ସୁଧାଂଶୁ ରଞ୍ଜନ ଦାସ
ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ଦେଶର ନଅଟି ବ୍ୟାଙ୍କ ୟୁନିଅନ ୧୫-୧୬ ମାର୍ଚ୍ଚରେ ଏକ ଦୁଇଦିନିଆ ଦେଶବ୍ୟାପୀ ଧର୍ମଘଟର ଡାକରା ଦେଇଥିଲେ। ବ୍ୟାଙ୍କ ୟୁନିଅନର କହିବା ଅନୁସାରେ ଏହି ଧର୍ମଘଟଟି ସମ୍ପୂର୍ଣ ସଫଳ ହୋଇଥିଲା ଓ ଏଥିରେ ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ଭାଗନେଇଥିଲେ। ମୋଦି ସରକାର ଦେଶର ୧୪ଟି ପବ୍ଲିକ ସେକ୍ଟର ବ୍ୟାଙ୍କକୁ ମିଶ୍ରଣ କଲା ପରେ ଆଉ ଦୁଇଟି ବ୍ୟାଙ୍କକୁ ଘରୋଇକରଣ କରିବାକୁ ଇଚ୍ଛାପ୍ରକାଶ କରିଥିଲେ। ଏହା ପୂର୍ବରୁ ଆଇଡିବିଆଇ(IDBI) ବ୍ୟାଙ୍କକୁ ମଧ୍ୟ ଘରୋଇକରଣ କରାଯାଇଥିଲା। ସରକାର ବ୍ୟାଙ୍କଗୁଡିକୁ ନିକଟରେ ଲକ୍ଷ ଲକ୍ଷ କୋଟି ଟଂକା ଦେଇ ପୁନଃ କ୍ୟାପିଟାଲାଇଜେସନ୍ କରିବା ପରେ ବ୍ୟାଙ୍କ ଗୁଡିକୁ ସୁଧାରିବା ପରିବର୍ତ୍ତେ ଘରୋଇକରଣ କରିବାକୁ ଯାଉଥିବାରୁ ବ୍ୟାଙ୍କ ୟୁନିଅନ ପକ୍ଷରୁ ଭୀଷଣ ବିରୋଧ ହୋଇଥିଲା। AIBEAର ସାଧାରଣ ସମ୍ପାଦକ ଶ୍ରୀ ସି ଏଚ ଭେଙ୍କଟାଚଲମ କହିଛନ୍ତି ଯଦି ସରକାର ଏହି ଘରୋଇକରଣ ପ୍ରକ୍ରିୟାରୁ ଓହରି ନଯିବେ ତେବେ ଆଗକୁ ଆହୁରି ଧର୍ମଘଟ ହେବ। ବ୍ୟାଙ୍କ ୟୁନିଅନ ମଧ୍ୟ ସରକାରଙ୍କୁ ବ୍ୟାଙ୍କଗୁଡିକ ସୁଧାରିବା ପାଇଁ ସହଯୋଗ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି। ବ୍ୟାଙ୍କ ଠକେଇର ସଂଖ୍ୟାରେ ବୃଦ୍ଧି ଓ ବ୍ୟାଙ୍କ NPAର ଅସମ୍ଭବ ଭାବରେ ବୃଦ୍ଧିପାଇବାରୁ ସରକାର ଘରୋଇକରଣ ପାଇଁ ତତ୍ପର ହୋଇପଡ଼ିଛନ୍ତି। କିନ୍ତୁ ବ୍ୟାଙ୍କ ଗୁଡିକ କାହିଁକି କ୍ଷତି କରୁଛି ଏହାର ମୂଳକାରଣ ନଜାଣି ଘରୋଇକରଣ କରିବା ଅନ୍ଧାରରେ ବାଡ଼ି ବୁଲାଇଲା ଭଳି ହେବ।
