ଭୁବନେଶ୍ୱର (ମନୋରଞ୍ଜନ ଶିଅଳ): “ଆସିଗଲା ଆସିଗଲା, ବାଜିଗଲା ବାଜିଗଲା... ଖିଚିରି ମିଚିରି ଛିଣ୍ଡୁଥିବ... ସାଲୁବାଲୁ ହୋଇ ଉଡୁଥିବ। ଗୋଟାଇ ଆଣିବ ନିଜ ହାତରେ ପାମ୍ପୁଡ଼ି ଖାଇବ ନିଜ ପାଟିରେ। ଆସିଗଲା ଆସିଗଲା ସୁନୁସୁନୁ... ସୁନୁପାମ୍ପୁଡ଼ି। ନିଅ ମୋର ମାଆ ବୁଢ଼ୀ। ପାଟିକୁ ମିଠା ହାତକୁ ଅଠା। ବଇନା ଦେବାକୁ କରିବ ଚିଠା। ଯେବେ ନାହିଁ ପାଖେ ଛିଣ୍ଡା କେଶ, ତେବେ ଚାଲିଯାଅ ବନବାସ। ଆସିଗଲା ଆସିଗଲା, ସୁନୁସୁନୁ ସୁନୁପାମ୍ପୁଡ଼ି... ନିଅ ନିଅ ମୋ କୁନାକୁନି...।”
ଆପଣ ଯଦି ଯାତ୍ରା ପ୍ରେମୀ ହୋଇଥିବେ, ତାହାହେଲେ କିଶୋର ଖଣ୍ଡୁଆଳଙ୍କ ‘ହେ ଈଶ୍ୱର ନମସ୍କାର’ ନାଟକର ଏହି ସଂଳାପ ଶୁଣିଥିବେ। ପ୍ରେମିକା ଶାନ୍ତିକୁ ପାଇବା ପାଇଁ ଜଟିଆ ବାରିକ ଖିଅର ଛାଡ଼ି ସୁନୁ ପାମ୍ପୁଡ଼ି ବେପାର କରୁଛି। ଗାଁ ଦାଣ୍ଡରେ ଘଣ୍ଟି ବଜାଇ ଗୀତ ଗାଇ ସୁନୁପାମ୍ପୁଡ଼ି ବିକୁଛି। ଆଉ ସେଥିପାଇଁ ସେ ପ୍ରେମିକା ଶାନ୍ତିର ସ୍ୱାମୀଙ୍କ ଘରକୁ ଆସିଛନ୍ତି। ତା’ପରେ ନାଟକ ଆଗକୁ ବଢ଼ିଛି। ଏହି ନାଟକରେ ଜଟିଆ ବାରିକ ଚରିତ୍ରରେ ଅଭିନୟ କରିଛନ୍ତି ଭିକାରୀ ସ୍ୱାଇଁ। ଏହି ନାଟକ ତାଙ୍କୁ ହାସ୍ୟା ଅଭିନେତା ଭାବେ ଯାତ୍ରା ଜଗତରେ ସ୍ୱତନ୍ତ୍ର ପରିଚୟ ଦେଇଛି।
ଭିକାରୀ ସ୍ୱାଇଁଙ୍କ ଘର ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବଡ଼ବାଲିକୁଦାରେ। ସେ ଗାଁ ସ୍କୁଲରେ ପଢ଼ୁଥିବା ବେଳେ ଡ୍ରାମାରେ ଅଭିନୟ କରୁଥିଲେ। ଆଉ ତାଙ୍କର ସେହି କଳାକୁ ଚିହ୍ନିଥିଲେ ଗୁରୁ ଗଗନ ବିହାରୀ ଜେନା। ତାଙ୍କର ପ୍ରେରଣାରେ ଯାତ୍ରାକୁ ପ୍ରବେଶ କରିଥିଲେ ଭିକାରୀ। ମାତ୍ର ନବାଗତ ଭାବେ ତାଙ୍କୁ ସୁଯୋଗ ମିଳୁ ନଥିଲା। କିନ୍ତୁ ହାର ମାନି ନଥିଲେ ଭିକାରୀ। ମଞ୍ଚରେ ଅଭିନୟ କରିବା ନିଶା ତାଙ୍କୁ ଘାରିଥିଲା।
କିଶୋର ଖଣ୍ଡୁଆଳଙ୍କ ନାଟକ ‘ହେ ଈଶ୍ୱର ନମସ୍କାର’ରେ ଜଟିଆ ବାରିକ ଚରିତ୍ର ତାଙ୍କୁ(ଭିକାରୀ) ଯଲିଉଡ୍ରେ ସ୍ୱତନ୍ତ୍ର ପରିଚୟ ଦେଲା। ଆଉ ତାଙ୍କର ସୁନୁ ସୁନୁ ସୁନୁପାମ୍ପୁଡ଼ି… ଡାଇଲଗ୍ଟି ବେଶ୍ ଚର୍ଚ୍ଚିତ ଓ ଲୋକପ୍ରିୟ ହୋଇଗଲା।
ଏହା ପରେ ସେ ଅନେକ ନାଟକରେ ଅଭିନୟ କରିଛନ୍ତି। ସେହି ଲୋକପ୍ରିୟ ନାଟକ ଗୁଡ଼ିକ ମଧ୍ୟରେ “ରାଜଧାନୀ ଝିଅ ରାଜନନ୍ଦିନୀ”, “ରଙ୍ଗିଲା ରାଧିକା ରଜନୀ ଗନ୍ଧା”, “ରାମ ବନବାସ କାହାଣୀ ଶେଷ”, “ରୂପ ରାଇଜର ରାଜ କୁମାରୀ”, “ବରଣୀ କନିଆ ବରଷା ରାଣୀ” ଓ “ରଜନୀ ସଜନୀ ରାତି ପାହିଲା” ଆଦି ଅନ୍ୟତମ। ଏବେ ସେ ଶିବାନୀ ଗଣନାଟ୍ୟରେ ଅଭିନୟ ଜାରି ରଖିଛନ୍ତି ଓ ହସର ପେଡ଼ି ଖୋଲି ଚାଲିଛନ୍ତି।