କ୍ରୁଶବିଦ୍ଧ କୃଷିସଂସ୍କୃତି

Mayadhar Nayak
ମାୟାଧର ନାୟକ

କୃଷି ହିଁ କୃଷ୍ଟି। ଇତିହାସ ଇସାରା କରିଥାଏ ଯେ କାସ୍ପିୟାନ ହ୍ରଦକୂଳରୁ ହିମାଦ୍ରି-ବିନ୍ଧ୍ୟାଦ୍ରି-ସହ୍ୟାଦ୍ରି-ଶେଷାଦ୍ରିର ପୁଣ୍ୟଭୂମି ଭାରତକୁ ଆସିଥିଲେ ଆର୍ଯ୍ୟମାନେ। ଏଇଠି ହିଁ ସେମାନେ ଆଦିମ ଅଧିବାସୀ, ବନବାସୀ ଓ ଦ୍ରାବିଡ଼ମାନଙ୍କ ସହିତ ସାମିଲ ହୋଇଗଲେ ଏକ ମହାଭାରତୀୟ ଜନସ୍ରୋତରେ। ଚାରଣ କ୍ଷେତ୍ରରୁ କୃଷିକ୍ଷେତ୍ର – ସଭ୍ୟତାରୁ ସଂସ୍କୃତି – ଏଇଠି ଭାରତ ହେଲା ଆଗାମୀ ମାନବସଭ୍ୟତାର ଏନ୍ତୁଡ଼ିଶାଳ। ଚୀନ୍ ଓ ଜାପାନ୍ ମଧ୍ୟ ଏଇ କୃଷିକୁ କେନ୍ଦ୍ରବିନ୍ଦୁ କରି କୃଷ୍ଟି ଚରନା କଲେ। ଏସିଆ ମହାଦେଶର ଏଇ ଏନ୍ତୁଡ଼ିଶାଳକୁ  ଅନ୍ୟ ମହାଦେଶୀୟ, ବିଦେଶୀୟ ବଣିକତନ୍ତ୍ରର ବିତ୍ତବୁଭୁକ୍ଷୁ ଶିଳ୍ପସଂସ୍ଥାନଗୁଡ଼ିକ ଆଜି କିନ୍ତୁ ମଶାଣିପଦା କରିବା ମତଲବରେ ବ୍ୟସ୍ତ। ଆମର ଦେଶୀ ଶିଳ୍ପର ସୌଦାଗରମାନେ ମଧ୍ୟ ସେମାନଙ୍କ ମାୟାରେ ବାୟା – ମଣିଷ ଓ ମୂଲ୍ୟବୋଧ ଉପରୁ ଆଖି ଫେରାଇ ସେମାନେ ମୁନାଫା ଓ ମୂଲ୍ୟ ଉପରେ ଲାଖ ବିନ୍ଧୁଛନ୍ତି।

ସମୟ ଥିଲା, ଏତେ କଳକାରଖାନା କି ଯନ୍ତ୍ରଶିଳ୍ପ ନ ଥିଲା – ଥିଲା କେବଳ କୌଳିକ କର୍ମଆଧାରିତ କୁଟୀରଶିଳ୍ପ। ଲୋକେ ସେତେବେଳେ ମଣିଷ ଥିଲେ। ମାଟିକୁ ମା’ମଣି ଚାଷକରି ଖାଦ୍ୟ ଉତ୍ପାଦନ କରି ବଂଚୁଥିଲେ। ଶିଳ୍ପବିପ୍ଳବ ପରେ କୃଷି ଧୀରେ ଧୀରେ କ୍ଷୟିଷ୍ଣୁ ହେବାକୁ ଆରମ୍ଭ କଲା। ଯନ୍ତ୍ର ସାହାଯ୍ୟରେ କୃତ୍ରିମ ଉପାୟରେ ଖାଦ୍ୟ ଉତ୍ପାଦନ ହେଲା। କୃଷିକ୍ଷେତ୍ରରେ ନିଯୁକ୍ତ ଶ୍ରମଜୀବୀମାନେ ବାଧ୍ୟ ହୋଇ ଶିଳ୍ପକ୍ଷେତ୍ରରେ ନିଯୁକ୍ତିପ୍ରାପ୍ତି ପାଇଁ ସହରାଭିମୁଖୀ ହେଲେ। ଗାଁ ହେଲା ଖାଁ ଖାଁ। ହୁଡ଼ା, ହିଡ, ହାଡ଼ର ହାହାକାର ଆଉ ହା’ ଅନ୍ନର ଆର୍ତ୍ତନାଦରେ ହଜିଗଲା ସରଳ ସବୁଜ ସ୍ୱପ୍ନ – ସ୍ୱଚ୍ଛନ୍ଦ, ସ୍ୱତଃସ୍ପୂର୍ତ ଜୀବନ।