ବ୍ୟାଙ୍କ କ୍ଷତିର ପ୍ରଥମ କାରଣ ହେଲା ଆମଦେଶରେ ବଡ଼ ବଡ଼ ଋଣକର୍ତ୍ତାଙ୍କର ଦେଶର ଆଇନ କାନୁନକୁ କୌଣସି ଭୟ ନାହିଁ। ବ୍ୟାଙ୍କର ସମୁଦାୟ NPA ର ୭୫% ରୁ ଅଧିକ ବଡ଼ ବଡ଼ କେତେକ ଅସାଧୁ କର୍ପୋରେଟ ଋଣକାର୍ତ୍ତାଙ୍କ ଦ୍ୱାରା ହୋଇଛି। ସେହିପରି ବ୍ୟାଙ୍କରେ କୋଟି କୋଟି ଟଙ୍କାର ଠକେଇ ମଧ୍ୟ କେତେକ ମୁଷ୍ଟିମେୟ ଅସାଧୁ ବ୍ୟବସାୟୀ ଓ ମିଛ ଶିଳ୍ପପତିଙ୍କ ଦ୍ୱାରା କରାଯାଇଛି। ଭଲ କର୍ପୋରେଟମାନେ ଦେଶର ଆର୍ଥିକ ପରିସ୍ଥିତିକୁ ସୁଧାରିବା ସଂଗେ ସଂଗେ ବ୍ୟାଙ୍କର ବ୍ୟବସାୟ ମଧ୍ୟ ବଢ଼ାଇ ଥାନ୍ତି। ବ୍ୟାଙ୍କ ବଡ଼ ବଡ଼ କର୍ପୋରେଟମାନଙ୍କୁ ଲୋନ ନଦେଇ ତିଷ୍ଠି ପାରିବ ନାହିଁ। ଏହି ପରିସ୍ଥିତିର ଫାଇଦା କେତେକ ମୁଷ୍ଟିମେୟ ଅସାଧୁ ବ୍ୟବସାୟୀ ସଂସ୍ଥା ଓ ମିଛ ଶିଳ୍ପପତିମାନେ ଉଠାଇଛନ୍ତି। ଏହି ଅସାଧୁ ସଂସ୍ଥାଗୁଡିକ ବ୍ୟାଙ୍କଠାରୁ ବହୁ ଅଧିକ ଚାଲାକ। କାରଣ ସେମାନେ ବ୍ୟାଙ୍କକୁ ଠକି କିଭଳି ଖସିଯିବେ ତାହାର ଉପାୟ ବହୁତ ଆଗୁରୁ କରିଥାନ୍ତି। ଅନେକ ଜାଗାରେ ଏହି ଠକ କମ୍ପାନୀମାନେ ଅନେକ ଭୂତ କମ୍ପାନୀ ତିଆରିକରି ବ୍ୟାଙ୍କ ଲୋନକୁ ଏହି ଭୂତ କମ୍ପାନୀଗୁଡିକୁ ଟ୍ରାନ୍ସଫର କରିଦିଅନ୍ତି। ଋଣ ଫାଙ୍କିବା ପାଇଁ ସେମାନେ ଅଭିଜ୍ଞ ଲିଗାଲ ପରାମର୍ଶଦାତା ଓ ଚାଟର୍ଡ ଆକାଉଣ୍ଟାଣ୍ଟମାନଙ୍କର ସାହାଯ୍ୟ ନେଇଥାନ୍ତି। ଯଦିଓ ବ୍ୟାଙ୍କର ଅଧିକାରୀମାନେ ଲୋନ ଦେବା ପୂର୍ବରୁ ସବୁ କାଗଜପତ୍ର ଯାଞ୍ଚ କରିଥାନ୍ତି କିନ୍ତୁ ଏହି ଅସାଧୁ ବ୍ୟକ୍ତିମାନଙ୍କର ଠକେଇ ମନୋଭାବକୁ ସେମାନେ ଜାଣିପାରିନଥାନ୍ତି। ଅନେକ ସମୟରେ ରାଜନୈତିକ ଚାପରେ ଆସି ବ୍ୟାଙ୍କଗୁଡିକ ଏହି ଠକମାନଙ୍କୁ ଲୋନ ଦେବାକୁ ବାଧ୍ୟ ହୋଇଥାନ୍ତି। ଯଦି ସରକାର କୌଣସି ନୂତନ ନିୟମ କରି ଏହି ଅସାଧୁ ବଡ଼ ବଡ଼ ଋଣକର୍ତ୍ତାଙ୍କଠାରୁ ବ୍ୟାଙ୍କ ଲୋନ ସହିତ ସୁଧ ଅସୁଲ କରିପାରିଥାନ୍ତେ ତେବେ ଅଧିକାଂଶ ବ୍ୟାଙ୍କ ଆଜି ଲାଭରେ ଚାଲୁଥାନ୍ତା। ଏହି ଅସାଧୁ ବଡ଼ ବଡ଼ ଋଣକର୍ତ୍ତାମାନେ ଦଣ୍ଡ ଅଭାବରୁ ବ୍ୟାଙ୍କଗୁଡିକୁ ଲୁଟି ଆନନ୍ଦରେ ଦେଶ ବିଦେଶରେ ବିଚରଣ କରୁଛନ୍ତି।
