ଘରୋଇ କଳି ଏବଂ ଅଯଥା ମାମଲତି

ବିଶ୍ୱବନ୍ଦିତା ସ୍ୱାଇଁ

‘ଜୀବନରେ ଯାହା କିଛି ଗୋପନୀୟ, ଯାହା କିଛି ଅସାମାଜିକ ତାହା ହିଁ ଅନ୍ୟମାନଙ୍କ ପାଇଁ ବିଶେଷ ଆକର୍ଷଣୀୟ। ସେଥିପାଇଁ ସାହିତ୍ୟରେ ଅଶ୍ଲୀଳତାକୁ ମୁହଁରେ ବିରୋଧ କଲେ ବି ମନେ ମନେ ସମସ୍ତେ ଆଦର କରନ୍ତି। ଅଶ୍ଳୀଳ ନିଷିଦ୍ଧ ଗ୍ରନ୍ଥ, ସେଥିପାଇଁ ବାହାର ଟେବୁଲ ଉପରେ ଶୋଭା ନପାଇ, ସ୍ଥାନ ଲାଭ କରେ କୌଣସି ନିର୍ଜନ ଶୟନ କକ୍ଷରେ।’

ଗତକାଲି ‘ଦଗ୍ଧ ଫୁଲବନ’ ବହି ପଢ଼ିବା ସମୟରେ ଲେଖକ ବିଭୁତି ପଟ୍ଟନାୟକଙ୍କ ଏ ବାକ୍ୟ ସଂସ୍ପର୍ଶରେ ଆସିଲି। ହଠାତ କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ଥିବା ତିକ୍ତତା କଥା ମନେପଡ଼ିଗଲା। ଗତ ୪ ଦିନ ଧରି ଗଣମାଧ୍ୟମର ଶିରୋନାମା ପଲଟିଥିବା ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଏହି କଳହ ବିଷୟରେ ଆପଣମାନେ ଅଳ୍ପ ବହୁତ ଅବଗତ ଥିବେ। ପାରିବାରିକ ହିଂସା ଏବଂ ପରକୀୟା ପ୍ରୀତି ସମେତ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣି ବର୍ଷା ସ୍ୱାମୀ ଅନୁଭବଙ୍କ ବିରୋଧରେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସେପଟେ ଅନୁଭବ ମଧ୍ୟ ବର୍ଷା ଶାରୀରିକ ସମ୍ପର୍କ ଚାହୁଁନଥିଲେ, ତାଙ୍କଠୁ ଦୂରତା ରଖୁଥିବାର ଅଭିଯୋଗ ଆଣିଛନ୍ତି। ଆରୋପ ପ୍ରତ୍ୟାରୋପ ଚାଲିଛି। ବର୍ଷା ଶାଶୁଘରେ ସୁରକ୍ଷିତ ନାହାନ୍ତି ବୋଲି ପୁଲିସରେ ଅଭିଯୋଗ କରୁଛନ୍ତି। ପୁଣି କେତେବେଳେ ନିଜ ଅସଜଡ଼ା ଜୀବନକୁ ପୁଣିଥରେ ସଜାଡ଼ିବାକୁ ଚାହାନ୍ତି ବୋଲି ସୋସାଲ ମିଡିଆରେ ପୋଷ୍ଟ କରୁଛନ୍ତି। ସ୍ୱାମୀ ଅନୁଭବ ମଧ୍ୟ ଘରୋଇ ହିଂସା ଅଭିଯୋଗ ଆଣିବା ପରେ ବର୍ଷା କାହିଁକି ତାଙ୍କ ଘରେ ରହୁଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି, ପୁଣି ବର୍ଷାଙ୍କ ସହ ତାଙ୍କର ପ୍ରଥମ ଦେଖା କଥା ମନେ ପକାଇ ସୋସାଲ ମିଡିଆରେ ପୋଷ୍ଟ କରୁଛନ୍ତି।

ସେପଟେ ବର୍ଷା ଅନୁଭବଙ୍କ ଲଢ଼େଇ ଭିତରେ ଓଲିଉଡର କିଛି କଳାକାର, ଯେଉଁମାନେ ସେମାନଙ୍କୁ ବ୍ୟକ୍ତିଗତ ଭାବେ ଜାଣନ୍ତି ସେମାନଙ୍କ ମଧ୍ୟରୁ କିଛି ଲୋକ ଅନୁଭବଙ୍କୁ ସମର୍ଥନ କରୁଥିବା ବେଳେ କିଛି ଲୋକ ବର୍ଷାଙ୍କ ସପକ୍ଷରେ ରହୁଛନ୍ତି।