ଧୀରେ ଧୀରେ ଦେଶୀବିହନ, ଜୈବିକସାର ଲୋପପାଇ ବିଦେଶୀ ବିହନ, ବିଦେଶୀସାର ପ୍ରବେଶ କଲା। ସବୁଜ ବିପ୍ଳବର ମେଢ ଦେଖାଇ ଦିଆଗଲା। ଅଧିକ ଅମଳ ପାଇଁ କୀଟନାଶକ, ବିଷାକ୍ତ ସାର ଜମିରେ ପ୍ରୟୋଗ କରାଗଲା – ମାଟି ହରାଇବସିଲା ନିଜର ମହଜୁଦ ଉର୍ବରତା। ଫସଲ ହେଲା ବିଷାକ୍ତ। ଏତେ ରୋଗ ନ ଥିଲା – ବିଷାକ୍ତ ଖାଦ୍ୟ ଖାଇ ଲୋକେ ରୋଗାକ୍ରାନ୍ତ ହେଲେ ଏଣେ ଲୋକଜୀବନ ଓ ଲୋକସଂସ୍କୃତିର ଲୋକସାନି କରାଇ ତେଣେ ଦେଶୀବିଦେଶୀ କମ୍ପାନୀମାନେ କୋଟି କୋଟି ଟଙ୍କା ଲାଭ କଲେ। କୃଷିଭିତ୍ତିକ ସଂସ୍କୃତିର ମେରୁହାଡ଼ ଦୋହଲିଗଲା – ମାନସିକତା ଭାଙ୍ଗିଗଲା। କୃଷକ ହେଲା କରାଳ କ୍ଳେଶର କଂଟକରେ କ୍ରୁଶବିଦ୍ଧ।

ଆଜି ଅସଲ ଚାଷୀ କାନ୍ଦୁଛି ଫୁଙ୍ଗୁଳା ଫଟାଭୂଇଁରେ ଆଉ ଶୁନଶାନ୍ କ୍ଷେତରେ। ଉପରେ ଧୂମଛାୟାଚ୍ଛନ୍ନ ଆକାଶ, ତଳେ ଚୁଲିନାହିଁ କି ଚାଳ ନାହିଁ- ଚାଷୀ ବସିଛି ବାଟ ଚାହିଁ। ନକଲି ଚିନାବାଦାମ, ଧାନ ଓ ଗହମ, ମକା, ସୂର୍ଯ୍ୟମୁଖୀ, ହଳଦୀ, ଅଦା, ସୋରିଷ, ବିରି, ମୁଗ – ବିହନ ଦୁର୍ନୀତିରୁ ଆରମ୍ଭ କରି ଅଭାବୀ ଧାନର ବିକ୍ରିପର୍ଯ୍ୟନ୍ତ ସରକାରୀ ମହାଦୁର୍ନୀତିର ନାଗଫାଶରେ ଓଡ଼ିଶା ଚାଷୀର ଭବିଷ୍ୟତ ନୟାନ୍ତଭାବରେ ଅଣନିଃଶ୍ୱାସୀ। କମଳାରଂଗର ଗ୍ରହ ଆମର ଏ ପୃଥିବୀରେ ଚାଷୀର ଜୀବନ ଆଜି କାମଳଗ୍ରସ୍ତ। ଶୀତଳ ଭଣ୍ଡାରରେ ଶସ୍ୟ ସଂରକ୍ଷଣ ବେଳେ ବିଚରା ଅରକ୍ଷିତ ଚାଷୀର ଜୀବନ ଗ୍ୟାସ୍ ଚାମ୍ବରରେ।

