ଗଣମାଧ୍ୟମ ପାଇଁ ସତର୍କ ଘଣ୍ଟି

ରବି ଦାସ ସାମାଜିକ ଗଣମାଧ୍ୟମ ସମେତ ସମସ୍ତ ଗଣମାଧ୍ୟମଗୁଡ଼ିକ ପାଇଁ ଗୁରୁବାର ଦିନ ସୁପ୍ରିମକୋର୍ଟ ଯେଉଁ ମତ ଦେଇଛନ୍ତି ଓ ଟେଲିଭିଜନ ରେଟିଂ ଏପଟସେପଟ କରିବା ପାଇଁ ଯେଉଁ ପନ୍ଥାର ଆଶ୍ରୟ ନିଆଯାଉଛି ତାହା ଉପରେ ମୁମ୍ବାଇ ପୋଲିସ ଯେଉଁ ତଦନ୍ତ କରୁଛନ୍ତି ସେଗୁଡ଼ିକ ଯେତିକି ସ୍ୱାଗତଯୋଗ୍ୟ ସେହିପରି ଚିନ୍ତାଜନକ। ପ୍ରଥମ ଘଟଣାରେ ଭାରତରେ କୋଭିଡ୍‌-୧୯ ବ୍ୟାପିବା ସମୟରେ ତବଲିଗ୍ ଜାମିଆତକୁ ନେଇ ସାମାଜିକ ଗଣମାଧ୍ୟମ ଓ କେତେକ ଇଲେକ୍ଟ୍ରୋନିକ ଗଣମାଧ୍ୟମରେ ଯାହାସବୁ ପ୍ରଚାର କରାଗଲା ସେଥିରେ […]

media

media

Debendra Prusty
  • Published: Saturday, 10 October 2020
  • Updated: 10 October 2020, 04:28 PM IST

Sports

Latest News

ରବି ଦାସ

ସାମାଜିକ ଗଣମାଧ୍ୟମ ସମେତ ସମସ୍ତ ଗଣମାଧ୍ୟମଗୁଡ଼ିକ ପାଇଁ ଗୁରୁବାର ଦିନ ସୁପ୍ରିମକୋର୍ଟ ଯେଉଁ ମତ ଦେଇଛନ୍ତି ଓ ଟେଲିଭିଜନ ରେଟିଂ ଏପଟସେପଟ କରିବା ପାଇଁ ଯେଉଁ ପନ୍ଥାର ଆଶ୍ରୟ ନିଆଯାଉଛି ତାହା ଉପରେ ମୁମ୍ବାଇ ପୋଲିସ ଯେଉଁ ତଦନ୍ତ କରୁଛନ୍ତି ସେଗୁଡ଼ିକ ଯେତିକି ସ୍ୱାଗତଯୋଗ୍ୟ ସେହିପରି ଚିନ୍ତାଜନକ। ପ୍ରଥମ ଘଟଣାରେ ଭାରତରେ କୋଭିଡ୍‌-୧୯ ବ୍ୟାପିବା ସମୟରେ ତବଲିଗ୍ ଜାମିଆତକୁ ନେଇ ସାମାଜିକ ଗଣମାଧ୍ୟମ ଓ କେତେକ ଇଲେକ୍ଟ୍ରୋନିକ ଗଣମାଧ୍ୟମରେ ଯାହାସବୁ ପ୍ରଚାର କରାଗଲା ସେଥିରେ ସଂଖ୍ୟାଲଘୁଙ୍କ ବିରୋଧରେ ଘୃଣାଭାବ ସୃଷ୍ଟିହେଲା। ଏହି ସମସ୍ତ ପ୍ରଚାର ଅସତ୍ୟ ଓ ମିଥ୍ୟା ଖବର ଉପରେ ପର୍ଯ୍ୟବେସିତ ଥିଲା ବୋଲି ସୁପ୍ରିମକୋର୍ଟରେ ହୋଇଥିବା ଏକ ପିଟିସନ ଉପରେ ଶୁଣାଣି କରିବା ସମୟରେ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମତପ୍ରକାଶ କରିବାର ସ୍ୱାଧୀନତାର ଅପବ୍ୟବହାର କରାଯାଇଥିବା ମତ ଦେଇଛନ୍ତି। ଏପରିକି ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସତ୍ୟପାଠକୁ ମଧ୍ୟ ଅଦାଲତ ଅଗ୍ରାହ୍ୟ କରି ସାନି ସତ୍ୟପାଠ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଟିଭି ରେଟିଂ ଏପଟ ସେପଟ କରି ଜାଲିଆତି କରାଯାଉଥିବାର ଏକ ଅଭିଯୋଗ ଉପରେ ମୁମ୍ବାଇ ପୋଲିସ କେତେକ ଟେଲିଭିଜନ ସଂସ୍ଥା ଉପରେ ଚଢ଼ଉ କରି ସେମାନଙ୍କୁ ପଚରାଉଚରା କରୁଛନ୍ତି।

