ଭାଲଚନ୍ଦ୍ର ଷଡ଼ଙ୍ଗୀ
ବ୍ରିଟିଶ ଉପନିବେଶବାଦ ବିରୋଧି ଭାରତର ସ୍ୱାଧୀନତା ସଂଗ୍ରାମର ମହାନ ଯୋଦ୍ଧା ତଥା ଆଦିବାସୀଙ୍କ ଐତିହାସିକ ସଶସ୍ତ୍ର ବିଦ୍ରୋହ ‘ଉଲଗୁଲାନ୍’ର ମହାନାୟକ ଶହୀଦ ବିର୍ସା ମୁଣ୍ଡାଙ୍କ ଆଜି ୧୫୦ତମ ଜନ୍ମବାର୍ଷିକୀ। ୧୮୭୫ ମସିହାରେ ତତ୍କାଳୀନ ରାଞ୍ଚି ବା ବର୍ତ୍ତମାନର ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାର ଉଲିହାତୁ ଗାଁର ଏକ ମୁଣ୍ଡା ଆଦିବାସୀ ପରିବାରରେ ବିର୍ସାଙ୍କ ଜନ୍ମ ହୋଇଥିଲା। ମାତ୍ର ୨୫ ବର୍ଷର ଜୀବନ କାଳ ମଧ୍ୟରେ ସେ ନିଷ୍ଠା, ବଳିଦାନ, ସାହସ, ଅଦ୍ଭୁତ ସାଂଗଠନିକ କ୍ଷମତା ଓ ଲୋକଙ୍କ ପ୍ରତି ପ୍ରତିବଦ୍ଧତା କାରଣରୁ ସ୍ୱାଧୀନତା ସଂଗ୍ରାମର ଜଣେ ମହାନ ଯୋଦ୍ଧା ରୂପେ ପରିଚିତ ହେବା ସହ ଦେଶର ଆଦିବାସୀମାନଙ୍କ ଅନ୍ୟତମ ମହାନାୟକ ହୋଇପାରିଛନ୍ତି।
ଉନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ବ୍ରିଟିଶ ଉପନିବେଶବାଦୀଙ୍କ ଶାସନରେ ଝାଡ଼ଖଣ୍ଡର ଆଦିବାସୀମାନଙ୍କ ଉପରେ ଶୋଷଣ ଓ ନିର୍ଯାତନା ଚରମ ସୀମାରେ ପହଞ୍ଚିଥିଲା। ହାଡ଼ଭଙ୍ଗା ପରିଶ୍ରମ କରି ଜଙ୍ଗଲର ଲଟାବୁଦାକୁ ସଫା କରି ଆଦିବାସୀମାନେ ଯେଉଁ ଚାଷ ଜମିକୁ ପ୍ରସ୍ତୁତ କରୁଥିଲେ ତାକୁ ବାହାରୁ ଆସିଥିବା ସାହୁକାର ଓ ସୁଧଖୋର ସାହୁକାରମାନେ ବିଭିନ୍ନ ଉପାୟରେ ହଡ଼ପ କରି ନେଉଥିଲେ। ଏହି ବହିରାଗତ ଶୋଷଣକାରୀମାନଙ୍କୁ ସ୍ଥାନୀୟ ଆଦିବାସୀମାନେ ଘୃଣାରେ ‘ଦିକୁ’ ବୋଲି କହୁଥିଲେ। ଆଦିବାସୀ ଅଞ୍ଚଳରେ ନିଜର ଶାସନ ଓ ଶୋଷଣକୁ ସୁଦୃଢ଼ କରିବାକୁ ବ୍ରିଟିଶମାନେ ସମତଳ ଅଞ୍ଚଳରୁ ଜଙ୍ଗଲ ଅଞ୍ଚଳକୁ ଏହି ‘ଦିକୁ’ମାନଙ୍କ ପ୍ରବେଶକୁ ପ୍ରୋତ୍ସାହିତ କରିବା ଫଳରେ ଆଦିବାସୀଙ୍କ ଉପରେ ଶୋଷଣ ଜୋରଦାର ହୋଇଥିଲା।
