- ଶୁଭ୍ରାଂଶୁ ଶେଖର
ବିଶ୍ୱର ୨୧୦ଟି ଦେଶକୁ କରେନା ଭାଇରସ ବିସ୍ତାର କରିଛି । ଚାଇନାର ଉହାନରୁ ବ୍ୟାପିଥିବା ଏହି ଭାଇରସର ସଂକ୍ରମଣରୁ ଦୂରେଇ ରହିବା ପାଇଁ ଅନେକ ଦେଶ ଲକ୍ଡାଉନ୍ ରହିଛି । ଲକ୍ଡାଉନ୍ ନଥିଲେ ମଧ୍ୟ ଲୋକମାନେ ଘରୁ ବାହାରକୁ ବାହାରୁ ନାହାନ୍ତି । ଘରେ ରହି ଅନେକ ସଂସ୍ଥାର କର୍ମଚାରୀ କାମ କରୁଛନ୍ତି । ଭାରତରେ ମଧ୍ୟ ସମାନ ଢଙ୍ଗରେ ଅନେକ କର୍ମଚାରୀ କାମ କରୁଛନ୍ତି । ଦେଶରେ ଅନେକ ବ୍ୟବସାୟ ଏବେ ଅନ୍ଲାଇନରେ ଚାଲିଛି । ଭିଡିଓ କନ୍ଫରେନସିଂ ଆପ୍ ବ୍ୟବହାର କରି ଅନେକ ବୈଠକ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭିଡ଼ିଓ କନଫରେନସିଂ ଜରିଆରେ କରୋନା ସ୍ଥିତିର ସମୀକ୍ଷା କରୁଛନ୍ତି ।
୧୩୦ କୋଟି ଭାରତୀୟଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକ ଏବେ ଇଣ୍ଟର୍ନେଟ୍ ସହିତ ଜଡ଼ିତ । ଲୋକମାନେ ପୂର୍ବରୁ ସାଇବର କାଫେ ଯାଇ ଇଣ୍ଟର୍ନେଟ୍ ବ୍ୟବହାର କରୁଥିଲେ । କାଳକ୍ରମେ କମ୍ପ୍ୟୁଟର, ଲାପ୍ଟପ୍ ଏବଂ ଏବେ ମୋବାଇଲ୍ରେ ଇଣ୍ଟରନେଟ୍ ବ୍ୟବହାର କରି ସମସ୍ତ ସୁବିଧା ପାଇପାରୁଛନ୍ତି । ଏହା ଦେଶର ଡିଜିଟାଲ ଭିତ୍ତିଭୂମି କେତେ ସୁଦୃଢ଼ ପ୍ରମାଣିତ ହୋଇଛି । ମୁଖ୍ୟତଃ ଭିଡିଓ କନ୍ଫରେନ୍ସିଂ ପାଇଁ ଲୋକମାନେ ସ୍କାଏପି, ଜୁମ୍ ଏବଂ ୱେବଏକ୍ସ ଆପ୍ ବ୍ୟବହାର କରୁଛନ୍ତି । ଏହି ତିନୋଟି ଯାକ ଆମେରିକାନ ଆପ୍ । ପୂର୍ବରୁ ସ୍କାଏପିର ବ୍ୟବହାର ବହୁଳ ଥିଲା ଭିଡିଓ କନ୍ଫରେନ୍ସିଂ ପାଇଁ । ଏବେ କିନ୍ତୁ କରୋନା ସଂକ୍ରମିତ ହେବା ଯୋଗୁ ଅନେକ ଦେଶ ଲକ୍ଡାଉନ୍ ରହିବା ପରେ ଜୁମ୍ ଆପର ଲୋକପ୍ରିୟତା ହଠାତ୍ ବଢ଼ିଛି । ମାର୍ଚ୍ଚ ମାସରୁ ଏପ୍ରିଲ ମାସ ସୁଦ୍ଧା ୧୦ ଲକ୍ଷରୁ ଅଧିକ ଲୋକ ଏହି ଆପକୁ ଡାଉନ୍ଲୋଡ୍ କରିଛନ୍ତି । ଲୋକପ୍ରିୟତା ବଢ଼ୁଥିବା ଦେଖି ନେଟଫ୍ଲିକ୍ସ ଭଳି ଅନଲାଇନ୍ ଷ୍ଟ୍ରିମିଂ ଆପ୍ ଜୁମ୍ ସହିତ ଚୁକ୍ତି କରିଛି। ଯାହାଦ୍ୱାରା ଜୁମ୍ ଆପ୍ ବ୍ୟବହାର ବେଳେ ନେଟଫ୍ଲିକ୍ସକୁ ସାଙ୍ଗରେ ବ୍ୟବହାର କରିହେବ।
