ ମଧ୍ୟରେ ଏବେ ଭଲ ପଡୁନାହିଁ। କେହି କାହାରିଙ୍କୁ ଦେଖା କରିବାକୁ ଚାହୁଁନାହାନ୍ତି। ଦିନ ଥିଲା ବଲିଉଡରେ ଏହି ଦୁଇ ସୁପରଷ୍ଟରଙ୍କ ବନ୍ଧୁତ୍ୱର ମିସାଲ ଦିଆଯାଉଥିଲା। ଉଭୟ ମିଶି ଏକାଧିକ ସୁପରହିଟ୍‌ ପିଲ୍ମ ଦେଇଛନ୍ତି। ହେଲେ ଏମିତି କିଛି ଘଟିଥିଲା, ଯାହା ପରେ ଉଭୟ ପରସ୍ପରଠାରୁ ଦୂରେଇ ଯାଇଥିଲେ। ଏହି ଘଟଣାକୁ ନେଇ କେହି ବି କିଛି କହୁ ନଥିଲେ। ହେଲେ ସେମାନଙ୍କ ମଧ୍ୟରେ ଥିବା ଏହି ମନ ମତାନ୍ତର ଉପରୁ ପରଦା ହଟିଛି।

ମୁନାଭାଇ ସଞ୍ଜୟ ଦତ୍ତ ଜେଲ୍‌ରୁ ଫେରିବା ପରେ ତାଙ୍କ କମ୍‌ବ୍ୟାକ୍‌ ଫିଲ୍ମ ‘ଭୂମି’କୁ ନେଇ ବ୍ୟସ୍ତ ଅଛନ୍ତି। ସେ ଏବେ ଏହାର ପ୍ରମୋସନରେ ଲାଗିଛନ୍ତି। ଭୂମିର ଟ୍ରେଲର ମଧ୍ୟ ୟୁଟ୍ୟୁବରେ ବୋବଲା ମଚାଇଛି। ଏହାର ପ୍ରମୋସନ ବେଳେ ସଞ୍ଜୟ ପ୍ରଥମ ଥର ପାଇଁ ସଲମାନଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, “ସଲମାନ ମୋର ସାନ ଭାଇ ପରି। ଆମେ ନିଜ ନିଜ କାମକୁ ନେଇ ବ୍ୟସ୍ତ ରହୁଛୁ। ସବୁଦିନ କ’ଣ ଭେଟ ହେବା ସମ୍ଭବ।”

ଖବର ଅନୁସାରେ ଏକ ପାର୍ଟିରେ ସଞ୍ଜୟ ଓ ସଲମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା। ସ୍ଥିତି ଏପରି ହୋଇଥିଲା ଯେ ସଞ୍ଜୟ, ସଲମାନଙ୍କୁ ଅହଂକାରୀ ବୋଲି କହି ଦେଇଥିଲେ। ଏହା ପରଠାରୁ ଉଭୟଙ୍କୁ ଆଉ ଏକାଠି ଦେଖିବାକୁ ମିଳିନାହିଁ। ସଞ୍ଜୟ ଜେଲ୍‌ରେ ଥିବା ବେଳେ ସଲମାନ କହିଥିଲେ, ସେ ଜେଲ୍‌ରୁ ବାହାରିବା ପରେ ଦୁହେଁ ମିଶି ପାର୍ଟି କରିବୁ। ହେଲେ ଏହି ଦିନ ଏପର୍ଯ୍ୟନ୍ତ ଆସିନାହିଁ।