ସୂର୍ଯ୍ୟମଣି ମିଶ୍ର
ଦେଶରେ ଉଦାରୀକରଣ ଅର୍ଥବ୍ୟବସ୍ଥା କାର୍ଯ୍ୟକାରୀ ହେଲା ୧୯୯୧ ଠାରୁ। ଏହା ପରଠାରୁ ଲୋକଙ୍କ ଖାଦ୍ୟ ଗ୍ରହଣର ହାର ହ୍ରାସ ପାଇଲା। କ୍ରୟଶକ୍ତି ବୃଦ୍ଧି ପାଇବା ପରିବତ୍ତେର୍ ୮୦ ଭାଗ ଲୋକ ନିଜ ଖାଦ୍ୟ ନିରାପତ୍ତାକୁ ନେଇ ସୁନିଶ୍ଚିତ ହୋଇପାରିଲେ ନାହିଁ। ଏପରି ସ୍ଥିତି ଦେଇ ଗତି କରୁଥିବା ସମୟରେ କରୋନା ବିଶ୍ୱ ମହାମାରୀ ରୂପରେ ଦେଖାଦେଲା। ଆମ ଦେଶ ଭାରତ ବର୍ଷ ଏହି ବିଶ୍ୱ ମହାମାରୀରୁ ନିଜକୁ ସୁରକ୍ଷିତ କରିପାରିନାହିଁ। କେତେବେଳେ ଲକ୍ଡାଉନ୍ ତ କେତେବେଳେ ସଟ୍ଡାଉନ୍ ଏହି ଆବଶ୍ୟକ ପଦକ୍ଷେପକୁ ପାଳନ କରିଛି ଦେଶ ଓ ଦେଶବାସୀ। ଫଳତଃ ଅତିଗରିବ ଓ ଗରିବ, ନିମ୍ନମଧ୍ୟବିତ୍ତ, ମଧ୍ୟବିତ୍ତ ତଥା ନିମ୍ନ ଆୟକାରୀବର୍ଗ ନିଜ ନିଜ ଭବିଷ୍ୟତକୁ ନେଇ ଶଙ୍କାରେ ଦିନ କାଟୁଛନ୍ତି। ଏକ ସୂଚନା ଅନୁଯାୟୀ ଭାରତର ଅର୍ଥବ୍ୟବସ୍ଥା ଏହି ମହାମାରୀ ଯୋଗୁଁ ଭୀଷଣ ସଂକଟରେ ସମ୍ମୁଖୀନ ହେବାକୁ ଯାଉଛି।
ଭାରତର ୫ କୋଟି ପରିବାର ଅତି ଗରିବ। ଏହି ପରିବାର ପାଇଁ ୬ ହଜାର ଟଙ୍କା ମାସକୁ ଆବଶ୍ୟକ ପଡୁଥିବାବେଳେ ୬ ମାସ ପାଇଁ ୩୦ ହଜାର ଟଙ୍କା ଆବଶ୍ୟକ। ଏହି ୫ କୋଟି ପରିବାର ପାଇଁ ୧୮୦,୦୦୦ କୋଟି ଟଙ୍କା ଆବଶ୍ୟକ ପଡ଼ିବ। ଏହିପରି ଗୋଟିଏ ବେଳା ଖାଇକି ବଞ୍ଚୁଥିବା ପରିବାର ସଂଖ୍ୟା ହେଉଛି ଦେଶରେ ୧୯ କୋଟି। ଯଦି ଗୋଟିଏ ବେଳା ପାଇଁ ୩୫ ଟଙ୍କାର ପ୍ରତି ବ୍ୟକ୍ତି ଖାଇବା ପିଛା ସରକାର ସହାୟତା ଦିଅନ୍ତି ଏବଂ ଦୁଇବେଳା ପାଇଁ ଅତିକ୍ରମରେ ୩୯,୯୦୦ କୋଟି ଟଙ୍କା ମାସକୁ ଆବଶ୍ୟକ ପଡ଼ିବ। ୬ ମାସ ପାଇଁ ସରକାରଙ୍କୁ ଏ ବାବଦରେ ଖର୍ଚ୍ଚ କରିବାକୁ ହେବ ୨,୩୯,୪୦୦ କୋଟି ଟଙ୍କା। ଗରିବଙ୍କୁ ଅନୁଦାନ ଦେବା ପାଇଁ ୪,୧୯,୪୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ହେବ।
