ଚିରାଗ ପ୍ରକରଣ ଏକ ଅଭିନବ ପ୍ରୟୋଗ କି ?

ସରଳ କୁମାର ଦାସ

କଳେ ବଳେ କୌଶଳେ ନିର୍ବାଚନ ଜିତିବା ଲାଗି ପ୍ରାର୍ଥୀ ଓ ରାଜନୈତିକ ଦଳମାନେ ଉଚିତ ଅନୁଚିତ ବିଭିନ୍ନ ପ୍ରକାର ଉଦ୍ୟମ କରିବାକୁ ପଛାଇ ନ ଥାଆନ୍ତି। ନିର୍ବାଚନକୁ ଯୁଦ୍ଧ ସଦୃଶ ମନେ କରି ପ୍ରତିପକ୍ଷକୁ ପରାହତ କରିବା ପାଇଁ ଅଭିନବ କୌଶଳମାନଙ୍କର ପ୍ରୟୋଗ ହୋଇଥାଏ। ଯେମିତି ପ୍ରତିପକ୍ଷର ଭୋଟ କାଟିବା ପାଇଁ ବିଦ୍ରୋହୀ ପ୍ରାର୍ଥୀ ଠିଆ କରାଇବା, ସମାନ ନାମଧାରୀ ଅନ୍ୟ ପ୍ରାର୍ଥୀ ଠିଆ କରାଇବା ବା ଅଧିକ ସଂଖ୍ୟକ ପ୍ରାର୍ଥୀ ଠିଆ କରାଇ ମତଦାତାଙ୍କୁ ବିଭ୍ରାନ୍ତ କରିବା ଇତ୍ୟାଦି। ସେଥିରୁ କିଛି ଅନୈତିକ ହୋଇ ଥିଲେ ବି ‘ଯୁଦ୍ଧ ଓ ପ୍ରେମରେ ସବୁ କିଛି ବୈଧ’ ନ୍ୟାୟରେ ତାହା ଗ୍ରହଣୀୟ ହୋଇଯାଏ। ତେବେ ନିର୍ବାଚନରେ ମେଣ୍ଟ ଅଂଶୀଦାର ଦଳର ଭୋଟ କାଟି ନିର୍ଦ୍ଧାରିତ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ଯେ ଗୋଟେ ରାଜନୈତିକ ଦଳକୁ ଉପଯୋଗ କରା ଯାଇପାରେ, ତା’ର ଅଭିନବ ପ୍ରୟୋଗ ନିକଟରେ ସମାପ୍ତ ହୋଇଥିବା ବିହାର ନିର୍ବାଚନରେ ଦେଖିବାକୁ ମିଳିଥିଲା। ଚିରାଗ ପାଶଓ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି ଏକୁଟିଆ ୧୩୭ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ମାତ୍ର ଗୋଟିଏ ଆସନ ପାଇଥିଲେ ବି ଜେଡିୟୁ ଦଳର ପ୍ରଭୂତ କ୍ଷତି ସାଧନ କରିବାକୁ ସମର୍ଥ ହୋଇଛି। କେନ୍ଦ୍ର ସରକାରରେ ଏନଡିଏର ଘଟକ ଦଳ ଭାବେ ଥିବା ଏଲଜେପି, ରାଜ୍ୟରେ ଏନଡିଏର ଅନ୍ୟ ଗୋଟିଏ ଘଟକ ଦଳ ବିରୁଦ୍ଧରେ ନିର୍ବାଚନରେ ପ୍ରାର୍ଥୀ ଦେବା ନିଷ୍ପତ୍ତି କେବଳ ସେହି ଦଳର, ନା ଏକ ବୃହତ୍ତର ରାଜନୈତିକ ଉଦ୍ଦେଶ୍ୟ ହାସଲ କରିବା ପାଇଁ ଏହା ଏକ ସୁଚିନ୍ତିତ ପ୍ରୟୋଗ, ତାହା ତର୍ଜମା ସାପେକ୍ଷ।

ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ଦିବଙ୍ଗତ ନେତା ରାମ ବିଲାସ ପାଶଓ୍ୱାନଙ୍କୁ ନିର୍ବାଚନୀ ମୌସୁମୀ ବିଶେଷଜ୍ଞ ବୋଲି କୁହା ଯାଉଥିଲା, କାରଣ ସେ ନିର୍ବାଚନରେ ଯେଉଁ ମେଣ୍ଟ ସହ ରହୁଥିଲେ ପ୍ରାୟତଃ ସେହି ମେଣ୍ଟ କେନ୍ଦ୍ରରେ ସରକାର ଗଠନ କରୁଥିଲା। ଅନେକ ସମୟରେ ଠିକ୍ ନିର୍ବାଚନ ପୂର୍ବରୁ ସେ ମେଣ୍ଟ ବଦଳାଇଥିଲେ ଓ ସେ ସାମିଲ ଥିବା ମେଣ୍ଟଟିର ସବୁବେଳେ ଜିତାପଟରେ ରହି ସରକାର ଗଠନ କରୁଥିଲା। ହେଲେ ବିହାରରେ ତାଙ୍କ ପୁଅ ତଥା ଏଲଜେପିର ସଭାପତି ଚିରାଗ ପାଶଓ୍ୱାନ ଏ ଥର କାହିଁକି ଏନଡିଏର ଜିତାପଟରେ ସାମିଲ ନ ହୋଇ ଏକୁଟିଆ ନିର୍ବାଚନ ଲଢି ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କଲେ, ତାହା ଅନେକଙ୍କୁ ଚକିତ କରିଥିଲା।

୨୦୧୫ରେ ବିଧାନସଭା ନିର୍ବାଚନରେ ଏଲଜେପି ଏନଡିଏର ଅଂଶୀଦାର ଭାବେ ୪୨ଟି ଆସନରେ ଲଢି ୨ଟି ଆସନ ପାଇଥିଲା। ଅବଶ୍ୟ ସେତେବେଳେ ଜେଡିୟୁ ଏନଡିଏର ଅଂଶବିଶେଷ ନ ଥିଲା। ଜେଡିୟୁ ପୁଣି ଏନଡିଏରେ ସାମିଲ ହେଲା ପରେ ଚଳିତ ନିର୍ବାଚନରେ ଏନଡିଏର ଘଟକ ଦଳମାନଙ୍କ ଭିତରେ ଆସନ ବଣ୍ଟନ ନେଇ ସମସ୍ୟା ଉପୁଜିଥିଲେ ବି ଉଭୟ ବିଜେପି ଓ ଜେଡିୟୁ ସମାନ ସଂଖ୍ୟକ ଆସନରେ ନିର୍ବାଚନ ଲଢିବେ ବୋଲି ଘୋଷଣା ହେଲା। ସେତିକିବେଳେ ଏନଡିଏର ତୃତୀୟ ଘଟକ ଏଲଜେପି ନିଜ ପାଇଁ ୪୨ଟି ଆସନ ଦାବି କଲା। ଏହି ଦାବି ପଛରେ ଯୁକ୍ତି ଥିଲା, ବିହାରରୁ ଏଲଜେପିର ୬ ଜଣ ଲୋକସଭା ସଦସ୍ୟ ଥିବାରୁ ପ୍ରତି ଲୋକସଭା ପାଇଁ ୭ ବିଧାନସଭା ଆସନ ଏହିପରି ୪୨ଟି ଆସନ ସେମାନଙ୍କର ପ୍ରାପ୍ୟ। ଏଲଜେପିକୁ ଏତେ ସଂଖ୍ୟକ ଆସନ ଛାଡିବା ପାଇଁ ଜେଡିୟୁ ତ ବିରୋଧ କରିଥିଲା ବିଜେପି ମଧ୍ୟ ପ୍ରସ୍ତୁତ ନ ଥିଲା ବୋଲି ସୂଚନା ମିଳେ। ତେଣୁ ଏଲଜେପି ଆଗରେ ଏନଡିଏ ମେଣ୍ଟରୁ ଓହରି ଯାଇ ଏକୁଟିଆ ଲଢିବା ବ୍ୟତୀତ ଅନ୍ୟ ରାସ୍ତା ନ ଥିଲା।