ଅନ୍ୟମାନେ କ’ଣ କରୁଛନ୍ତି? ଅନ୍ୟ ମାନଙ୍କ ମଧ୍ୟରେ ଆମେ ସାଧାରଣ ଲୋକ ଆସୁ। ସେଇ ତମାମ ସାଧାରଣ ଲୋକ ଯେଉଁମାନଙ୍କ ହୁଏତ ନିଜ ପିଲାଦିନ ନହେଲେ ଯୌବନ ବର୍ଷା-ଅନୁଭବଙ୍କ ଫିଲ୍ମ ଦେଖି କଟିଥିବ। ‘ଆମ ଭିତରେ କିଛି ଅଛି କି’, ‘ଗୋଟେ ଶୁଆ ଗୋଟେ ଶାରୀ’, ‘ସୁନା ଚଢ଼େଇ ମୋ ରୂପା ଚଢ଼େଇ’, ‘ସମଥିଙ୍ଗ ସମଥିଙ୍ଗ’, ଏସବୁ ହିଟ୍ ଫିଲ୍ମ କାହାଣୀକୁ ନେଇ ଯେତିକି ଲୋକପ୍ରିୟ ହେଇପାରିଛି ତାଠୁ ଅଧିକ ଆଦର ପାଇଛି ଫିଲ୍ମରେ ବର୍ଷା-ଅନୁଭବଙ୍କ ଯୋଡ଼ି। ବୋଧେ ଫିଲ୍ମକୁ ଅଶାଠୁ ଅଧିକ ସଫଳତା ମିଳିଛି ସେଥିପାଇଁ ବର୍ଷା ଯେଉଁ ବି ସାକ୍ଷାତକାର ଦିଅନ୍ତି ସେଠି ବର୍ଷା-ଅନୁଭବଙ୍କ ଯୋଡ଼ିକୁ ତାଙ୍କ ପ୍ରଶଂସକ ମାନେ ଗଢ଼ିଛନ୍ତି କହି କୃତଜ୍ଞତା ଜାଣନ୍ତି।

ଆଉ ସେଇ ପ୍ରଶଂସକମାନେ ଯେତେବେଳେ ତାଙ୍କ ସମ୍ପର୍କ ଭାଙ୍ଗୁଛି ସେତେବେଳେ କ’ଣ କରୁଛନ୍ତି? ଉତ୍ତର ହେଉଛି ବିବେକଶୂନ୍ୟ କଳ୍ପନା।

ସେଇ ବିଭୁତି ପଟ୍ଟନାୟକଙ୍କ ଲିଖିତ ‘ଦଗ୍ଧ ଫୁଲବନ’ରୁ ପଢ଼ୁଥିଲି। କଳ୍ପନାକୁ ନେଇ ସେ ଲେଖିଛନ୍ତି, କଳ୍ପନା ସାମ୍ରାଜ୍ୟ ଏକ ଅଦ୍ଭୁତ ଜଗତ। ଏ ସାମ୍ରାଜ୍ୟର ସମ୍ରାଟ ହେବାପାଇଁ ଯୁଦ୍ଧ କରିବାକୁ ହୁଏନାହିଁ। ନରହତ୍ୟା କରିବାକୁ ପଡ଼େନାହିଁ। କଳ୍ପନାର ରାଜା ହୋଇହୁଏ । ଫକୀର ମଧ୍ୟ ହୋଇହୁଏ। କଳ୍ପନାର ରାଜା ହେଲେ ଯେପରି ଶହ ଶହ ପ୍ରଜା ଆସି ହଠାତ ପାଦତଳେ ଲୋଟି ଯାଆନ୍ତିନାହିଁ , ଫକୀର ହେଲେ ମଧ୍ୟ ସେହିପରି ବହୁ ଦାତା କର୍ଣ୍ଣ ଭିକ୍ଷା ଦେବାପାଇଁ ଭୃଲତା କୁଞ୍ଚିତ କରି ହାତ ଟେକନ୍ତି ନାହିଁ। ମୂଲ୍ୟହୀନ କଳ୍ପନା କରିବାରେ କେହି ବାଧା ଦିଏ ନାହିଁ। ବାଧା ଅସେ ମନ ଭିତରୁ। ଆପଣଙ୍କ ଭିତରେ ବିବେକ ନାମକ ଯେଉଁ ଜନ୍ତୁଟି ଦିବ୍ୟ ଆରାମରେ ଆପଣଙ୍କ ଅଜ୍ଞାତରେ ଅବସ୍ଥାନ କରୁଛି, କୌଣସି ନିର୍ବୋଧ କଳ୍ପନା କଲାବେଳେ ସେ ଅଟକାଏ।