ରାଜରାସ୍ତାରେ ଚାଷୀ ଆନ୍ଦୋଳନ ଚାଲିଥିଲା ବେଳେ ବିଧାନସଭାରେ ମଧ୍ୟ ଚାଷୀ ସମସ୍ୟା ନେଇ ହଜାରେ  ହୋହାଲ୍ଲା। ରାଜରାସ୍ତାରେ ଅସଲ ଚାଷୀ ଆନ୍ଦୋଳନର ରଙ୍ଗ ଧୂଳିଧୂସର, ବିଧାନସଭାରେ ଚାଷୀଙ୍କ ପାଇଁ ରଣହୁଂକାର ଶେଷରେ କୁମ୍ଭୀର କାନ୍ଦଣାରେ ମୁଖର। ବିଧାନସଭା ଅଚଳ। ଶାସକ ଓ ବିରୋଧୀ ଦଳଙ୍କ ବୁଝାମଣାରେ ଚାଷ ଓ ଚାଷୀଙ୍କ ସମସ୍ୟା ସିନା ଆଲୋଚନା ହେଉଛି, କିନ୍ତୁ ବାଟ ଫିଟୁ ନାହିଁ କିଛି। ଆଲୋଚନାରେ ଯେଉଁମାନେ ଭାଗନେଲେ ଜଣେ ଦି’ଜଣଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କର ଚାଷ ଓ ଚାଷୀଙ୍କ ସମସ୍ୟା ସଂପର୍କରେ ଅନଭିଜ୍ଞତା ସ୍ପଷ୍ଟ ପ୍ରକଟିତ।

ମଣ୍ଡି ଖୋଲୁନି, ବିହନ ଯୋଗାଣରେ ହେରଫେର, ଫସଲବୀମା କ୍ଷତି ପୂରଣ ପାଇବାରୁ ବଂଚିତ, ଜଳସେଚନର ଅଭାବ, ପ୍ରାକୃତିକ ବିପର୍ଯ୍ୟୟ ପ୍ରମୁଖ ବିଷୟବସ୍ତୁ ଉପରେ ବାସ୍ତବ ଜ୍ଞାନ ଅଭାବରୁ ଜନପ୍ରତିନିଧିମାନେ ମୂଳସମସ୍ୟାର ସମାଧାନ ସୂତ୍ର ବାହାର କରିପାରୁନାହାନ୍ତି। ଏପର୍ଯ୍ୟନ୍ତ ସରକାର ମଧ୍ୟ ଆଦର୍ଶ କୃଷିନୀତିଟିଏ ପ୍ରଣୟନ କରିପାରିଲେ ନାହିଁ।

ଗରିବମାନଙ୍କ ଗଡ଼ଜାତ, ଗାଉଁଲୀମାନଙ୍କ ଗାଆଁ, ମୂର୍ଖମାନଙ୍କ ମଫସଲ, ମୂଢ଼ମାନଙ୍କ ମୋଗଲବନ୍ଦି, ଜନଜାତିମାନଙ୍କ ଜଂଗଲ ଜମିକୁ ନେଇ ସମୁଦ୍ରଠାରୁ ପାହାଡ଼ ପର୍ଯ୍ୟନ୍ତ ପ୍ରସାରିତ ଏକ ପ୍ରବଂଚିତ ପ୍ରକୃତିପ୍ରତିମା ଏ ଓଡ଼ିଶାଭୂଇଁ। କେନ୍ଦୁପତ୍ରଠୁ କୁନ୍ଦପୁଷ୍ପଯାଏଁ, ତାଳବଣେଇଠୁ ଶାଳବଣଯାଏଁ, ଘାଟଘେରିଠୁ ଘାଟିମୁଲକଯାଏଁ ବାଟିବାଟି ବିଲବାସ୍ନାର ବିହ୍ୱଳ ଭୂଚିତ୍ରଟିଏ ଏ ଓଡ଼ିଶା। ଏଠି ଖଣି ଅଛି, ମଣି ଅଛି, କ୍ଷେତ ଅଛି, ନେତ ଅଛି, ନଦୀ ଅଛି, ବେଦୀ ଅଛି, ମଠ ଅଛି, ପୀଠ ଅଛି, ମୂର୍ତି ଅଛି, କୀର୍ତି ଅଛି- ନାହିଁ କ’ଣ? ନାହିଁ ଖାଲି ମନ। ଓଡ଼ିଶାକୁ ଓଡ଼ିଆମାନଙ୍କର ବୁକୁଭରି ଭଲପାଇବାର ଭରପୂର ମନ।