ନିର୍ବାଚନ ପ୍ରଚାର ସମୟରେ ନୀତୀଶ କୁମାରଙ୍କ ଦୁର୍ନୀତି ଓ କୁଶାସନକୁ ପ୍ରସଙ୍ଗ କରି ଚିରାଗ ତାଙ୍କୁ ତୀବ୍ର ସମାଲୋଚନା କରୁଥିଲେ ବି ବିଜେପି ବିରୁଦ୍ଧରେ ପଦଟିଏ କହୁ ନଥିଲେ। ଅନ୍ୟ ପକ୍ଷରେ ପ୍ରାଥମିକ ଅବସ୍ଥାରେ ତାଙ୍କ ଦଳର ନିର୍ବାଚନୀ ସଭା ଓ ଶୋଭାଯାତ୍ରାମାନଙ୍କରେ ମୋଦିଙ୍କ ଫଟୋ ବ୍ୟବହାର କରିବାକୁ ବିରୋଧ ହେବାରୁ ଚିରାଗ ପାଶଓ୍ୱାନ ନିଜକୁ ମୋଦିଙ୍କ ‘ହନୁମାନ’ ବୋଲି ପ୍ରକାଶ୍ୟରେ ଘୋଷଣା କରି ବିଜେପି ଓ ମୋଦିଙ୍କ ପ୍ରତି ତାଙ୍କ ଆନୁଗତ୍ୟ ଜାହିର କରିବାକୁ ପଛାଇଲେ ନାହିଁ। ଏପରିକି ନିର୍ବାଚନ ପରେ ଦଳ ବିଜେପି ସହ ମିଶି ସରକାର ଗଠନ କରିବ ଓ ବିଜେପିର ମୁଖ୍ୟମନ୍ତ୍ରୀ କରାଇବାରେ ସହାୟକ ହେବ ବୋଲି ଘୋଷଣା ହେଲା, ଯାହା ଏନଡିଏକୁ ନେଇ ମତଦାତାଙ୍କ ମଧ୍ୟରେ କିଛିଟା ବିଭ୍ରାନ୍ତି ସୃଷ୍ଟି କଲା। ଏହା ବିଜେପିକୁ ସୁହାଉଥିବାରୁ ‘କର୍ଣ୍ଣ ମଲେ ପାଞ୍ଚ ଅର୍ଜୁନ ମଲେ ପାଞ୍ଚ’ ନ୍ୟାୟରେ ବିଜେପି ମଧ୍ୟ ଉପର ଠାଉରିଆ ଭାବେ ଏଲଜେପିକୁ ଭୋଟକଟା ଦଳ ବୋଲି କହୁଥିଲେ ବି ଏନଡିଏରେ ଥାଇ ଏନଡିଏ ବିରୋଧୀ ଗତିବିଧି ପାଇଁ ଏଲଜେପି ବିରୁଦ୍ଧରେ କୌଣସି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ତାକୁ ପରୋକ୍ଷରେ ପ୍ରଶ୍ରୟ ଦେଇଥିଲା। ଦଳୀୟ ଟିକେଟରୁ ବଞ୍ଚିତ ଅନ୍ୟ ଚାରିଟି ପ୍ରମୁଖ ଦଳର କିଛି ବିଦ୍ରୋହୀ ନେତା ଏଲଜେପିରୁ ନିର୍ବାଚନ ଲଢିବା ପାଇଁ ସେଥିରେ ସାମିଲ ହୋଇଗଲେ। ବିଶେଷ କରି ବିଜେପିର ଯେଉଁ ଗୋଷ୍ଠୀଟି ନୀତୀଶ କୁମାରଙ୍କୁ ବିରୋଧ କରି ବିଜେପି ଏକୁଟିଆ ନିର୍ବାଚନ ଲଢିବା ସପକ୍ଷରେ ଥିଲେ ସେମାନେ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରସ୍ତୁତ କରିବା ନିଷ୍ପତ୍ତିକୁ ଗ୍ରହଣ କରି ପାରି ନ ଥିଲେ। ଏଲଜେପିର ନୀତୀଶ ବିରୋଧୀ ମନୋଭାବ ଯୋଗୁ ବିଜେପି ଓ ଆରଏସଏସର ପ୍ରାୟ ୨୫ ଜଣ ବିଦ୍ରୋହୀ ନେତାଙ୍କୁ ଏଲଜେପି ନିଜ ଦଳକୁ ଆଣି ସେମାନଙ୍କୁ ନିର୍ବାଚନରେ ଅବତୀର୍ଣ୍ଣ କରାଇବାକୁ ସମର୍ଥ ହୋଇଥିଲା। ରଣନୀତି ଅନୁଯାୟୀ ଏନଡିଏର ଅନ୍ୟ ସହଯୋଗୀ ଦଳ ଜେଡିୟୁ, ଭିଆଇପି ଓ ହାମ ବିରୁଦ୍ଧରେ ଦଳ ପ୍ରାର୍ଥୀ ଦେଇ ଥିଲେ ବି ବିଜେପି ବିରୁଦ୍ଧରେ ପ୍ରାର୍ଥୀ ଦେଇ ନଥିଲା। ହୁଏତ ଏଲଜେପିରେ ସାମିଲ ହୋଇଥିବା କିଛି ବିଦ୍ରୋହୀ ବିଜେପି ନେତାଙ୍କ ଚାପ କ୍ରମେ ଅଳ୍ପ କେତୋଟି ଆସନରେ ଦଳ ବିଜେପି ବିରୁଦ୍ଧରେ ଲଢିଥିଲା।

ଏଲଜେପି ଲଢିଥିବା ୧୩୭ଟି ସ୍ଥାନ ମଧ୍ୟରୁ ଗୋଟିକରେ ଜିତି ୯ଟିରେ ଦ୍ୱିତୀୟ ସ୍ଥାନରେ ରହିଛି ଓ ପ୍ରାୟ ୨୫ ଲକ୍ଷ ଭୋଟ ହାସଲ କରିଛି। ହେଲେ ଏନଡିଏ ପ୍ରାର୍ଥୀ ହାରିଥିବା ୩୮ଟି ଆସନରେ ଏଲଜେପି ପାଇଥିବା ଭୋଟସଂଖ୍ୟା ବିଜୟୀ ପ୍ରାର୍ଥୀଙ୍କ ବିଜୟ ବ୍ୟବଧାନଠାରୁ ଅଧିକ ହୋଇ ଥିବାରୁ ଅନ୍ତତଃ ସେହି ଆସନଗୁଡିକ ଏଲଜେପି ପାଇଁ ଏନଡିଏ ହରାଇଲା ବୋଲି ଧରି ନେବାକୁ ହେବ। ଏହିପରି ସର୍ବାଧିକ ୩୨ଟି ଆସନରେ ଜେଡିୟୁ, ୪ଟି ଆସନରେ ଭିଆଇପି ଓ ଗୋଟିଏ ଲେଖାଏଁ ଆସନରେ ହାମ ଓ ବିଜେପି କ୍ଷତିଗ୍ରସ୍ତ ହୋଇଛନ୍ତି। ଏଲଜେପି ଜିତିଥିବା ଗୋଟିଏ ଆସନରେ ମଧ୍ୟ ଜେଡିୟୁ ମାତ୍ର ୩୩୩ ଖଣ୍ଡ ଭୋଟରେ ହାରିଛି। ଏଲଜେପି ପାଇଁ ମହା ଗଠବନ୍ଧନ ବି କିଛି ଆସନ ହରାଇଛି। ଉଲ୍ଲେଖଯୋଗ୍ୟ, ଏଲଜେପି ଏନଡିଏ ମେଣ୍ଟରେ ୪୨ଟି ଆସନ ଦାବି କରୁଥିବା ବେଳେ ମେଣ୍ଟରେ ନ ରହି ଏକୁଟିଆ ଲଢିବା ଯୋଗୁ ତା’ ଦ୍ୱାରା ଏନଡିଏ ସମୁଦାୟ ୩୯ଟି ଆସନ ହରାଇଛି। ପୁନଶ୍ଚ, ନିର୍ବାଚନରେ ବିଜେପି ୭୪ଟି ଓ ଜେଡିୟୁ ୪୩ଟି ଆସନ ପାଇଥିବା ବେଳେ ଉଭୟଙ୍କ ମଧ୍ୟରେ ଆସନ ବ୍ୟବଧାନ ୩୧, ଯାହା ଏଲଜେପି ଯୋଗୁ ଜେଡିୟୁ ହରାଇଥିବା ଆସନ ସଂଖ୍ୟାଠାରୁ ଦୁଇଟି କମ। ତେଣୁ ବିଜେପି ତୁଳନାରେ ଜେଡିୟୁର ଆସନ ସଂଖ୍ୟା ଯଥେଷ୍ଟ କମ କରାଇ ଜେଡିୟୁର ଗୁରୁତ୍ୱ ଓ ମୂଲଚାଲ କ୍ଷମତାକୁ ହ୍ରାସ କରାଇବାରେ ଏଲଜେପି ଏକ ମୁଖ୍ୟ ଭୂମିକା ନିର୍ବାହ କରିଛି, ଯାହା ଯୋଜନା ମୁତାବକ ହୋଇଥିଲା ପରି ଜଣା ପଡୁଛି।