ଜୁମ୍ ଆପର ଲୋକପ୍ରିୟତା ବଢ଼ିବାର କାରଣ କମ୍ ଡାଟା ବ୍ୟବହାର କରିବା ସହିତ ଡିସ୍କନେକସନ ହେବାର ସମ୍ଭାବନା ବହୁତ କମ୍ । ହେଲେ ଏହି ଆପ୍ ବ୍ୟବହାର କଲେ ଭିଡ଼ିଓ କନ୍ଫେରନସିଂ ବେଳେ ଡାଟା ହ୍ୟାକ୍ ହେବାର ନଜିର ରହିଛି । ୟୁନିଭରସିଟି ଅଫ ଟରଣ୍ଟୋର ଏକ ଗବେଷଣା ଅନୁଯାୟୀ ଏହି ଆପର ମୁଖ୍ୟ ଅଫିସ ଆମେରିକାର କାଲିଫର୍ଣ୍ଣିଆ ସହରରେ ଥିବା ସାନ୍ ଜୋଶରେ ରହିଛି । ହେଲେ ଏହାର ଅନେକ ସର୍ଭର ଚାଇନାରେ ରହିଛି । ଉପ କମ୍ପାନୀ ତିଆରି କରି ଚାଇନାରେ ଜୁମ୍ ଆପ୍ ସର୍ଭରର ରକ୍ଷଣବେକ୍ଷଣ ହେଉଛି । ଏଥିପାଇଁ ସେଠାରେ ୭୦୦ ଲୋକ ନିୟୋଜିତ ରହିଛନ୍ତି । ସବୁଠୁ ବଡ଼ କଥା ହେଲା ଚାଇନାରେ ଏହି ଆପ୍ ବ୍ୟାନ୍ ରହିଛି । ଯେକୌଣସି ବ୍ୟକ୍ତି ଏହି ଆପ୍ ଚାଇନାରେ ଥାଇ ଖୋଲିଲେ ଫାୟାର ୱାଲ ମାଧ୍ୟମରେ ଏହି ଆପ୍ ଖୋଲିବାକୁ ସୁଯୋଗ ଦେଇନଥାଏ ଚାଇନା । ନିକଟରେ ତାଇୱାନ ସରକାର ମଧ୍ୟ ସରକାରୀ କାର୍ଯ୍ୟକ୍ରମରେ ଏହି ଆପ୍ ବ୍ୟବହାର ଉପରେ ରୋକ୍ ଲଗାଇଛି । ଏପ୍ରିଲ ୭, ୨୦୨୦ରେ ଏ ନେଇ ବ୍ଲୁମ୍ବର୍ଗରେ ଏକ ରିପୋର୍ଟ ପ୍ରକାଶ ପାଇଛି । କରୋନା ମହାମାରୀ ବାବଦରେ ତାଇୱାନ ସରକାର ବୈଠକ କରୁଥିଲେ । ହେଲେ ଏହି ସମୟରେ ସାଇବର ଆଟାକର ସମ୍ଭାବନା ରହିଛି ବୋଲି ତାଇୱାନର ସାଇବର ଏକ୍ସପର୍ଟ ତଥା ଗୁଇନ୍ଦା ବିଭାଗ ସରକାରଙ୍କୁ ଅବଗତ କରାଇଥିଲା । ଏହାପରେ ଏହି ଆପ୍ ଉପରେ ତାଇୱାନ ରୋକ୍ ଲଗାଇଛି ।
ନିକଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଡିଏସ ମୁଖ୍ୟ ବିପିନ ରାୱତ ଓ ଅନ୍ୟ ସରକାରୀ ଅଧିକାରୀଙ୍କ ସହ କରୋନା ସଂପର୍କରେ ଭିଡିଓ କନ୍ଫରେନସିଂ ଜରିଆରେ କଥା ହେଉଥିଲେ । ଏହି ସମୟରେ ସେ ଜୁମ୍ ଆପ୍ ବ୍ୟବହାର କରିଥିଲେ ବୋଲି ସାମାଜିକ ଗଣମାଧ୍ୟମରେ ସରକାରଙ୍କୁ ଅନେକ ସମାଲୋଚନା କରାଯାଇଥିଲା । ହେଲେ ସତ୍ୟତା ଏଯାଏ ଜଣାପଡ଼ିନି । ଏହାବାଦ୍ ବାର୍କ(Broadcast Audience Research Council) ଭଳି ସଂସ୍ଥା ମଧ୍ୟ ଜୁମ୍ ଆପ ବ୍ୟବହାର କରେ । ଏପ୍ରିଲ ୨ରେ ବାର୍କ ଭିଡିଓ କନ୍ଫରେନସିଂ ଜରିଆରେ ବୈଠକ କରୁଥିଲା । ପାଖାପାଖି ୬୦୦ ଜଣ ଏହି ବୈଠକରେ ସାମିଲ୍ ଥିଲେ । ହେଲେ ହଠାତ୍ ସାଇବର ହ୍ୟାକ୍ରମାନେ ଭିଡିଓ କନଫରେନସିଂ ବେଳର କଥାବର୍ତ୍ତାକୁ ହ୍ୟାକ କରିବାକୁ ଚେଷ୍ଟା କରିଥିଲେ ବୋଲି ଜଣାପଡ଼ିଥିଲା । ଏହାପରେ ଭାରତରେ ଏହି ଆପର ବ୍ୟବହାର ଏବଂ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା । ଏହି ଲକ୍ଡାଉନ୍ ବେଳେ ସିଙ୍ଗାପୁରରେ ଜଣେ ଶିକ୍ଷକ ଜୁମ୍ ଆପ୍ ବ୍ୟବହାର କରି ଭୂଗୋଳ ପଢ଼ାଉଥିବା ବେଳେ ହ୍ୟାକିଂ ହୋଇଥିବା ଅଭିଯୋଗ ହୋଇଥିଲା ।
ଏହାପରେ ସିଙ୍ଗାପୁରରେ ମଧ୍ୟ ଏହି ଆପ୍ ଉପରେ କଟକଣା ଲଗାଯାଇଛି । ଏବେ ଏପ୍ରିଲ ୧୬ରେ ଭାରତ ସରକାର ଏହି ଆପ୍ ବ୍ୟବହାର ନକରିବାକୁ ଆହ୍ୱାନ କରିଛନ୍ତି । ଭାରତ ଭଳି ଡିଜିଟାଲ ଦେଶ ବିଳମ୍ବରେ ଜୁମ୍ ଆପ୍ ଉପରେ ଏଭଳି ନିଷ୍ପତ୍ତି ନେବା ଗ୍ରହଣୀୟ ନୁହେଁ । ବହୁ ଆଗରୁ ଏହି ନିଷ୍ପତ୍ତି ନେବାର ଥିଲା । ଏମିତିକି ଜୁମ୍ ଆପର ଲଗ ଇନ୍ କଲେ ବ୍ୟବହାର ହେଉଥିବା ଆଇଡି ପାସ୍ଓ୍ୱାର୍ଡ ମଧ୍ୟ ସୁରକ୍ଷିତ ନୁହେଁ ବୋଲି ଗୃହ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି । ପୂର୍ବରୁ ଗୁଗୁଲ୍ ମଧ୍ୟ ନିଜ କର୍ମଚାରୀଙ୍କୁ ଜୁମ୍ ଆପ୍ ବ୍ୟବହାର କରିବାକୁ ମନାକରିଛି । ଆମେରିକାନ କମ୍ପାନୀ ଗୁଗୁଲ୍ର ମଧ୍ୟ ମୋବାଇଲ ଭିଡିଓ କନ୍ଫରେନସିଂ ଆପ୍ ‘ଡୁଓ’ ରହିଛି । ଲକ୍ଡାଉନ୍ବେଳେ ଭିଡିଓ କନ୍ଫରେନ୍ସିଂ ଆପର ଚାହିଦା ବଢ଼ୁଥିବା ଦେଖି ‘ଡୁଓ’ ଆପ୍ ପ୍ରିମିଅମ ଭର୍ସନର ଦାମ କମାଇ ଦେଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଲକ୍ଡାଉନ୍ ବେଳେ ଦିନରେ ୧୦ରୁ ଅଧିକ ଥର ଭିଡିଓ କନ୍ଫରେନସିଂ କରି ଅନେକ ସ୍ଥିତିର ସମୀକ୍ଷା କରୁଛନ୍ତି । ଏହି ବାର୍ତ୍ତାଳପ ବା ବୈଠକ ସୁରକ୍ଷିତ ଭିଡିଓ ଟ୍ରାନ୍ସମିଶନ ଜରିଆରେ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରୁ ଶାସନ ଗାଦି ସମ୍ଭାଳିଛନ୍ତି । ଦେଶକୁ ଆଗକୁ ନେବା ପାଇଁ ଡିଜିଟାଲ ଇଣ୍ଡିଆର ସ୍ୱପ୍ନ ଦେଖାଇଛନ୍ତି । ଦେଶବାସୀ ମଧ୍ୟ ପୂର୍ବ ତୁଳନାରେ ଡିଜିଟାଲ ବ୍ୟାକିଂ ପାଖରୁ ଆରମ୍ଭ କରି ଅନ୍ଲାଇନ୍ ସପିଂ, ଅନଲାଇନ୍ ପାଠପଢ଼ା, ଅନଲାଇନ୍ ଷ୍ଟ୍ରିମିଂ ପ୍ରତି ରୁଚି ରଖୁଛନ୍ତି । ଦେଶରେ ନାମିଦାମୀ ଆଇଟି କମ୍ପାନୀ ରହିଛି । ସତ୍ୟମ, ଇନ୍ଫୋସିସ୍, ଟିସିଏସ ଭଳି କମ୍ପାନୀ ରହିଛନ୍ତି । ହେଲେ ଏତେ ବଡ଼ ବଡ଼ ଆଇଟି କମ୍ପାନୀ ଥାଇ ମଧ୍ୟ ଦେଶବାସୀ ଚାଇନା ହେଉ କି ଆମେରିକାର ଆପ୍ ବ୍ୟବହାର କରିବା ଗ୍ରହଣୀୟ ନୁହେଁ । ଆମେରିକାନ କମ୍ପାନୀ ମାଇକ୍ରୋସଫ୍ଟ ହେଉ କି ଗୁଗୁଲ ସବୁଥିରେ ଭାରତୀୟ ବଂଶୋଦ୍ଭବ ମୁଖ୍ୟ ପଦବୀରେ ରହିଛନ୍ତି । ହେଲେ ସେହିଭଳି ବ୍ୟକ୍ତିତ୍ୱଙ୍କୁ ନିଜ ଦେଶରେ ସରକାର ନିୟୋଜିତ ନକରି ପାରିବା ସରକାରଙ୍କର ପାରିବା ପଣିଆକୁ ଦର୍ଶାଇଛି ।
ମୋଦିଙ୍କ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟିର ବହୁ ନେତା ଓ କର୍ମୀ ସରକାରଙ୍କ ସପକ୍ଷରେ ଓକିଲାତି କରି କୁହନ୍ତି ମୋଦି ସରକାର ଦୂରଦୃଷ୍ଟି ସମ୍ପନ୍ନ । ତେବେ ଏହି ସରକାର ଆମାଜନ ପ୍ରାଇମ୍, ନେଟଫ୍ଲିକ୍ସ ଭଳି ଆପ୍ ବ୍ୟବହାର କରିବା ପାଇଁ ଅନୁମତି ଦେଇଥିବାବେଳେ ଏକ ସ୍ୱଦେଶୀ ଭିଡିଓ କନ୍ଫରେନସିଂ ଆପ୍ ପାଇଁ ଆଗୁଆ ଚିନ୍ତା ନକରିବା ପ୍ରଧାନମନ୍ତ୍ରୀ ଏବଂ ଆଇଟି ମନ୍ତ୍ରଣାଳୟର ଏକ ବଡ଼ ବିଫଳତା ବୋଲି କୁହାଯାଇପାରିବ ।