ବ୍ରିଟିଶମାନଙ୍କ ପ୍ରବେଶ ପରେ ପିଢ଼ି ପିଢ଼ି ଧରି ପ୍ରକୃତି ସହ ସନ୍ତୁଳନ ରକ୍ଷାକରି ରହିଥିବା ଆଦିବାସୀଙ୍କ ସଦ୍ଭାବମୂଳକ ଜୀବନଧାରାରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ସେମାନେ ଆଦିବାସୀମାନଙ୍କ ପାରମ୍ପରିକ ‘ଖୁଂଟକାଟି’ ଜମି ବ୍ୟବସ୍ଥାକୁ ହଟେଇ ତା’ରି ସ୍ଥାନରେ ସାମନ୍ତବାଦୀ ଜମିଦାରୀ ବ୍ୟବସ୍ଥାକୁ ଲଦିବାକୁ ଚେଷ୍ଟା କରିଥିଲେ। ୧୮୭୮ ମସିହାରେ ସେମାନେ ଜଙ୍ଗଲ ଆଇନ ପ୍ରଣୟନ କରି ଜଙ୍ଗଲ ଜମି ଓ ତା’ର ସମ୍ପଦ ଉପରେ ଶତାବ୍ଦୀ ଶତାବ୍ଦୀ ଧରି ଆଦିବାସୀଙ୍କ ରହି ଆସିଥିବା ଅଧିକାରକୁ ଛଡ଼େଇ ନିଜର ଏକାଧିକାର ନିୟନ୍ତ୍ରଣକୁ ସ୍ଥାପିତ କରିଥିଲେ। ପ୍ରଥମ ଥର ପାଇଁ ଆଦିବାସୀ ଓ ଜଙ୍ଗଲ ଭିତରେ ରହୁଥିବା ଅନ୍ୟ ଗରିବ ଲୋକଙ୍କ ଉପରେ ବ୍ରିଟିଶ ସରକାରର ଜଙ୍ଗଲ ଅଧିକାରୀମାନଙ୍କ ଜୁଲମ୍ ଆରମ୍ଭ ହୋଇଥିଲା। ଯେଉଁ ଜଙ୍ଗଲର କୋଳରେ ସେମାନେ ପିଢ଼ି ପିଢ଼ି ଧରି ବସବାସ କରି ଆସିଛନ୍ତି, ନୂଆଁ ଜଙ୍ଗଲ ଆଇନ ଫଳରେ ସେଠାରେ ସେମାନେ ହଠାତ୍ ବହିରାଗତ ପାଲଟି ଗଲେ।
ଜଙ୍ଗଲରେ ପଶିଲେ ସେମାନଙ୍କଠାରୁ ଜଙ୍ଗଲ ଟିକସ ବା ପାନୁ ଆଦାୟ କରାଗଲା। ଏହାର ବ୍ୟତିକ୍ରମରେ ଲୋକଙ୍କୁ ଗିରଫ କରି ଜେଲ ପଠାଗଲା। ବ୍ରିଟିଶ ସରକାର ପୋଲିସ ଲଗେଇ ଆଦିବାସୀମାନଙ୍କଠାରୁ ବଳପୂର୍ବକ ଅନ୍ୟାୟ ଭାବେ ରାଜସ୍ୱ ସଂଗ୍ରହ କରିବା ସହ ସେମାନଙ୍କୁ ମନଇଛା ଦମନ କରିଚାଲିଲେ।
ବ୍ରିଟିଶ ସରକାରର ଏହି ଜନବିରୋଧି ଓ ଦମନକାରୀ ଶାସନକୁ ନେଇ ସେଠାକାର ଆଦିବାସୀ ଓ ଗରିବ ଲୋକଙ୍କ ମଧ୍ୟରେ ଭୟଙ୍କର ଅସନ୍ତୋଷ ସୃଷ୍ଟି ହୋଇଥିଲା। ବ୍ରିଟିଶମାନଙ୍କ ଜଙ୍ଗଲ ଆଇନକୁ ବିରୋଧ କରି ଆଦିବାସୀମାନେ ଏକ ଆନ୍ଦୋଳନ ଆରମ୍ଭ କରିଥିଲେ, ଯାହାକୁ ‘ସର୍ଦ୍ଦାର ଆନ୍ଦୋଳନ’ ବୋଲି କୁହାଯାଉଥିଲା। ବିର୍ସା ମୁଣ୍ଡାଙ୍କ ବାପା ସୁଗାମା ମୁଣ୍ଡା ମଧ୍ୟ ଏହି ଆନ୍ଦୋଳନର ଜଣେ ସକ୍ରିୟ ସଦସ୍ୟ ଥିଲେ। ଖୋଦ୍ ବିର୍ସା ମଧ୍ୟ ୧୮୮୬-୯୦ ମଧ୍ୟରେ ଚାଇଁବସାରେ ରହୁଥିବା ବେଳେ ଏହି ଆନ୍ଦୋଳନକୁ ନିକଟରୁ ଦେଖିବା ସହ ତା’ର ବିଭିନ୍ନ ସଭା ସମିତିରେ ଯୋଗ ଦେଇଥିଲେ। ତେବେ ଏହି ଆନ୍ଦୋଳନ ଜରିଆରେ ଆଦିବାସୀମାନେ ନିଜ ଉପରେ ହେଉଥିବା ଶୋଷଣ ଓ କଷଣକୁ ସମାପ୍ତ କରିପାରିବେ ନାହିଁ ବୋଲି ତାଙ୍କର ହୃଦୟଙ୍ଗମ ହୋଇଥିଲା।
ସାର୍ବଜନିନ ସ୍ୱାର୍ଥ ନାଁରେ ଲୋକଙ୍କ ଚାଷଜମିକୁ ଛଡ଼େଇ ନେବା ପାଇଁ ବ୍ରିଟିଶ ସରକାର ୧୮୯୪ରେ କୁଖ୍ୟାତ ଜମି ଅଧିଗ୍ରହଣ ଆଇନର ପ୍ରଣୟନ କରିଥିଲେ। ଝାଡ଼ଖଣ୍ଡ ସମେତ ଦେଶର ଆଦିବାସୀ ତଥା କୃଷକମାନଙ୍କ ଜମି ଅଧିକାର ଉପରେ ଏହା ସବୁଠାରୁ ବଡ଼ ଆକ୍ରମଣ ଥିଲା। ଏହି ଆଇନ ଜରିଆରେ ଖଣି ଖାଦନ, ରେଳ ଲାଇନ୍, କାରଖାନା ନିର୍ମାଣ ପାଇଁ ସରକାର ନାମକୁ ମାତ୍ର କ୍ଷତିପୂରଣ ଦେଇ ବର୍ଷ ବର୍ଷ ଧରି ଆଦିବାସୀମାନଙ୍କ ଦଖଲରେ ଥିବା ଜମିକୁ ବଳପୂର୍ବକ ଛଡ଼େଇ ନେଲେ। ଏହାଫଳରେ ଆଦିବାସୀମାନେ ବଡ଼ ସଂଖ୍ୟାରେ ନିଜର ଜମି ଓ ଜଙ୍ଗଲ ହରାଇ ଭିଟାମାଟିରୁ ବଞ୍ଚିତ ହେଲେ। ବ୍ରିଟିଶ ସରକାରର ପ୍ରୋତ୍ସାହନରେ ଆଦିବାସୀମାନଙ୍କ ଉପରେ ପୂର୍ବରୁ ‘ଦିକୁ’ମାନଙ୍କ ଶୋଷଣ ଚାଲିଥିଲା। ଏବେ ଜମି ଅଧିଗ୍ରହଣ ଆଇନ ଓ ଜଙ୍ଗଲ ଆଇନ ନାଁରେ ସେମାନଙ୍କ ଜମି ଓ ଜଙ୍ଗଲକୁ ଛଡ଼େଇ ନେବାର ନୀତି ଏବଂ ସର୍ବୋପରି ବର୍ବର ଦମନଲୀଳା ପୂର୍ବର ସବୁ ଅନ୍ୟାୟକୁ ବଳିଗଲା।
