ଦେବେନ୍ଦ୍ର ପୃଷ୍ଟି
ଗୋଟେ ଦେଶର ଜନତାଙ୍କ ପାଇଁ ବିକାଶ ଯୋଜନା କରିବା ନିମନ୍ତେ ସେହି ଦେଶର ଜନସଂଖ୍ୟା କେତେ ତାହା ଜାଣିବା ଦରକାର ପଡ଼େ। ଜନସଂଖ୍ୟା କେତେ ନଜାଣିଲେ କେତେ ଲୋକଙ୍କ ପାଇଁ ଯୋଜନା ହେବ? ଯୋଜନା କରିବା ସମୟରେ ଯୋଜନାକାରମାନେ ଜାଣିବା ନିହାତି ଦରକାର ଯେ ଦେଶର ଜନସଂଖ୍ୟା କେତେ, ସେମାନଙ୍କ ମଧ୍ୟରୁ କେତେ ଲୋକ ପାନୀୟ ଜଳ ପାଉ ନାହାନ୍ତି, କେତେ ଲୋକ ସାକ୍ଷର ଓ କେତେ ନିରକ୍ଷର, କେତେ ଲୋକଙ୍କ ଘରେ ବିଜୁଳି ସୁବିଧା ନାହିଁ, କେତେ ଲୋକଙ୍କ ନିମନ୍ତେ ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ହୋଇପାରି ନାହିଁ, କେତେ ଲୋକ ବେକାର, କେତେ ଲୋକଙ୍କ ରୋଜଗାର ସର୍ବନିମ୍ନ ଜୀବନ ଧାରଣ ମାନକୁ ବି କୁଳଉ ନାହିଁ- ଏମିତି ଅନେକ ପରିସଂଖ୍ୟାନ ବିନା ଲୋକଙ୍କ ବିକାଶ ଓ ପ୍ରଗତି ପାଇଁ ଫଳପ୍ରସୂ ଯୋଜନା ହୋଇପାରେ ନାହିଁ। ତେଣୁ ବିଶ୍ୱର ସମସ୍ତ ଦେଶ ଜନଗଣନା କରନ୍ତି। ସ୍ୱାଧୀନ ଭାରତରେ ମଧ୍ୟ ୧୯୫୧ ମସିହାରୁ ପ୍ରତି ୧୦ ବର୍ଷ ଅନ୍ତରରେ ଜନଗଣନା ହୋଇଆସୁଛି। ଏହି ଜନଗଣନା ରିପୋର୍ଟ ମଧ୍ୟ ନିୟମିତ ଭାବେ ପ୍ରକାଶ କରାଯାଉଛି।
ତେବେ, ଏହି ପ୍ରକ୍ରିୟାକୁ ଅଧିକ ତ୍ରୁଟିଶୂନ୍ୟ ଓ ଯୋଜନାବଦ୍ଧ କରିବା ପାଇଁ ୨୦୧୦ ମସିହାରେ ତତ୍କାଳୀନ ଉପା ସରକାର ଜାତୀୟ ଜନସଂଖ୍ୟା ପଞ୍ଜିକା ବା ନେସ୍ନାଲ୍ ପପୁଲେସନ ରେଜିଷ୍ଟର ସଂକଳନ ଆରମ୍ଭ କରିଥିଲେ। ପରେ ୨୦୧୫ ମସିହାରେ ଏଥିରେ ସଂଶୋଧନ କରାଯାଇଥିଲା। ସଂଶୋଧନ ଅର୍ଥ ହାଲ ବା ସମସାମୟିକ କରିବା। ଯେହେତୁ ଜନସଂଖ୍ୟାରେ ପ୍ରତିବର୍ଷ ଅନେକ ଲୋକ ଯୋଡ଼ି ହେଉଛନ୍ତି ନିୟମିତ ବ୍ୟବଧାନରେ ସେମାନଙ୍କର ମଧ୍ୟ ପଞ୍ଜିକରଣ ହେବା ଦରକାର। ଏବେକାର ମୋଦୀ ସରକାର ଏହି ଜନସଂଖ୍ୟା ପଞ୍ଜିକା ବା ଏନପିଆରକୁ ସମସାମୟିକ କରିବା ପାଇଁ ଡିସେମ୍ବର ୨୪ ତାରିଖରେ ନିଷ୍ପତ୍ତି ଗ୍ରହଣ କରିଛନ୍ତି। କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତ୍ତି ଗ୍ରହଣ କରିବା ପରେ ମନ୍ତ୍ରୀ ପ୍ରକାଶ ଜାଭଦେକର ଗଣମାଧ୍ୟମକୁ କହିଛନ୍ତି ଯେ ଏହା ନାଗରିକତା ସଂଶୋଧନ ଆଇନ ଏବଂ ଜାତୀୟ ନାଗରିକ ପଞ୍ଜିକରଣଠାରୁ ସଂପୂର୍ଣ୍ଣ ଭିନ୍ନ। ଜନସଂଖ୍ୟା ପଞ୍ଜିକରଣ ପାଇଁ ମଧ୍ୟ କୌଣସି ଦଲିଲ ଦସ୍ତାବିଜ ଦରକାର ନାହିଁ। ଏଥିରେ କେବଳ ଲୋକମାନେ ନିଜ ଇଚ୍ଛାରେ ନିଜ ସଂପର୍କରେ କେତେକ ତଥ୍ୟ ଦାଖଲ କରିବେ। ତାହା ନିଜର ନାଁ, ବାପା/ମା’ଙ୍କ ନାଁ, ଠିକଣା, ବୟସ ଓ ଲିଙ୍ଗ ଆଦି ମଧ୍ୟରେ ସୀମୀତ ରହିବ। ପୂର୍ବ ନିୟମ ଅନୁସାରେ ଜଣେ ଲୋକ ଯେଉଁ ସ୍ଥାନରେ ୬ ମାସ ଧରି ରହିଥିବେ ଏବଂ ଆଗକୁ ୬ ମାସ ଧରି ରହିବାର ଥିବ ସେହିମାନେ ସେହି ସ୍ଥାନରେ ନିଜର ପଞ୍ଜିକରଣ କରିପାରିବେ।
ତେବେ, ୨୦୨୧ ମସିହାରେ ଭାରତର ଅଷ୍ଟମ ଜନଗଣନା ଅନୁଷ୍ଠିତ ହେବ। ତା’ର ମାତ୍ର ୨ ବର୍ଷ ପୂର୍ବରୁ ସରକାର ଜାତୀୟ ଜନସଂଖ୍ୟା ପଞ୍ଜିକାକୁ ଅପ୍ଡେଟ୍ ବା ସମସାମୟିକ କରିବାର ଆବଶ୍ୟକତା ଅନୁଭବ କଲେ କାହିଁକି? ଏପରି ଏକ ପ୍ରଶ୍ନ ବିଭିନ୍ନ ମହଲରେ ଉଠିପାରେ। ସରକାରଙ୍କ ସ୍ପଷ୍ଟୀକରଣ ହେଉଛି, ୨୦୨୦ ଏପ୍ରିଲରୁ ସେପ୍ଟେମ୍ବର ମାସରେ ଜାତୀୟ ଜନ ପଞ୍ଜିକା ଅପ୍ଡେଟ୍ ହେବା ପରେ ୨୦୨୧ ଜନଗଣନା ପ୍ରକ୍ରିୟାରେ ସଂଗୃହୀତ ହେଉଥିବା ପରିବାରର ଅନ୍ୟାନ୍ୟ ତଥ୍ୟ ମଧ୍ୟ ଯୋଡ଼ାଯିବ। ଏସବୁ ତଥ୍ୟ ଆପାତତଃ ଯୋଜନା ପାଇଁ ଦରକାର। ଯୋଜନା ପାଇଁ ଭାରତ ସରକାର ଜାତୀୟ ନମୂନା ସର୍ବେକ୍ଷଣ ସଂସ୍ଥା ବା ଏନଏସଏସ ଜରିଆରେ ମଧ୍ୟ ପରିବାର ସଂପର୍କୀତ ଅନେକ ତଥ୍ୟ ସଂଗ୍ରହ କରିଥାନ୍ତି। କେଉଁ ପରିବାରରେ ନିର୍ଭରଶୀଳ ଲୋକଙ୍କ ସଂଖ୍ୟା କେତେ, ସେହି ପରିବାରର ଆୟ କେତେ, ପରିବାର ନିକଟରେ ଜାଳେଣି ଗ୍ୟାସ ଓ ବିଜୁଳି ସୁବିଧା ଆଦି ଉପଲବ୍ଧ କି ନୁହେଁ, ଟେଲିଫୋନ ସୁବିଧା ଅଛି କି ନାହିଁ, ଦୁଇ ଚକିଆ କି ଚାରି ଚକିଆ ଗାଡ଼ି ଅଛି କି, ଟିଭି ଓ ଫ୍ରିଜ୍ ଆଦି ବ୍ୟବହାର କରୁଛନ୍ତି କି ପରିବାରର ମୁଖ୍ୟ ଆୟସୂତ୍ର କ’ଣ- ଏହିପରି ଅନେକ ତଥ୍ୟ ସଂଗ୍ରହ କରାଯାଇ ଯୋଜନା ପ୍ରସ୍ତୁତ ହୁଏ। ଏନପିଆର ଓ ଏନଏସଏସଓ ତଥ୍ୟକୁ ମିଳେଇଲେ ଦେଶର ପ୍ରକୃତ ପ୍ରଗତି ସଂପର୍କରେ ଗୋଟେ ସ୍ପଷ୍ଟ ଧାରଣା କରିହୁଏ।
