ଶ୍ରେଣୀ ଗୃହ ବନାମ ଭର୍ଚୁଆଲ କ୍ଲାସ

କରୋନା ମହାମାରୀ ପରେ ଦେଶ ଏବେ ଶିକ୍ଷା ଦିଗରେ ଅନଲାଇନ୍ ଯିବାକୁ ଚିନ୍ତା କରୁଛି। ଯଦିଓ ପୂର୍ବରୁ ଏହି ଅନଲାଇନ୍ ଶିକ୍ଷା ବ୍ୟବସ୍ଥା ରହିଛି ହେଲେ ଏବେ ଏହାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଅଭିଭାବକମାନେ ମଧ୍ୟ ଏହା ଉପରେ ଜୋର ଦେବା ଆରମ୍ଭ କରିଛନ୍ତି। ଜାତୀୟ ଇଂରାଜୀ ଟିଭି ଚ୍ୟାନେଲରେ ଏହାକୁ ନେଇ ଆରମ୍ଭ ହୋଇଛି ତର୍କ। ଯଦି ଭ୍ୟାକସିନ୍ ନବାହାରିବ ତା’ହେଲେ ଆମକୁ କରୋନା ସହିତ ବଞ୍ଚିବାକୁ ପଡ଼ିବ। ତେଣୁ ଅନଲାଇନ୍ ମାଧ୍ୟମରେ ଦେଶର ଭବିଷ୍ୟତ ପିଢ଼ିଙ୍କୁ ଆଗକୁ ଯିବାକୁ ହେବ। ଏବେ ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶ ଅନଲାଇନରେ ଆଗକୁ ବଢ଼ିବାକୁ କେତେ ପ୍ରସ୍ତୁତ ସେ ବିଷୟରେ ଅବଲୋକନ କରିବାର ବେଳ ଆସିଛି।

ଜାତୀୟ ଇଂରାଜୀ ଟିଭି ଚ୍ୟାନେଲରେ ଏହାକୁ ନେଇ ବହୁତ ସକାରାତ୍ମକ ଦେଖିବାକୁ ମିଳୁଛି। କାରଣ ଅନଲାଇନ୍ ଆପ୍ସ ଜରିଆରେ ଯେଉଁ ସ୍କୁଲ ଓ ସଂସ୍ଥାର ମାଲିକ କିମ୍ୱା କର୍ମଚାରୀ ମତ ରଖୁଛନ୍ତି ତାହା ତାଙ୍କ ସପକ୍ଷରେ ରଖୁଛନ୍ତି। ଆମ ଦେଶରେ ଗରିବ ଶ୍ରେଣୀର ଲୋକ ଅଧିକ ତେଣୁ ସେମାନେ ଧନୀ ଶ୍ରେଣୀର ଲୋକଙ୍କ ଉପରେ ହିଁ ମତ ରଖୁଛନ୍ତି। ହେଲେ ଯେତେ ପର୍ଯ୍ୟନ୍ତ ଗରିବ ଶ୍ରେଣୀର ପିଲା ପାଠ ପଢ଼ିନାହାନ୍ତି ସେତେ ପର୍ଯ୍ୟନ୍ତ ଦେଶ ଆଗକୁ ଯିବା କଷ୍ଟକର। କାରଣ ଆଜି ବି ଏହି ଦେଶରେ ଅଧିକାଂଶ ସମୟ ପରୀକ୍ଷା ହେଉ କି ଅନ୍ୟ କେଉଁଥିରେ ଗରିବ ଓ ମଧ୍ୟବିତ୍ତ ପରିବାରର ପିଲା ହିଁ ଭଲ ପ୍ରଦର୍ଶନ କରିଥାନ୍ତି।

କରୋନା ମହାମାରୀକୁ ନଜରରେ ରଖି ମାର୍ଚ୍ଚ ମାସ ଅଧାରୁ ଦେଶ ଲକଡାଉନ୍ ରହିଛି। ଏକା ସାଙ୍ଗରେ ୪୦ରୁ ୫୦ ଜଣ ବସି ଶ୍ରେଣୀ ଗୃହରେ ପାଠ ପଢ଼ିବା ବ୍ୟବସ୍ଥାରେ ଏବେ ସାମୟିକ ଭାବରେ ରୋକ୍ ଲାଗିଛି। ଏବେ ସୁଦ୍ଧା ମଧ୍ୟ ସ୍ପଷ୍ଟ ହୋଇ ନାହିଁ ସ୍କୁଲ୍, କଲେଜ ଓ ବିଶ୍ୱବିଦ୍ୟାଳୟ କେବେ ଖୋଲିବ। ଏହାରି ଭିତରେ କିନ୍ତୁ ଅନେକ ସ୍କୁଲ, କଲେଜ ଆଦି ଅନଲାଇନରେ ଆପ୍ସ ଓ ୟୁଟ୍ୟୁବରେ ପାଠ ପଢ଼ାଇବା ଆରମ୍ଭ କରି ଦେଇଛନ୍ତି।