ଅତଏବ ଉନବିଂଶ ଶତାବ୍ଦୀର ଶେଷ ଦଶକ ବେଳକୁ ବ୍ରିଟିଶମାନଙ୍କ ଶୋଷଣ ଓ ଅନ୍ୟାୟ ସେଠାକାର ଆଦିବାସୀଙ୍କ ଭିତରେ ଅସନ୍ତୋଷ ଭୟଙ୍କର ରୂପ ନେଇଥିଲା। ନିଜର ଲୋକଙ୍କ ଉପରେ ଚାଲିଥିବା ଏହି ଅକଥନୀୟ ଶୋଷଣ ଓ ଜୁଲୁମ୍ ସେତେବେଳେ ଆଦିବାସୀ ଯୁବକ ବିର୍ସା ମୁଣ୍ଡାଙ୍କ ପାଇଁ ଏକଦମ୍ ଅସହ୍ୟ ହୋଇଥିଲା। ସେ ବ୍ରିଟିଶମାନଙ୍କ ଶୋଷଣ ଓ ଅତ୍ୟାଚାରକୁ ରୋକିବାକୁ ହେଲେ ଏକ ବଡ଼ ଧରଣର ଜନ ପ୍ରତିରୋଧର ଆବଶ୍ୟକତା ରହିଥିବା କଥା ଅନୁଭବ କରିଥିଲେ।
୧୮୯୫ରେ ତାମର ଅଞ୍ଚଳର ଚାଲକଡ଼ ଗାଁରେ ଏକ ଜନସଭା କରି ବିର୍ସା ମୁଣ୍ଡା ଅଞ୍ଚଳର ସବୁ ଆଦିବାସୀ ଓ ଅନ୍ୟ ଶୋଷିତ ଗରିବ ଲୋକଙ୍କୁ ଏକାଠି ହେବାକୁ ଡ଼କରା ଦେଇଥିଲେ। ସେହି ସଭାରେ ସେ ରାଣୀ ଭିକ୍ଟୋରିଆଙ୍କ ବ୍ରିଟିଶ ଶାସନର ଆଜିଠାରୁ ଅନ୍ତ ହେଲା ଏବଂ ମୁଣ୍ଡାମାନଙ୍କ ଶାସନର ଆରମ୍ଭ ହେଲା ବୋଲି ଘୋଷଣା କରିଥିଲେ।
ଏପରିକି ଆଜିଠାରୁ ବ୍ରିଟିଶ ସରକାରଙ୍କୁ ନିଜର ଜମିର ଖଜଣା ମଧ୍ୟ ନଦେବାକୁ ସେ କୃଷକମାନଙ୍କୁ ଡ଼ାକରା ଦେଇଥିଲେ। ତାଙ୍କର ସମର୍ଥକମାନେ ତାଙ୍କୁ ଶ୍ରଦ୍ଧାରେ ‘ଧରତୀ ଆବା’ ବା ପୃଥିବୀର ଭଗବାନ ବୋଲି ଡ଼ାକୁଥିଲେ।
୧୮୯୭ ମସିହା ବେଳକୁ ବିର୍ସା ମୁଣ୍ଡାଙ୍କ ଆନ୍ଦୋଳନ ବିପୁଳ ଜନ ସମର୍ଥନ ପାଇ ଏକ ଜନ ବିଦ୍ରୋହର ରୂପ ନେଇଥିଲା। ବିର୍ସା ଏହାକୁ ମହାବିଦ୍ରୋହ ବା ତାଙ୍କ ମୁଣ୍ଡାରୀ ଭାଷାରେ ‘ଉଲଗୁଲାନ୍’ ବୋଲି କହିଥିଲେ। ତାଙ୍କର ଏହି ଉଲ୍ଗୁଲାନ୍ରେ ଛୋଟ ନାଗପୁର ଓ ସାନ୍ତାଳ ପ୍ରଗଣା ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଗରିବ ଶୋଷିତ ଲୋକେ ବିଶେଷ କରି ଆଦିବାସୀମାନେ ସାମିଲ ହୋଇଥିଲେ। ବୀର୍ସାଙ୍କ ବିଚକ୍ଷଣ ନେତୃତ୍ୱରେ ଛୋଟନାଗପୁର ଅଂଚଳର ମୁଣ୍ଡା ସମେତ ସବୁ ସମ୍ପ୍ରଦାୟର ଗରିବ ଶୋଷିତ ଲୋକେ ଉଲ୍ଗୁଲାନ୍ରେ ସାମିଲ ହେବା ପରେ ଏହା ସଶସ୍ତ୍ର ବିଦ୍ରୋହର ରୂପ ନେଇଥିଲା।