ଦେଶ ଭିତରୁ ଓ ବାହାରୁ କେତେକ ଅସାଧୁ ଆନ୍ତର୍ଜାତିକ ଠକ ବିଭିନ୍ନ ରୂପରେ ଆସି ଅଭିନବ ଉପାୟରେ ବ୍ୟାଙ୍କକୁ ଠକିଥାନ୍ତି। ବ୍ୟାଙ୍କ ଲୋନକୁ ବାହାର ଦେଶକୁ ବିଭିନ୍ନ ଉପାୟରେ ଟ୍ରାନ୍ସଫର କରିଦେବାର ଅନେକ ଦୃଷ୍ଟାନ୍ତ ଅଛି। ଏଭଳି ପରିସ୍ଥିତିରେ ବ୍ୟାଙ୍କଗୁଡିକ ଅତ୍ୟନ୍ତ ସତର୍କତାର ସହିତ ବ୍ୟବସାୟ କରିବା ଦରକାର। ବ୍ୟାଙ୍କ ଲୋନ ଦେଲାବେଳେ ଲୋନ ସମ୍ବଧିତ ସମସ୍ତ କାଗଜ ପତ୍ରର କଡ଼ା ଯାଞ୍ଚ ହେବା ନିହାତି ଦରକାର। ଲୋନ ଦେଲା ପରେ ବ୍ୟାଙ୍କ ପ୍ରତିମାସରେ ଥରେ ଲୋନକର୍ତ୍ତାଙ୍କ ସମ୍ପତି ମଧ୍ୟ ଯାଞ୍ଚ କରିବା ଦରକାର। ଲୋନକର୍ତ୍ତା ଲୋନ ଶୁଝୁଥିବାବେଳେ ଦେଶଛାଡ଼ି ଯିବା ପୂର୍ବରୁ ବ୍ୟାଙ୍କକୁ ଯଥେଷ୍ଟ ଗ୍ୟାରେଣ୍ଟିର ପ୍ରାବଧାନ କରିବା ଉଚିତ। ଆଜିକାଲି ଲୋନ ଡକ୍ୟୁମେଣ୍ଟରେ ଏତେ ଜାଲିଆତି ହେଉଛି ଏଥିପାଇଁ ବ୍ୟାଙ୍କର ଲିଗାଲ ସେଲ ଅଧିକ ସତର୍କ ରହିବା ଦରକାର। ବ୍ୟାଙ୍କ ଅଡିଟ ବେଳେ ବ୍ୟାଙ୍କ ଲୋନରେ ବନିଥିବା ସମ୍ପତିର ଉଚିତ ମୂଲ୍ୟାଙ୍କନ ହେବା ଉଚିତ।
ଅନେକ ସମୟରେ କେତେକ ଅସାଧୁ ବ୍ୟାଙ୍କ କର୍ମଚାରୀ ଲୋନ ଦେଲାବେଳେ ଠକ ଋଣକାର୍ତ୍ତାଙ୍କୁ ସହାୟତା କରିଥାନ୍ତି। ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଅସାଧୁ କର୍ମଚାରୀମାନଙ୍କ ଉପରେ କଡ଼ା ନଜର ରଖିବା ଉଚିତ। ସରକାର ଯେକୌଣସି ଅସାଧୁ ଗୋଷ୍ଠୀଙ୍କ ପ୍ରତି zero tolerance ଭାବ ରଖିବା ଉଚିତ। ଥରେ ବ୍ୟାଙ୍କରୁ ଲକ୍ଷ ଲକ୍ଷ ଟଙ୍କାର ଠକେଇ ହେଲେ ବ୍ୟାଙ୍କ ପାଇଁ ଏହି ଅର୍ଥକୁ ଫେରିପାଇବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଥାଏ। ସରକାରଙ୍କ ଇଣ୍ଟେଲିଜେନ୍ସ ବିଭାଗ ଏହି ବହୁରୂପୀ ଦେଶୀୟ ଓ ଆନ୍ତର୍ଜାତିକ ଠକ ଋଣକର୍ତ୍ତାମାନଙ୍କ ଉପରେ କଡ଼ା ନଜର ରଖିବା ଉଚିତ। କାରଣ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କାର ଠକେଇ ହେଲେ ଏହା ସାଧାରଣ ନିରୀହ ଜମାକର୍ତ୍ତାଙ୍କ ଭବିଷ୍ୟତ ଅନ୍ଧକାର କରିଦେଇଥାଏ। ଭାରତର ଲକ୍ଷ ଲକ୍ଷ ଅବସରପ୍ରାପ୍ତ କର୍ମଚାରୀ ଓ ସାଧାରଣ ଲୋକେ ବ୍ୟାଙ୍କରେ ଟଙ୍କା ଜମାରଖି ସୁଧରେ ନିଜର ଗୁଜୁରାଣ ମେଣ୍ଟାଈ ଥାନ୍ତି। ବ୍ୟାଙ୍କ କର୍ମଚାରୀ ଯଦି ଦକ୍ଷ, କର୍ମଠ, ସଚ୍ଚୋଟ ଓ କର୍ତ୍ତବ୍ୟପରାୟଣ ହେବେ ତେବେ ବ୍ୟାଙ୍କ ଘୋଟଲା ହେବା କଷ୍ଟକର। ଯେଉଁ ବ୍ୟାଙ୍କ ଅଧିକାରୀମାନେ ୫୫ ବର୍ଷରୁ ଊର୍ଦ୍ଧ୍ୱ ଓ କୋର୍ ବ୍ୟାଙ୍କିଙ୍ଗରେ ପ୍ରତିଦିନର ବ୍ୟାଙ୍କ କାମକୁ କମ୍ପୁଟର ଉପରେ ଦକ୍ଷତା ନଥିବାରୁ ସୁଚାରୁରୂପେ ତଦାରଖ କରିପାରୁନାହାନ୍ତି ସେମାନଙ୍କୁ ଟ୍ରେନିଂ ଦିଆଯିବା ଦରକାର। ଫଳରେ ସେମାନେ ଯେକୌଣସି ଯୁବକର୍ମଚାରୀଙ୍କ ସନ୍ଦେହଜନକ କାର୍ଯ୍ୟକଳାପକୁ ଖୁବ ଶୀଘ୍ର ତଦାରଖ କରି ବ୍ୟାଙ୍କ ଠକାମୀର ପ୍ରୟାସ ହେବା ପୂର୍ବରୁ ପଦକ୍ଷେପ ନେଇପାରିବେ। ବ୍ୟାଙ୍କ ୟୁନିଅନ ମଧ୍ୟ କର୍ମଚାରୀମାନଙ୍କ ଭିତରେ ଏକ ଉନ୍ନତ କର୍ମସଂସ୍କୃତି ସ୍ଥାପନ କରିବା ପାଇଁ ଚେଷ୍ଟା କରିବା ଉଚିତ। କାରଣ ବ୍ୟାଙ୍କ ଲାଭ କଲେ ସେମାନଙ୍କ ଚାକିରୀ ସୁରକ୍ଷିତ ରହିବ। ଯେଉଁ ଡେସ୍କଗୁଡିକରେ ଟଙ୍କା କାରବାର ହେଉଛି ସେ ଡେସ୍କଗୁଡିକରେ ଥିବା କର୍ମଚାରୀମାନଙ୍କୁ ବ୍ୟାଙ୍କ ପ୍ରତି ଦୁଇ ବର୍ଷରେ ଥରେ ନିହାତି ବଦଳାଇବା ଦରକାର।
ବ୍ୟାଙ୍କ ବୋର୍ଡ ନିର୍ଦ୍ଦେଶକମାନଙ୍କର ପାରଦର୍ଶିତା ବ୍ୟାଙ୍କକୁ ଲାଭ କରାଇଥାଏ। ଯଦି ଏହି ବୋର୍ଡର ସଦସ୍ୟମାନେ ରାଜନୈତିକ ଦଳର ହୋଇଥାନ୍ତି ସେମାନେ ବ୍ୟାଙ୍କର ନୀତି ଓ ନିୟମକୁ ପ୍ରଭାବିତ କରଥାନ୍ତି। ବ୍ୟାଙ୍କ ଲୋନ ଦେଲାବେଳେ ଭୁଲ ନିର୍ଣ୍ଣୟ ନେଇ କ୍ଷତିଗ୍ରସ୍ତ ହୋଇଥାଏ। ନିର୍ଦ୍ଦେଶକମାନଙ୍କର ଦକ୍ଷତା, ଜ୍ଞାନ ଓ କୌଶଳ ଇତ୍ୟାଦି ବ୍ୟାଙ୍କର ଉନ୍ନତିରେ ସାହାଯ୍ୟ କରିଥାଏ। ସେହିଭଳି ଋଣ କମିଟିରେ ଥିବା ଅଧିକାରୀଙ୍କର ଦକ୍ଷତା, ବୁଦ୍ଧିମତ୍ତା ଓ ଆର୍ଥିକ ସେକ୍ଟର ଉପରେ ଗଭୀର ଜ୍ଞାନ ବ୍ୟାଙ୍କକୁ ଏନପିଏ ଯନ୍ତାରୁ ରକ୍ଷା କରିଥାଏ।
ଭାରତର ପ୍ରତ୍ୟେକ ପ୍ରାନ୍ତରେ ଜାତୀୟକୃତ ବ୍ୟାଙ୍କ ବ୍ରାଞ୍ଚଗୁଡିକ ସାଧାରଣ ଲୋକଙ୍କୁ ଲମ୍ବା ସମୟ ଧରି ବ୍ୟାଙ୍କିଙ୍ଗ ସୁବିଧା ଦେଇଆସିଛନ୍ତି। ମାର ମାର ଭଣ୍ଡାରିଆକୁ ମାର ନୀତିରେ ଏହି ବ୍ୟାଙ୍କଗୁଡିକୁ ଘରୋଇକରଣ କରିବା ପରିବର୍ତ୍ତେ ବ୍ୟାଙ୍କଗୁଡିକ ଯେଉଁ କେତେ ଜଣ ଲୋକଙ୍କ ପାଇଁ ଡୁବୁଛି ସେମାନଙ୍କୁ ଚିହ୍ନଟ କରି ତୁରନ୍ତ ଶାସ୍ତି ଦେବା ଉଚିତ। ଏବେ ବି ଭାରତୀୟ ସରକାରୀ ବ୍ୟାଙ୍କଗୁଡିକରେ ଅନେକ ସଚ୍ଚୋଟ, ନିଷ୍ଠାପର, କର୍ମକୁଶଳ ଓ ସମ୍ବେଦନଶୀଳ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ସରକାର ଯଦି ଏହି ବ୍ୟକ୍ତିମାନଙ୍କୁ ଠାବକାରୀ ସେମାନଙ୍କୁ ବ୍ୟାଙ୍କଗୁଡ଼ିକର ନେତୃତ୍ୱ ଦିଅନ୍ତେ ତେବେ ବ୍ୟାଙ୍କଗୁଡିକର ସୁଧାର ହୋଇପରାନ୍ତା। ହଜାର ହଜାର କୋଟି ଟଙ୍କାରେ ଓ ଲକ୍ଷଲକ୍ଷ ସାଧୁ ଅଫିସରଙ୍କ ପାରଦର୍ଶିତା ଉପରେ ବନିଥିବା ଏହି ସରକାରୀ ବ୍ୟାଙ୍କ ଗୁଡ଼ିକର ଘରୋଇକରଣ ପରିବର୍ତ୍ତେ ସୁଧାରିକାରଣର ଆବଶ୍ୟକତା ଅଛି।
ଭାରତୀୟମାନଙ୍କର ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ଅବସ୍ଥାକୁ ଦେଖିଲେ ଭାରତରେ ଘରୋଇ ଓ ସରକାରୀ ବ୍ୟାଙ୍କଗୁଡିକର ଏକ ସାଙ୍ଗରେ ରହିବା ଆବଶ୍ୟକ। ସ୍ୱଳ୍ପ ଆୟଥିବା ଲୋକମାନେ ସରକାରୀ ବ୍ୟାଙ୍କଗୁଡିକ ଉପରେ ଘରୋଇ ବ୍ୟାଙ୍କ ଅପେକ୍ଷା ବେଶୀ ଭରସା ରଖିଥାନ୍ତି। ଭାରତୀୟମାନଙ୍କର ସମୁଦାୟ ଜମାର ୭୦%ରୁ ଅଧିକ ସରକାରୀ ବ୍ୟାଙ୍କରେ ଅଛି। ଏହି ବ୍ୟାଙ୍କଗୁଡିକ ସାରା ଭାରତର ପ୍ରାୟ ସମସ୍ତ ସହର ଓ ଗାଁରେ ଲୋକଙ୍କୁ ବ୍ୟାଙ୍କ ସୁବିଧା ଦେଇଥାଏ। ଘରୋଇ ବ୍ୟାଙ୍କଗୁଡିକ ଯଦିଓ ସହରାଞ୍ଚଳରେ ବ୍ୟାଙ୍କ ସୁବିଧା ଲୋକଙ୍କୁ ଦେଇଥାନ୍ତି ଏମାନଙ୍କର ଗ୍ରାମୀଣ ଇଲାକାରେ କାମ କରିବାର ବିଶେଷ ଅନୁଭୂତି ନାହିଁ। ତେଣୁ ସରକାରୀ ବ୍ୟାଙ୍କ ସାଙ୍ଗରେ ଘରୋଇ ବ୍ୟାଙ୍କଗୁଡିକ ରହିଲେ ଏହା ଦେଶର ସାମୂହିକ ବିକାଶରେ ସାହାଯ୍ୟ କରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।