ଅନେକ ରାଜ୍ୟ ସରକାର ଭର୍ଚୁଆଲ ମିଡିଅମ୍ (ଅନଲାଇନ୍ ପାଠ ପଢା) ଉପରେ ଫୋକସ କରିଛନ୍ତି। ହେଲେ ଅନ୍ୟାନ୍ୟ କାରଣ ପାଇଁ ଏହି ଅନଲାଇନ୍ ପାଠ ପଢ଼ା ସେତେଟା ସଫଳ ହୋଇ ନାହିଁ। କିନ୍ତୁ ଅନେକ ଘରୋଇ ସ୍କୁଲ ପ୍ରଶାସନ ଓ ଶିକ୍ଷକମାନେ ଅନଲାଇନ୍ ଜରିଆରେ ଏକା ସାଙ୍ଗରେ ଅଧିକ ଛାତ୍ରଛାତ୍ରୀଙ୍କୁ ଏକାଠି କରି ପାଠ ପଢ଼ିବା ଆରମ୍ଭ କରି ଦେଇଛନ୍ତି। ହେଲେ ନିଜ ଆଖି ସାମ୍ନାରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ଓ ଅନଲାଇନରେ ପାଠ ପଢ଼ିବା ମଧ୍ୟରେ ଆକଶ ପାତାଳ ଫରକ ରହିଛି। କାରଣ ଗୋଟିଏ ଶ୍ରେଣୀ ଗୃହର ମାହୋଲ ଅନଲାଇନ୍ ମିଡିଅମରେ ମିଳୁ ନାହିଁ। ତେଣୁ ଏବେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି।

ଏହି ଅସୁବିଧାର କାରଣ ତିନି ପ୍ରକାର ଶ୍ରେଣୀରେ ବିଭକ୍ତି କରିପାରିବା। ଗୋଟିଏ ଇଲେକ୍ଟ୍ରିସିଟି, ଇଣ୍ଟରନେଟ୍ କନେକସନ ଓ ତୃତୀୟରେ ଇଲୋକ୍ଟ୍ରୋନିକ୍ସ ଡିଭାଇସ କମ୍ୟୁଟର ଓ ସ୍ମାର୍ଟଫୋନ୍।

ଦେଶର ବିଦ୍ୟୁତ ସଂଯୋଗକୁ ନେଇ କେନ୍ଦ୍ର ସରକାର ଏକ ସର୍ଭେ କରିଥିଲେ। ମାର୍ଚ୍ଚ ୩୧, ୨୦୧୯ ଯାଏ ଏହି ସର୍ଭେ ହୋଇଥିଲା। କେନ୍ଦ୍ର ସରକାର କହିଛନ୍ତି ଦେଶରେ ୯୯% ସ୍ଥାନରେ ବିଦ୍ୟୁତ ସଂଯୋଗ ହୋଇଛି। ବାକି ୧% ଛତିଶଗଡ଼ରେ ହୋଇନି। କିନ୍ତୁ ସରକାରଙ୍କ ଏହି ବିଦ୍ୟୁତ ସଂଜ୍ଞା ଭିନ୍ନ। ଯଦି ଗୋଟିଏ ଗାଁରେ ବିଦ୍ୟୁତ ସଂଯୋଗ ହୋଇଛି ତା’ହାଲେ ସରକାରଙ୍କ ହିସାବରେ ସେହି ଗାଁରେ ବିଦ୍ୟୁତ ପହଞ୍ଚିଛି। ତେଣୁ ପ୍ରତି ଘରେ ପହଞ୍ଚିଥିବାର କୌଣସି ତଥ୍ୟ ନାହିଁ। କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନାର ଅଫିସିଆଲ୍ ଓ୍ୱେବସାଇଟରୁ ଏ ବାବଦରେ ଅଧିକ ଜାଣିହେବ। ଛତିଶଗଡ଼କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ରାଜ୍ୟରେ ବିଜୁଳି ସଂଯୋଗ ହୋଇଛି ବୋଲି କେନ୍ଦ୍ର ସରକାର ଦାବି କରିଛନ୍ତି।

କିନ୍ତୁ ଭାରତରେ ବିଦ୍ୟୁତ୍ କଟିବା ଏକ ପୁରୁଣାପ୍ରଥା। ଖରା ଦିନରେ ମୁଖ୍ୟତଃ ଏ ଦିଗରେ ଅଧିକ ଅସୁବିଧା ସୃଷ୍ଟି ହୋଇଥାଏ। ଆଜି ବି ଖରାଦିନେ ଅନେକ ସମୟରେ ବିଦ୍ୟୁତ କଟିବାର ନଜିର ରହିଛି। ସେ ଭୁବନେଶ୍ୱର, କଟକ, ପୁରୀ ହେଉ କି ବେଙ୍ଗାଲୁରୁ, ଥାନେ, ମୁମ୍ୱାଇ ଭଳି ସହରରେ ମଧ୍ୟ ବିଦ୍ୟୁତ କାଟ ସମସ୍ୟା ରହିଛି ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟକୁ ଦେଖିଲେ ଜାଣିହେବ। ଆଉ ଖରାଦିନରେ ମୁଖ୍ୟତଃ ଏହି ସମସ୍ୟା ଅଧିକ ରହିଛି।

