ଜଳବାୟୁ ପରିବର୍ତ୍ତନ ଓ ଆମ ବଜେଟ୍‌

ବାସ୍ତବରେ ଯଦି ଆମେ ପ୍ରକୃତିର ବିପରୀତ ଧର୍ମୀ ନହୋଇ ତାର ସାଥ ଦେବା ଜଳବାୟୁ ପରିବର୍ତ୍ତନ ରୋକଯାଇ ପାରିବ। ଲୋକଙ୍କ ପାଖରେ ବିକଳ୍ପ ଉପସ୍ଥାପନ ପାଇଁ ଦେଶ ଓ ରାଜ୍ୟର ବଜେଟ୍‌ ପ୍ରସ୍ତୁତ ହେବା ଦରକାର। ବିକାଶ ନାମରେ ଜଂଗଲ କାଟି କୋଇଲା ଉତ୍ପାଦନ ବଢ଼ାଇବାର ଇଚ୍ଛା ପ୍ରତ୍ୟାହାର କରି ଅଳ୍ପ ଉତ୍ପାଦନ ଖର୍ଚ୍ଚକରି ବିଦ୍ୟୁତ୍‌ ଉତ୍ପାଦନ ପାଇଁ ସୌରରଶ୍ମୀ, ପବନ ଶକ୍ତି ଉପରେ ଅଧିକ ଧ୍ୟାନ ଦେବାର ସମୟ ଆସିଛି। ବଡ଼ ଜଳଭଣ୍ଡାର ନିର୍ମାଣ ନକରି କ୍ଷୁଦ୍ର କ୍ଷୁଦ୍ର ଜଳଭଣ୍ଡାର କଟା, ବନ୍ଧ, ସାଗର, ପୋଖରି, ଚେକ୍‌ଡ୍ୟାମ୍‌ ଆଦି ପ୍ରସ୍ତୁତିରେ ଅଧିକ ବ୍ୟୟ ବରାଦ କରିବା ଦରକାର।

Effects of climate change

Effects of climate change

Debendra Prusty
  • Published: Monday, 06 March 2023
  • Updated: 06 March 2023, 03:30 PM IST

News Highlights

  • ଦେଶ ବା ରାଜ୍ୟ ବଜେଟରେ ଅଛି କି ପାଗ ପରିବର୍ତ୍ତନ ମୁକାବିଲାର ସୂତ୍ର?
  • ପ୍ରାକୃତିକ ବିପର୍ଯ୍ୟୟର ସ୍ଥାୟୀ ପ୍ରତିକାର ନେଇ ବଜେଟରେ କି ବ୍ୟବସ୍ଥା ରହିଛି?
  • ବଜେଟ କେବଳ ବାର୍ଷିକ ଆୟବ୍ୟୟ ହିସାବ ଫର୍ଦ୍ଦ ନା ଭବିଷ୍ୟତ ନିର୍ମାଣର ଦସ୍ତାବିଜ୍‌?