ଏହି ଦୁଇଟିଯାକ ଘଟଣାରେ ଫଳାଫଳ କ'ଣ ହେବ ତାହା ଏବେ କୁହାଯାଇପାରିବ ନାହିଁ। କିନ୍ତୁ ଏହାକୁ ମଧ୍ୟ ଅସ୍ୱୀକାର କରାଯାଇପାରିବ ନାହିଁ ଯେ, ମତ ପ୍ରକାଶ କରିବାର ସ୍ୱାଧୀନତାକୁ ଅନେକ ସମୟରେ ଅପବ୍ୟବହାର କରାଯାଉଛି। ଆଉ ଏକ ଘଟଣାରେ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାରେ କେତେକ ଟିଭି ଚ୍ୟାନେଲ୍ ଲୋକମାନଙ୍କୁ  ବିଭ୍ରାନ୍ତ କରିବା ପାଇଁ ଅସତ୍ୟ ଆଧାରିତ ତଥ୍ୟମାନ ଦିଆଯାଇଥିବାରୁ ନ୍ୟୁଜ୍ ବ୍ରଡକାଷ୍ଟିଂ ଷ୍ଟାଣ୍ଡାର୍ଡ ଅଥରିଟି ବା ଏନବିଏସ୍‌ଏ ଆଜତକ, ଏଭିପି, ଜି ନ୍ୟୁଜ୍‌, ଇଣ୍ଡିଆ ଟିଭି ଓ ନ୍ୟୁଜ୍‌-୨୪ ଉପରେ ଜୋରିମାନା ଜାରି କରିଛନ୍ତି। ଏମାନଙ୍କୁ ୧ ଲକ୍ଷ ଟଙ୍କାର ଜୋରିମାନା ଦେବା ପାଇଁ କୁହାଯାଇଛି। ଏହି ଜୋରିମାନାର ପରିମାଣ ଏହି ସଂସ୍ଥାମାନଙ୍କ ପାଇଁ ବଡ଼କଥା ନୁହେଁ। କିନ୍ତୁ ସେମାନେ ବିଭ୍ରାନ୍ତିକର ତଥ୍ୟ ପ୍ରକାଶ କରିଥିବା ନେଇ ଏନବିଏସଏ ମତପ୍ରକାଶ କରିବା ଗଣମାଧ୍ୟମର ପତିଆରା ପ୍ରତି ନିଶ୍ଚିତ ଆଂଚ ଆଣିଛି। ତବଲିଗ୍ ଜାମିଆତଠାରୁ ଆରମ୍ଭ କରି ସୁଶାନ୍ତି ସିଂ ରାଜପୁତ ଘଟଣା ପର୍ଯ୍ୟନ୍ତ ମାମଲାଗୁଡ଼ିକ ଲକ୍ଷ୍ୟକଲେ ଗଣମାଧ୍ୟମ ଖବର ଓ ସତ୍ୟତାକୁ ଛାଡ଼ି ଏକ ନିର୍ଦ୍ଦିଷ୍ଟ ଆଜେଣ୍ଡାରେ ଅସତ୍ୟ ଓ ବିଭ୍ରାନ୍ତି ପ୍ରକାଶ କରୁଥିବାର ସହଜରେ ଜାଣିହେବ। କିନ୍ତୁ ସାଧାରଣ ଦର୍ଶକମାନେ ଯେଉଁମାନେ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ବାର୍ତ୍ତାଗୁଡ଼ିକୁ ସତ୍ୟ ବୋଲି ବିଚାର କରନ୍ତି ସେମାନଙ୍କ ପାଇଁ ପ୍ରକୃତ ସତ୍ୟ ଜାଣିବା ମୁସ୍କିଲ ହୋଇଯାଏ। ସେହି କାରଣରୁ ପ୍ରଥମ ଅବସ୍ଥାରେ କରୋନା ପ୍ରସାର ପାଇଁ ଅଯଥାରେ କେବଳ ନିର୍ଦ୍ଦିଷ୍ଟ ଭାବରେ ମୁସଲମାନମାନଙ୍କୁ ଦାୟୀ କରାଗଲା। ସେମାନଙ୍କ ବିରୋଧରେ ସବୁଆଡ଼େ ଏକ ଘୃଣାର ବାତାବରଣ ଏପରି ସୃଷ୍ଟି ହେଲା ଯାହାକି ପ୍ରଶାସନିକ କାର୍ଯ୍ୟକଳାପକୁ ମଧ୍ୟ ପ୍ରଭାବିତ କଲା। ସଂଖ୍ୟାଲଘୁମାନଙ୍କୁ ସୁରକ୍ଷା ଦେବା ପ୍ରଶାସନର ଏକ ମୂଳ ଦାୟିତ୍ୱ ବୋଲି ଅନେକ ଭୁଲିଗଲେ। ଦେଶର ସମ୍ବିଧାନ ଓ ଆଇନ ବ୍ୟବସ୍ଥା ପ୍ରତି ଗଣମାଧ୍ୟମଗୁଡ଼ିକ ଯଦି ଦାୟିତ୍ୱବାନ ନହେବେ ତେବେ ଗଣତନ୍ତ୍ର ବିପନ୍ନ ହୋଇପଡ଼ିବ।