ସରକାରଙ୍କ ଗ୍ରାମ ବିକାଶ ମନ୍ତ୍ରଣାଳୟ ଅଧୀନରେ ଥିବା ମିଶନ୍ ଅନ୍ତ୍ୟୋଦ୍ୟୟ ଅଭିଯାନରେ ନିକଟରେ ଏକ ସର୍ଭେ ହୋଇଥିଲା। ଦେଶର ୨୦ % ଘର ଏବେ ବି ୮ ଘଣ୍ଟାରୁ କମ୍ ସମୟ ବିଦ୍ୟୁତ୍ ରୁହେ। ୨୪ ଘଣ୍ଟାରୁ ୮ ଘଣ୍ଚା ବିଦ୍ୟୁତ୍ ସଂଯୋଗ ହୋଇପାରୁଥିବା ବେଳେ ୧୨ ଘଣ୍ଟାରୁ ଅଧିକ ସମୟ ଏଠି ବିଦ୍ୟୁତ ରୁହେ ନାହିଁ। ଦେଶରେ ମାତ୍ର ୪୭% ଘର ରହିଛି ଯେଉଁଠି ୧୨ ଘଣ୍ଟାରୁ ଅଧିକ ସମୟ ବିଦ୍ୟୁତ ରହୁଛି। ତେଣୁ ବିଦ୍ୟୁତ କାଟ ଗୋଟିଏ ବଡ଼ ସମସ୍ୟା। ଯଦି ବିଦ୍ୟୁତ ନରହିବ ତା’ହେଲେ ମୋବାଇଲ୍ କେତେ ସମୟ ଚାର୍ଜ ରଖିବ ଓ କମ୍ପ୍ୟୁଟର କେତେ ସମୟ ଚାଲିବ? ହଁ ୟୁପିଏସ ବାବଦରେ ଚିନ୍ତା କରିହେବ। ହେଲେ ୟୁପିଏସ କେତେ ସମୟ ଚାର୍ଜ ରଖିବ ଆଉ ଦେଶର ଏତେ ବି ଭଲ ସ୍ଥିତି ନାହିଁ ଯେ ସମସ୍ତେ ୟୁପିଏସ କିଣିପାରିବେ।

ଏହି ସମୟରେ ଆଉ ଏକ ଯୁକ୍ତି ରଖିପାରିବା କମ୍ପ୍ୟୁଟର ବଦଳରେ ସ୍ମାର୍ଟ ଫୋନ୍ ବ୍ୟବହାର କରି ଅନଲାଇନ୍ ପାଠ ପଢ଼ିବା ବ୍ୟବସ୍ଥାକୁ ଆଗକୁ ନେଇ ହେବ। ଏହା ସତ। ସମସ୍ତଙ୍କ ପିଲା ପାଠ ପଢ଼ୁଛନ୍ତି। ହେଲେ ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ୍ ରହିଛି ବୋଲି ଗ୍ୟାରେଣ୍ଟି ନାହିଁ। ୨୦୧୯ରେ ପିଉ ନାମକ ଏକ ସଂସ୍ଥା ସର୍ଭେ କରିଥିଲା ଯେଉଁଥିରେ ଉଲ୍ଲେଖ ରହିଛି ଭାରତର ଜନସଂଖ୍ୟା ତୁଳନାରେ ୬୪% ଲୋକଙ୍କ ପାଖରେ ମୋବାଇଲ୍ ରହିଛି। ଆଉ ଏଥିମଧ୍ୟରୁ ୨୪% ଲୋକଙ୍କ ପାଖରେ ସ୍ମାର୍ଟଫୋନ୍ ରହିଛି। ଠିକ୍ ଅଛି ଏବେ ଆଉ ବର୍ଷେରୁ ଅଧିକ ସମୟ ଭାରତ ଅତିକ୍ରମ କରିଛି। ଧରାଯାଉ ଦେଶରେ ଏବେ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟା ୩୦% ବୃଦ୍ଧି ପାଇ ୫୪%ରେ ପହଞ୍ଚିଛି।