Sports

Latest News

ପୃଥିବୀ ପୃଷ୍ଠରେ ଜଳବାୟୁର ନିରନ୍ତର ପରିବର୍ତ୍ତନ ଘଟିବା ଅତ୍ୟନ୍ତ ଚିନ୍ତାର କାରଣ ହୋଇଛି। ବର୍ଷାଦିନେ ନିୟମିତ ବୃଷ୍ଟିପାତ ନାହିଁ। ବର୍ଷାର ଗତି ଓ ପ୍ରକୃତିକୁ ନେଇ ମୌସୁମୀ ପ୍ରବାଦ ଓ ମୌସୁମୀ ପ୍ରତ୍ୟାବର୍ତ୍ତନ ଆକଳନ କରାଯାଉଥିଲା। ଏହି ଆକଳନକୁ ବିଶ୍ୱାସ ରଖି ଚାଷୀ ତା’ର ଚାଷ ସଜାଡ଼ୁଥିଲା। ଏବେ ଚାଷୀ ଅନେକ ସମୟରେ ଠକିଯାଉଛି। ଫସଲ ଆରମ୍ଭରେ ବିଳମ୍ବ ଅବା ଯଥା ସମୟରେ ଯଥୋଚିତ ବର୍ଷା ନ ହେବାରୁ ଫସଲ ଫଳଦେବା ଅବା ଅନ୍ୟ ଅର୍ଥରେ ଫସଲ ଉତ୍ପାଦନ କମିବାର ଦେଖାଯାଉଛି। ଅତ୍ୟଧିକ ତାତି ପ୍ରବାହ ଓ ଗ୍ରୀଷ୍ମ ହେତୁ ଆର୍ଦ୍ରତା କମିବା ଫଳରେ ଫସଲହାନୀ ଘଟୁଛି। ଯେଉଁଥିପାଇଁ ଫସଲ ଅମଳର ପରିମାଣର ହାରାହାରି ହିସାବ ନେଇ ଫସଲବୀମା କମ୍ପାନୀମାନେ ସମୟ ଓ ବର୍ଷା ପରିମାଣର ହିସାବକୁ ନେଇ ଫସଲ କ୍ଷତିର ହାରାହାରି ଅନୁପାତ ନିର୍ଣ୍ଣୟ କରିବାକୁ ଅଧିକ ବିଜ୍ଞାନ ସମ୍ମତ ମଣୁଛନ୍ତି ଓ ସେହି ଆଧାରରେ କ୍ଷତିପୁରଣ ଦେଉଛନ୍ତି। ବିକାଶ ଗଣନାରେ ସବୁଠାରୁ ବଡ଼ କ୍ଷତି ଜଳବାୟୁ ପରିବର୍ତ୍ତନ ଘଟାଇଥିବାର ଏହା ଏକ ଦୃଷ୍ଟାନ୍ତ। ସରକାର ଯେତେବଡ଼ ବିକାଶର ପଥ ସଜାଡ଼ନ୍ତୁ ନା କାହିଁକି ଜଳବାୟୁ ପରିବର୍ତ୍ତନ ଜନିତ କ୍ଷତି ଏଥିରେ ବଡ଼ ପ୍ରତିବନ୍ଧକ ହେବାର ଦେଖା ଯାଇ ଆସୁଛି। ସେଥିପାଇଁ ସରକାର, କେନ୍ଦ୍ର ହୁଅନ୍ତୁ ଅବା ରାଜ୍ୟ, ଜଳବାୟୁ ନିୟନ୍ତ୍ରଣକାରୀ ବ୍ୟବସ୍ଥା ସଜାଡ଼ିବାକୁ ବାଧ୍ୟ ହୋଇଛନ୍ତି ଓ ଏଥିପାଇଁ ପ୍ରତ୍ୟେକ ବର୍ଷର ବ୍ୟୟରେ ଏକ ଅଂଶ ଜଳବାୟୁ କାର୍ଯ୍ୟକ୍ରମ ନିୟନ୍ତ୍ରଣ ପାଇଁ ରଖୁଛନ୍ତି। ଚଳିତବର୍ଷ ବଜେଟ୍‌ରେ ଯଦିଓ ଜଳବାୟୁ ନିୟନ୍ତ୍ରଣ ନିମନ୍ତେ ସମୟ ୨୦୭୦ ରଖି ଦୀର୍ଘ ସମୟ ଅପେକ୍ଷା କରିବା କଥା ରଖିଛନ୍ତି ଓ ସେହି ଉଦ୍ଦେଶ୍ୟରେ ବ୍ୟୟବରାଦ କରାଯାଇଛି।