ଓଡ଼ିଶାକୁ ମହାଜନମାନେ ଏବେବି ଅଣ୍ଡାଳି ଚାଲିଛନ୍ତି ଖାତକର ଖତଗଦାରେ। ବେଠି-ବେକାରି-ବେରୋଜଗାରିରେ ବେଦମ୍ ଏ ବାଦାମୀ ଭୂଇଁ। ଝଡ଼ି-ବଢ଼ି-ମରୁଡ଼ିରେ ଝୋଲାମରା ଏ ଖୋଲାମାଟି। ବନ୍ଧ ନାହିଁ, ବାଡ଼ ନାହିଁ- ନଈନାଳର ଏ ନୁଆଣିଆ ନୈରାଜ୍ୟରେ। କେନ୍ଦ୍ରର କବାଟ ସାମ୍ନାରେ କରୁଣ କେନ୍ଦରା ବଜାଉଥିବା ନାଥଯୋଗୀର ଅନାଥ ଅଂତଃସ୍ୱର ପରି ମନେହୁଏ ଆମର ରାଜନୀତିକ ‘ରୁଦାଲି’ମାନଙ୍କର ବାହୁନାସବୁ। ଆମର ଏ ଅନ୍ନପୂର୍ଣ୍ଣା ମାଆ ଓଡ଼ିଶାମାଟି ୧୪୭ ବିଧାୟକଙ୍କ ସୌଖିନ ଡ୍ରଇଂରୁମର କାନ୍ଥରେ କ’ଣ କେବଳ ଫିମ୍ପିମରା ପଟଚିତ୍ର? ମହାପାତ୍ରମାନଙ୍କ ମାର୍ବଲ ମହଲଗୁଡ଼ାକରେ ଟଙ୍ଗାହୋଇ ଜଳକା ଜନତାର ଆଖିଆଗେ ଝୁଲିରହିଥିବା ମୌନ ମାନଚିତ୍ର? ଭୋକର ଭୂ-ଚିତ୍ର?

ଖଣିଜ ସଂପଦକୁ ସଫଳ ପରିଚାଳନା କଲେ ଆମ ଓଡ଼ିଶା ଯେଭଳି ଏକନମ୍ବର ଧନୀ ରାଜ୍ୟରେ ପରିଣତ ହୁଅନ୍ତା, ସେଇଭଳି ଆମ ଫଟାଭୂଇଁରେ ପାଣିଢାଳିଲେ, ଚାଷ ଓ ଚାଷୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେଲେ – ନିଶ୍ଚିତ ଏକନମ୍ବର ସ୍ୱାବଲମ୍ବୀ ରାଜ୍ୟ ହୋଇପାରନ୍ତା। ଏ ସବୁ କରିନପାରିଲେ, ଚାଷ ଉଜୁଡ଼ିଗଲେ, ଚାଷଜମି ଜୋରଜବରଦସ୍ତ ବଂଧୁକମୂନରେ ଦଖଲ କରି ମାଳମାଳ କାରଖାନା ଗଢ଼ିତୋଳିଲେ କେବଳ କେଇଖଣ୍ଡି କୁଟୀର ଥିବ; କିନ୍ତୁ ନଥିବ କୁଟୀରଶିଳ୍ପ। ବିସ୍ଥାପିତବର୍ଗ ଥିବେ, ମାତ୍ର ନ ଥିବେ ଶ୍ରମ-ସଂସ୍କୃତିର କର୍ମକୁଶଳୀ ସ୍ଥାପୟିତାବର୍ଗ।