ଅର୍ଥାତ କଳ୍ପନାରେ ବି ଗୋଟେ ବିବେକ ରଖିବା ଉଚିତ। ଏଠି ଆମ କଳ୍ପନା କିନ୍ତୁ ବିବେକ ଶୂନ୍ୟ। ବୋଧହୁଏ ସେଥିପାଇଁ ଆମ ଭିତରୁ କିଛି ଲୋକ ‘ବାଳୁଙ୍ଗା ଟୋକା ସତରେ ବାଳୁଙ୍ଗା’, ‘ହନୁଭଵର କଣ୍ଟ୍ରୋଲ କରିବାର କାପାସିଟି ଅଧିକ’, ‘ନୂଆ ଭାଉଜ ଆସିଲେ ବୋଲି ବର୍ଷା କାନ୍ଦିଲେ’, ‘କଳିଙ୍ଗ ଷଣ୍ଢ ଗୋବର ଖାଉ’, ‘ପରକୀୟ ପ୍ରୀତି ପାଇଁ ପିଲା ଖେଳେଇବାକୁ ଗନ୍ଧଉଚି’, ‘ବର୍ଷା ବି କୋଉ ସତୀ’, ‘ଘରେ ଯଦି ଗୋଇଠା ଖାଉଥିଲା ତେବେ ଭିଡିଓ କରି କେମିତି ୟୁଟ୍ୟୁବରେ ଶେଆର କରୁଥିଲା’, ‘ ଅନୁଭବ ମଦୁଆ ଯଦି ସେ ତାଙ୍କ କାହିଁକି ବାହା ହଉଥିଲେ’, ‘ ବର୍ଷାଙ୍କୁ ବହାହେବାକୁ ଯଦି ଅନୁଭବ ହାତ କଟିଦେଉଥିଲେ ସେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ କେମିତି ଅରାଜି ଥିବେ’ ପରି ଅନେକ କଥା ଉଠିଲା। କିଛି ଲୋକ ଏ ମହାନ ମହିଳା ଭୁଲକୁ ୬ ବର୍ଷ କେମିତି ପ୍ରଶୟ ଦେଲେ ବୋଲି ଯେଉଁ ପ୍ରଶ୍ନ କଲେ, ତାର ଉତ୍ତର ହେଉଛି କିଛିଟା କଦର୍ଯ୍ୟ ମାନସିକତାକୁ ସାମ୍ନା କରିବାକୁ ଥିଲା ସେଥିପାଇଁ। ଆମର ବେବୁନିଆଦି ଭାବନା ପାଇଁ। ଆବଶ୍ୟକତାଠୁ ଅଧିକ ପର ଘର ଫୁଟଣକୁ ଗଣିବାର ପ୍ରକୃତି ପାଇଁ ବର୍ଷା-ଅନୁଭବ ଚୁପ ଥାଇ ପାରନ୍ତି। ସେ ଜାଣିଥିବେ ସମାଧାନ ପୂର୍ବରୁ ମାଗଣାରେ ମେଞ୍ଚାଏ ସମାଲୋଚନା ମିଳିଯିବି। ଲୋକେ କ’ଣ ଚିନ୍ତା କରିବା ଭୟରେ ଏମିତି ଅନେକ ଘରୋଇ ହିଂସା ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ପାରେନି। ଚାରିକାନ୍ଥ ଭିତର ନିର୍ଯାତନାଠୁ ଢେର ଅଧିକ ଯନ୍ତ୍ରଣାଦାୟକ ଏଇ ତାତ୍ସଲ୍ୟ।

NFHS-4, 2015-16 (National Family Health Survey) ରିପୋର୍ଟ ଅନୁଯାୟୀ, ୩୩ ଭାଗ ମହିଳା ଘରୋଇ ହିଂସାର ସାମ୍ନା କରୁଛନ୍ତି। ସମାଜର ସାହାଯ୍ୟ ମିଳିବନି ଭୟରେ ଏଥିରୁ ପ୍ରାୟ ୮୦ ଭାଗ ମହିଳା ଚୁପ ରହିବାକୁ ପସନ୍ଦ କରନ୍ତି। ଅନେକ ସମୟରେ ଏକଥା ସ୍ୱୀକାର କରିବାକୁ ହେବ ଯେ, ଜଣେ ସମସ୍ୟାକୁ ସେତେବେଳେ ସାମ୍ନାକୁ ଆଣେନି , ଯେତେବେଳେ ଆମେ ତାକୁ ଗ୍ରହଣ କରିବା ପାଇଁ ଦୁଇ ପାଦ ପଛକୁ ଫେରିଯାଉ।