ଏହାସବୁ କହିବା ସମୟରେ ନିକଟରେ ଉତ୍ତରପ୍ରଦେଶର ହାତରସ୍ ଜିଲ୍ୱାରେ ଜଣେ ଅଭାଗିନୀ ଦଳିତ ଝିଅ ପ୍ରତି ହୋଇଥିବା ଗଣଧର୍ଷଣ ଓ ଆକ୍ରମଣ ଯୋଗୁ ତା'ର ଆଠ ଦିନ ପରେ ମୃତ୍ୟୁ ଘଟଣାକୁ ନେଇ ସତ୍ୟ ଓ ତଥ୍ୟ ଉତ୍‌ଥାପନ କରାଯିବା ସମୟରେ କିପରି ଭାବରେ ସତ୍ୟକୁ ପଛରେ ପକାଇଦେଇ ବାଳିକାର ଚରିତ୍ର ନେଇ ବିଭିନ୍ନ ପ୍ରକାର ତଥ୍ୟମାନ ଦିଆଯାଉଛି ତାହାକୁ ଭଲଭାବରେ ଅନୁଧ୍ୟାନ କରିବା ଅତି ଜରୁରୀ। ଜଣେ ଦଳିତ ବାଳିକା ପ୍ରତି ଧର୍ଷଣ ଓ ହତ୍ୟା ଘଟଣା ଏବଂ ପରେ ତା'ର ମୃତଦେହକୁ ପରିବାରବର୍ଗଙ୍କୁ ଦିଆନଯାଇ ରାତାରାତି ପୋଲିସ ନିଆଁଜଳାଇ ଶେଷକୃତ୍ୟ ସଂପନ୍ନ କରିଦେବା ଅତ୍ୟନ୍ତ ଜଘନ୍ୟ କାର୍ଯ୍ୟ ହୋଇଥିଲେ ମଧ୍ୟ ଏହା ଉପରେ କମ୍ ଗୁରୁତ୍ୱ ଦିଆଯାଇ ବାଳିକାକୁ ଧର୍ଷଣ କରାଯାଇନଥିବା ସଂପର୍କରେ ଫୋରେନସିକ ରିପୋର୍ଟରେ ଆସିଥିବା ତଥ୍ୟକୁ ନେଇ ତାହାରି ଉପରେ ଆଲୋଚନା ଚଳାଇବା ଓ ଗଣମାଧ୍ୟମ ଏଥିରେ ମାଧ୍ୟମ ହେବା କେବେବି ଗ୍ରହଣୀୟ ନୁହେଁ। ସେହି ଦଳିତ ମହିଳାର ମୃତ୍ୟୁକାଳୀନ ଜମାନବନ୍ଦୀ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ରହିଥିବା ତଥ୍ୟ ଯେଉଁଥିରେ ତାଙ୍କୁ ୪ ଜଣ ଧର୍ଷଣ କରିଥିବା ଓ ଆକ୍ରମଣ କରିଥିବା ଅଭିଯୋଗ ରହିଛି ତାହାକୁ ଗଣମାଧ୍ୟମ ଯେପରି ଗୁରୁତ୍ୱ ଦେବାକଥା ନଦେବା ଫଳରେ ସେହି ବାଳିକାର ଚରିତ୍ର ଉପରେ ସନ୍ଦେହ ପ୍ରକାଶ କରି ଅଭିଯୁକ୍ତଙ୍କ ପରିବାରମାନଙ୍କ ପକ୍ଷରୁ ବୟାନମାନ ଦିଆଯାଉଛି। ଗଣମାଧ୍ୟମ ସେଗୁଡ଼ିକୁ ମଧ୍ୟ ଅଧିକ ଗୁରୁତ୍ୱ ଦେଇ ଏପରି ପରିସ୍ଥିତି ସୃଷ୍ଟି କରୁଛନ୍ତି ଯେଉଁଥିରେ ପୀଡ଼ିତା ପରିବାରର ଲୋକମାନେ ନିଜକୁ ନିରାପଦ ମନେ କରୁନାହାନ୍ତି।