ଏବେ ଯେଉଁ ସ୍ମାର୍ଟଫୋନ୍ ରହିଛି ଲୋକଙ୍କ ପାଖରେ ସେମାନେ କ’ଣ ତାଙ୍କ ଫୋନ୍ ନିଜ ପିଲାଙ୍କ ପାଠ ପଢ଼ିବା ପାଇଁ ମୋବାଇଲ୍ ଦେଇପାରିବେ? କାରଣ ନିଜର ବ୍ୟକ୍ତିଗତ ଓ ବ୍ୟବସାୟିକ ଫୋନ୍ ଆସିବାର ଥିବ ପୁଣି ଅନ୍ୟାନ୍ୟ ଫୋନ୍ ମଧ୍ୟ ରହିଛି। ଏଭଳି ସ୍ଥିତିରେ ନିଜ ପିଲାର ପାଠ ପଢ଼ିବା ପାଇଁ ଅଭିଭାବକମାନେ ଆଉ ଏକ ସ୍ମାର୍ଚଫୋନ୍ କିଣିପାରିବେ କି? ହଁ ଠିକ୍ ଅଛି, ନିଜ ପିଲା ପାଇଁ ଜଣେ ଅଭିଭାବକ କିଣିଦେବେ। ହେଲେ ପ୍ରତିମାସରେ ଇଣ୍ଟରନେଟ୍ ପ୍ୟାକ ନିଜ ଫୋନ୍ ସହିତ ପିଲାର ପାଠ ପଢିବା ପାଇଁ ଇଣ୍ଟରନେଟ୍ ପ୍ୟାକ ରିଚାର୍ଜ କରିପାରିବେ ତ? ସାଧାରଣତଃ ଭାରତର ଅଧିକାଂଶ ଲୋକ ଟକ୍ ଟାଇମ୍ ସହିତ ପ୍ରତିଦିନ ୧ ଜିବିରୁ ୨ ଜିବି ଡାଟା ବ୍ୟବହାର ଉପରେ ଚିନ୍ତା କରୁଛନ୍ତି। ଯଦି ୩ ଘଣ୍ଟାରୁ ୪ ଘଣ୍ଟା ଜଣେ ମୋବାଇଲରେ ପାଠ ପଢ଼ିବ ବା କ୍ଲାସରେ ଯୋଗ ଦେବ ତା’ହେଲେ ଡାଟା ୨-୩ ଘଣ୍ଟାରେ ସରିବା ନିଶ୍ଚିତ। ତେଣୁ ଯଦି କ୍ଲାସ ସରିନଥିବ ତା’ହେଲେ ସେଦିନର ପାଠ ପଢା କେମିତି ଶେଷ ହେବ। ପୁଣି ଆଉ ଏକ କଥା ମୋବାଇଲ ଧରିଲେ ହ୍ୱାଟସଆପ୍, ଟେଲିଗ୍ରାମ୍, ୟ୍ୟୁଟ୍ୟୁବ ଭଳି ଆପ୍ସ ରହିଛି ଯେଉଁଥିରେ ଜଣେ ଟାଇମପାସ ମଧ୍ୟ କରିପାରିବ।

ଏବେ ଲକଡାଉନ୍ ପାଇଁ ଅନେକଙ୍କ ଚାକିରି ଓ ଦରମା ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ନିଜ ଫୋନ୍ ସହିତ ନିଜ ପିଲାଙ୍କ ଫୋନ୍ ପାଠ ପଢ଼ିବା ପାଇଁ ରିଚାର୍ଜ କରିବା କଷ୍ଟକର। ହେଲେ ଓ୍ୱାଇଫାଇ ବା ହଟସ୍ପଟ ଯୋଗେ ବଡ଼ ରିଚାର୍ଜ ପ୍ୟାକ ଜରିଆରେ ଏହି ଡାଟା ସମସ୍ୟାକୁ ଏଡ଼ାଇ ହେବ। ହେଲେ ଶ୍ରେଣୀ ଗୃହର ମାହୋଲ ମୋବାଇଲରେ ମିଳିବା କଷ୍ଟକର। ହେଲେ ଯଦି ଜଣେ ଅଟୋ ଚାଳକ ହୋଇଥିବ ଏବେ ଲକଡାଉନ୍ ପାଇଁ ସେ ଘରେ ରହିଛନ୍ତି ରୋଜଗାର ଶୂନ। ଏଭଳି ସ୍ଥିତିରେ ପିଲାଙ୍କ ପାଠ ପଢିବା ପାଇଁ ଅନଲାଇନ୍ ଇଣ୍ଟରନେଟ ସଂଯୋଗ ଓ ପାଠ ପଢ଼ିବା ପାଇଁ ସ୍ୱତନ୍ତ୍ର ମୋବାଇଲ୍ କିଣିଦେବା ସମ୍ଭବ ନୁହେଁ।

