/odisha-reporter/media/post_attachments/uploads/2020/09/Corona.jpg)
Corona
ରବି ଦାସ
ଦେଶରେ ଏବେ କରୋନା ସଂକ୍ରମଣ ସଂଖ୍ୟା ଦୈନିକ ୨୩ ହଜାର ଉପରକୁ ଉଠିଲାଣି ଓ ମୋଟ ସଂକ୍ରମିତଙ୍କ ସଂଖ୍ୟା ବ୍ରାଜିଲକୁ ପାର ହେବାକୁ ଯାଉଛି। ଅର୍ଥାତ୍ ସଂକ୍ରମଣ ସଂଖ୍ୟାରେ ଭାରତ ବିଶ୍ୱର ଦ୍ୱିତୀୟ ରାଷ୍ଟ୍ର ଭାବରେ ବିବେଚିତ ହେବ। ତଥାପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା-ଭାରତ ବିଜନେସ ଫୋରମ୍ର ଏକ ବୈଠକରେ କହିଛନ୍ତି ଯେ, ୧୩୦ କୋଟି ଜନସଂଖ୍ୟାର ଏକ ଦେଶରେ କରୋନା ମହାମାରୀକୁ ନିୟନ୍ତ୍ରଣରେ ରଖାଯାଇଛି ଓ ମୃତ୍ୟୁହାର ବିଶ୍ୱର ଅନ୍ୟଦେଶ ତୁଳନାରେ କମ୍ ରହିଛି। ଭାରତରେ ବିନିଯୋଗ ପାଇଁ ଏବେ ପ୍ରଶସ୍ତ କ୍ଷେତ୍ର ରହିଥିବା ପ୍ରଧାନମନ୍ତ୍ରୀ ଯୁକ୍ତି କରିବା ସମୟରେ ଭାରତ କିପରି ଭାବରେ ସବୁଠାରୁ ଦକ୍ଷତାର ସହିତ ଜାତୀୟ ଲକଡାଉନ୍ ପ୍ରଥମେ କାର୍ଯ୍ୟକାରୀ କରି କରୋନା ଭୂତାଣୁକୁ ନିୟନ୍ତ୍ରଣ କରିଥିଲା ତାହାର ତଥ୍ୟ ଉପସ୍ଥାପିତ କରିଥିଲେ। ଏବେ କରୋନା ସଂକ୍ରମଣରେ ଭାରତରେ ସଂକ୍ରମଣ ସଂଖ୍ୟା ସାରା ବିଶ୍ୱରେ ପ୍ରଥମେ ହେଲେ ମଧ୍ୟ ୟୁରୋପ ଓ ଆମେରିକାରେ ଯେତେବେଳେ ସଂକ୍ରମଣ ବୃଦ୍ଧି ପାଉଥିଲା ସେତେବେଳେ ଦୈନିକ ସଂକ୍ରମଣର ଯେଉଁ ସଂଖ୍ୟା ପହଁଚିଥିଲା ଭାରତରେ ଏବେ ମଧ୍ୟ ତାହାର ପଛରେ ଅଛି। କିନ୍ତୁ ଏକଥା ମଧ୍ୟ ସତ୍ୟ ଯେ, ଜାତୀୟ ଲକଡାଉନ ଯୋଗୁ ବିଶ୍ୱର ୨୦ଟି ଉନ୍ନତ ଦେଶମାନଙ୍କ ଭିତରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ସବୁଠୁ ଅଧିକ ସଂକୁଚିତ ହୋଇଛି। ଏହି ପ୍ରକ୍ରିୟା ଲକଡାଉନ ପୂର୍ବରୁ ଆରମ୍ଭ ହୋଇଥିଲା ଓ ଲକଡାଉନ ସମୟରେ ଏହା ଚରମ ସୀମାକୁ ପହଁଚିବା ଫଳରେ ଚଳିତ ବର୍ଷର ପ୍ରଥମ କ୍ୱାର୍ଟରରେ ଭାରତରେ ଆର୍ଥିକ ଅଭିବୃଦ୍ଧି ହାର ଶତକଡ଼ା ୨୩.