ଓଡ଼ିଶାରେ କୁନ୍ଦୁଲି ଘଟଣାରେ ମଧ୍ୟ ଏହିପରି ଗଣମାଧ୍ୟମର ପ୍ରଚାର ଶେଷରେ ମହିଳାଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଥିଲା। କାରଣ କୁନ୍ଦୁଲି ଘଟଣାରେ ମହିଳାଙ୍କର ଧର୍ଷଣ ଅଭିଯୋଗକୁ ଗୁରୁତ୍ୱ ଦିଆନଯାଇ ଯେଉଁସବୁ ମିଥ୍ୟା ଆରୋପ କରାଗଲା ତାହାକୁ ଗଣମାଧ୍ୟମ ଗୁରୁତ୍ୱ ଦେଲେ। ସତ୍ୟର ଉଦଘାଟନ କରିବା ଓ ସତ୍ୟ ଲୋକଲୋଚନକୁ ଆଣିବା ଗଣମାଧ୍ୟମର ଏକ ଦାୟିତ୍ୱ। କିନ୍ତୁ ସେହି ଲକ୍ଷ୍ୟକୁ ଛାଡ଼ି ରାଜନୈତିକ ଆଜେଣ୍ଡା ଓ ସରକାରୀ ପ୍ରଚାର ଦ୍ୱାରା ଗଣମାଧ୍ୟମ ପ୍ରଭାବିତ ହେଲେ ଦଳିତ ଓ ନିଷ୍ପେସିତ ଜନସାଧାରଣ ନ୍ୟାୟ ପାଇବାରୁ ବଂଚିତ ହେବେ। ଅନେକ ସମୟରେ ଗଣମାଧ୍ୟମ ତଥ୍ୟ ଉପସ୍ଥାପନ କରୁଛନ୍ତି ବୋଲି କହିବା ସମୟରେ ଏପରି ବିବରଣୀ ଉପସ୍ଥାପିତ କରନ୍ତି ଯେଉଁଥିରେ ପ୍ରକୃତ ସତ୍ୟ ଲୁଚିଯାଏ। ରାୟଗଡ଼ା ଜିଲ୍ୱାରେ ଇତିଶ୍ରୀଙ୍କୁ ନିଆଁଜାଳି ହତ୍ୟା କରାଗଲା। କିନ୍ତୁ ଏହି ହତ୍ୟାକାରୀମାନେ କିଏ ଓ କାହିଁକି ସେମାନେ ଏହି କାଣ୍ଡ ଘଟାଇଲେ ତାହାର ସଠିକ ତଥ୍ୟ ବା ସତ୍ୟ ରାଜ୍ୟବାସୀ ଜାଣିପାରିଲେ ନାହିଁ। ଠିକ ସେହିକଥା ବେବିନା ହତ୍ୟାକାଣ୍ଡରେ ମଧ୍ୟ ଦେଖିବାକୁ ମିଳିଥିଲା। ଗଣମାଧ୍ୟମ ଏହିସବୁ ଘଟଣାରେ କାହିଁକି ଓ କିପରି ଭାବରେ ଏମାନଙ୍କ ଉପରେ ଆକ୍ରମଣ ହେଲା ଓ ସେଠାକାର ସାମାଜିକ, ପ୍ରଶାସନିକ ଓ ପୁଲିସ ଆଚରଣ କିପରି ରହିଥିଲା ସେ ସଂପର୍କରେ ଗଣମାଧ୍ୟମମାନେ ଅଧିକ ଧ୍ୟାନଦେବାର ଆବଶ୍ୟକତା ଥିଲା।

