Advertisment

ଏଥର ସାଙ୍ଗରେ କ'ଣ ନେବ?

ବିଶ୍ଵବନ୍ଦିତା ସ୍ୱାଇଁ ଆଉ କିଛି ଦିନ ପରେ ଆମେ ସମସ୍ତେ ଫେରିଯିବା, ଆମ କର୍ମମୟ ଦୁନିଆକୁ, କେହି ସହରକୁ, ହୁଏତ କେହି ବିଦେଶକୁ। ଏଥର ଘରୁ ଗଲାବେଳେ କ’ଣ ନେବ? ଘି ପିଠା, ବଡ଼ି ଭଜା, ଆଚାର, ଘର ତିଆରି ପାମ୍ବଡ଼ ନା ଆଉ କିଛି? ଆପଣଙ୍କ ଉତ୍ତର ବୋଧହୁଏ ନା, ମୋର କିନ୍ତୁ ହଁ। ଏଥର ଘରୁ ଗଲାବେଳେ ଆମ ସହ କିଛି ଅଭ୍ୟାସ, ଆତ୍ମସନ୍ତୋଷ ଆଉ ଅନୁଭୂତି ଯିବ। ଯାହା ଆମକୁ ଏକ ସୁସନ୍ତୁଳିତ […]

author-image
Biswobandita Swain
ଏଥର ସାଙ୍ଗରେ କ'ଣ ନେବ?

c

ବିଶ୍ଵବନ୍ଦିତା ସ୍ୱାଇଁ

ଆଉ କିଛି ଦିନ ପରେ ଆମେ ସମସ୍ତେ ଫେରିଯିବା, ଆମ କର୍ମମୟ ଦୁନିଆକୁ, କେହି ସହରକୁ, ହୁଏତ କେହି ବିଦେଶକୁ। ଏଥର ଘରୁ ଗଲାବେଳେ କ'ଣ ନେବ? ଘି ପିଠା, ବଡ଼ି ଭଜା, ଆଚାର, ଘର ତିଆରି ପାମ୍ବଡ଼ ନା ଆଉ କିଛି?
ଆପଣଙ୍କ ଉତ୍ତର ବୋଧହୁଏ ନା, ମୋର କିନ୍ତୁ ହଁ। ଏଥର ଘରୁ ଗଲାବେଳେ ଆମ ସହ କିଛି ଅଭ୍ୟାସ, ଆତ୍ମସନ୍ତୋଷ ଆଉ ଅନୁଭୂତି ଯିବ। ଯାହା ଆମକୁ ଏକ ସୁସନ୍ତୁଳିତ ଜୀବନ ଗଢିବାରେ ସହାୟକ ହେବ।
ଇଂଲିସ ଲେଖକ ଜନ ଡ୍ରାଇଡେନ କହିଥିଲେ, "we first make our habits, then our habits make us"
ଅର୍ଥାତ ପ୍ରଥମେ ଆମେ ଆମ ଅଭ୍ୟାସ ଗଢୁ, ତା'ପରେ ଆମ ଅଭ୍ୟାସ ଆମକୁ ଗଢେ।
ଆଉ ଏ ଲକଡାଉନ ଆମକୁ ପୂର୍ବ ଅପେକ୍ଷା ଟିକେ ଅଧିକ ଧର୍ଯ୍ୟଶାଳୀ ହେବାର ଅଭ୍ୟାସ କରେଇଦେଇନି?