୯ ପ୍ରତିଶତ ସଂକୁଚିତ ହୋଇଛି। ଆମେରିକାରେ ଏହା ସର୍ବାଧିକ ଶତକଡ଼ା ୯ ପ୍ରତିଶତ ସଂକୋଚନ ହୋଇଥିବା ସମୟରେ ବ୍ରିଟେନରେ ମଧ୍ୟ ଶତକଡ଼ା ୨୦ ଭାଗ ସଂକୋଚନ କରାଯାଇଛି। ଜର୍ମାନ, ଫ୍ରାନ୍ସ ଓ ଅନ୍ୟ ଏସିଆ ଦେଶମାନଙ୍କରେ ମଧ୍ୟ ଆର୍ଥିକ ସଂକୋଚନ ହାର ଭାରତଠାରୁ ପଛରେ ରହିଛି। ଏହା ନିଶ୍ଚିତ ଭାବରେ ଭାରତୀୟ ଅର୍ଥନୀତି ପାଇଁ ଆହ୍ୱାନ ସୃଷ୍ଟି କରିଛି ଓ ଚଳିତ ବର୍ଷ ବଜେଟ୍ରେ ବିତୀୟ ନିଅଂଟ ଶତକଡ଼ା ୭ରେ ପହଁଚିଥିବାର ଆଶଙ୍କା କରାଯାଉଛି। ଏପରି ଅବସ୍ଥାରେ ଅନୁଷ୍ଠିତ ହେବାକୁ ଯାଉଥିବା ପାର୍ଲାମେଣ୍ଟ ଅଧିବେଶନରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ବାତିଲ କରିବା ପାଇଁ ସରକାରଙ୍କ ପ୍ରସ୍ତାବକୁ ଲୋକସଭା ବାଚସ୍ପତି ଓ ରାଜ୍ୟସଭାର ଉପାଧ୍ୟକ୍ଷ ଗ୍ରହଣ କରିନେଇଥିବାରୁ ବିରୋଧୀ ଦଳମାନେ କ୍ରୋଧ ପ୍ରକାଶ କରିବା ସ୍ୱାଭାବିକ। କାରଣ ପାର୍ଲାମେଂଟ ଗଣତନ୍ତ୍ରରେ ସରକାରଙ୍କୁ ପ୍ରଶ୍ନ ପଚାରିବା ଓ ଉତ୍ତରଦାୟୀ କରିବାର ଏକ ମାଧ୍ୟମ ହେଉଛି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ। ଉତ୍ତରଦାୟିତ୍ୱକୁ ଗ୍ରହଣ କରୁଥିବା କୌଣସି ସରକାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ଏଡ଼ାଇଯିବା ଆଦୌ ଉଚିତ ନୁହେଁ। ପାର୍ଲାମେଂଟ ହେଉଛି ଏପରି ଅନୁଷ୍ଠାନ ଯେଉଁଠାରେ ଭାରତୀୟ ସଂଘୀୟ ବ୍ୟବସ୍ଥାରେ ଲୋକମାନଙ୍କ ସ୍ୱର ପ୍ରତିଫଳିତ ହୁଏ। ବର୍ତମାନ ପାର୍ଲାମେଂଟର ପରମ୍ପରା ଦେଖି ଓଡ଼ିଶା ଭଳି ଅନେକ ରାଜ୍ୟ ବିଧାନସଭା ଆଧିବେଶନରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ବାତିଲ କରାଯିବାର ଚିନ୍ତା କରୁଛନ୍ତି। କରୋନା ମହାମାରୀ ସଂକଟ ସମୟରେ ଅର୍ଥନୀତି ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟନୀତି, ଶିକ୍ଷାନୀତି, କୃଷିନୀତି ଓ ଅନ୍ୟ ବହୁ ପ୍ରସଙ୍ଗରେ ଜନସାଧାରଣ ସରକାରଙ୍କ ଠାରୁ ଉତ୍ତର ଚାହୁଁଛନ୍ତି। କାହିଁକି ଦେଶର ଅର୍ଥନୀତି ଗୁରୁତର ସଂକଟ ଭିତରକୁ ଗଲା