ଗତ ଶହେବର୍ଷ ମଧ୍ୟରେ ୧୯୨୧ ରୁ ୨୦୨୨ ମଧ୍ୟରେ ତାପମାତ୍ରା ୧ ଡି.ଗ୍ରି. ବୃଦ୍ଧି ପାଇଥିବା ଜଳବାୟୁ ବିଜ୍ଞାନୀମାନେ ହିସାବକୁ ନେଇଛନ୍ତି। ଏହି ସମୟ ମଧ୍ୟରେ ଅର୍ଥାତ୍‌ ୧୯୧୧ ମସିହାରୁ ୨୦୨୧ ମଧ୍ୟରେ ସମୁଦ୍ର ଜଳପତ୍ତନ ହାରାହାରି ଅଧ ଫୁଟ୍‌ ବଢ଼ିଛି। ସଦ୍ୟତମ ଆକଳନ ଅନୁଯାୟୀ ହିମବାହ (ଗ୍ଲସିଅର) ନିରନ୍ତର ତରଳିବା ହେତୁ ସମୁଦ୍ର ଜଳପତନ ୬୮ ମିଲିମିଟର ଓ ଗ୍ରୀନ୍‌ ଲ୍ୟାଣ୍ଡର ବରଫ ତରଳିବା ହେତୁ ୪୦ ମି.ମିଟର ବଢ଼ିଛି। ଏସବୁର ପ୍ରଭାବରେ ଉପକୁଳର ସମୁଦ୍ର ତଳପତନ ବାର୍ଷିକ ୩.୩ ମିଲିମିଟର ହାରରେ ବୃଦ୍ଧି ପାଉଛି। ଏଥିପାଇଁ ପଶ୍ଚିମବଙ୍ଗର ସୁନ୍ଦରବନ ଅଞ୍ଚଳର କ୍ଷୀପ୍ର ଅବକ୍ଷୟ ଘଟିଚାଲିଛି। ଓଡ଼ିଶାର ଏକ ମାଳିକା କଥା ଅଛି, “ବାଇଶି ପାହାଚେ ଖେଳିବ ମୀନ”। ଅର୍ଥାତ୍‌ ସମୁଦ୍ର ପତନଠାରୁ ଉଚ୍ଚରେ ଥିବା ଜଗନ୍ନାଥ ମନ୍ଦିରର ବାଇଶି ପାହାଚ ଟପି ସମୁଦ୍ରଜଳ ମନ୍ଦିରକୁ ପ୍ରବେଶ କରିବ ବୋଲି ଆଶଙ୍କା ଅଛି।

ବରଫ କ୍ଷୀପ୍ରଗତିରେ ତରଳିବାରେ ଲାଗିଛି। ଯାହାର ପ୍ରଭାବରେ ହିମାଳୟ ପର୍ବତମାଳା ଅଞ୍ଚଳରେ ଅନେକ ସମୟରେ ବିତ୍ପାତ ଘଟି ଅନେକ ସଂପତ୍ତି ଓ ଜୀବନହାନୀ ବାରମ୍ବାର ଘଟାଉଥିବା ଦେଖାଯାଉଛି। ତାପମାତ୍ରା ବୃଦ୍ଧି ହେତୁ ସବୁଠାରୁ ବଡ଼ ହ୍ରାସ ଲୋକଙ୍କର ଶ୍ରମଦାନ ସମୟରେ ଘଟୁଛି। ଅତ୍ୟଧିକ ଖରାହେତୁ ସବୁବର୍ଗର ଖଟିଖିଆମାନେ ଖଟଣୀରୁ ଦୂରେଇ ରହିବାକୁ ବାଧ୍ୟ ହେଉଛନ୍ତି। ଅନିୟମିତ ବର୍ଷା ଓ ଟାଣ ଖରା ହେତୁ ବିଶାଳ ଜଙ୍ଗଲ ସଂପଦର ଲଗାତର କ୍ଷତି ଘଟୁଛି। ଏଥିରୁ ଦେଶ ବା ରାଜ୍ୟର ଆୟ କମ୍‌ ହେଉଛି। ଜଙ୍ଗଲରୁ ପ୍ରତିବର୍ଷର ଆୟରୁ ଆକଳନ ଅନୁସାରେ କମ୍‌ ପ୍ରାପ୍ତୀ ଘଟୁଛି। ଜଳବାୟୁର ବ୍ୟତିକ୍ରମ ହେତୁ ଓ ଅଧିକ ଉତ୍ତାପ ହେତୁ ଜଙ୍ଗଲରେ ବାରମ୍ବାର ନିଆଁ ଲାଗି ଜଙ୍ଗଲ ଓ ସେଥିରେ ରହୁଥିବା ଜୀବଜନ୍ତୁଙ୍କର ଜୀବନହାନୀ ଘଟୁଛି। କ୍ଷତିକାର ଅଙ୍ଗାରକାମ୍ଳର ବାୟୁମଣ୍ଡଳରେ ଉପସ୍ଥିତି ମାତ୍ରା ୨୫% ଅଧିକ ବୃଦ୍ଧି ପାଉଥିବାବେଳେ ଶିଳ୍ପାଞ୍ଚଳ ଓ ସହରାଞ୍ଚଳରେ ଖୁବ୍‌ ଅଧିକ ଅନୁଭୁତ ହେଉଛି। ଜୀବନ ଜିବୀକା ନିର୍ବାହରେ ପ୍ରତିବନ୍ଧକ ସୃଷ୍ଟି କରୁଛି ଓ ଅନେକ ରୋଗବୃଦ୍ଧିର କାରଣ ହୋଇଛି। ଜଳବାୟୁ ପରିବର୍ତ୍ତନ ହେତୁ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ହଠାତ ବନ୍ୟା, ମରୁଡ଼ି, ବାତ୍ୟା ଜନିତ କ୍ଷୟକ୍ଷତି ବଢ଼ିଚାଲିଛି। ଅଧିକନ୍ତୁ ଦେଶର ଯୋଜନାକାରୀମାନେ ଯେତେ ଉଦ୍ୟମ କଲେ ‘ବିକାଶ’ରେ ଏହି ବଡ଼ ପ୍ରତିବନ୍ଧକ ହୋଇ ଛିଡ଼ା ହେଲାଣି।