୧୮୯୫ ରୁ ୧୯୦୦ ଖ୍ରୀଷ୍ଟାବ୍ଦ ଅର୍ଥାତ୍ ଦୀର୍ଘ ୫ ବର୍ଷ ଧରି ଚାଲିଥିବା ଏହି ସଶସ୍ତ୍ର ବିଦ୍ରୋହ ବ୍ରିଟିଶ ସରକାରର ନିଦ ହଜେଇଦେବା ସହ ସେମାନଙ୍କ ଶାସନକୁ ଏକଦମ୍ ଦୋହଲାଇ ଦେଇଥିଲା। ସେମାନେ କୌଣସି ମତେ ବିର୍ସା ଓ ତାଙ୍କ ସହଯୋଗୀମାନଙ୍କୁ ଗିରଫ କରି ଆନ୍ଦୋଳନକୁ ଦମନ କରିବାକୁ ଷଡ଼ଯନ୍ତ୍ର କରିଥିଲେ। ଏହି କ୍ରମରେ ବ୍ରିଟିଶ ପୋଲିସ ଗାଁ ଗାଁରେ ପଶି ଆନ୍ଦୋଳନରେ ସାମିଲ ଶହ ଶହ ଲୋକଙ୍କୁ ଗିରଫ କରିବା ସହ ଅନେକଙ୍କୁ ହତ୍ୟା ମଧ୍ୟ କରିଥିଲା।
୩ ମାର୍ଚ୍ଚ ୧୯୦୦ ମସିହାରେ ବ୍ରିଟିଶ ପୋଲିସ ଚକ୍ରଧରପୁରର ଜମକୋପାଇ ଜଙ୍ଗଲରୁ ବିର୍ସାଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଗିରଫ ପରେ ବିର୍ସା ଓ ତାଙ୍କର ୪୬୦ ଜଣ ସାଥିଙ୍କୁ ଜେଲ୍ରେ ରଖାଯାଇଥିଲା। ସେହି ବର୍ଷ ଜୁନ୍ ୯ ତାରିଖରେ ଜେଲରେ ଥିବା ବେଳେ ତାଙ୍କର ଅଚାନକ ମୃତ୍ୟୁ ହୋଇଥିଲା। ଯଦିଓ ସେ ହଇଜାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ ବୋଲି ସରକାରଙ୍କ ତରଫରୁ କୁହାଗଲା, କିନ୍ତୁ ଚିକିତ୍ସାରେ ଜାଣିଶୁଣି ଅବହେଳା କରି ଷଡ଼ନ୍ତ୍ରମୂଳକ ଭାବେ ତାଙ୍କୁ ମାରି ଦିଆ ଯାଇଥିବା କୁହାଯାଏ। ବିର୍ସାଙ୍କ ଅଚାନକ ବିୟୋଗ ତାଙ୍କର ହଜାର ହଜାର ସହଯୋଗୀ ଓ ସାଧାରଣ ଜନତାଙ୍କୁ ଶକ୍ତ ଧକ୍କା ଦେଇଥିଲା।
ବିର୍ସାଙ୍କ ମୃତ୍ୟୁ ପରେ ତାଙ୍କ ଆନ୍ଦୋଳନ ନେତୃତ୍ୱହୀନ ହୋଇଯିବା ସହ ବ୍ରିଟିଶ ସରକାରଙ୍କ ଭୟଙ୍କର ଦମନ ଓ ଅତ୍ୟାଚାରକୁ ସାମ୍ନା କରି ନପାରି ଦୁର୍ବଳ ହୋଇଯାଇଥିଲା। ଅନ୍ୟପକ୍ଷରେ ଭୟଙ୍କର ଦମନ ଓ ଅତ୍ୟାଚାର ଜରିଆରେ ବିଦ୍ରୋହକୁ ସମାପ୍ତ କରିଦେବା ପରେ ଭବିଷ୍ୟତରେ ଯେପରି ଆଦିବାସୀମାନେ ପୁନର୍ବାର ବିଦ୍ରୋହ କରିବେନି ସେହି ଲକ୍ଷ୍ୟରେ ବ୍ରିଟିଶ ସରକାର ସେଠାକାର