ଆଉ ଏକ କଥା ଯଦି ଜଣେ ପାଠ ପଢ଼ୁଥିବା ବ୍ୟକ୍ତିକୁ ଗୋଟିଏ ଏକାନ୍ତ ରୁମ୍ ମିଳିଯିବ ତା’ହେଲେ ଏହାଠୁ ବଡ଼ କଥା କିଛି ନାହିଁ। ହେଲେ ଭାରତ ଭଳି ଦେଶରେ ପିଲାଙ୍କ ପାଠ ପଢ଼ିବା ପାଇଁ ସ୍ୱତନ୍ତ୍ର ରୁମ୍ ମିଳିବା କଷ୍ଟକର। ମଧ୍ୟବିତ୍ତ ଓ ଧନୀ ଶ୍ରେଣୀର ପିଲାଙ୍କ ପାଇଁ ହୁଏତ ପାଠ ପଢ଼ିବା ପାଇଁ ରୁମ୍ ମିଳିବା ସହଜ। ହେଲେ ଗରିବ ଶ୍ରେଣୀର ପିଲାଙ୍କ ପାଖରେ ପାଠ ପଢ଼ିବା ପାଇଁ ସ୍ୱତନ୍ତ୍ର ରୁମ୍ ମିଳିବା କଷ୍ଟକର।

ସେହିପରି ଆଉ ଏକ ସର୍ଭେ ରହିଛି ନ୍ୟାଶନାଲ ଷ୍ଟାଟିଷ୍ଟିକ୍ସ ସର୍ଭେ (ଏନଏସଓ)। ୨୦୧୮ର ସର୍ଭେ ଅନୁଯାୟୀ ଗ୍ରାମାଞ୍ଚଳରେ ଜନସଂଖ୍ୟାର ୪.୪% କମ୍ପ୍ୟୁଟର ବ୍ୟବହାର ( ସ୍ମାର୍ଟଫୋନ୍, ନୋଟବୁକ, ଲାପଟପ୍, ଆଇ ପ୍ୟାଡ୍, ଟାବଲେଟ୍) ରହିଥିବା ବେଳେ ସହରାଞ୍ଚଳରେ ୨୩.୪% ରହିଛି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମୋଟ୍ ୧୦.୭% ରହିଛି କମ୍ପୁଟର।

ସେଭିଭଳି ଗ୍ରାମାଞ୍ଚଳରେ ୧୪.୯% ଇଣ୍ଟରନେଟ୍ (ମୋବାଇଲ୍, ବ୍ରଡ଼ବ୍ରାଣ୍ଡ) ସଂଯୋଗ ବ୍ୟବସ୍ଥା ରହିଥିବା ବେଳେ ସହରାଞ୍ଚଳରେ ୪୨.୦% ରହିଛି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମିଶି ୨୩.୮% ଇଣ୍ଟରନେଟ୍ ସଂଯୋଗ ରହିଛି। ୨୦୧୮ରେ ଏହି ସର୍ଭେ ହୋଇଥିଲା। ଏବେ ଏ ସ୍ଥିତି ବଦଳିଛି। କାରଣ ସର୍ଭେ ହୋଇଥିବା ବେଳେ ଦେଶରେ ଜିଓ, ଏୟାରଟେଲ ଭଳି ଅନେକ ମୋବାଇଲ୍ ଇଣ୍ଟରନେଟ୍ ସେବା ପ୍ରଦାନକାରୀ ସଂସ୍ଥା ପୂର୍ବ ପ୍ଲାନ ତୁଳନାରେ ଶସ୍ତା ଡାଟା ପ୍ୟାକ ବଜାରରେ ଉପଲବ୍ଝ କରାଇଥିଲେ। ଏବେ ଏହି ଅନୁପାତ ଦୁଇ ଗୁଣା ବଢ଼ିଥିବ ବୋଲି ଆକଳନ କରିପାରିବା।

ନାସକୋର ଏହି ସର୍ଭେ ଅନୁଯାୟୀ ୨୦୧୮ରେ ଓଡ଼ିଶାରେ ଗ୍ରାମାଞ୍ଚଳରେ ୧.୮% କମ୍ପ୍ୟୁଟର ରହିଥିବାବେଳେ ଇଣ୍ଟରନେଟ୍ ୫.୮%ଙ୍କ ପାଖରେ ରହିଛି। ସେହିପରି ସହରାଞ୍ଚଳରେ ୧୭.୨% ଲୋକଙ୍କ ପାଖରେ କମ୍ପ୍ୟୁଟର ରହିଥିବା ବେଳେ ୩୧.୨% ଇଣ୍ଟରନେଟ୍ ସଂଯୋଗ ରହିଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳକୁ ମିଶାଇଲେ ୪.୩% ଲୋକଙ୍କ ପାଖରେ କମ୍ପ୍ୟୁଟର ରହିଥିବା ବେଳେ ୧୦% ଲୋକଙ୍କ ପାଖରେ ଇଣ୍ଟରନେଟ ସଂଯୋଗ ରହିଛି।

ରାଜଧାନୀ ଦିଲ୍ଲୀରେ ସହରାଞ୍ଚଳରେ ୩୪.୭% ଲୋକଙ୍କ ପାଖରେ କମ୍ପ୍ୟୁଟର ଓ ୫୫.୮% ଲୋକଙ୍କ ପାଖରେ ଇଣ୍ଟରନେଟ୍ ସଂଯୋଗ ରହିଛି। ଯାହାକି ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ। ଖାଲି କମ୍ପ୍ୟୁଟର ଓ ମୋବାଇଲ୍ ରହିଲେ ତ ହେବନି ଏହାକୁ ଚଳାଇବା ବି ଦରକାର। ଏନଏସଓ ଏହାକୁ ନେଇ ମଧ୍ୟ ସେତେବେଳେ ସର୍ଭେ କରିଥିଲା। ଯେଉଁଥିରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମହିଳା କମ୍ପ୍ୟୁଟର ବ୍ୟବହାରୀଙ୍କ ସଂଖ୍ୟା ଢ଼େର କମ୍ ରହିଛି ପୁରୁଷଙ୍କ ତୁଳନାରେ। ଇଣ୍ଟରନେଟ୍ ବ୍ୟବହାରରେ ମଧ୍ୟ ଏହି ସଂଖ୍ୟା କମ୍ ରହିଛି। ମାସକ ମଧ୍ୟରେ ମହିଳାମାନେ ବହୁତ କମ୍ ଇଣ୍ଟରନେଟ୍ ବ୍ୟବହାର କରୁଥିବା ସର୍ଭେରେ ଦେଖିବାକୁ ମିଳିଛି। ଏହି ସର୍ଭେରେ ପୁରୁଷ ଓ ମହିଳାଙ୍କ ବୟସ ସୀମା ୫ ବର୍ଷରୁ ଆରମ୍ଭ ହୋଇଛି। ମୋଟ ଉପରେ ଦେଖିବାକୁ ଗଲେ ଦେଶର ୮% ଲୋକଙ୍କ ପାଖରେ ମୋବାଇଲ୍ ଓ ଇଣ୍ଟରନେଟ୍ ସଂଯୋଗ ରହିଛି ଯେଉଁମାନଙ୍କ ଘରର ପିଲା ଅନଲାଇନ୍ ଶ୍ରେଣୀ ଗୃହରେ ଯୋଗ ଦେଇପାରିବେ। ଏହି ଘରମାନଙ୍କରେ ଯଦି ଜଣେରୁ ଅଧିକ ପିଲା ରହିଛି ତା’ହେଲେ କିଏ କ୍ଲାସରେ କେତେବେଳେ ଯୋଗ ଦେବ ତାହା ଆଉ ଏକ ଭିନ୍ନ ପ୍ରସଙ୍ଗ।

ସେହିଭଳି ନିକଟରେ ଇଣ୍ଟରନେଟ୍ ଆଣ଼୍ଡ ମୋବାଇଲ୍ ଆସୋସିଏସନ ଅଫ୍ ଇଣ୍ଡିଆ (ଆଇଏଏମଏଆଇ) ଦେଶରେ ଇଣ୍ଟରନେଟ୍ ବ୍ୟବହାରୀଙ୍କ ସଂଖ୍ୟାକୁ ନେଇ ଏକ ରିପୋର୍ଟ ଦେଇଛି। ଯେଉଁଥିରେ ପ୍ରଥମ ଥର ପାଇଁ ଦେଶରେ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିଛି। ଗତ ବର୍ଷ ନଭେମ୍ୱର ମାସରେ ଗ୍ରାମାଞ୍ଚଳରେ ୨୨୭ ନିୟୁତ ଲୋକ ଇଣ୍ଟରନେଟ୍ ବ୍ୟବହାର କରିଥିବା ବେଳେ ସହରାଞ୍ଚଳରେ ୨୦୫ ନିୟୁତ ଇଣ୍ଟରନେଟ୍ ୟୁଜର ଥିଲେ। ଦେଶରେ ବର୍ତ୍ତମାନ ୫୦୪ ନିୟୁତ ଇଣ୍ଟରନେଟ୍ ୟୁଜର ରହିଛନ୍ତି।

ତେବେ ଅଧିକ ସମୟଧରି ଇଣ୍ଟରନେଟରେ ସଂଯୋଗ ହୋଇ ରହୁଛନ୍ତି ସହରାଞ୍ଚଳବାସୀ। ଦେଶର ୭୦% ଲୋକ ପ୍ରତିଦିନ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ପ୍ରତି ୧୦ ଜଣ ସହରାଞ୍ଚଳ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ମଧ୍ୟରୁ ୯ ଜଣ ସପ୍ତାହରେ ଥରେ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଗତବର୍ଷ ମାର୍ଚ୍ଚ ପାଖରୁ ପ୍ରତିଦିନ ୩୦ ନିୟୁତ ଲୋକ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି ବୋଲି ଜଣାପଡ଼ିଛି।

କମ୍ ଦାମ ମୋବାଇଲରେ ଇଣ୍ଟରନେଟ୍ ସଂଯୋଗ ହେବାର ବ୍ୟବସ୍ଥା ସହିତ ଅନ୍ୟାନ୍ୟ ଫିଚର ଏବଂ ଇଣ୍ଟରନେଟ୍ ପ୍ୟାକେଜର ଦାମ କମିବାରୁ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିଛି ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି, ସାଧାରଣ ଦିନ ତୁଳନାରେ ରବିବାର ଏବଂ ଛୁଟିଦିନରେ ପ୍ରାୟ ଏକ-ତୃତୀୟାଂଶ ଉପଭୋକ୍ତା ଘଣ୍ଟାରୁ ଅଧିକ ସମୟ ଇଣ୍ଟରନେଟରେ ବ୍ୟବହାର କରୁଛନ୍ତି।

ସେହିଭଳି ପୁରୁଷଙ୍କ ତୁଳନାରେ ମହିଳା ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ବହୁତ ବଢ଼ିଛି। ମହିଳା ଇଣ୍ଟରନେଟ୍ ବ୍ୟବହାରୀଙ୍କ ସଂଖ୍ୟା ୨୬ ନିୟୁତକୁ ବଢ଼ିଥିବା ବେଳେ ପୁରୁଷ ଇଣ୍ଟରନେଟ୍ ବ୍ୟବହାର କାରୀଙ୍କ ସଂଖ୍ୟା ୨୧% ବଢ଼ିଛି।

ହେଲେ ଗ୍ରାମାଞ୍ଚଳର ଇଣ୍ଟରନେଟ୍ ବ୍ୟବହାରକାରୀ ଫେସବୁକ, ହ୍ୱାଟସଆପ୍ ଓ ୟୁଟ୍ୟୁବରେ ସୀମିତ ରହିଛନ୍ତି। ସହରାଞ୍ଚଳରେ ଏଭଳି ଇଣ୍ଟରନେଟ୍ ବ୍ୟବହାରକାରୀ ରହିଛନ୍ତି କିନ୍ତୁ ଅନଲାଇନ୍ ପାଠ ପଢ଼ିବା, ବ୍ୟବସାୟ ପାଇଁ ଇଣ୍ଟରନେଟ୍ ସଂଯୋଗ କରିବା ସଂଖ୍ୟା ରହିଛି।

ସେହିଭଳି ଦେଶରେ ମୋଟ୍ ଇଣ୍ଟରନେଟ ବ୍ୟବହାରକାରୀଙ୍କ ମଧ୍ୟରୁ ୩୩% ମହିଳା ରହିଥିବା ବେଳେ ୬୭% ପୁରୁଷ ରହିଛନ୍ତି। ସହରାଞ୍ଚଳରେ ଏହି ଅନୁପାତ ୩୮:୬୨ ଗ୍ରାମାଞ୍ଚଳରେ ୨୮:୭୨ ରହିଛି।

ଇଣ୍ଟରନେଟ୍ ସ୍ପୀଡକୁ ଯଦି ଦେଖିବା କରୋନା ପାଇଁ ସାରା ଦେଶ ଓ ବିଶ୍ୱରେ ମୋବାଇଲ ଇଣ୍ଟରନେଟ୍ ୟୁଜରଙ୍କ ସଂଖ୍ୟା ବଢ଼ିଛି। ଏହା ସମସ୍ତେ ଅନୁଭବ କରିପାରୁଥିବେ। ୧୮% ମୋବାଇଲ୍ ସ୍ପୀଡ କମିଥିବା ସ୍ପୀଡ୍ ଟେଷ୍ଟ ନାମକ ଏକ ସଂସ୍ଥା ଏବେ ରିପୋର୍ଟ ଦେଇଛି। ଏହି ରିପୋର୍ଟ ମାର୍ଟ୍ଟ ମାସର ଥିଲା। ଏବେ ଏପ୍ରିଲ ଓ ମେ’ ମାସରେ ଇଣ୍ଟରନେଟ୍ ୟୁଜରଙ୍କ ସଂଖ୍ୟା ଆହୁରି ଅଧିକ ବଢ଼ିଥିବ ବୋଲି ସୂଚନା ରହିଛି। ଯଦି ଜଣେ ଅନଲାଇନରେ ମୋବାଇଲ ଡିଭାଇସରେ ପାଠ ପଢ଼ୁଥିବ ତାହେଲେ ଇଣ୍ଚରନେଟର ସ୍ପୀଡ ଭଲ ରହିବା ଦରକାର। ତେବେ ଅନଲାଇନ୍ କ୍ଲାସକୁ ନେଇ ମଧ୍ୟ ଅଭିଭାବକମାନେ ଅଭିଯୋଗ କରିବା ମଧ୍ୟ ଆରମ୍ଭ କରି ଦେଇଛନ୍ତି। ମେ ୫ରେ ହିନ୍ଦୁସ୍ଥାନ ଟାଇମ୍ସରେ ଏକ ଖବର ପ୍ରକାଶ ପାଇଥିଲା। ଯେଉଁଥିରେ ଉଲ୍ଲେଖ ରହିଥିଲା ୪-୫ ଘଣ୍ଟା ପିଲାମାନେ ମୋବାଇଲ୍ ସ୍କ୍ରିନକୁ ଚାହିଁ ରହୁଛନ୍ତି। ଏହାପରେ ୨-୩ ଘଣ୍ଟା ମୋବାଇଲ୍ ଓ ଲାପଟପରେ କାର୍ଟୁନ ଓ ଗେମ୍ସ ଖେଳୁଛନ୍ତି। ଏହାଦ୍ୱାରା ପିଲାଙ୍କ ମୁଣ୍ଡବଥା ହେବା ସହିତ ରାତି ଅନିଦ୍ରା ସମସ୍ୟା ଉପୁଜିଛି ବୋଲି ଅଭିଭାବକମାନେ କହିଥିଲେ।