ଏହିପରି ମଧ୍ୟମ ଲଘୁ ତଥା ସୂକ୍ଷ୍ମ ଉଦ୍ୟୋଗ ଗୁଡ଼ିକର ଅଣ୍ଟା ଭାଙ୍ଗିପଡ଼ିଛି। କରୋନା ଯୋଗୁଁ ଲକ୍ଡାଉନ୍ କାର୍ଯ୍ୟକାରୀ ହେବା ପରେ ଏପରି ସ୍ଥିତିର ସମ୍ମୁଖୀନ ହୋଇଛନ୍ତି ଏହି ଉଦ୍ୟୋଗ। ବ୍ୟାଙ୍କରେ ଏମ୍ଏସ୍ଏମ୍ଇର ହାରାହାରି ଋଣ ପରିମାଣ ହେଉଛି ସାଢେ ୧୬ ଲକ୍ଷ କୋଟି ଟଙ୍କା। ଏମାନଙ୍କ ଅଣ୍ଟା ସଳଖିବା ପାଇଁ ସରକାର ୧୦ ପ୍ରତିଶତ ହାରାହାରି ସହାୟତା କଲେ ଦେଢ଼ ଲକ୍ଷ କୋଟି ଟଙ୍କା ଆବଶ୍ୟକ ପଡ଼ିବ। ବିଶ୍ୱ ବ୍ୟାଙ୍କର ପରିସଂଖ୍ୟାନ ରିପୋର୍ଟ କହୁଛି ୨୦୧୮ରେ ଭାରତରେ ବିଦେଶରୁ ଆସିଥିବା ହାରାହାରି ଟଙ୍କା ହେଉଛି ୭୮୬୦ କୋଟି ଡଲାର। ଆଜିର ହିସାବରେ ୫,୯୭,୩୬୦ କୋଟି ଟଙ୍କା ପାଖାପାଖି। ବିଦେଶରୁ ଆସିଥିବା ଏହି ଟଙ୍କା ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ପାଇଁ ସହାୟକ ହୋଇଥାଏ।
ଏହି ଟଙ୍କା କରୋନା ଭାଇରସ୍ ଯୋଗୁଁ ୨୩ ପ୍ରତିଶତ ହ୍ରାସ ପାଇପାରେ। ଅର୍ଥାତ୍ ହାରାହାରି ଦେଢ ଲକ୍ଷ କୋଟି ଟଙ୍କା ହ୍ରାସ ପାଇବ। ଏହା ଫଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଖାଦ୍ୟ ଉପରେ ସିଧା ପ୍ରଭାବ ପଡ଼ିପାରେ। ଆନ୍ତର୍ଜାତୀୟ ମୂଦ୍ରା ପାଣ୍ଠିର ଏହି ସହାୟତା ଦେଶର ଆର୍ଥିକ ଉନ୍ନତିରେ ସହାୟକ ହୋଇଥାଏ। ଏହି ବିଦେଶୀ ଟଙ୍କା ଆସିବା ପରିମାଣ ହ୍ରାସ ପାଇବ। ସରକାର ଏହାକୁ ଆଖି ଆଗରେ ରଖି ୫୪ ଲକ୍ଷ ସରକାରୀ କର୍ମଚାରୀ ଓ ୬୦ ଲକ୍ଷ ପେନ୍ସନ୍ଧାରୀଙ୍କ ମହଙ୍ଗା ଭତ୍ତା ବନ୍ଦ୍ କରିଛନ୍ତି। ଏହିପରି ଦେଶରେ ବସ୍ତୁ ଏବଂ ସେବାକର (ଜିଏସ୍ଟି)ଗତ ଫେବୃଆରିରେ ସଂଗହ ହୋଇଥିଲା ୧୦୫.୩୬୬ କୋଟି ଟଙ୍କା। ତାଲାବନ୍ଦ୍ ଯୋଗୁଁ ଦୁଇମାସରେ ଜିଏସ୍ଟି ଆୟ ମୋଟ ୨,୧୦,୦୦୦ କୋଟି ଟଙ୍କା କ୍ଷତି ହୋଇଥିବା ଆକଳନ କରାଯାଉଛି।
ମେ’ ୩ରେ ଦେଶର ବଜାର ଖୋଲିବ। ସଂପୂର୍ଣ୍ଣ ବଜାର ଖୋଲିବା ପାଇଁ ୧୦ ଦିନ ସମୟ ଲାଗିବ। ଏହାପରେ ଜଣାପଡ଼ିଯିବ ଦେଶର ଆର୍ଥିକ ସ୍ଥିତି କେତେ ହ୍ରାସ ପାଇଛି। ସରକାର ସମ୍ଭାବ୍ୟ ଦୁର୍ବଳ ଆର୍ଥିକ ସ୍ଥିତିକୁ ଆଖି ଆଗରେ ରଖି ଏମ୍ପି ଲ୍ୟାଡ ଓ ଏମ୍ଏଲ୍ ଲ୍ୟାଡ୍ ଟଙ୍କା ହ୍ରାସ କରିବା ପାଇଁ ମନସ୍ଥ କରିଛନ୍ତି। ଏହି ଟଙ୍କା ହେଉଛି ବିକେନ୍ଦ୍ରୀକୃତ ସ୍ରୋତ। ୧୯୯୦ ପରେ ଏହି ଲ୍ୟାଡ୍ ଅର୍ଥ ସ୍ଥାନୀୟ ବିକାଶରେ ବଡ଼ ଯୋଗଦାନ ଦେଇଆସିଛି। ଏହି ଟଙ୍କା ହ୍ରାସ ପାଇଲେ ସ୍ଥାନୀୟ ବିକାଶ ଦିଗରେ କିଛି ପରିମାଣର ପୂର୍ଣ୍ଣଚ୍ଛେଦ ହୋଇପାରେ।
ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁସାରେ ୩୧ ମାର୍ଚ୍ଚ, ୨୦୨୦ ମଧ୍ୟରେ ପବ୍ଲିକ୍ ପାଖରେ ମୋଟ ୨୩୪୯୭୧୫ କୋଟି ଟଙ୍କାର କରେନ୍ସି ଥିଲା। ଯଦି ୯ ଲକ୍ଷ କୋଟି ଟଙ୍କାର ନୂଆ ମୁଦ୍ରା ଛପାଯାଏ ତେବେ ଅର୍ଥ ବ୍ୟବସ୍ଥା ପାଇଁ କି ପ୍ରକାର ପ୍ରଭାବ ପଡ଼ିବ। ତେବେ ଏ ସଂପର୍କରେ ଏବେଠୁ ଅନୁମାନ କରାଯାଇନପାରେ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏବଂ ବିଶ୍ୱବ୍ୟାଙ୍କ ଯେଉଁ ଋଣ ଆସିବ ତାହା ୧୨,୦୦୦ କୋଟି ଡଲାର ଛୁଇଁବ ନାହିଁ ବୋଲି ଅନୁମାନ କରାଯାଉଛି। ଆମେରିକା ସରକାରର ଏଜେନ୍ସି ୟୁଏସ୍ଏଆଇଡି କହିଛି ଭାରତକୁ ୨୯ ନିୟୁତ ଡଲାର ଦେବ। ୱାର୍ଲଡ୍ ବ୍ୟାଙ୍କ ମାତ୍ର ୧୦୦ କୋଟି ଡଲାର ଦେବ ବୋଲି ଆଶା କରାଯାଉଛି।
ଏବେକାର ପରିସ୍ଥିତିରେ ପ୍ରୋତ୍ସାହନ ପ୍ୟାକେଜ୍ ନଦେବା ବ୍ୟତୀତ ସରକାରଙ୍କର ଅନ୍ୟ ରାସ୍ତା ନାହିଁ। ପ୍ରତ୍ସାହନ ପ୍ୟାକେଜ ପାଇଁ ଟଙ୍କା ଦରକାର। ତେଣୁ ସରକାର ଟଙ୍କା ଛପାଇବା ଉପାୟ କରିପାରନ୍ତି। ନୂଆ ମୁଦ୍ରିତ ଟଙ୍କା ଜନତାଙ୍କ ମଧ୍ୟରେ ବିତରିତ କରାଯିବ। କେନ୍ଦ୍ରୀୟ ବ୍ୟାଙ୍କର ଧନଆପୂର୍ତ୍ତି ବଢାଯିବ। ଋଣ ଦେବା ପାଇଁ ପ୍ରୋତ୍ସାହନ କରାଯିବ। ଖୋଲା ବଜାରରେ ଲମ୍ୱା ସମୟ ପାଇଁ ସିକ୍ୟୁରିଟି କିଣାଯିବ। ଏସବୁ ପଛର କାରଣ ହେଉଛି ଦେଶର ଅର୍ଥବ୍ୟବସ୍ଥାକୁ ସଜାଡ଼ିବା ପାଇଁ ସରକାର ଟଙ୍କା ଛପାଇବେ। କାରଣ ସରକାରଙ୍କ ପାଖରେ ଏହି ତାଲାବନ୍ଦୀ ସମୟରେ ତଥ୍ୟ ପହଞ୍ଚିଛି ଯେ, ବିଦେଶରେ ଥିବା ଭାରତୀୟ ଶ୍ରମିକ ଅଧିକାଂଶ ସ୍ୱଦେଶକୁ ଫେରିବେ। କାରଣ ସେସବୁ ଦେଶରେ ତାଲାବନ୍ଦ୍ ଯୋଗୁଁ ଆର୍ଥିକ ସଂକଟ ଦେଖାଦେଇଛି।
ସହଜରେ ଦେଶ ମଧ୍ୟରେ କ୍ଷୁଦ୍ର, ସୂକ୍ଷ୍ମ ଓ ମଧ୍ୟମ ଶିଳ୍ପଗୁଡ଼ିକ ଏହି ତାଲାବନ୍ଦ୍ ଯୋଗୁଁ ଗୁରୁତର ଭାବେ ଆର୍ଥିକ ସଂକଟକୁ ସାମ୍ନା କଲେଣି। କୋଟି କୋଟି ଶ୍ରମିକ ଏବେ ବେକାର। ଏପରି ସ୍ଥିତିକୁ ମୁକାବିଲା କରି ନିଜ ଦେଶର ଆର୍ଥିକ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି ସରକାର। ଦେଶର ନାଗରିକ ତାଲାବନ୍ଦ୍ ସମୟରେ ସରକାରଙ୍କୁ ସହଯୋଗ କରିଛନ୍ତି। ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଏବଂ ସରକାରଙ୍କ ପଦକ୍ଷେପକୁ ଗ୍ରହଣ କରିଛନ୍ତି। ଯଦିଓ ଏହା ହେଉଛି କରୋନା ବିଶ୍ୱ ମହାମାରୀର ଘାତକ ପ୍ରଭାବ। ଏହି ପ୍ରଭାବକୁ ମୁକାବିଲା କରି ନିଜ ଦେଶର ଶ୍ରମିକ, କୃଷକ ଓ କର୍ମଚାରୀଙ୍କ ଅଣ୍ଟାକୁ ଟାଣ କରିବା ପାଇଁ ମନରେଗା ଯୋଜନାକୁ ତ୍ୱରାନ୍ୱିତ କ୍ରିୟାଶୀଳ ତଥା ସୁନିଶ୍ଚିତ କରିବା ପାଇଁ ସରକାର ଘୋଷଣା କଲେଣି। ତେଣୁ ସରକାର କ’ଣ ୯ ଲକ୍ଷ କୋଟି ଟଙ୍କାର ମୁଦ୍ରା ଛାପିବେ?
ବରିଷ୍ଠ ସାମ୍ୱାଦିକ, ଭୁବନେଶ୍ୱର
ଦୂରଭାଷ: ୯୪୩୮୦୦୬୨୧୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।