ଆଦିବାସୀମାନଙ୍କ ଅସନ୍ତୋଷକୁ ଥଣ୍ଡା କରିବାକୁ କିଛି ସଂସ୍କାରମୂଳକ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ। ଜମି ଉପରେ ଆଦିବାସୀମାନଙ୍କ ଅଧିକାରକୁ କିଛି ମାତ୍ରାରେ ସୁରକ୍ଷା ଦେବା ପାଇଁ ସେମାନେ ଛୋଟନାଗପୁର ଟେନ୍ସେୀ ଆଇନ - ୧୯୦୮ ଆଇନ ପ୍ରଣୟନ କରିଥିଲେ। ଏହାବ୍ୟତିତ ସେଠାରେ ଦିକୁମାନଙ୍କ ଦ୍ୱାରା କରାଯାଉଥିବା ବଳପୂର୍ବକ ଶ୍ରମ ବା ବେଠି ବେଗାରି ବ୍ୟବସ୍ଥାକୁ ନିଷିଦ୍ଦ କରିବା ସହ ଆଦିବାସୀଙ୍କ ପାରମ୍ପରିକ ଖୁଂଟିକାଟି ଜମି ବ୍ୟବସ୍ଥାକୁ ମଧ୍ୟ ପୁନଃସ୍ଥାପନ କରିଥିଲେ।
ବିର୍ସା ମୁଣ୍ଡାଙ୍କ ଐତିହାସିକ ବିଦ୍ରୋହ ଜମି, ଜଙ୍ଗଲ ଉପରେ ଆଦିବାସୀ ଓ ପାରମ୍ପରିକ ବନଜୀବୀଙ୍କ ଅଧିକାର ସହ ବିଦେଶୀ ଶାସନ ବିରୁଦ୍ଧରେ ନିଜର ସ୍ୱାୟତତ୍ତା ଓ ସ୍ୱାଧୀନତା ପାଇଁ ଉଦ୍ଦିଷ୍ଟ ଥିଲା। ଆଜି ତାଙ୍କ ମୃତ୍ୟୁର ଦୀର୍ଘ ବର୍ଷ ପରେ ମଧ୍ୟ ନିଜର ଜମି ଓ ଜଙ୍ଗଲ ଉପରେ ଅଧିକାର ପାଇଁ ଆଦିବାସୀମାନଙ୍କୁ ଲଢ଼େଇ କରିବାକୁ ପଡ଼ୁଛି। ତଥାକଥିତ ବିକାଶ ନାଁରେ ସରକାର ଓ କମ୍ପାନୀମାନଙ୍କ ପକ୍ଷରୁ ସେମାନଙ୍କ ଜମି, ଜଙ୍ଗଲ ଓ ବଞ୍ଚିବାର ଅଧିକାରକୁ ଛଡ଼େଇ ନେବା ଏକ ସାଧାରଣ କଥାରେ ପରିଣତ ହୋଇଛି। ଜନସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ ଆଦିବାସୀ ରହୁଥିବା ଆମ ରାଜ୍ୟ ମଧ୍ୟ ଏଥିରୁ ବାଦ୍ ପଡ଼ିନି।
ଅତିତରେ ରାଜ୍ୟର କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଆଦି ଜିଲ୍ଲାରେ ତଥାକଥିତ ବିକାଶର ମୂଲ୍ୟ ଦେବାକୁ ଯାଇ ହଜାର ହଜାର ସଂଖ୍ୟାରେ ଆଦିବାସୀ ନିଜର ଜମି, ଜଙ୍ଗଲ ଓ ଭିଟାମାଟିରୁ ଉତ୍ଖାତ ହୋଇ ଏକରକମ ଦୁଃର୍ବିସହ ଜୀବନ ଯାପନ କରୁଥିବା ବେଳେ ଏବେ କୋରାପୁଟ, କଳାହାଣ୍ଡି, ମାଲଗାନଗିରି ଓ ରାୟଗଡ଼ା ଜିଲ୍ଲାରେ ସେହି ଏକା ପରିସ୍ଥିତି ହେବାକୁ ଯାଉଛି। କୋରାପୁଟର ମାଳି ପର୍ବତ ଓ ବାଲଡ଼ା ପର୍ବତ଼, ମାଲକାନଗିରିର ଉସ୍କାଲଭାଗ ଓ କେତାମେଟା ଜଙ୍ଗଲ, ରାୟଗଡ଼ାର ତିଜିମାଳି-କୁଟୃମାଳି-ଶାଶୁବୋହୁ ମାଳି ପର୍ବତ ଏବଂ କଳାହାଣ୍ଡିର ଖଣ୍ଡୱାଲମାଳି-କର୍ଲାପାଟ ଜଙ୍ଗଲ ଓ ମାଳି, ଐତିହାସିକ ନିୟମଗିରି ତଥା ଅନୁଗୁଳ, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାର ଜଙ୍ଗଲ ଅଞ୍ଚଳରେ ଆଗାମୀ ଦିନରେ ଖଣି ଖନନ ପାଇଁ ସରକାର ଯେଉଁ ବଡ଼ ଧରଣର ଯୋଜନା କରିଛନ୍ତି, ତା’ରି ଫଳରେ ସେ ଅଞ୍ଚଳର ଶହ ଶହ ଝରଣା, ଘଞ୍ଚ ଜଙ୍ଗଲ ଓ ସବୁଜ ପରିବେଶ ନଷ୍ଟ ହେବା ସହ ହଜାର ହଜାର ଆଦିବାସୀ ଓ ଗରିବ ଲୋକ ନିଜର ଭିଟାମାଟିରୁ ଉଚ୍ଛେଦ ହେବାକୁ ଯାଉଛନ୍ତି।
ଗୋଟିଏ ପଟେ ସରକାର ଆଦିବାସୀଙ୍କ ସମର୍ଥନ ପାଇବା ପାଇଁ ବିର୍ସା ମୁଣ୍ଡାଙ୍କ ଜନ୍ମଦିନକୁ ‘ଜାତୀୟ ଜନଜାତି ଗୌରବ ଦିବସ’ ରୂପେ ଧୂମଧାମ୍ରେ ପାଳନ କରୁଛନ୍ତି, ଅଥଚ ଅନ୍ୟପଟେ ବିର୍ସା ମୁଣ୍ଡାଙ୍କ ଦାୟାଦ ରୂପେ ପରିଚିତ ଆଦିବାସୀ ଓ ପାରମ୍ପାରିକ ବନଜୀବୀଙ୍କୁ ବିକାଶ ନାଁରେ ସେମାନଙ୍କ ଭିଟାମାଟିରୁ ଉଚ୍ଛେଦ କରିବାକୁ ସରକାରୀ ନୀତିରେ ପରିଣତ କରିଦେଇଛନ୍ତି। ଦେଶର ଜନସଂଖ୍ୟାର ମାତ୍ର ୮% ହିଁ ଆଦିବାସୀ ହୋଇଥିବା ବେଳେ ଦେଶର ମୋଟ ବିସ୍ଥାପନର ସିଂହଭାଗଟି କିନ୍ତୁ ସେମାନଙ୍କ ଭାଗ୍ୟରେ ପଡ଼ିଛି। ସେତେବେଳର ବ୍ରିଟିଶ ସରକାର ଭଳି ଆଜି ମଧ୍ୟ ଆଦିବାସୀଙ୍କ ସହମତି ବିନା ସେମାନଙ୍କ ଜମି, ଜଙ୍ଗଲ ଓ ପ୍ରାକୃତିକ ସମ୍ପଦକୁ ବଳପୂର୍ବକ ଅଧିଗ୍ରହଣ କରି ଛଡ଼େଇ ନିଆଯାଉଛି। ସେହି କାରଣରୁ ହିଁ ଆଜି କଳିଙ୍ଗନଗରଠାରୁ ନିୟମଗିରି ପର୍ଯ୍ୟନ୍ତ ସବୁଠି ଆଦିବାସୀମାନେ ନିଜର ଜମି, ଜଙ୍ଗଲ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ସରକାର ଓ କମ୍ପାନୀଙ୍କ ପ୍ରତିରୋଧ କରୁଛନ୍ତି।
