ମୁମ୍ବାଇ: ‘ମୁଁ ମ୍ୟୁଜିକ ରିୟାଲିଟି ଶୋ’ର ଜେଜେ । ଇଚ୍ଛା ନ ଥାଇ ବି ଅନ୍ୟମାନଙ୍କୁ ପ୍ରଶଂସା କରି କରି ମୁଁ ହାଲିଆ ହୋଇଗଲିଣି। ତେଣୁ ଏବେ ଏହି ସବୁ ଶୋ’ରୁ ଦୂରେଇ ରହିଛି। ’ ଏପରି କହି ପୁଣି ଥରେ ଲାଇମଲାଇଟ୍କୁ ଚାଲି ଆସିଛନ୍ତି ସୋନୁ ନିଗମ ।
ବହୁ ମ୍ୟୁଜିକ ରିଆଲିଟି ସୋ’ର ଜଜ୍ ଆସନରେ ସୋନୁ ନିଗମଙ୍କୁ ଦେଖୁଥିବା ମିଳୁଥିବା ବେଳେ କିଛି ଦିନ ହେବ ସେ କିନ୍ତୁ ଏଥିରୁ ଦୂରେଇ ରହିଛନ୍ତି। ଶେଷ ଥର ପାଇଁ ସୋନୁ ନିଗମ ଇଣ୍ଡିଆନ ଆଇଡଲ-୯ ଶୋ’କୁ ଜଜ୍ କରୁଥିବା ଦେଖିବାକୁ ମିଳିଥିଲା। ହେଲେ ଦୀର୍ଘ ଦିନ ହେବ ସେ ଏହି ସବୁ ଶୋ’ରୁ ଦୂରତା ବନେଇ ରଖିଛନ୍ତି ।
ଏକ ସାକ୍ଷାତକାରରେ ବଲିଉଡର ଆଗଧାଡ଼ିର ସିଙ୍ଗର ସୋନୁ ନିଗମ କହିଛନ୍ତି, ମୁଁ ଏହି ସବୁ ଶୋ’ର ଜେଜେ । ବହୁତ ଶୋ’ରେ ଜଜ୍ ଆସନରେ ବସି ସାରିଛି। ଏବେ ମଧ୍ୟ ଏଥିପାଇଁ ମୋତେ ଆପ୍ରୋଚ କରାଯାଉଥିବା ବେଳେ ମୁଁ ଏଥିପ୍ରତି ଆଉ ଆଗ୍ରହୀ ନାହିଁ।
ସବୁବେଳେ ସମାନ କଥା କହି କହି ମୁଁ ହାଲିଆ ହୋଇଗଲିଣି। ଏପରିକି ଗୀତ ଭଲ ଗାଇ ନ ଥିଲେ ବି ବହୁ ସମୟରେ ପ୍ରତିଯୋଗୀଙ୍କୁ ପ୍ରଶଂସା କରିବାକୁ ପଡ଼ୁଥିବାରୁ ଏହା ମୋ ବିବେକକୁ ବାଧା ଦେଉଛି। ଟଙ୍କା ରୋଜଗାର କରିବା ପାଇଁ ଏପରି କରିବାକୁ ମୁଁ ଠିକ୍ ମନେ କରୁ ନାହିଁ। ତେଣୁ ଏବେ ଏ ପ୍ରକାର ରିୟାଲିଟି ଶୋ’ରୁ ନିଜକୁ ଦୂରେଇ ରଖିଛି।
ସୋନୁ ନିଗମ ଏବେ ଏକ ବଙ୍ଗାଳୀ ମ୍ୟୁଜିକ ରିଆଲିଟି ଶୋ’ ସୁପର ସିଙ୍ଗର ସିଜନ-୩କୁ ଜଜ୍ କରୁଛନ୍ତି। କୁମାର ସାନୁ ଓ କୌଶିକ ଚକ୍ରବର୍ତ୍ତୀ ମଧ୍ୟ ତାଙ୍କ ସହ ଜଜ୍ ଆସନରେ ବସୁଛନ୍ତି। ଚଳିତ ବର୍ଷ ଆରମ୍ଭରେ ସୋନୁ ନିଗମଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।