ଏବେ କଳକାରଖାନାଗୁଡ଼ିକରେ ଛଟେଇର ଛାଟମାଡ଼ ସାଙ୍ଗକୁ ଶିଳ୍ପରେ ମାନ୍ଦାବସ୍ଥା ଭୟଙ୍କର ଭାବେ ଦେଖାଦେଇଥିବାରୁ ପୁଣି ସହରାଭିମୁଖୀ ଶ୍ରମଜୀବୀ କୃଷିକାର୍ଯ୍ୟକୁ ଆପଣାଇ ନେବା ହଠାତ୍ ସମ୍ଭବ ନୁହେଁ। ତେବେ ବଂଚିବା ପାଇଁ ପରିସ୍ଥିତିକୁ ଆପଣେଇ ନେଇ ସରକାରଙ୍କୁ ବାଧ୍ୟ କରିବାକୁ ହେବ ରାଜକୋଷରୁ ଆଖିବୁଜା ଅର୍ଥ ମୁକୁଳାଇ କୃଷି ଜଳସେଚନରେ ଖର୍ଚ୍ଚ କର। ନୂଆ କେନାଲ ଖୋଳ, ପୁରୁଣା କେନାଲ, ପୋତିହୋଇ ଯାଇଥିବା ନଦୀନାଳକୁ ସଜାଡ଼। ଜଳସେଚନ ହେଲେ ଟାଙ୍ଗରାଭୂଇଁ ସବୁଜ ହୋଇଉଠିବ ପୁଣି। ପର୍ଯ୍ୟାପ୍ତ ଖାଦ୍ୟ ଉତ୍ପାଦନ ହୋଇ ଅନ୍ତତଃ ଲୋକେ ଦି’ଓଳି ଦି’ମୁଠା ଖାଇବାକୁ ପାଇବେ।

ଯଦି ଏକ ସୁସ୍ଥ ସମାଜର କେନ୍ଦ୍ରବିନ୍ଦୁ କୃଷକର କୃତିକୁ ନେଇ ସୃଷ୍ଟି କରାଯାଏ, ତା’ହେଲେ ସଭ୍ୟତା ଓ ସଂସ୍କୃତି ସୁରକ୍ଷିତ ରହିବା ଦିଗରେ କୌଣସି ଶ୍ରେଣୀଶତ୍ରୁର ସଇତାନି ସକ୍ରିୟ ହୋଇ ପାରିବ ନାହିଁ। କୃଷକମାନେ ମାଟିର ମଣିଷ କେବଳ ନୁହଁନ୍ତି, ସେମାନେ ସ୍ୱାଭାବିକ ଭାବେ ଜନସମାଜର ଜାଗ୍ରତ ପ୍ରହରୀ।

ପ୍ରାସଙ୍ଗିକ ଭାବରେ ଏଠାରେ ମହାଭାରତର ଏକ ଉଲ୍ଲେଖନୀୟ ଉଦାହରଣ ଉପସ୍ଥାପନ କରୁଛି। ଅନ୍ଧ ଧୃତରାଷ୍ଟ୍ରଙ୍କୁ ମନାଇ ଧନସଂପଦଲୋଭୀ ତାଙ୍କର କ୍ଷମତାନ୍ଧ ପୁତ୍ରମାନେ ଖଳବୁଦ୍ଧିର ଖେଳ ଖେଳି ରାଜ୍ୟ ଭାଗବଂଟା ଆରମ୍ଭ କରାଇଲେ। ସେମାନେ ସମୃଦ୍ଧିସଂପନ୍ନ ହସ୍ତିନାପୁରକୁ ହାତେଇନେଲେ ଆଉ ଧୃତରାଷ୍ଟ୍ର କୋମଳବଚନ କହି ପଣ୍ଡୁପୁତ୍ରମାନଙ୍କୁ ପଠାଇଦେଲେ ଖାଣ୍ଡବପ୍ରସ୍ଥ – ଶିଳାକଙ୍କରମୟ ଆରଣ୍ୟକ ଅପନ୍ତରାକୁ। ଅଥଚ ପରମସଖା କୃଷ୍ଣଙ୍କ ସୂକ୍ଷ୍ମ ବିଚାରବୁଦ୍ଧିର ତାତ୍ତ୍ୱିକ ଦିଗକୁ ପ୍ରାୟୋଗିକ ପରିଣତି ଦେଇ ପାଣ୍ଡବମାନେ ଖାଣ୍ଡବପ୍ରସ୍ଥର ସେଇ ପ୍ରତିକୂଳ ପରିବେଶକୁ ପ୍ରତିହତ କରି ରଚନା କଲେ ଈର୍ଷଣୀୟ ଇନ୍ଦ୍ରପ୍ରସ୍ଥ! ହସ୍ତିନାର ଭବ୍ୟସଭ୍ୟତା ଇନ୍ଦ୍ରପ୍ରସ୍ଥର ନବ୍ୟସଂସ୍କୃତି ଆଗରେ ମଥା ନୁଆଁଇଲା।

ଏହି ମହାଭାରତୀୟ ସନ୍ଦେଶରେ ଆମ ପାଇଁ ପ୍ରଚ୍ଛନ୍ନ ରହିଛି ସଂସ୍କୃତି ନିର୍ମାଣର ସୂକ୍ଷ୍ମସୂତ୍ର। କଳକାରଖାନାକୁ ଜମି ଯୋଗାଣ ନାଆଁରେ ଚାଷଜମିକୁ ଚଳୁ କରିନଦେଇ, ଔଷଧୀୟ ବୃକ୍ଷଲତାର ବିରଳ ଭୂକ୍ଷେତ୍ରଗୁଡ଼ିକୁ ବଳି ନ ପକାଇ, ଧାନ-ପାନ-ମୀନର ମହାଧରିତ୍ରୀକୁ କମ୍ପାନୀ-କୁବେରମାନଙ୍କ ହାତକୁ ବଢ଼ାଇ ନ ଦେଇ ରାଷ୍ଟ୍ରଶାସକ ଶିଳ୍ପବିସ୍ତାର ନିମନ୍ତେ ଅନ୍ୟୋପାୟ ଅବଲମ୍ବନ କରନ୍ତୁ। ଚାଷ ନାଶ ନ ହେଉ – ଚାଷୀ ଛିନ୍ନବାସୀ ନ ହେଉ – ଦେଶକୁ ବିଦେଶରୁ ଅନ୍ନବସ୍ତ୍ର ଆମଦାନୀ କରିବାର ଲଜ୍ଜା ଓ ଲାଞ୍ଛନାର ଦୁର୍ଯୋଗ ଭୋଗିବାକୁ ନ ପଡୁ। ପରିବେଶ ପ୍ରଦୂଷିତ ହୋଇ ଦେଶବାସୀ ବ୍ୟାଧିତ ବିଭୀଷିକାର ବିଷାକ୍ତ ବାତାବରଣରେ ଅକାଳ ବାର୍ଦ୍ଧକ୍ୟଗ୍ରସ୍ତ ହୋଇ ନ ପଡ଼ନ୍ତୁ। ବିଦେଶରୁ ଆଗେ ଖାଦ୍ୟ ଆସିବା ସହିତ ପରେ ପଥ୍ୟ ବି ଆସିବ, ଇଏ ବି କଣ କମ୍ ଲାଞ୍ଛନା! ବିଦେଶୀ କମ୍ପାନୀଗୁଡ଼ିକର ଔଷଧ କ୍ରୟ ପାଇଁ କଂକାଳସାର ଦେଶବାସୀ ଗରାଖ ଧାଡ଼ିରେ ଛିଡ଼ାହୋଇ ଅପେକ୍ଷା କରିବାର ଆସନ୍ନ ଅଭିଶାପରୁ ଦୂରରେ ରହନ୍ତୁ।