ଓ ସଂକ୍ରମଣ ସଂଖ୍ୟା କାହିଁକି ବୃଦ୍ଧିପାଇ ଚାଲିଛି ଓ ସରକାର ସେଗୁଡ଼ିକୁ କିପରି ମୁକାବିଲା କରୁଛନ୍ତି ସେ ସଂପର୍କରେ ଲୋକମାନଙ୍କର ବହୁ ପ୍ରଶ୍ନ ରହିଛି। ଜୀବନ ଓ ଜୀବିକାର ପ୍ରଶ୍ନ ସହିତ ରାଜ୍ୟମାନଙ୍କୁ ଜିଏସଟି କ୍ଷତିପୂରଣ ପ୍ରଦାନ କରିବାରେ ଯେ ଅସୁବିଧା ଦେଖାଦେଇଛି ସେ ସଂକ୍ରାନ୍ତରେ ପାର୍ଲାମେଂଟରେ ବିଭିନ୍ନ ପ୍ରଶ୍ନର ଉତ୍ତର ସରକାରଙ୍କୁ ଦେବାକୁ ପଡ଼ିବ। ବିଶେଷ ଭାବରେ ରାଜ୍ୟମାନଙ୍କୁ ପ୍ରତିନିଧିତ୍ୱ କରୁଥିବା ସାଂସଦମାନେ ଜିଏସଟି କ୍ଷତିପୂରଣ ସହିତ ରାଜ୍ୟମାନଙ୍କ ଆର୍ଥିକ ସ୍ଥିତିରେ କେନ୍ଦ୍ର କିପରି ସହାୟତା ଦେଇପାରିବ ତାହାର ପ୍ରଶ୍ନଗୁଡ଼ିକ ନିଶ୍ଚିତ ପଚାରିବେ।
କୋଭିଡ ପରିଚାଳନାରେ କେନ୍ଦ୍ର ସରକାର ଅଧିକାଂଶ ଦାୟିତ୍ୱ ରାଜ୍ୟମାନଙ୍କ ହାତକୁ ପ୍ରଦାନ କରିଛନ୍ତି। କିନ୍ତୁ ଦେଖାଯାଉଛି ଅଧିକାଂଶ ରାଜ୍ୟ ଠିକ ଭାବରେ କୋଭିଡ ପରିଚାଳନା କରିପାରୁନାହାନ୍ତି। ପ୍ରଥମେ ପୂର୍ବ ଭାରତ ରାଜ୍ୟଗୁଡ଼ିକରେ କୋଭିଡ ସଂକ୍ରମଣ ସଂଖ୍ୟା କମ୍ ଥିବା ଦର୍ଶାଯାଉଥିଲା। ସେତେବେଳେ କମ୍ ସଂଖ୍ୟାରେ ଟେଷ୍ଟ କରାଯାଉଥିଲା। କିନ୍ତୁ ଓଡ଼ିଶା ଭଳି କେତେ ରାଜ୍ୟରେ ଏବେ ଟେଷ୍ଟହାର ଯଥେଷ୍ଟ ବୃଦ୍ଧି ହେବା ଫଳରେ ଦୈନିକ ସଂକ୍ରମଣ ହାର ସାଢ଼େ ୩ ହଜାରରୁ ଅଧିକ ହେଉଛି, ଯାହାକି ସେହି ତୁଳନାରେ ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ବିହାର, ଆସାମ ଓ ଅନ୍ୟ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ସଂକ୍ରମଣ ହାର ଏହାଠାରୁ କମ୍ ହୋଇଛି। ବାସ୍ତବରେ ଦେଖିବାକୁ ଗଲେ ପୂର୍ବ ଭାରତରେ ସଂକ୍ରମଣ ବୃଦ୍ଧିରେ ଓଡ଼ିଶା ଏକ ଆଗୁଆ ରାଜ୍ୟ ହୋଇଛି। ଓଡ଼ିଶାର ରାଜଧାନୀ ଥିବା ଖୋର୍ଦ୍ଧା ଜିଲ୍ଲା, ଓ କଟକ ଜିଲ୍ଲାରେ ସଂକ୍ରମଣ ହାର ବୃଦ୍ଧି ଆତଙ୍କ ସୃଷ୍ଟି କରିଛି। ଏହି ସଂକ୍ରମଣ ହାର ବୃଦ୍ଧି କେତେଦିନ ଚାଲିବ ଏବଂ ସଂକ୍ରମଣ କେବେ ନିୟନ୍ତ୍ରିତ ହେବ ତାହା କହେହେଉ ନାହିଁ। ରାଜ୍ୟ ସରକାରଙ୍କର ଯୁକ୍ତି ହେଉଛି ଯେ, ଜାତୀୟ ହାରାହାରି ସଂକ୍ରମଣ ତୁଳନାରେ ଭଲ ଅବସ୍ତାରେ ଅଛି। ଓଡ଼ିଶାରେ ୨୦ ଲକ୍ଷ ସାମ୍ପୁଲ ଟେଷ୍ଟ ହୋଇସାରିଲାଣି। ସେହିପରି ରାଜ୍ୟରେ ମୃତ୍ୟୁହାର ୦.