ଅନ୍ୟପଟେ କର୍ପୋରେଟଙ୍କ ସ୍ୱାର୍ଥରେ ଆଦିବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ସମ୍ବିଧାନରେ ରହିଥିବା ବିଭିନ୍ନ ବ୍ୟବସ୍ଥାକୁ ଜାଣିଶୁଣି ଅଚଳ କରିଦିଆଯାଉଛି। ବହୁଦିନର ସଂଗ୍ରାମ ଫଳରେ ହାସଲ ହୋଇଥିବା ପେସା ଆଇନ, ଜଙ୍ଗଲ ଅଧିକାର ଆଇନ-୨୦୦୬, ଜଙ୍ଗଲ ସଂରକ୍ଷଣ ଆଇନ, ଜୈବ ବିବିଧତା ଆଇନ ପରି ଆଦିବାସୀଙ୍କ ଅଧିକାର ତଥା ଜଙ୍ଗଲ ଓ ପରିବେଶର ସୁରକ୍ଷା ପାଇଁ ରହିଥିବା ବିଭିନ୍ନ ଆଇନ ତଥା ନିୟମକୁ କର୍ପୋରେଟଙ୍କ ସ୍ୱାର୍ଥରେ ସଂଶୋଧନ କରାଯାଉଛି।
ଶହୀଦ ବିର୍ସା ମୁଣ୍ଡା କେବଳ ଝାଡ଼ଖଣ୍ଡର ନୁହଁନ୍ତି, ବରଂ ସମଗ୍ର ଦେଶର ଆଦିବାସୀମାନଙ୍କ ମହାନ ନେତା ବା ନାୟକ। ଜମି, ଜଙ୍ଗଲ ଓ ମାଳି ଉପରେ ଆଦିବାସୀଙ୍କ ଅବିଛିନ୍ନ ଅଧିକାର ତଥା ଆଦିବାସୀଙ୍କ ପାରମ୍ପାରିକ ରୀତିନୀତି ଓ ସଂସ୍କୃତିର ସୁରକ୍ଷା ପାଇଁ ତାଙ୍କ ନେତୃତ୍ୱରେ ଅତିତରେ ଯେଉଁ ଉଲଗୁଲାନ୍ ସଂଗଠିତ ହୋଇଥିଲା, ତାହା ଆଜି ବି ଆମ ଦେଶର ସବୁ ଆଦିବାସୀ ଓ ଗରିବଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଆସିଛି। ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଆଦିବାସୀମାନଙ୍କ ଜମି, ଜଙ୍ଗଲ ଓ ପ୍ରାକୃତିକ ସମ୍ପଦର ସୁରକ୍ଷାର ସଂଗ୍ରାମକୁ ଶକ୍ତିଶାଳୀ କରିବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ।
bhalachandra.odisha@gmail.com
ଫୋନ ନଂ : 9437166391
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।