ରାଜନୈତିକ ସ୍ୱାର୍ଥସାଧନକାରୀମାନେ ନିଜ ନିଜ ଦୃଷ୍ଟିକୋଣରୁ ପ୍ରତ୍ୟେକ ଘଟଣାକୁ ଗଣ୍ଡଗୋଳିଆ କରିଦେବା ପାଇଁ ଓ ଲୋକମାନଙ୍କୁ ବିଭ୍ରାନ୍ତି କରିଦେବା ପାଇଁ ବିଭିନ୍ନ ପ୍ରକାର ମତାମତ ଦେବେ। କିନ୍ତୁ ଗଣମାଧ୍ୟମର ଦାୟିତ୍ୱ ହେଉଛି ଏହିସବୁ ମତାମତର ସତ୍ୟକୁ ଅନୁସନ୍ଧାନ କରିବା। କିନ୍ତୁ ଗଣମାଧ୍ୟମ ଯଦି ରାଜନୈତିକ ସ୍ୱାର୍ଥ ଦ୍ୱାରା ପ୍ରେରିତ ହୁଏ ତେବେ ସତ୍ୟ ଲୁଚିଯାଏ। ଏହା କ୍ଷମତାଧିକାରୀଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ଲାଗିଥିବା ପୁଲିସ ଅଧିକାରୀମାନଙ୍କୁ ସତ୍ୟକୁ ଲୁଚାଇ ଅସତ୍ୟର କାହାଣୀ ଉପରେ ସେମାନଙ୍କର କର୍ତ୍ତବ୍ୟ ସମାପନ କରିବା ପାଇଁ ସୁଯୋଗ ପ୍ରଦାନ କରେ। ଏହି କ୍ରମରେ ପ୍ରଥମଥର ପାଇଁ ଦେଶର ସୁପ୍ରିମକୋର୍ଟ ଗଣମାଧ୍ୟମଗୁଡ଼ିକ ମତ ପ୍ରକାଶ କରିବାର ସ୍ୱାଧୀନତାକୁ ଅପବ୍ୟବହାର କରୁଥିବାର ସଂକେତ ଦେଇଛନ୍ତି। ସେହିପରି ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ଗଣମାଧ୍ୟମଗୁଡ଼ିକର ଆଜେଣ୍ଡା ଭିତ୍ତିକ ପ୍ରଚାର ଓ ଅପପ୍ରଚାର ମୁମ୍ବାଇ ପୋଲିସକୁ ଟେଲିଭିଜନ ସଂସ୍ଥାର ଟିଆର୍‌ପି ଅନୁସନ୍ଧାନ ପାଇଁ ସୁଯୋଗ ଦେଇଛି। ଯଦିଓ ପୋଲିସ ଏହି ଦାୟିତ୍ୱ ବା ସୁଯୋଗ ପାଉ ବୋଲି ଗଣମାଧ୍ୟମ ବା ସମ୍ବାଦପତ୍ରର ସ୍ୱାଧୀନତା ଚାହୁଁଥିବା କେହି ବି ଚାହିଁବେ ନାହିଁ। କିନ୍ତୁ ଗଣମାଧ୍ୟମ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ପାଳନ ନକରି ସତ୍ୟ ଅପେକ୍ଷା ଅସତ୍ୟର କାହାଣୀ ଉପରେ ନିଜର ପ୍ରଭାବ ବିସ୍ତାର କରିବା ଓ ଆର୍ଥିକ ଫାଇଦା ପାଇବାର ଲକ୍ଷ୍ୟ ରଖିବା ଯୋଗୁ ମୁମ୍ବାଇ ପୋଲିସ ଟିଭି ଟିଆରପି ନେଇ କରୁଥିବା ତଦନ୍ତକୁ କେହି ବିରୋଧ କରିପାରୁନାହାନ୍ତି। ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇନାହିଁ ଓ ସେ ଆତ୍ମହତ୍ୟା କରିଛନ୍ତି ବୋଲି ହସପିଟାଲ ଓ ଏମସ୍‌ର ରିପୋର୍ଟ ଏହି ଘଟଣାକୁ ନେଇ ଗତ ତିନିମାସ ଧରି ଯେଉଁ ଗଣମାଧ୍ୟମମାନେ ପ୍ରଚାର ଚଳାଇଥିଲେ ସେମାନଙ୍କର ପତିଆରା ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହିସବୁ ଘଟଣାଗୁଡ଼ିକୁ ଲକ୍ଷ୍ୟକଲେ ଗଣମାଧ୍ୟମ ପ୍ରତି ଗତ କେତେମାସର ଘଟଣାବଳୀ ଏକ ସତର୍କ ଘଂଟି ଭାବରେ କାର୍ଯ୍ୟ କରିଛି। ତଥାପି ଗଣମାଧ୍ୟମଗୁଡ଼ିକ ଓ ଏପରିକି ସାମାଜିକ ଗଣମାଧ୍ୟମଗୁଡ଼ିକ ଏହି ସତର୍କ ଘଂଟିକୁ ଶୁଣି ନିଜକୁ ସଂଶୋଧନ କରିବେ କି ନାହିଁ ତାହା ଭବିଷ୍ୟତ କହିବ।

ବରିଷ୍ଠ ସାମ୍ବାଦିକ

ମୋ- ୯୪୩୭୪୦୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos