ସତ୍ୟ ସୂତାର
୨୦୦୮ କଥା। ମୁଁ ସେତେବେଳେ ବର୍ମାର ଦ୍ୱିତୀୟ ବୃହତ୍ତମ ସହର ମାଂଡଲେରେ ଚାକିରୀ କରୁଥାଏ। ମୋ ପାଇଁ ନୂଆ ଦେଶ ଓ ନୂଆ ସହର। କିଛି ମାସ ହେଲା କାର୍ଯ୍ୟରେ ଯୋଗ ଦେଇଥାଏ। ଜଣାଶୁଣା ଲୋକ କେହିବି ନଥାନ୍ତି। ଏକୁଟିଆ ଏକୁଟିଆ ଲାଗୁଥାଏ। ସକାଳ ୮ଟାରେ କାମ ଆରମ୍ଭ କରେ ଓ ସନ୍ଧ୍ୟା ୭ଟା ବେଳେ ଆପାର୍ଟମେଂଟକୁ ଫେରେ। ବର୍ମାରେ ସାଧାରଣତଃ ସନ୍ଧ୍ୟା ୭ଟାରେ ସମସ୍ତେ ରାତ୍ର ଭୋଜନ କରନ୍ତି। ମୁଁ ବି ସନ୍ଧ୍ୟା ୭ଟାରେ ରାତ୍ରଭୋଜନ କରିବା ଆରମ୍ଭ କରି ଦେଇଥାଏ। ସବୁଦିନ ପାଖାପାଖି ରାତି ୮ଟା ବେଳେ ମୁଁ ରହୁଥିବା ଆପାର୍ଟମେଂଟ ପାଖରେ ଥିବା ଏକ ଢାବାରେ (ବର୍ମାରେ ଟି ସପ କହନ୍ତି) ଯାଇ ବସେ। ପ୍ରତ୍ୟେକ ଦିନ ଢାବାରେ ବସିବା ଭିତରେ ୧୬/୧୭ ବର୍ଷର ଜଣେ ପିଲା ସହ ଟିକେ ବନ୍ଧୁତା ବି ବଢ଼ି ଗଲାଣି। ସେ ପିଲାଟି ଢାବାରେ ପାଣି, ଚାହା ଓ ଖାଦ୍ୟ ପରଷେ। ସବୁବେକେ ହସ ହସ ମୁହଁ।
କିଛି ଦିନର ସାକ୍ଷାତ ଭିତରେ ଆମ ଭିତରେ ବନ୍ଧୁତା ବଢ଼ି ସେ ମୋର ଘନିଷ୍ଟ ବନ୍ଧୁ ହୋଇ ଗଲାଣି। ଆମ ଭିତରେ କଥାବାର୍ତ୍ତା ବେଳେ ସେ ଖଣ୍ଡି ଖଣ୍ଡି ଇଂରାଜୀ କହେ। ମୁଁ ଯାହା ବୁଝି ନ ପାରେ ଅଭିନୟ (ବଡି ଲାଙ୍ଗୁଏଜ) କରି ବୁଝାଇ ଦିଏ। ମୋତେ ଭାରତ କଥା ପଚାରେ। ଭାରତରେ ଲୋକ କେମିତି ପଚାରେ! କ’ଣ ଖାଆନ୍ତି ପଚାରେ! ମୋ ଗାଁ, ପରିବାର କଥା ପଚାରେ! ଏ ଭିତରେ ମୁଁ ବି ତା କଥା ଓ ତା ପରିବାର କଥା ଜାଣିଲି। ସେ ସୁଦୂର ଏକ ଗାଁରୁ ଆସି ଏଠାରେ ଏ କାମ କରୁଛି। ତା ବାପା ଓ ମା’ ବହୁତ ଗରିବ। ତେଣୁ ପାଠପଢ଼ା ଆଧାରେ ଛାଡ଼ି ରୋଜଗାର ପାଇଁ ସହର ଆସିଛି ବାପାମା’ଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ। ଯାହା ଦରମା ପାଏ ପ୍ରତ୍ୟେକ ମାସ ବାପାମା’ଙ୍କୁ ପଠାଏ। ସବୁ ହସ ହସ ମୁହଁ ଯେ ସୁଖୀ ନୁହେଁ ଓ ତା’ ଭିତରେ ବି ଏକ ଦୁଃଖ କାହାଣୀ ଥାଏ ପୁଣି ଥରେ ଅନୁଭବ କଲି! ଏ ସବୁ ତା ବିଷୟରେ ଜାଣିବା ପରେ, ସେ ଛୋଟ ପିଲାଟିଏ ହେଲେବି, ମୋ ମନରେ, ତା ପ୍ରତି ଯଥେଷ୍ଟ ସମ୍ମାନ ବଢ଼ି ଯାଇଥାଏ।
ଦିନେ ରାତ୍ରଭୋଜନ ଖାଇ ସାରିବା ପରେ ଚାହା ପିଇବାକୁ ଢାବାକୁ ଚାଲିଲି। ଢାବାର ଟିକେ ପୂର୍ବରୁ ଜଣେ ମଧ୍ୟ ବୟସ୍କ ମହିଳା ରାସ୍ତା କଡ଼ରେ ବସିଥିବାର ଦେଖିଲି। ତାଙ୍କ ସାଙ୍ଗରେ ଜଣେ ୩/୪ ବର୍ଷର ଛୁଆ ଓ ଆଉଜଣେ ୮/୯ ବର୍ଷର ଛୁଆ ବି ବସିଥିବାର ଦେଖିଲି।
ପହଂଚି ଗଲି ଢାବାରେ। ବନ୍ଧୁ ଚାହା କପେ ଆଣି ପରଷିଦେଲେ। ଝିପିଝିପି ବର୍ଷା ଆରମ୍ଭ ହୋଇଗଲା। ଗ୍ରାହକ ବହୁତ କମ ଥିଲେ। ବିଭିନ୍ନ କଥା ସେ ବର୍ମା ବିଷୟରେ ମୋତେ ଖଣ୍ଡି ଇଂରାଜୀରେ ବୁଝାଉ ଥାଏ। ଆମେ ଗପି ଚାଲିଥାଉ। ଏ ଭିତରେ କେତେବେଳେ ରାତି ଦଶଟା ବାଜିଗଲା ଓ ବର୍ଷା ବି ଛାଡ଼ି ଗଲାଣି। କାଲି ସନ୍ଧ୍ୟାରେ ପୁଣି ଦେଖା ହେବ କହି, ବନ୍ଧୁଙ୍କୁ ବିଦାୟ ଜଣାଇ ବାହାରିଲି ଆପାର୍ଟମେଂଟ ଆଡ଼େ।
ଆପାର୍ଟମେଂଟକୁ ଫେରିଲା ବେଳେ ଦେଖିଲି, ସେ ମହିଳା ଜଣଙ୍କ ଦୁଇ ଛୋଟ ଛୁଆଙ୍କ ସହିତ ସେମିତି ସେ ଗଛ ମୂଳରେ ବସିଛନ୍ତି! ଛୋଟ ଛୁଆଟି ଜୋରରେ କାନ୍ଦୁ ଥାଏ, ମହିଳା ଜଣକ, ବର୍ମା ଭାଷାରେ କ'ଣ ବୁଝାଉ ଥାଆନ୍ତି। ଆଶ୍ଚର୍ଯ୍ୟ ଲାଗିଲା। କିଛି ବୁଝି ପାରିଲି ନାହିଁ। ଘଟଣା କ'ଣ ଜାଣିବାକୁ ମନରେ ଆଗ୍ରହ ସୃଷ୍ଟି ହେଲା! ଫେରିଲି ପୁଣି ଢାବାକୁ। ବନ୍ଧୁଙ୍କୁ ଏ ବିଷୟରେ ଜଣାଇଲି। ବନ୍ଧୁ ମୋ ସାଙ୍ଗରେ ଚାଲିଲେ ଖବର ନେବାକୁ।
ଘଟଣା ବୁଝିସାରି, ମୋତେ କହିଲେ, ସେମାନଙ୍କ ଘର ଏକ ଦୂର ଗାଁରେ। ସନ୍ଧ୍ୟା ୬ଟା ଟ୍ରେନରେ ଗାଁକୁ ଫେରିବାର ଥିଲା। ମହିଳା ଜଣକ ସହରକୁ ଆସିଥିଲେ ଘର ପାଇଟି କାମ ବୁଝିବାକୁ। ଫେରିବା ବେଳେ ଡେରି ହୋଇଗଲା ଓ ଟ୍ରେନ ଚାଲିଗଲା। ପରବର୍ତ୍ତୀ ଟ୍ରେନ ରାତି ୩ଟାରେ ଅଛି। ଖରାବେଳେ ଖାଇଥିଲେ। ଟଙ୍କା ନାହିଁ। ତେଣୁ ଛୋଟ ଛୁଆମାନଙ୍କ ଖାଇବା ଯୋଗାଡ଼ କରି ପାରିଲେ ନାହିଁ। ପ୍ରବଳ ଭୋକ ଲାଗୁଥିବାରୁ ଛୋଟ ପିଲାଟି ଜୋରରେ କାନ୍ଦୁଛି।
ପକେଟରେ ହାତ ପୁରାଇଲି। ୫୦୦୦ ଚାତ (ଭାରତୀୟ ମୁଦ୍ରାରେ ୨୫୦ ଟଙ୍କା) କାଢ଼ିଲି, ଦେବାକୁ ଯାଉଛି, ୮/୯ ବର୍ଷର ଛୁଆଟି ମୋ ହାତରୁ ନୋଟଟିକୁ ଝାମ୍ପି ନେଇ ଦୌଡ଼ି ଗଲା, ଫୁଟପାଥରେ ବନ୍ଦ ହେଉଥିବା ଫ୍ରାଇଡ଼ ରାଇସ ଠେଲା ଗାଡ଼ିଟା ପାଖକୁ।
କୋହ ସମ୍ଭାଳି ପାରିଲିନି। ଧସେଇ ଚାଲିଗଲି ବନ୍ଧୁଙ୍କୁ ବିଦାୟ ନ କହି, ପାଖ ଅନ୍ଧାରିଆ ଗଛ ମୂଳକୁ। ବସିଗଲି ଗଛ ମୂଳରେ ଥିବା ସିମେଣ୍ଟ ବେଞ୍ଚ ଉପରେ। ଦୂରରୁ ଝାପ୍ସା ଦେଖା ଯାଉଥିଲା; ତିନି ପ୍ରାଣୀ କୁଟୁମ୍ବ ଆନନ୍ଦରେ ଖାଉଥିଲେ ଫ୍ରାଏଡ଼ ରାଇସ।
ବେଞ୍ଚରେ ବସି ଭଗବାନଙ୍କୁ ପଚାରୁଥିଲି, ସମସ୍ତେ ତ ଆପଣଙ୍କ ଉତ୍ପତ୍ତି; ଆପଣଙ୍କର ସନ୍ତାନ ଓ ସନ୍ତତି! ଦୁଇ ଓଳି ଖାଇବାକୁ ପାଉ ନଥିବା ଗରିବୀ କାହିଁକି?
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।