ମୁମ୍ବାଇ: ଅନ୍ୟକୁ ଫିକର୍ ନଟ୍ କହି, ନିଜେ ଏମିତି କେମିତି କଲେ? ରିଲରେ ଖୁସି ବାଣ୍ଟୁଥିବା ଲୋକର ଜୀବନରେ କଣ ଏତେ ଅକୁହା ଯନ୍ତ୍ରଣା ଥାଇପାରେ? ବିଶ୍ୱାସ ହେଉନି, ଅକାଳରେ ଝଡ଼ିଗଲା ଆଉ ଏକ ତାରା। ଆଜି ସକାଳୁ ମୁମ୍ବାଇ ବାନ୍ଦ୍ରା ସ୍ଥିତ ବାସଭବନରେ ସୁଶାନ୍ତ ସିଂ ରାଜପୁତଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ପରେ, ଏହାକୁ ପ୍ରାଥମିକ ଭାବେ ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଛି। କୁହାଯାଉଛି, ୫-୬ ମାସ ଧରି ସେ ଅବସାଦରେ ଥିଲେ। ତେବେ କୌଣସି ସୁଇସାଇଡ୍ ନୋଟ୍ ମିଳିନଥିବାରୁ ପ୍ରକୃତ କାରଣ ଜଣାପଡ଼ୁନାହିଁ । ସେପଟେ ଗତ ଜୁନ୍ ୩ରେ ଦିବଂଗତ ମାଆ ପାଇଁ ଏକ ଆବେଗପୂର୍ଣ୍ଣ ଇନ୍ଷ୍ଟାପୋଷ୍ଟ୍ ଓ ଜୁନ୍ ୮ରେ ତାଙ୍କ ପୂର୍ବତନ ମ୍ୟାନେଜରଙ୍କ ଛାତରୁ ଡେଇଁ ଆତ୍ମହତ୍ୟା, ଘଟଣାକୁ ଆହୁରି ରହସ୍ୟମୟ କରିଛି । ସୁଶାନ୍ତଙ୍କ ମୃତ୍ୟୁ ଖବର ପହଞ୍ଚିବା ପରେ ବାନ୍ଦ୍ରାସ୍ଥିତ ବାସଭବନ ଓ ପାଟଣାର ପୈତୃକ ଘର ଆଗରେ ଫ୍ୟାନ୍ଙ୍କ ଭିଡ଼ ଜମିଥିଲା।
ବୟସ ମାତ୍ର ୩୪। ୭ ବର୍ଷରେ ଦଶ-ଏଗାରଟି ଫିଲ୍ମ ଇଏ କଣ ଗୋଟେ ଛାଡ଼ି ଯିବାର ବୟସ? ଟେଲି ସିରିଏଲ୍ ପବିତ୍ର ରିସ୍ତାର ମାନବ ଚରିତ୍ରରୁ ଲୋକପ୍ରିୟତା, ୨୦୧୩ରେ ଡେବ୍ୟୁ ଫିଲ୍ମ କାଇ-ପୋ-ଚେ ପରେ ରାତାରାତି ବଲିଉଡ୍ ଷ୍ଟାର୍ । ପିକେ, ଏମ୍.ଏସ୍. ଧୋନୀ ଓ କେଦାରନାଥ ଭଳି ଏକାଧିକ ଅଭୁଲା ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ଥିଲା ଜବରଦସ୍ତ।
ହେଲେ ହଠାତ୍ ତାଙ୍କ ବିୟୋଗକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଫ୍ୟାନ୍। କୋ-ଷ୍ଟାର୍ ଓ ବିଭିନ୍ନ ବର୍ଗର ସେଲିବ୍ରିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବି ଟ୍ୱିଟ୍ କରି ଶୋକ ବ୍ୟକ୍ତ କରିଛନ୍ତି।
ବିହାର ପାଟଣାର ସୁଶାନ୍ତ ସିଂ ରାଜପୁତ, ପାଠ ପଢ଼ାରେ ବି ଥିଲେ ବେଶ୍ ଆଗୁଆ। ଏଆଇ-ଟ୍ରିପଲ୍ ଇ ରେ ୭ ନମ୍ବର ରାଙ୍କ୍ ପରେ ଦିଲ୍ଲୀରେ ମେକାନିକାଲ୍ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ ଓ ଫିଜିକ୍ସ ଅଲିମ୍ପିଆଡ୍ ବି ଜିତିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।