ଚାଇନା ପାଖରେ ନିଜର ଭିଡିଓ କନଫରେନସିଂ ଆପ୍ ରହିଛି । ଏବେ ବିଶ୍ୱରେ ବ୍ୟବହାର ହେଉଥିବା ଅଧିକାଂଶ ଭିଡିଓ କନ୍ଫରେନସିଂ ଆପ୍ ଆମେରିକାର । ତେଣୁ ଭିଡିଓ କନ୍ଫରେନସିଂ ଆପ୍ ବଜାରରେ ଆମେରିକାର ପ୍ରଭାବ ରଖିଛି । ଋଷିଆ ପାଖରେ ମଧ୍ୟ ଭିଡିଓ କନ୍ଫରେନସିଂ ଆପ୍ ରହିଛି । ହେଲେ ଏହା କେବଳ ନିଜ ଦେଶ ପାଇଁ ରଖିଛି । ବିଶ୍ୱ ଡିଜିଟାଲ ମୁହାଁ ହେବା, ଇଣ୍ଟରନେଟ ଓ କମ୍ ସମୟରେ ଅଧିକ କାମର ଚାହିଦାକୁ ଦେଖିଲେ ଭିଡିଓ କନ୍ଫରେନସିଂ ଆପ୍ ବିଶ୍ୱ ବଜାରରେ ଲୋକପ୍ରିୟ ହେବାକୁ ଯାଉଛି । ବ୍ୟବହାର ଅନୁଯାୟୀ ଏହି ଆପ୍ ପାଇଁ ପଇସା ଦେବାକୁ ପଡ଼ିଥାଏ । ଭିଡିଓ କନଫରେନସିଂ ଜରିଆରେ ବୈଠକ କଲେ କାର୍ବନ ଡାଇଅକ୍ସସାଉଡ୍ କମ୍ ହେଉଛି । ଏହାର କାରଣ ଲୋକମାନେ ଗାଡ଼ି ମୋଟର ବ୍ୟବହାର ନକରି କେବଳ ଡାଟା ବ୍ୟବହାର କରୁଛନ୍ତି । ୟୁଏସଏ ଏବଂ ୟୁକେ ଭିଡିଓ କନ୍ଫରେନସିଂ ଜରିଆରେ ବୈଠକ କରି ଦେଶର ଅର୍ଥନୀତିକୁ ୧୯୦୦ କୋଟି ଆର୍ଥିକ ଲାଭ ଦେଇଛନ୍ତି । କାର୍ବନ ଡିସକ୍ଲୋଜର ପ୍ରୋଜେକ୍ଟ ଏବଂ ଏଟି ଆଣ୍ଡଟିର ମିଳିତ ଗବେଷଣାରେ ଏ ବାବଦରେ ଉଲ୍ଲେଖ ରହିଛି । ଭାରତ ସରକାର ମଧ୍ୟ ଖୁବ୍ଶୀଘ୍ର ଆଗାମୀ ଦିନରେ ଏହି ଆପ୍ ବ୍ୟବହାର କରି ଅନେକ ସରକାରୀ କାମର ସମୀକ୍ଷା ଏବଂ ବୈଠକ କରନ୍ତେ ତାହେଲେ ନେତା ଓ ମନ୍ତ୍ରୀଙ୍କ ଗସ୍ତ ଖର୍ଚ୍ଚ, ସୁରକ୍ଷା ଖର୍ଚ୍ଚ ବଞ୍ଚିପାରନ୍ତା । ତେଣୁ ଏବେ ସରକାର ଏବେ କଷ୍ଟ ସେଭିଂ, ଭିଡିଓ କନଫରେନସିଂରେ କ୍ୱାଲିଟି ଏବଂ ସାଇବର ନିରାପଦା ଥିବା ଆପ୍ ତିଆରି କରିବାର ଆବଶ୍ୟକ ରହିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।