୪୬ ରହିଛି, ଯାହାକି ଜାତୀୟ ହାରଠାରୁ ଶତକଡ଼ା ୧.୭୭ଠାରୁ ବହୁ ତଳେ। ଓଡ଼ିଶାରେ ମୃତୁସଂଖ୍ୟା ନେଇ ଯେଉଁ ହିସାବ ଦିଆଯାଉଛି ତାହାକୁ ଅନେକ ଗ୍ରହଣ କରିପାରୁନାହାନ୍ତି। କୋଭିଡ୍ ହସପିଟାଲକୁ ଯାଇଥିବା ଓ ସେଠାରେ ୭ ଦିନରୁ ଅଧିକ କାଳ ରହିଥିବା ଜଣେ ବ୍ୟକ୍ତିଙ୍କ ତଥ୍ୟ ଅନୁସାରେ ମୁଖ୍ୟ ସଂଖ୍ୟା ନେଇ ଯେଉଁ ତଥ୍ୟ ଦିଆଯାଉଛି ତାହାଠାର ଅଧିକ ମୃତ୍ୟୁବରଣ କରୁଛନ୍ତି।
ଓଡ଼ିଶାରେ କ୍ୱାରେନଟାଇନ ସେଂଟରଗୁଡ଼ିକରେ ଯେଉଁ ଅସୁବିଧା ଯୋଗୁ ସଂକ୍ରମଣ ରାଜ୍ୟରେ ବୃଦ୍ଧି ପାଇଲା। କୋଭିଡ ହସପିଟାଲଗୁଡ଼ିକରେ ଠିକଣା ଚିକିତ୍ସା ନହେବା ଯୋଗୁ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ୁଛି। କୋଭିଡ ହସପିଟାଲରେ ଥିବା ଜଣେ ବ୍ୟକ୍ତିଙ୍କ ବକ୍ତବ୍ୟ ଅନୁସାରେ ଗୋଟିଏ ରୁମ୍ରେ ୨୦୦ ଶଯ୍ୟା ଥିଲେ ମଧ୍ୟ ଏହି ଦୁଇଶହ ରୋଗୀଙ୍କ ପାଇଁ ମାତ୍ର ୫ ଜଣ ନର୍ସ କାର୍ଯ୍ୟ କରୁଛନ୍ତି। ମାତ୍ର ୨ ଜଣ ଯୁବ ଡାକ୍ତର ଦାୟିତ୍ୱରେ ରହୁଛନ୍ତି। ରୋଗୀଟିଏ କୋଭିଡ ହସପିଟାଲକୁ ଆସିବା ପରେ ତା’ର ପରିବାରଠାରୁ ବିଚ୍ଛିନ୍ନ ହୋଇଯାଉଛି। ରୋଗୀମାନଙ୍କ ପାଇଁ ଖାଇବାର ଯେଉଁ ବ୍ୟବସ୍ଥା କରାଯାଇଛି ସେଥିରେ ବିଶେଷ ଅସନ୍ତୋଷ ନାହିଁ। କିନ୍ତୁ ଜଣେ ରୋଗୀ ପହଁଚିବାର ବହୁ ସମୟ ପର୍ଯ୍ୟନ୍ତ ତା’ ନିକଟକୁ କେହି ଆସୁନାହାନ୍ତି। ତା’ ତଂଟିରେ ଦରଜ ହେବା ସମୟରେ ସେ ଉଷୁମ ପାଣି ଚାହୁଁଥିଲେ ମଧ୍ୟ ସେଥିପାଇଁ ରୁମରେ କିଛି ବ୍ୟବସ୍ଥା ନାହିଁ। କେବଳ ଜଣେ ରୋଗୀ ଯେତେବେଳେ ଶ୍ୱାସ ପ୍ରକ୍ରିୟାରେ କଷ୍ଟ ଅନୁଭବ କରୁଛି ସେତେବେଳେ ତାହାକୁ ଅକ୍ସିଜେନ ପାଇଁ ଦାବି କରାଯାଉଛି। କିନ୍ତୁ ୨୦୦ ରୋଗୀଥିବା