ତେବେ, ପୁଣି ପ୍ରଶ୍ନ ଉଠିପାରେ, ସରକାର ପୂର୍ବରୁ ପ୍ରଚଳନ କରିଥିବା ଆଧାର ବା ଜାତୀୟ ପରିଚୟପତ୍ର କାର୍ଯ୍ୟକ୍ରମରେ ତ ଲୋକମାନେ ନିଜ ଆଡ଼ୁ ଏଭଳି ଅନେକ ତଥ୍ୟ ଦେଇଛନ୍ତି, ପୁଣି ଏକ ପଞ୍ଜିକା କ’ଣ ପାଇଁ? ଏଭଳି ପ୍ରଶ୍ନ ଅମୂଳକ ନୁହେଁ। ଭାରତର ଶାସନ କଳ ପୂର୍ବରୁ ଲୋକମାନଙ୍କୁ ଭୋଟର ଭାବେ ପଞ୍ଜିକୃତ କରିଛନ୍ତି ଓ ପ୍ରତି ନିର୍ବାଚନ ପୂର୍ବରୁ ତାହାକୁ ଅପ୍ଡେଟ୍ କରାଯାଉଛି। ଭୋଟର ପରିଚୟପତ୍ରରେ ମଧ୍ୟ ଲୋକଙ୍କ ନାଁ, ବାପାଙ୍କ ନାଁ, ଜନ୍ମ ତାରିଖ ଓ ଠିକଣା ଆଦି ରହୁଛି। ସରକାର ପ୍ରଦାନ କରୁଥିବା ରାସନ କାର୍ଡ଼ରେ ବି ପରିବାର ସଦସ୍ୟମାନଙ୍କର ନାଁ ତାଲିକାଭୁକ୍ତ ହେଉଛି। ଆଧାର କାର୍ଡ଼ରେ ଲୋକର ନାଁ ଓ ଠିକଣା ସହିତ ବାୟୋମେଟ୍ରିକ ବା ଜୀବମିତିକ ସୂଚନା ଅର୍ଥାତ ଆଖି ପୁଅଡୋଳା, ମୁହଁ ଓ ହାତ ଆଙ୍ଗୁଳି ଚିହ୍ନ ଆଦି ତଥ୍ୟ ରେକର୍ଡ଼ କରାଯାଉଛି। ଭୋଟର ପରିଚୟପତ୍ର ଜନସଂଖ୍ୟା ନୁହେଁ। କାରଣ ଭାରତର ସବୁ ଲୋକ ଭୋଟର ନୁହନ୍ତି- କେବଳ ସାବାଳକ ବା ଯେଉଁମାନଙ୍କୁ ୧୮ ବର୍ଷ ବୟସ ହୋଇଛି ସେମାନେ ଭାରତର ଭୋଟର ବା ମତଦାତା ହୋଇପାରିବେ। କିନ୍ତୁ ଯେଉଁମାନଙ୍କର ଆଧାର କାର୍ଡ଼ ଅଛି ସେମାନେ ନିଶ୍ଚୟ ଭାରତର ଲୋକ। ଭାରତ ସରକାରଙ୍କ ଦାବି ଅନୁସାରେ ଇତିମଧ୍ୟରେ ଦେଶର ପ୍ରାୟ ୯୮ ପ୍ରତିଶତ ଲୋକ ଆଧାର ବା ଅନନ୍ୟ ପଞ୍ଜିକରଣ ପ୍ରକ୍ରିୟାରେ ପଞ୍ଜୀକୃତ ହୋଇସାରିଛନ୍ତି। ତେଣୁ ସେହି ଆଧାର-ଧାରୀ ଲୋକମାନଙ୍କ ନାମକୁ ଜାତୀୟ ଜନସଂଖ୍ୟା ପଞ୍ଜିକାରେ ତାଲିକାଭୁକ୍ତ କରାଯାଇ ପାରନ୍ତା। ଏହା ନକରି ସରକାର କାହିଁକି ପୁଣି ଥରେ ଜନ ପଞ୍ଜିକା କରିବାକୁ ୧୩ ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି? ବିରୋଧୀ ଦଳଗୁଡ଼ିକ ଏହି ବ୍ୟୟବରାଦ ଉପରେ ପ୍ରଶ୍ନ କରିପାରନ୍ତି। ମାତ୍ର, ଜାତୀୟ ଜନ ପଞ୍ଜିକା ଯେ ଆଦୌ ଦରକାର ନାହିଁ ବା ଏହା ଜାତୀୟ ନାଗରିକ ପଞ୍ଜିକା ପରି ଜନସ୍ୱାର୍ଥ ବିରୋଧୀ ତାହା କହିବା ଠିକ ନୁହେଁ।