Advertisment

କୋଳାହଳମୟ ଦୁନିଆରୁ ଆସି ନିସ୍ତବ୍ଧ ବଗିଚାରେ ଠିଆ ହେବା ସହଜ ନଥିଲା। ଆଖପାଖରେ ସାଙ୍ଗସାଥି, ପ୍ରିୟଜନଙ୍କ ଅନୁପସ୍ଥିତି ଯନ୍ତ୍ରଣା ଦାୟକ ବି। ପ୍ରଥମେ ତ ମଣିଷ ନୁହଁ ଜନ୍ତୁ ପରି ଲାଗୁଥିଲା, ଘରର ଚାରିକାନ୍ଥରେ ପିଲାଦିନର ବାସ୍ନା ନୁହେଁ, ଏକଲାପଣର ଛିଟା ଦିଶୁଥିଲା।
କିନ୍ତୁ ଧୀରେ ଧୀରେ ନିଜ ବିଳାସପୂର୍ଣ ଜୀବନକୁ ଝୁରିବା ଛାଡି। ନିଜ ବାସ୍ତବିକ ପରିସ୍ଥିତି ଉପରେ ମଣିଷ ଆୟତ୍ତ ଆଣିବା ଆରମ୍ଭ କଲା। ବାହ୍ୟ ପରିବେଶକୁ ଦୋଷ ନଦେଇ ନିଜ ଭିତରେ ଥିବା ଭାବନାକୁ ନିୟନ୍ତ୍ରଣ କଲା। ନିଜେ ନିଜକୁ ଖୁସି ରଖିବାର ମାଧ୍ୟମ ଖୋଜିଲା। ନିଜ ଭିତରେ କିଛି ନୂତନ ଅନ୍ୱେଷଣର ଭାବନା ଜାତ କଲା।

ଆମେ ନିଜକୁ ବହୁତ ଭଲ ଭାବେ ଜାଣିଚୁ ବୋଲି ଦାବି କରୁ। ନିଜକୁ ଭଲପାଉ ବୋଲି କହୁ। କିନ୍ତୁ କେତେ ସମୟ ଭଲ ପାଉଥିବା ସେ ଅନ୍ତର୍ନିହିତ ମଣିଷ ସହ ବିତାଉ? ଏବେ ସମୟ ମିଳିଥିଲା ନିଜକୁ ଅଧିକ ଜାଣିବାର ନିଜ ଭିତରେ ଥିବା ଦକ୍ଷତାକୁ ଚିହ୍ନିବାର। ଆଉ ଅଧିକାଂଶ ଲୋକ ଏ କାମକୁ ଅତି ସୁନ୍ଦର ଭାବେ କରିଦେଖାଇଲେ।

Advertisment

ଅନେକ ଲୋକ ନିଜ ମନପସନ୍ଦ କାମକୁ ବିନା ବଧାବିଘନରେ କରିଦେଖାଇଲେ। କିଏ ଗୀତ ଗାଇବାକୁ ସମୟ ପାଇଲା ତ କିଏ କବିତା ଲେଖିବାକୁ, କିଏ ନୂଆ ନୂଆ ବ୍ୟଞ୍ଜନ ଶିଖିଲା, କିଏ ଚିତ୍ର ଅଙ୍କିଲା ତ କିଏ ନିଜକୁ ହାଲକା ଅନୁଭବ କରିବାକୁ ବାଦ୍ୟଯନ୍ତ୍ର ବଜେଇଲା। କିଛି ଲୋକ ଗଛ ମଧ୍ୟ ଲଗେଇଲେ, ଘର ସଫା ରଖିବାକୁ ଇଚ୍ଛା କଲେ। ଘର ଭିତରେ ଏମିତି ଅନେକ କଳା ଏକାଠି ହେଲା, ଯାହା ଘରେ ଥିବା ଲୋକଙ୍କୁ ଏକ ଭିନ୍ନ ଧରଣର ସ୍ୱାଧୀନତା ଯୋଗାଉଥିଲା।
ଏସବୁ ଭିତରେ ସେପଟେ ଅମାନିଆ ମନ ବି ଧୀରେ ଧୀରେ ରାସ୍ତାକୁ ଆସୁଥିଲା। ସେଥିପାଇଁ ତ ମୋମସରେ ଖୁସି ହେବା ଲୋକ ମଣ୍ଡା ପିଠା ଖାଉଥିଲା। ସପ୍ତାହକୁ ଥରେ ପିଜ଼ା ସୂଚୀରେ ମା'ର ହାତ ଛୁଙ୍କ ଚକୁଳି ସାମିଲ ହେଉଥିଲା ଯେଉଁଥିରେ ଢେର ସାରା ପିଆଜ ପଡ଼ିଥିଲା ଆଉ ଭଜା ଜିରାର ବାସ୍ନା ଆସୁଥିଲା।
କଲେଜ ଆଉ ଅଫିସ କ୍ୟାଣ୍ଟିଂନ ଖଟିକୁ ଲୁଡୋ ଅକ୍ତିଆର କରିନେଇଥିଲେ। ଆଖପାଖରେ ଉପର କିମ୍ବା ତଳ ସ୍ତରର କର୍ମଚାରୀଙ୍କ ସ୍ଥାନରେ କିଛି ଭାଇ ଭଉଣୀ ରହୁଥିଲେ, ଯେଉଁମାନେ ଦୀର୍ଘ ଦିନ ପରେ ତୁମ ସହ ଖାସ ସମୟ ବିତାଇ ହସୁ ଥିଲେ।