ରୁମ୍ରେ ମାତ୍ର ୫/୬ଟି ଅକ୍ସିଜେନ ସିଲିଣ୍ଡର ଥିବାରୁ ଜଣଙ୍କୁ ସାଧାରଣ କିଛି ସମୟ ଦିଆଯିବା ପରେ ତାହାକୁ ଟାଣିନେଇ ଅନ୍ୟ ରୋଗୀ ପାଖକୁ ଦିଆଯାଉଛି। ବାସ୍ତବିକ ଅକ୍ସିଜେନ ସିଲିଣ୍ଡର ପାଇଁ ୱାର୍ଡ଼ ଭିତରେ ବେଶ ପ୍ରତିଯୋଗିତା ଚାଲୁଛି। ଯିଏ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛି ତାହାକୁ ଶେଷ ମୁହୂର୍ତରେ ଆଇସିୟୁକୁ ନିଆଯାଉଛି ବା ଭେଂଟିଲେଟର ପ୍ରଦାନ କରାଯାଉଛି। ମାତ୍ର ହସ୍ପିଟାଲରେ ୨୫ଟି ଆଇସିୟୁ ବେଡ ଥିବାରୁ ଏଥିପାଇଁ ପ୍ରତିଯୋଗିତା ଓ ବାହାରୁ ଚାପ ମଧ୍ୟ ପଡ଼ୁଛି। ଅନେକ ସମୟରେ ସାଧାରଣ ରୋଗୀଟିଏ ଅତ୍ୟଧିକ କଷ୍ଟ ଅନୁଭବ କରି ବ୍ୟତିବ୍ୟସ୍ତ ହେବା ପରେ ତାଙ୍କୁ ଆଇସିୟୁକୁ ନିଆଗଲେ ମଧ୍ୟ ସେ ଜୀବନ ରକ୍ଷା କରିପାରୁନାହିଁ। ଅଧିକାଂଶ ସମୟରେ ସେହିଦିନ ହିଁ ତା’ର ମୃତ୍ୟୁ ହୋଇଯାଉଛି। ରୁମ୍ଗୁଡ଼ିକରେ ଅକ୍ସିମିଟର ରହିଲେ ପ୍ରତ୍ୟେକ ରୋଗୀଙ୍କର ଅକ୍ସିଜେନ ଅବସ୍ଥା ଜାଣିହେବ। ତାହାଛଡ଼ା ରୋଗୀର ଏକ୍ସରେ କରିବାର ବ୍ୟବସ୍ଥା ଥିଲେ ଫୁସଫୁସ୍ରେ ତା’ର ସଂକ୍ରମଣ ହେଲାଣି କି ନାହିଁ ଜଣାପଡ଼ିଯାନ୍ତା। କିନ୍ତୁ ସେପରି ବ୍ୟବସ୍ଥା ହସପିଟାଲଗୁଡ଼ିକରେ ସବୁ ରୋଗୀଙ୍କ ପାଇଁ କରାଯାଉନାହିଁ। ଯଦିଓ ସରକାରଙ୍କ ହିସାବ ଅନୁସାରେ ରୋଗୀମାନଙ୍କର ସମସ୍ତ ଖର୍ଚ୍ଚ ସରକାର ପ୍ରଦାନ କରୁଛନ୍ତି ଏବଂ ଜଣେ ଜଣେ ରୋଗୀଙ୍କ ପାଇଁ ସର୍ବାଧିକ ଦୈନିକ ୧୮ ହଜାର ଟଙ୍କା ଦେବାର ବ୍ୟବସ୍ଥା ମଧ୍ୟ ରହିଛି କିନ୍ତୁ ଏହି ବ୍ୟବସ୍ଥା ଅନୁସାରେ କୋଭିଡ ହସପିଟାଲ ଗୁଡ଼ିକରେ କିପରି ଭାବରେ କାର୍ଯ୍ୟ ଚାଲିଛି ତାହାର ଠିକଣା ତଦାରଖ ପ୍ରଶାସନିକ ଅଧିକାରୀମାନେ କରୁନାହାନ୍ତି। ଏଣୁ ଭୁବନେଶ୍ୱରଠାରୁ ଆରମ୍ଭ କରି ସମ୍ବଲପୁର ପର୍ଯ୍ୟନ୍ତ ବିଭିନ୍ନ କୋଭିଡ ହସପିଟାଲରେ ରୋଗୀମାନଙ୍କୁ ଠିକଣା ସମୟରେ ଉପଯୁକ୍ତ ଚିକିତ୍ସା କରାଯାଉନଥିବା ସିଧାସଳଖ ଅଭିଯୋଗ ରୋଗୀମାନଙ୍କ ସଂପର୍କୀୟମାନେ କରୁଛନ୍ତି। ଯେଉଁମାନେ ଟିକେ ପ୍ରଭାବଶାଳୀ ବା ବାହାର ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଯୋଗାଯୋଗ ରହିଛି ସେମାନଙ୍କ ଚିକିତ୍ସାକୁ କିଛି ଅଗ୍ରାଧିକାର ଦିଆଯାଉଛି। କିନ୍ତୁ ସାଧାରଣ ଭାବରେ କୋଭିଡ ହସପିଟାଲରେ ଯେଉଁ ଲକ୍ଷଣହୀନ ରୋଗୀଟି ଯାଉଛି ତାହାକୁ ଭିଟାମିନ୍ ସି ଏବଂ ଜ୍ୱର ଟାବଲେଟ ଦିଆଯାଇ ଦୁଇଦିନ ଭିତରେ ବିଦା କରିଦିଆଯାଉଛି। ଏହାକୁ ଦର୍ଶାଇ ସଂକ୍ରମଣରୁ ରୋଗୀ ସୁସ୍ଥ ହେଉଥିବା ସଂଖ୍ୟାର ହିସାବ ଦିଆଯାଉଥିଲେ ମଧ୍ୟ ପ୍ରକୃତ ରୋଗୀମାନଙ୍କ ଚିକିତ୍ସା ଠିକଣା ଭାବରେ କରାଯାଉନଥିବା ସେହିସବୁ ହସପିଟାଲରୁ ୭/୮ ଦିନ ରହି ଫେରିଥିବା ରୋଗୀମାନେ ମତପ୍ରକାଶ କରୁଛନ୍ତି। ରୋଗୀଟି ମରିଗଲେ ପରିବାରବର୍ଗ ମଧ୍ୟ ଶବକୁ ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। କିନ୍ତୁ ଶବ ନନେଲେ ମଧ୍ୟ ସେହି ହସପିଟାଲଗୁଡ଼ିକରେ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ପରିବାର ମୃତ୍ୟୁଖବର ସେଠାରେ ଥିବା ଏକ ରେଜିଷ୍ଟରରେ ପଂଜୀକୃତ କରିବା ପାଇଁ ବ୍ୟବସ୍ଥା ହେବା ଦରକାର। ତାହାଲେ ମୃତ୍ୟୁସଂଖ୍ୟାର ପ୍ରକୃତ ହିସାବ ମିଳିପାରିବ।
ବାସ୍ତବରେ ଉଭୟ କେନ୍ଦ୍ର ଓ ରାଜ୍ୟରେ ଉତ୍ତରଦାୟିତ୍ୱ ସରକାର ଜନସାଧାରଣ ଚାହାନ୍ତି। ସେହି ଦୃଷ୍ଟିରୁ କୋଭିଡ ରୋଗୀମାନଙ୍କର କିପରି ଚିକିତ୍ସା କରାଯାଉଛି ତାହାର ଦୈନିକ ବିବରଣୀ ପ୍ରକାଶିତ ହେବା ଦରକାର। ଗଣମାଧ୍ୟମମାନେ କୋଭିଡ ହସପିଟାଲଗୁଡ଼ିକର ପରିଚାଳନା ନେଇ ପ୍ରତ୍ୟକ୍ଷ ଭାବରେ କିଛି ତଥ୍ୟ ଓ ମତାମତ ପରିବେଷଣ କରିବା ଉଚିତ ହେବ। କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନ ଦିଆଯିବା ସହିତ ସରକାରଙ୍କ ଉତ୍ତରଦାୟିତ୍ୱକୁ କେହି ଭୁଲିଯିବା ଉଚିତ ନୁହେଁ।
ବରିଷ୍ଠ ସାମ୍ବାଦିକ
ମୋ- ୯୪୩୭୪୦୪୪୫୫
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