ଏବେ ଆସିବା ଶିକ୍ଷକଙ୍କ ବାବଦରେ। ଭାରତରେ ଏହି ଅନଲାଇନ୍ କ୍ଲାସ ଟେକ୍ନୋଲଜି ନୂଆ। ସାଧାରଣତଃ ସ୍କୁଲ ମାନଙ୍କର ଶିକ୍ଷକ ଶିକ୍ଷୟତ୍ରୀ ଅନ୍ ଲାଇନ୍ କ୍ଲାସ ଶୈଳୀ ବା ବୈଷୟିକ ଜ୍ଞାନ ଏତେଟା ଭଲ ନୁହେଁ। ଗତମାସରେ ଅହମଦାବାଦ ନିର୍ମା ବିଶ୍ୱବିଦ୍ୟାଳୟର କ୍ଲାସ ଜୁମ୍ ଆପରେ ଚାଲିଥିଲା। ହଠାତ୍ ଅଶ୍ଳୀଳ ଭିଡିଓ ଚାଲିଥିଲା। ପଢ଼ାଉଥିବା ଶିକ୍ଷକ ଜଣଙ୍କ କେମିତି ଜୁମ୍ ଆପକୁ ବନ୍ଦ କରିବେ ଜାଣିପାରନିଥିଲେ। ତେଣୁ ୫ରୁ ୬ ମିନିଟ୍ ସ୍କିନରେ ଅଶ୍ଳୀଳ ଭିଡିଓ ଚାଲିଥିଲା। ଯଦି ଗୋଟିଏ ବିଶ୍ୱବିଦ୍ୟାଳୟର ଅଧ୍ୟାପକଙ୍କ ପାଖରେ ଅନଲାଇନ୍ କ୍ଲାସକୁ ନେଇ ଏଭଳି ଦକ୍ଷତା ରହିଛି ତା’ହେଲେ ସରକାରୀ ସ୍କୁଲ ଓ ଗ୍ରାମାଞ୍ଚଳର ଶିକ୍ଷକମାନଙ୍କ ପାଖରେ କିଭଳି ଦକ୍ଷତା ଥବା ତାହା ଅନୁମେୟ। ତେବେ ଆବଶ୍ୟକ ଟ୍ରେନିଂ ଦେଲେ ଏଥିରେ ସୁଧାର ଆସିପାରିବ। ତେଣୁ ଅନଲାଇନ୍ ପରେ ଦେଶର ଶିକ୍ଷାବ୍ୟବସ୍ଥା ହଠାତ୍ ଅନଲାଇନ୍ ପାଠ ପଢ଼ିବା ଶୈଳୀକୁ ଆପଣାଇବା ସେତେଟା ସହଜ ନୁହେଁ। ଏଥିପାଇଁ ଭାରତକୁ ଆହୁରି ସମୟ ଆବଶ୍ୟକ।

ନିକଟରେ ଏସବୁ ଦିଗକୁ ଧ୍ୟାନରେ ରଖି ମେ’ ୧ ପାଖରୁ ରାଜସ୍ଥାନରେ ଥିବା ୫୧ଟି ଆକାଶବାଣୀ କେନ୍ଦ୍ରରେ ରେଡିଓ ମାଧ୍ୟମରେ ପାଠ ପଢ଼ିବା ପ୍ରକ୍ରିୟା ଆରମ୍ଭ ହୋଇଛି। ୩୦ ଜୁନ ଯାଏ ପ୍ରତିଦିନ ୫୫ ମିନିଟ୍ ପାଇଁ ଏଭଳି ପାଠ ପଢ଼ା ଆରମ୍ଭ ହେବ। ଏହି ସମୟ ମଧ୍ୟରେ ବିଭିନ୍ନ ଶ୍ରେଣୀର ପିଲାଙ୍କ ପାଇଁ ପାଠ ପଢ଼ା ବ୍ୟବସ୍ଥା କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।