ଯେହେତୁ ବର୍ତ୍ତମାନର କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ ଓ ଜାତୀୟ ନାଗରିକ ପଞ୍ଜିକା ଉପରେ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ଓ ଯାହା ବିରୋଧରେ ସଂପ୍ରତି ସମଗ୍ର ଦେଶରେ ପ୍ରାୟ ଆନ୍ଦୋଳନ ଚାଲିଛି, ଠିକ ଏହି ସମୟରେ ଜାତୀୟ ଜନ ପଞ୍ଜିକା କଥା ଉଠାଇବା ଅନେକ ଲୋକଙ୍କୁ ସରକାରଙ୍କ ଉଦ୍ଦେଶ୍ୟ ନେଇ ସନ୍ଦେହରେ ପକାଇପାରେ। ଏହା ବି ଅମୂଳକ ନୁହେଁ। ଏଇ ସରକାରର ପ୍ରଥମ ଦଫାରେ ମନ୍ତ୍ରୀ କୀରଣ ରିଜୁଜି ସଂସଦରେ ବୟାନ ଦେଇ ଦୃଢ଼ତାର ସହିତ କହିଥିଲେ ଯେ ସରକାର ଜାତୀୟ ଜନ ପଞ୍ଜିକାକୁ ଜାତୀୟ ନାଗରିକ ପଞ୍ଜିକାର ଆଧାର ଭାବେ ଗ୍ରହଣ କରିବେ। ଅର୍ଥାତ ଜାତୀୟ ଜନ ପଞ୍ଜିକା ଆଧାରରେ ଜାତୀୟ ନାଗରିକ ପଞ୍ଜିକା ପ୍ରସ୍ତୁତ ହେବ। ଠିକ ସେହିପରି ବର୍ତ୍ତମାନର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ସଂସଦରେ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ ପରେ ପରେ ଜାତୀୟ ନାଗରିକ ପଞ୍ଜିକା ପ୍ରସ୍ତୁତ ହେବ। ଏହି ଦୁଇ ମନ୍ତ୍ରୀଙ୍କର ଏପରି ବୟାନରୁ ସବୁ ସନ୍ଦେହ ଓ ଆଶଙ୍କାର ସୂତ୍ରପାତ ଘଟିଛି। ତେବେ, ଆନ୍ଦୋଳନ ବ୍ୟାପିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ତାର ସହ କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ ଓ ଜାତୀୟ ନାଗରିକ ପଞ୍ଜିକା ମଧ୍ୟରେ କିଛି ସଂପର୍କ ନାହିଁ ଓ ସରକାର ମଧ୍ୟ ଜାତୀୟ ନାଗରିକ ପଞ୍ଜିକା କାର୍ଯ୍ୟକ୍ରମ ସମଗ୍ର ଦେଶରେ ପ୍ରଚଳନ କରିବେ ବୋଲି ନିଷ୍ପତ୍ତି ନେଇନାହାନ୍ତି। ସେ ଏହା କହିବାର ଦୁଇ ଦିନ ପରେ ଜାତୀୟ ଜନ ପଞ୍ଜିକା ଅପ୍ଡେଟ୍ ନିଷ୍ପତ୍ତି ନିଆଯାଇଛି। ତେଣୁ କେତେକ ମହଲ, ବିଶେଷକରି ବିରୋଧୀ ରାଜନୀତିକ ପକ୍ଷ ଏଥିରୁ ଖୁଣ ବାହାର କରିବା ସ୍ୱାଭାବିକ।