ଆମର ଆଦର୍ଶ – ଏକ ଭବ୍ୟ ଭବିଷ୍ଣୁ ଭାରତବର୍ଷ। ଏ ଭାରତ ମାଲିକଶ୍ରେଣୀର ‘ଅଦର୍ ଇଣ୍ଡିଆ’ ନୁହେଁ, ଭାଇଭାଇ ଡାକି ଭଗାରୀ ଭଣ୍ଡମାନଙ୍କର ‘ବ୍ରଦର୍ ଇଣ୍ଡିଆ’ ନୁହେଁ କିମ୍ବା ଫିଲ୍‌ମ୍‌ବାଲାଙ୍କ ‘ମଦର ଇଣ୍ଡିଆ’ ନୁହେଁ – ବରଂ ମାମୁଲି ମଣିଷମାନଙ୍କର ‘ମାଆ’। ଏହାର ନୀତି ହେଉ ‘ବସୁଧୈବ କୁଟୁମ୍ବକଂ’ – ଭିତ୍ତି ହେଉ ସଂସ୍କୃତି ସୁରକ୍ଷାର ସଂକଳ୍ପ। ଏହାର ମୂଳବୀଜ ହେଉଛି କୃଷିଭିତିକ କୃଷ୍ଟି – ଯାହା ଏ ଦେଶର ସ୍ୱଭାବସିଦ୍ଧ ସ୍ୱଧର୍ମ – ମୂଳ ଚରିତ୍ର।

ଆମେ କିନ୍ତୁ ଏବେ କେଉଁଠି? ଇନ୍ଦ୍ରପ୍ରସ୍ଥକୁ ପୁନରାୟ ଖାଣ୍ଡବପ୍ରସ୍ଥରେ ପରିଣତ କରିବାର ବିଷବଳୟିତ ବ୍ୟବସ୍ଥା ଭିତରେ ବନ୍ଦୀ କେବଳ! ଏ ଦେଶରେ ଦେଶୀ ବିହନ ଖୋଜନ୍ତୁ – କାଁ ଭାଁ କେଉଁଠି କେଉଁ ନାଁ-ନଜଣା ଗାଁ କି ଦୂର ମୁଲକରେ ମିଳିଲେ ମିଳିପାରେ – ନ ହେଲେ ଆଦିବାସୀର କରୁଣ କୁଡ଼ିଆଘରେ! ବିଦେଶୀ ବିହନ, ବିଦେଶୀ ରାସାୟନିକ ସାରର ଚକ୍ରବ୍ୟୂହରେ ଆମ ଦେଶୀ ଚାଷର ଦୁଃସ୍ଥ ଦୁନିଆ ପ୍ରାୟ ଛିନ୍‌ଛତ୍ର, ତଳିତଳାନ୍ତ! ସୁତରାଂ କୃଷିସଂସ୍କୃତିର ଆଶୁ ପୁନରୁଦ୍ଧାର ହିଁ ଆଜିର ଆହ୍ୱାନ – ଫସଲର ଫଟାଭୂଇଁରେ ଏ ଆହ୍ୱାନ ଅମୃତଧାରା ସିଂଚନ କରିବାର ଅସଲ ଅନ୍ତଃସ୍ୱର।

କ୍ରୁଶବିଦ୍ଧ କୃଷକଶ୍ରେଣୀ ଯେପରି ରକ୍ତାକ୍ତ ଯୀଶୁର ଯନ୍ତ୍ରଣା ଭିତରେ ବି ଆମପରି ଅପର୍ଯ୍ୟାପ୍ତ ଅପକର୍ମାବର୍ଗଙ୍କୁ କ୍ଷମା କରିଚାଲିଛି – ଆମର କୃଷିବିମୁଖ ଆଜିର ସମାଜବ୍ୟବସ୍ଥା ମଧ୍ୟରେ ଆମେ କ’ଣ ଏତିକି ସୁଦ୍ଧା ବୁଝିବାରେ ଅପାରଗ ନା ଜାଣିସିଆଣା ଜହ୍ଲାଦବର୍ଗ?

କୃଷି ସହିତ କୃଷ୍ଟିର ମହାମଙ୍ଗଳକର ମିଶ୍ରରାଗ ମୂର୍ଚ୍ଛିତ ହେଉ ଏଇ ମୁହୂର୍ତ୍ତରୁ – ବିଳମ୍ବରେ ବିପର୍ଯ୍ୟୟ!

ଯାଜପୁର ରୋଡ, ଯାଜପୁର

ମୋ : ୯୮୬୧୦୩୪୧୬୩

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।