ମୁମ୍ବାଇ:ଓଡ଼ିଆ ଲୋକପ୍ରିୟ ଚଳଚ୍ଚିତ୍ର ଅଛି ‘ଯୋର ଯାର ମୁଲକ ତାର’ । ଅର୍ଥାତ ଶକ୍ତି ଯାହାର ଅଧିକ ସମାଜ୍ୟ ତାର। ପ୍ରସିଦ୍ଧ ବ୍ରିଟିଶ ଦାର୍ଶନିକ ହର୍ବଟ ସ୍ପେନସରଙ୍କ ଭାସାରେ ‘ସର୍ଭାଇଭାଲ ଅଫ ଦ ଫିଟେଷ୍ଟ’। ଏବେ ବଲିଉଡ୍ର ୟଙ୍ଗ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପଛରେ ଥିବା ରହସ୍ୟ ଏମିତି ଉକ୍ତିର ପ୍ରାସଙ୍ଗିକତାକୁ ଅଧିକ ମଜଭୁତ୍ କରିଛି। ମାୟାନଗରୀ ମୁମ୍ବାଇକୁ ଦୋହଲାଇ ଦେଇଛି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟଜନକ ଆତ୍ମହତ୍ୟା । କେବଳ ମୁମ୍ବାଇ ନୁହେଁ, ଦେଶର କୋଟି କୋଟି ଫ୍ୟାନ୍ ବି ଭାଙ୍ଗିପଡ଼ିଛନ୍ତି । ଇତିମଧ୍ୟରେ ସୁଶାନ୍ତଙ୍କ ଆତ୍ମହତ୍ୟାକୁ ୨ ଦିନ ବିତିଯାଇଥିବା ବେଳେ ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ, ସୁଶାନ୍ତ ଆତ୍ମହତ୍ୟା କଲେ କାହିଁକି ? ଏହି ଅସମାହିତ ପ୍ରଶ୍ନ ଭିତରେ କଂଗ୍ରେସ ନେତା ସଞ୍ଜୟ ନିରୁପମଙ୍କ ଟ୍ୱିଟ୍ ଏବଂ ଅଭିନେତା ମନୋଜ ବାଜପାୟୀଙ୍କ ମନ୍ତବ୍ୟ ବଲିଉଡ୍ରେ ବୃତ୍ତିଗତ ଶତ୍ରୁତାର ପରିଣାମକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ସେପଟେ ଏହି ଦିଗ ଉପରେ ଫୋକସ୍ କରି ମୁମ୍ବାଇ ପୁଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି।
ପୋଷ୍ଟମର୍ଟମ ରିପୋର୍ଟରୁ ହୁଏତ ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇଛି । କିନ୍ତୁ ଆତ୍ମହତ୍ୟା ପଛର କାରଣ ଏବେ ବି ରହସ୍ୟ ଘେରରେ। ଆଉ ତାହାରି ଭିତରେ ବଲିଉଡ୍ର ମିଛ ଦୁନିଆ ଉପରୁ ପରଦା ହଟାଇଛନ୍ତି ସଂଘର୍ଷ କରି ଏଠି ତିଷ୍ଠିପାରିଥିବା କିଛି ଅଭିନେତା । ବିହାରୀ ବୟ ମନୋଜ ବାଜପେୟୀଙ୍କ ଭାଷାରେ ବଲିଉଡ୍ରେ ଆଉଟସାଇଡର ତିଷ୍ଠିବା କଷ୍ଟ । କିଛି ଦିନ ତଳେ ସୁଶାନ୍ତ ନିଜେ ହିଁ ବଲିଉଡ୍ ଭାଇ-ଭତିଜା ପ୍ରସଙ୍ଗ ଉପରେ ମତ ରଖିଥିଲେ। ବଲିଉଡ୍ର ମିଛ ଚେହେରା ଓ ପ୍ରିୟାପ୍ରୀତି ତୋଷଣକୁ ନେଇ ସ୍ୱର ଉତ୍ତୋଳନ କରିଆସୁଥିବା ଅଭିନେତ୍ରୀ କଙ୍ଗନା ରନାଓ୍ୱତ୍ ସୁଶାନ୍ତଙ୍କ ମୃତ୍ୟୁକୁ ସୁଚିନ୍ତିତ ହତ୍ୟାର ଆଖ୍ୟା ଦେଇଥିବା ବେଳେ ନିର୍ମାତା ନିର୍ଦ୍ଦେଶକ ଶେଖର କପୁର ମଧ୍ୟ ଗତକାଲି ନିଜ ଟ୍ୱିଟ୍ରେ ଏହି ଦିଗକୁ ଉଜାଗର କରିଥିଲେ ।
କଂଗ୍ରେସ ନେତା ସଞ୍ଜୟ ନିରୁପମ୍ ମଧ୍ୟ ବଲିଉଡ୍ର ସତକୁ ପଦାକୁ ଆଣିଛନ୍ତି ।ଗଲା ୬ ମାସରେ ସୁଶାନ୍ତଙ୍କ ହାତରୁ ୭ଟି ଫିଲ୍ମ ଖସି ଯାଇଥିବା ଟ୍ୱିଟ୍ କରିଛନ୍ତି ନିରୁପମ । ବଲିଉଡ୍ର ନିଷ୍ଠୁରତା ପାଇଁ ଜଣେ ପ୍ରତିଭାବାନ୍ କଳାକାରଙ୍କ ଜୀବନ ଗଲା ବୋଲି ସେ କହିଛନ୍ତି। ସେପଟେ ଫିଲ୍ମ ଇଣ୍ଡଷ୍ଟ୍ରିରେ ବୃତ୍ତିଗତ ପ୍ରତିଦ୍ୱନ୍ଦ୍ୱିତା ଦିଗକୁ ଫୋକସ୍ ରଖି ମାମଲାର ତଦନ୍ତ କରାଯିବ ବୋଲି କହିଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ।
ତେବେ ସତରେ କଣ ବୃତ୍ତିଗତ ଶତ୍ରୁତାରୁ ଅଶାନ୍ତ ହୋଇ ଜୀବନ ହାରିବାକୁ ବାଧ୍ୟ ହେଲେ କି ସୁଶାନ୍ତ ? ଏନେଇ ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ଠୋସ୍ ପ୍ରମାଣ ସାମ୍ନାକୁ ଆସିନଥିବା ବେଳେ ତାଙ୍କ ଶେଷ ଟ୍ୱିଟ୍କୁ ନେଇ ବଲିଉଡ ଉପରେ ସନ୍ଦେହ ଘନୀଭୂତ ହେବାରେ ଲାଗିଛି।
ଯେଉଁଥିରେ ସେ ଲେଖିଛନ୍ତି, ବଲିଉଡରେ ମୋର କେହି ଗଡ୍ଫାଦର ନାହାନ୍ତି। ମୁଁ ତତେ ଓ ବାପାଙ୍କୁ ଭଗବାନ ପରି ମାନିଛି। ଯଦି ତୁ ମୋ ଫିଲ୍ମ ନ ଦେଖିବୁ, ସେମାନେ ବଲିଉଡରୁ ଫିଙ୍ଗି ଦେବେ। ବଲିଉଡ ମୋତେ ପରିବାରର ସଦସ୍ୟ ଭାବେ ଗ୍ରହଣ କରିପାରୁନି। ତେବେ କାହା ଉଦ୍ଦେଶ୍ୟରେ ସେ ଏହା ଲେଖିଛନ୍ତି, ତାହା ସ୍ପଷ୍ଟ ହୋଇନି। ସେପଟେ ମୁମ୍ବାଇରେ ଶେଷକୃତ୍ୟ ସାରିବା ପରେ ସୁଶାନ୍ତଙ୍କ ଅସୁସ୍ଥ ବାପା ଓ ଦୁଇ ଭଉଣୀ ପାଟନା ଫେରିଯାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।