ଆଉ ପ୍ରଥମ ଥର ଘର ଲୋକ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଭଉଣୀ ଆଉ ତୁମ ଭିତରେ କିଛି ତଫାତ ଅନୁଭବ କରୁନଥିଲେ। ଘରେ ଅଧିକ ଦିନ ରହିବା ପରେ ଜେଜେମାଙ୍କୁ ଲାଗୁଥିଲା ତୁମର ବି ଖରା ଛୁଟି ଚାଲିଛି। ସକାଳୁ ସକାଳୁ ତୁମକୁ ଲାପଟପ ଧରି ବସିବା ଦେଖି ଭଉଣୀ ବି ପଚାରୁଥିଲା କ'ଣ ତମକୁ ବି ହୋମ ୱର୍କ ମିଳିଚିକି, ତୁମେ ବି ତା କଥାକୁ ହାଲକେଇକି ସଂଶୋଧନ କରୁଥିଲ। ଆଉ କହୁଥିଲ, ନା ୱାର୍କ ଫର୍ମ ହୋମ।

ଏସବୁ ଦେଖି ସବୁଠୁ ଅଧିକ କିଏ ଖୁସି ହୁଏ ଜାଣିଛ? ମା' । ଏ ଲକଡାଉନରେ ତା ରୋଷେଇଘର ତାଲା ପଡିନଥିଲା , ଆଗଅପେକ୍ଷା ତ ତା କାମ ଅଧିକ ବଢି ଯାଇଥିଲା। ଘରେ ଲୋକ ସଂଖ୍ୟା ଯେ ବଢିଯାଇଥିଲା। କିନ୍ତୁ ସେ ଏଥିପାଇଁ ଖୁସିଥିଲା ଯେ ଖାଇବା ବେଳେ ସେ ୫ଲୋକ ମୁହଁ ଏକାଠି ଦେଖୁଥିଲା। ସିପିଙ୍କ କଥାକୁ ଏଡ଼ାଇବା ପରେ ସୁବ୍ରତୋ ବାଗଚିଙ୍କ କଥା ମାନି ବାପା ମଝି ମଝିରେ ରୋଷେଇ ଘରେ ପହାରା ଦେଉଥିଲେ।
ତାପରେ ଆଉ କ'ଣ?
୫ଲୋକ ଏକାଠି ହେଲେ ୫ମନ ଭିତରେ ବି ମତାନ୍ତର ହେଉଥିଲା କିନ୍ତୁ ସେ ରାଗ ଉପରେ ଆୟତ୍ତ ଆଣିବା ବି ମଣିଷ ଶିଖୁଥିଲା। ଗୁରୁଜନଙ୍କ ଡରରେ ନା ପାଟିରୁ ଦୋ ଅକ୍ଷରି ବାହାରୁଥିଲା ନା ଜୋର ସ୍ୱରରେ କିଛି କହିବାର ସାହସ ପାଉଥିଲା। ସମସ୍ୟା ହେଲେ ବି ସେ ସବୁ ଶୁଣିବାକୁ ସମସ୍ତଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ରହୁଥିଲା।
ସୁଖ ଦୁଃଖ ଉଭୟ ବାଣ୍ଟିବା ପାଇଁ ବହୁତ ଦିନ ପରେ ପୁରା ପରିବାର ଏକାଠି ହେଇଥିଲେ। ଆଉ ଏ ପରିବର୍ତ୍ତନ ବି ପ୍ରିୟ ଥିଲା।

ଇମେଲ- [email protected]
https://epaper.odishareporter.in/c/50890575