ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଛୋଟ ପରଦାରେ ନିଜର ସ୍ୱପ୍ନକୁ ସାକାର କରୁଥିବା ଶୋ ‘କନ୍ ବନେଗା କରୋଡପତି’ର ଫାଇନାଲ ଶେଷ ହୋଇଯାଇଛି। ଏହି ଶୋ’ର ଶେଷ ଏପିସୋଡରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂ ଓ ଅଭିନେତ୍ରୀ ବିଦ୍ୟାବାଲନ ସାମିଲ ହୋଇ ଶୋ’ର ଶୋଭା ବଢାଇଥିଲେ। ଯୁବରାଜ ସିଂ ତାଙ୍କ ଜୀବନର ଘଟିଥିବା ଅନେକ ଘଟଣା ଓ ଦୁର୍ଘଟଣା ବିଷୟରେ କହିଥିଲେ। ଏହି ଅବସରରେ ସେ କେମିତି କ୍ୟାନସର ଭଳି ରୋଗକୁ ପରାସ୍ତ କରି ପୁଣିଥରେ ଠିଆ ହୋଇଥିଲେ ସେ କଥା କହିଥିଲେ। ଏହି କଥା କହୁ କହୁ ଯୁବରାଜ ଇମୋସନାଲ୍ ହୋଇଯାଇଥିଲେ। କେବଳ ଯୁବରାଜ ନୁହେଁ ଏହି ଶୋ’କୁ ହୋଷ୍ଟ କରୁଥିବା ବିଗ୍-ବି’ଙ୍କ ସମେତ ଉପସ୍ଥିତି ଦର୍ଶକ ମଧ୍ୟ ଇମୋସନାଲ ହୋଇଯାଇଥିଲେ। କ୍ରିକେଟ୍ ଷ୍ଟାଡିୟମରେ ବିପକ୍ଷ ଟିମ୍ର ବୋଲରଙ୍କ ନିଦ ହଜାଇଦେଉଥିବା ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କିନ୍ତୁ ବ୍ୟକ୍ତିଗତ ଜୀବନରେ ବେଶ ସଂଘର୍ଷ କରିଛନ୍ତି। କ୍ୟାନସର ଭଳି ରୋଗରୁ ମୁକ୍ତ ହୋଇ ସେ ପୁଣିଥରେ କ୍ରିକେଟ୍ ଖେଳୁଛନ୍ତି।