ନିର୍ବାଚନ ଫଳାଫଳ ଘୋଷଣା ହେଲା ପରେ ନୀତୀଶ କୁମାର କାହାରି ନାମ ନ ନେଇ ଦୋଷ ଦେଇଥିଲେ, “କିଛି ଲୋକ ବିଭ୍ରାନ୍ତି ପ୍ରଚାର କରିବାକୁ ପ୍ରୟାସ କରି ସେଥିରେ ସଫଳ ହୋଇଛନ୍ତି ମଧ୍ୟ”। ଏପରିକି ଏନଡିଏର କିଛି ନେତାଙ୍କ ବିଶ୍ୱାସ ଯେ ଏଲଜେପି ଏନଡିଏ ମେଣ୍ଟକୁ କ୍ଷତି ପହଞ୍ଚାଇ ନ ଥିଲେ ଏନଡିଏ ଦୁଇ ତୃତୀୟାଂଶ ଆସନରେ ବିଜୟ ଲାଭ କରି ଥାଆନ୍ତା ଓ ମହା ଗଠବନ୍ଧନ ଶହେ ଆସନ ବି ଛୁଇଁ ପାରି ନ ଥାଆନ୍ତା। ପ୍ରଶ୍ନ ଉଠୁଛି, ଏଲଜେପି ଏକୁଟିଆ ନିର୍ବାଚନ ଲଢିବା ଯୋଗୁ ବିହାରର ମତଦାତା ସତରେ କ’ଣ ବିଭ୍ରାନ୍ତ ହୋଇଗଲେ? ନିର୍ବାଚନର ବହୁ ପୂର୍ବରୁ ଚିରାଗ ତାଙ୍କ ନୀତୀଶ ବିରୋଧୀ ଆଭିମୁଖ୍ୟକୁ ସ୍ପଷ୍ଟ ଓ ଶାଣିତ କରି ସାରିଥିବାରୁ ତାଙ୍କୁ ଭୋଟ ଦେଇଥିବା ମତଦାତାମାନେ ବିଭ୍ରାନ୍ତ ହୋଇ ଭୋଟ ଦେଇଛନ୍ତି ବୋଲି କହିବା ଠିକ ହେବନାହିଁ। ଉଭୟଙ୍କ ମଧ୍ୟରେ ତିକ୍ତତାର ଅନ୍ୟତମ କାରଣ ହେଉଛି ବିହାରରେ ଦଳିତ ବର୍ଗର ସର୍ବମାନ୍ୟ ନେତା ଭାବେ ଗୃହୀତ ରାମବିଲାସ ପାଶଓ୍ୱାନଙ୍କ ଗୁରୁତ୍ୱକୁ ନୀତିଶ କୁମାର ୨୦୦୯ ମସିହାରେ ଦଳିତଙ୍କ ମଧ୍ୟରେ ‘ମହାଦଳିତ’ ବର୍ଗ ସୃଷ୍ଟି କରି ହ୍ରାସ କରିବାକୁ ସକ୍ଷମ ହୋଇଥିଲେ। ସମୁଦାୟ ୧୬ ପ୍ରତିଶତ ଥିବା ଦଳିତ ବର୍ଗରୁ ୧୦ ପ୍ରତିଶତ ମହାଦଳିତଙ୍କୁ ଅଲଗା କରି ଦେବାରୁ ରାମବିଲାସଙ୍କ ପ୍ରତିପତ୍ତି ହ୍ରାସ ପାଇବା ସହ ସେ କେବଳ ଦଳିତ ବର୍ଗର ପାଶଓ୍ୱାନ ଉପଜାତିର ନେତା ହୋଇ ରହିଗଲେ। ତେଣୁ ଉଭୟଙ୍କ ମଧ୍ୟରେ ଥିବା ଅହିନକୁଳ ସମ୍ପର୍କ ଯୋଗୁ ନୀତୀଶ କୁମାରଙ୍କୁ ନେତା ଭାବେ ଗ୍ରହଣ କରିବା ଚିରାଗଙ୍କ ପକ୍ଷରେ ଆଦୌ ସମ୍ଭବ ହୋଇ ନ ଥାଆନ୍ତା।

ଏଲଜେପି ଏନଡିଏରେ ସାମିଲ ହୋଇଥିଲେ ବା ଏକୁଟିଆ ଲଢି ନ ଥିଲେ ତାକୁ ମିଳିଥିବା ସବୁ ଭୋଟ ଯେ ଜେଡିୟୁ ବା ଏନଡିଏ ଖାତାକୁ ଯାଇଥାଆନ୍ତା, ତାହା କହି ହେବ ନାହିଁ। ଏଲଜେପି ପାଇଥିବା ଭୋଟରେ ତା’ର ପାରମ୍ପରିକ ଦଳିତ ଭୋଟ ସହ କିଛି ନୀତୀଶ ବିରୋଧୀ ଆଣ୍ଟି-ଇନକମ୍ୱେନସି ଭୋଟ ମଧ୍ୟ ସାମିଲ। ଏହି ନୀତୀଶ ବିରୋଧୀ ଭୋଟଗୁଡିକ କୌଣସି ମତେ ଜେଡିୟୁ ବା ଏନଡିଏକୁ ନ ଯାଇ ମହା ଗଠବନ୍ଧନ ନିକଟକୁ ଚାଲି ଯାଇଥାଆନ୍ତା। ନୀତୀଶ କୁମାରଙ୍କ ବିରୁଦ୍ଧରେ ଆଣ୍ଟି-ଇନକମ୍ୱେନସି କାମ କରୁଛି ବୋଲି ବିଜେପି ଆଗରୁ ଠଉରାଇ ପାରିଥିଲା। ତେଣୁ ଏହି ଭୋଟରୁ ଅନ୍ତତଃ କିଛି ମହା ଗଠବନ୍ଧନ ନିକଟକୁ ଯିବାରୁ ରୋକିବା ଉଦ୍ଦେଶ୍ୟରେ ଚିରାଗ ପାଶଓ୍ୱାନଙ୍କୁ ପ୍ରୟୋଗ କରା ଯାଇଥିଲା କହିଲେ ଅତ୍ୟୁକ୍ତି ହେବନାହିଁ। ଫଳରେ ନୀତୀଶ ବିରୋଧୀ ଭୋଟ ଭାଗ ଭାଗ ହୋଇ ବରଂ ମହା ଗଠବନ୍ଧନ କ୍ଷତିଗ୍ରସ୍ତ ହେଲା। ଏହି ପ୍ରୟୋଗ ଦ୍ୱାରା ଆଉ ଦୁଇଟି ଉଦ୍ଦେଶ୍ୟ ବି ହାସଲ ହୋଇ ପାରିଲା। ବିଜେପି ଓ ଅନ୍ୟ ଦଳର ଅସନ୍ତୁଷ୍ଟ ବିଦ୍ରୋହୀ ପ୍ରାର୍ଥୀମାନେ ମହା ଗଠବନ୍ଧନକୁ ଚାଲି ନ ଯାଇ ଏଲଜେପିରୁ ନିର୍ବାଚନ ଲଢିଲେ, ଯାହା ଏନଡିଏର କ୍ଷତିକୁ ସୀମିତ କଲା। ବିହାରରେ ବିଜେପିର ବିସ୍ତାର ପାଇଁ ନୀତୀଶ କୁମାରଙ୍କ ଆକାର କ୍ଷୁଦ୍ର ହେବା ଅପରିହାର୍ଯ୍ୟ ଥିଲା, ଯାହା ଏହି ପ୍ରୟୋଗ ଯୋଗୁ ଅନେକଟା ସମ୍ଭବ ହେଲା।

ଉତ୍ତର ଭାରତରେ ବିହାର ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ବିଜେପି ଏକୁଟିଆ ଶାସନ ଦଖଲ କରିବାକୁ ଏ ଯାଏଁ ସମର୍ଥ ହୋଇନାହିଁ। ତା’ର ଏକ ବଡ଼ କାରଣ ହେଉଛି ମୂଳରୁ ବିହାର ସମାଜବାଦ, ସାମାଜିକ ନ୍ୟାୟ ଓ ମଣ୍ଡଳ ରାଜନୀତିର ଗଡ଼ ଭାବେ ପରିଚିତ ଥିବାରୁ ସେଠାରେ କମଣ୍ଡଳ ରାଜନୀତିର ଅବାଧ ବିସ୍ତାର ହୋଇ ପାରି ନାହିଁ। ରାଜ୍ୟରେ ବିଜେପି ପ୍ରାୟ ୧୫ ବର୍ଷ ଧରି ନୀତୀଶ କୁମାରଙ୍କ ସହ ଶାସନରେ ରହିଥିଲେ ବି ସବୁବେଳେ ତାକୁ ସାନ ଭାଇର ଭୂମିକାରେ ରହିବାକୁ ହୋଇଛି। ପ୍ରତ୍ୟେକ ରାଜନୈତିକ ଦଳ ନିଜର ବିସ୍ତାର ଚାହାନ୍ତି। ତେଣୁ ବିଜେପି ମଧ୍ୟ ବିହାରରେ ନିଜ ବିସ୍ତାର ଚାହିଁବା କିଛି ଅଯୌକ୍ତିକ ବା ଅସ୍ୱାଭାବିକ ନୁହେଁ। ତେବେ ମେଣ୍ଟ ସାଥୀର କ୍ଷତି ନ ହୋଇ ଏହି ବିସ୍ତାର ସମ୍ଭବ ହୋଇ ନ ପାରେ। ସେଥିପାଇଁ ମେଣ୍ଟ ସାଥୀ ଦୁର୍ବଳ ନ ହେଲେ ବା ମେଣ୍ଟରୁ ବିଜେପି ବା ଘଟକ ଦଳ ଓହରି ନ ଗଲେ ବିଜେପିର ଆଶାନୁରୂପ ବିସ୍ତାର ସମ୍ଭବପର ନୁହେଁ ବୋଲି ଅନେକଙ୍କ ମତ। ବିହାରରେ ଜେଡିୟୁ ଯେତେ ବେଶି ଦୁର୍ବଳ ହେବ, ସେହି ଶୂନ୍ୟସ୍ଥାନଟିକୁ ଦଖଲ କରିବା ବିଜେପି ପକ୍ଷରେ ସେତିକି ସହଜ ହେବ। ତେଣୁ ନୀତୀଶ କୁମାରଙ୍କ ଆକାରକୁ କ୍ଷୁଦ୍ର କରି ତାଙ୍କୁ ବିଜେପି-ନିର୍ଭର କରିବା ପାଇଁ ଏଲଜେପିକୁ ନିର୍ବାଚନରେ ଅଲଗା ଭାବେ ଠିଆ କରାଇ ବିଜେପି ପରୋକ୍ଷରେ ଏକ ଷଡ଼ଯନ୍ତ୍ର ରଚିଥିଲା ବୋଲି ଆଶଙ୍କା ପ୍ରକାଶ କରା ଯାଉଥିଲେ ବି, ଏହାକୁ ଷଡ଼ଯନ୍ତ୍ର ନ କହି ଏକ ପ୍ରୟୋଗ ବୋଲି କୁହା ଯାଇପାରେ। ଫଳସ୍ୱରୂପ, ୧୧୫ଟି ଆସନରେ ଲଢି ଜେଡିୟୁ ମାତ୍ର ୪୩ଟି ଆସନ ପାଇଥିଲା ବେଳେ ୧୧୦ଟି ଆସନରେ ଲଢି ବିଜେପି ୭୪ଟି ଆସନ ପାଇବା ସହ ବଡ ଭାଇ ଭୂମିକାରେ ଅବତୀର୍ଣ୍ଣ ହେବାକୁ ସମର୍ଥ ହେଲା। ଖାଲି ସେତିକି ନୁହେଁ, ଉଭୟ ଦଳ ପ୍ରାୟ ସମାନ ସଂଖ୍ୟକ ଆସନରେ ଲଢିଥିଲେ ବି ବିଜେପି ୧୯.୪୬ ପ୍ରତିଶତ ଭୋଟ ପାଇଥିବା ବେଳେ ଜେଡିୟୁ ୧୫.୩୯ ପ୍ରତିଶତ ଭୋଟ, ଅର୍ଥାତ୍ ପ୍ରାୟ ୪ ପ୍ରତିଶତ କମ ଭୋଟ ପାଇଥିବାରୁ ଏହି ପ୍ରୟୋଗରେ ସେହି ଦଳ କେତେ ବେଶି କ୍ଷତିଗ୍ରସ୍ତ ହୋଇଛି, ତାହା ସହଜରେ ଅନୁମେୟ।

ଇତିମଧ୍ୟରେ ବିହାରରେ ଏନଡିଏ ସରକାର ଗଠନ କରିଛି ଓ ଜେଡିୟୁ ବିଜେପି ଅପେକ୍ଷା ଯଥେଷ୍ଟ କମ ଆସନ ପାଇଥିଲେ ବି ବିଜେପି ନିଜ କଥା ରକ୍ଷା କରି ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଆସୀନ କରାଇଛି। କିନ୍ତୁ ମେଣ୍ଟ ସରକାରରେ ନୀତୀଶ କୁମାରଙ୍କ କାଟତି ଓ ମୂଲଚାଲ କ୍ଷମତା ଯେ ଆଉ ଆଗ ଭଳି ରହିବ, ସେ ନେଇ ରାଜନୈତିକ ମହଲରେ ସନ୍ଦେହ ପ୍ରକାଶ ପାଇଲାଣି। ତା’ର ପ୍ରଥମ ଝଲକ ମିଳି ସାରିଲାଣି ନୀତୀଶଙ୍କ ନିକଟତର କୁହାଯାଉଥିବା ସୁଶୀଳ ମୋଦିଙ୍କୁ ବାଦ ଦେଇ ବିଜେପି ତରଫରୁ ଦୁଇ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କରିବାରୁ। ନୀତିଶ ‘ସୁଶାସନ ବାବୁ’ ସାଜି ରାଜ୍ୟ ଶାସନ ଉପରେ ଧ୍ୟାନ କେନ୍ଦ୍ରିତ କରୁଥିବା ବେଳେ ଦଳୀୟ ସଂଗଠନ ପ୍ରତି ଅନୁରୂପ ଲକ୍ଷ୍ୟ ନ ଦେଲେ ଆଗାମୀ ଦିନରେ ତାହା ବିହାରରେ ବିଜେପିର ବିସ୍ତାର ଲାଗି ସହାୟକ ହୋଇପାରେ।

ଏଲଜେପି ଏଇ ପ୍ରଥମ ଥର ଲାଗି ବିହାରରେ ଏକୁଟିଆ ନିର୍ବାଚନ ଲଢି ନାହିଁ। ଏଥି ପୂର୍ବରୁ ୨୦୦୦ ମସିହା ନିର୍ବାଚନରେ ଦଳ ଏକୁଟିଆ ୧୭୮ଟି ଆସନରେ ଲଢି ୨୯ଟି ଆସନ ସହ ୧୮ ପ୍ରତିଶତ ଭୋଟ ପାଇଥିବା ବେଳେ, ୨୦୦୫ ମସିହାରେ ୨୦୩ଟି ଆସନରେ ଲଢି ୧୦ଟି ଆସନ ସହ ୧୧ ପ୍ରତିଶତ ଭୋଟ ପାଇଥିଲା। ଏଥର ଫରକ ହେଉଛି ଏନଡିଏର ଅଂଶୀଦାର ଦଳ ଥାଇ ମଧ୍ୟ ଏନଡିଏ ବିରୁଦ୍ଧରେ ନିର୍ବାଚନ ଲଢି ଅନ୍ୟ ଏକ ଅଂଶୀଦାର ଦଳକୁ କଟୂ ସମାଲୋଚନା କରିବା। ଚିରାଗ ପାଶଓ୍ୱାନଙ୍କ ଦଳ ମାତ୍ର ଗୋଟିଏ ଆସନ ଜିତି ଥିବାରୁ ତାଙ୍କ ରାଜନୈତିକ ଭବିଷ୍ୟତ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଉଛି। ଅଧିକ ଆସନରେ ଜିତି ନ ଥିଲେ ବି ସେ ପ୍ରାୟ ୨୫ ଲକ୍ଷ ଭୋଟ ସହ ୫.୬୬ ପ୍ରତିଶତ ପାଇଥିବାରୁ ବିହାର ରାଜନୀତିରେ ଅନ୍ତତଃ ତାଙ୍କୁ ହାଲୁକା ଭାବେ ଗ୍ରହଣ କରି ହେବ ନାହିଁ। ତେବେ ରାମ ବିଲାସ ପାଶଓ୍ୱାନଙ୍କ ମୃତ୍ୟୁ ଯୋଗୁ ଖାଲି ପଡିଥିବା ରାଜ୍ୟସଭା ଆସନଟି ଏଲଜେପିକୁ ଦିଆଯିବା ଓ ରାମବିଲାସ ପାଶଓ୍ୱାନଙ୍କ ସ୍ଥାନରେ ଚିରାଗ ପାଶଓ୍ୱାନଙ୍କୁ ମୋଦି କ୍ୟାବିନେଟରେ ସ୍ଥାନ ମିଳିବା ନେଇ ବିଜେପିର ପରବର୍ତ୍ତୀ ପଦକ୍ଷେପରୁ ଚିରାଗଙ୍କ ପ୍ରତି ବିଜେପିର ଆଭିମୁଖ୍ୟ ସ୍ପଷ୍ଟ ହେବା ସହ ହୁଏତ ଜଣା ପଡିଯିବ ଚିରାଗ ପ୍ରକରଣ ଏକ ଅଭିନବ ପ୍ରୟୋଗ ଥିଲା କି ନାହିଁ। ଏହି ପ୍ରୟୋଗ କିଛି ମାତ୍ରାରେ ସଫଳ ହୋଇଥିବାରୁ ଭବିଷ୍ୟତରେ ଅନ୍ୟ ରାଜ୍ୟରେ ଏହି ଧରଣର ପ୍ରୟୋଗକୁ କାର୍ଯ୍ୟକାରୀ କରାଯିବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।