ଏଥିରୁ ମୁକ୍ତିପାଇଁ ଅନେକ କଥା ଓ ଚିନ୍ତା ସାମନାକୁ ଆସୁଛି। ବଜେଟ୍‌ ପ୍ରସ୍ତୁତିବେଳେ ଖୁବ୍‌ ବଡ଼ ଚର୍ଚ୍ଚା ସହିତ ଜଳବାୟୁ ପରିବର୍ତ୍ତନ ଜନିତ କ୍ଷତି ରୋକିବା ପାଇଁ “ଗ୍ରୀନ୍‌ ବିଶ୍ୱ” - “ଗ୍ରୀନ୍‌ ଭାରତ” କଥା କୁହାଯାଉଛି। ପ୍ରସ୍ତୁତ ୨୦୨୩-୨୪ ବର୍ଷ ପାଇଁ ବଜେଟ୍‌ରେ ବିତ୍ତମନ୍ତ୍ରୀ ଗୋଟିଏ ଘୋଷଣା କରି ଅନେକ କାର୍ଯ୍ୟକ୍ରମ ରଖିଛନ୍ତି ଏବଂ ଦେଶରେ ସଂପୂର୍ଣ୍ଣ ଅଙ୍ଗାରକାମ୍ଳ ନିୟନ୍ତ୍ରଣ କରିବା ଅବ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ନିମନ୍ତେ ୨୦୭୦ ମସିହା ସମୟ ଧାର୍ଯ୍ୟ କରିଛନ୍ତି। ବଡ଼ ହାସ୍ୟାସ୍ପଦ କଥା। ଅରବପତି ଓ ଶିଳ୍ପପତିଙ୍କ ଇଚ୍ଛାନୁସାରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଓ ସେଥିପାଇଁ ବ୍ୟୟବରାଦ ସହିତ ବିକାଶ ନାମରେ କଂକ୍ରିଟ୍‌ ଜଙ୍ଗଲ ବୃଦ୍ଧି, ସବୁଜ ଜଙ୍ଗଲ କାଟି ଖଣିଖାଦାନ କାର୍ଯ୍ୟ ବଢ଼ାଇବା ଆଦି କାର୍ଯ୍ୟରେ ଲିପ୍ତ ଅଛନ୍ତି। କହିବା ଗୋଟିଏ କଥା କରିବା ସଂପୂର୍ଣ୍ଣ ଭିନ୍ନ। ଯାହାକି ଏହି ଜଳବାୟୁ ପରିବର୍ତ୍ତନ କ୍ଷୀପ୍ର କରିବ। ସେଥିରେ ଅଧିକ ମନନିବେଶ କରିବା ଦେଖାଯାଉଛି। ଏପରି ବିଚାର କେବଳ ଜଳବାୟୁ ପରିବର୍ତ୍ତନକୁ ଅଧିକ କ୍ଷୀପ୍ର କରିବ ନାହିଁ ଦେଶର ଧନ ଜୀବନ ହାନୀ କରିବାରେ ସହାୟକ ହେବ। ନିଜକୁ ଠକିବା ଦେଶର ଲୋକଙ୍କୁ ଠକିବା ସହିତ ବିକାଶ ପରିବର୍ତ୍ତେ ବିନାଶ ପଥ ପ୍ରଶସ୍ତ କରିବାରେ ଲାଗିବ।

ବାସ୍ତବରେ ଯଦି ଆମେ ପ୍ରକୃତିର ବିପରୀତ ଧର୍ମୀ ନହୋଇ ତାର ସାଥ ଦେବା ଜଳବାୟୁ ପରିବର୍ତ୍ତନ ରୋକଯାଇ ପାରିବ। ଲୋକଙ୍କ ପାଖରେ ବିକଳ୍ପ ଉପସ୍ଥାପନ ପାଇଁ ଦେଶ ଓ ରାଜ୍ୟର ବଜେଟ୍‌ ପ୍ରସ୍ତୁତ ହେବା ଦରକାର। ବିକାଶ ନାମରେ ଜଂଗଲ କାଟି କୋଇଲା ଉତ୍ପାଦନ ବଢ଼ାଇବାର ଇଚ୍ଛା ପ୍ରତ୍ୟାହାର କରି ଅଳ୍ପ ଉତ୍ପାଦନ ଖର୍ଚ୍ଚକରି ବିଦ୍ୟୁତ୍‌ ଉତ୍ପାଦନ ପାଇଁ ସୌରରଶ୍ମୀ, ପବନ ଶକ୍ତି ଉପରେ ଅଧିକ ଧ୍ୟାନ ଦେବାର ସମୟ ଆସିଛି। ବଡ଼ ଜଳଭଣ୍ଡାର ନିର୍ମାଣ ନକରି କ୍ଷୁଦ୍ର କ୍ଷୁଦ୍ର ଜଳଭଣ୍ଡାର କଟା, ବନ୍ଧ, ସାଗର, ପୋଖରି, ଚେକ୍‌ଡ୍ୟାମ୍‌ ଆଦି ପ୍ରସ୍ତୁତିରେ ଅଧିକ ବ୍ୟୟ ବରାଦ କରିବା ଦରକାର। ଉପକୁଳବର୍ତ୍ତୀ ବା ତଟବର୍ତ୍ତୀ ରାଜପଥ ନିର୍ମାଣରେ ପ୍ରମୁଖ ଅର୍ଥ ଖର୍ଚ୍ଚ ନକରି ତଟବର୍ତ୍ତୀ ଜଳାଧାର ନିର୍ମାଣ ଓ ତଟବର୍ତ୍ତୀ ସବୁଜ ପ୍ରାଚୀର ପ୍ରସ୍ତୁତରେ ଅର୍ଥବ୍ୟୟ କରିବା ଦରକାର। ପେଟ୍ରୋଲ, ଡିଜେଲ୍‌ର ବ୍ୟବହାର କମାଇ ଯାତାୟତର ଯାନ ବ୍ୟବହାର କମାଇବାର ହେବ। ଅନେକ ବିକଳ୍ପ ଅଛି ଖୋଜି ବାହାର କରିବା ସହିତ ସେଥିପାଇଁ ବଜେଟ୍‌ ସଜାଡ଼ିବାରେ ଗୁରୁତ୍ୱ ଦେବା ଦରକାର। ଅନନ୍ତକାଳ ପର୍ଯ୍ୟନ୍ତ ଅପେକ୍ଷା କରିବା ଅତ୍ୟନ୍ତ ହାସ୍ୟାସ୍ପଦ ଓ ଆତ୍ମଘାତୀ କାର୍ଯ୍ୟ। କେନ୍ଦ୍ରୀୟ ବଜେଟ୍‌ରେ ବିକାଶ ନିମନ୍ତେ ପଥ ପ୍ରସ୍ତୁତ ବେଳେ ବିଭିନ୍ନ ବିକଳ୍ପ ବ୍ୟବସ୍ଥା ଉପରେ ଅଧିକ ଅର୍ଥବ୍ୟୟ କରିବା ସହିତ ଜଳବାୟୁ ପରିବର୍ତ୍ତନ ରୋକିବା ଦିଗରେ ପଦକ୍ଷେପ ନେବା ଦରକାର ଥିଲା। ଅଥଚ ୨୦୨୩-୨୪ ବଜେଟ୍‌ରେ ରଖାଯାଇଥିବା କାର୍ଯ୍ୟକ୍ରମକୁ ଲକ୍ଷ୍ୟ କଲେ ଏ ସମ୍ପର୍କରେ ବିଶେଷ କିଛି ଗୁରୁତ୍ୱ ଦେବା ଦେଖାଯାଉନାହିଁ।

ପଞ୍ଚାନନ କାନୁନ୍‌ଗୋ

ମୋ- ୯୪୩୮୩୬୦୮୪୯

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos