ମାୟାଧର ନାୟକ
ମୁକ୍ତିସଂଗ୍ରାମର ପ୍ରଶ୍ନୋତ୍ତର ପର୍ଯ୍ୟାୟ ପରବର୍ତ୍ତୀ ଏକ ମହାସଂଗ୍ରାମ - ଯାହାର ଅସଲ ମଇଦାନ ମାଟିରୁ ଘାଟି ପର୍ଯ୍ୟନ୍ତ ପରିବ୍ୟାପ୍ତ। ଜୀବନସଂଗ୍ରାମର ସ୍ୱାଧୀନତା ହେଉଛି କେବଳ ଅର୍ଥନୈତିକ ପରାଧୀନତାରୁ ମୁକ୍ତି ନୁହେଁ, ଆମ ସାଂସ୍କୃତିକ ଦାସତ୍ୱରୁ ନିଷ୍କୃତି ମଧ୍ୟ। ବଂଚିବାର ସର୍ବନିମ୍ନ ଅଧିକାର ଛଡାଇନେଉଥିବା ଶୋଷକ ଶାସନତନ୍ତ୍ର ବିରୋଧରେ ବଂଚିତ ଓ ପ୍ରବଚିଂତ ଜନସାଧାରଣଙ୍କର ଏହା ହେବ ମରଣପଣ ମହାଯୁଦ୍ଧ। ଶିକାରୀ ଶାସକମାନଙ୍କ କଲମୀ କୁଂଜ ବାହାରେ ଆମ ଜନତା ଓ ଜନଜାତି ଦଳଦଳ ଘୃଣିତ ଭିକାରି ନୁହନ୍ତି ଯେ ଶେଷଯାଏଁ କେବଳ ମୁଣ୍ଡରେ ହାତଦେଇ କାନ୍ଦୁଥିବେ। ଦେଶବାସୀଙ୍କ ଦୁଃଖଦୁର୍ଗତ ପ୍ରତି ବ୍ୟଙ୍ଗ କରି ରାଜନୈତିକ ବ୍ୟବସାୟ ବିସ୍ତାର ପାଇଁ ଏଭଳି ଅମାନୁଷିକ ଅଧିକାର ଏ ରାଜନେତାମାନଙ୍କର ଆସିଲା କେଉଁଠୁ? ଗତକାଲି ମୁକ୍ତିସଂଗ୍ରାମ ଆରମ୍ଭ ହୋଇଥିଲା ବିଦେଶୀ ଶାସକବାହିନୀ ବିରୋଧରେ, ଆସନ୍ତାକାଲି କିନ୍ତୁ ଜୀବନସଂଗ୍ରାମର ସ୍ୱାଧୀନତା ପାଇଁ ଘାଟିରେ ମାଟିରେ ନିଆଁ ଜଳିବ ଦେଶୀ ଶାସନତନ୍ତ୍ରର ଅବିଚାରିତ ଅଭ୍ୟସ୍ତତାକୁ ମୂଳପୋଛ କରିବାକୁ।
ଜୀବନସଂଗ୍ରାମର ସ୍ୱାଧୀନତା ପାଇଁ ଘାଟି କାନ୍ଦୁଚି, ମାଟି ବାହୁନୁଚି। ମାଳମାଳ ମଫସଲ, ଗରିବଗୁରୁବାର ଗାଆଁଗଣ୍ଡା, ଅଭେକା ଆଦିବାସୀ ଅନ୍ଧାରିମୂଲକରେ ମଣିଷ ପୋକମାଛି ପରି ଜୀବନ ବଂଚୁଥିଲାବେଳେ ଆଜି ନେତାମାନଙ୍କ ଭାରତବର୍ଷ ଶିଳ୍ପପତି ଶ୍ରେଣୀ ଦ୍ୱାରା ନ୍ୟସ୍ତ ଓ ନିର୍ମିତ ମାର୍କାମରା ମହାନଗରମାନଙ୍କରେ ବିଳାସବ୍ୟସନରେ ଉବୁଟୁବୁ।
ଏବେ ସବୁଠୁ ଭୟଙ୍କର ଷଡ଼ଯନ୍ତ୍ର ସୃଷ୍ଟି ହୋଇସାରିଛି ଜନସାଧାରଣଙ୍କ ଜୀବନସଂଗ୍ରାମକୁ ମୃତ୍ୟୁମୁହଁକୁ ପଠାଇଦେବା ପାଇଁ। ଆମେ ଏ ଷଡ଼ଯନ୍ତ୍ରର ନାଆଁ ଦେବା – ମେସିନ୍ ମାଫିଆ! ମେସିନ୍ ମାଫିଆ? ହଁ, ଆଜି ଆଉ ପ୍ରତ୍ୟକ୍ଷ ଭାବରେ ଦେଶୀ ଶାସନର ସେନାପତିମାନେ ଆମ ଭୋଟ୍ ବୁଥ୍ ଦଖଲଠୁ ଆରମ୍ଭ କରି ଆମକୁ ଆମ ଭିଟାମାଟିରୁ ବେଦଖଲ କରିବାର ଷଡ଼ଯନ୍ତ୍ରରେ ଯେଉଁ ମାଫିଆ ବାହିନୀକୁ ଜାଗତିଆର କରି ରଖିଥିଲେ, ସେ ଧାରା ଏବେ ଦ୍ରୁତ ବଦଳିବାକୁ ଯାଉଛି। ଆଜି ମେସିନ୍ ହିଁ ନେବାକୁ ଯାଉଛି ନକାରାତ୍ମକ ଅପଶକ୍ତି ମାଫିଆର ଭୂମିକା।
ବିଦେଶରୁ ବହୁ କିସମର ମେସିନ୍ ପଶିଆସୁଚି ଦେଶ ଭିତରକୁ। ଯେଉଁଠି ମେସିନ୍ ମଣିଷର ବଂଚିବାର ଯୁଦ୍ଧରେ ସୈନ୍ୟର ଭୂମିକା ନେଇଥାଏ, ସେଠି ଏ ମେସିନ୍ ଆମର ‘ମେସିହା’ ବା ଦେବଦୂତ, ମାତ୍ର ଯେଉଁଠି ଲକ୍ଷଲକ୍ଷ ମଣିଷଙ୍କୁ ନିକିମା କରିଦେଇ ମେସିନ୍ ମୁନାଫାଖୋର୍ ମାଲିକର ହାତବାରିସି ସାଜିବାର ଭୂମିକା ନିର୍ବାହ କରେ, ସେଠି ତାହା ମାଫିଆ। ଆଜି ମେସିନ୍ ମାଫିଆ ପଶି ଆସିଲାଣି ଆଦିବାସୀ ଇଲାକାକୁ ମଧ୍ୟ। ହାତକୁ ହରାଇଦେଇ ହତିଆରକୁ ଜିତାଇବାର ଜିଦ୍ ହେଉଛି ଏ ମେସିନ୍ ମାଫିଆର ମତଲବ। ଜୀବନ ସଂଗ୍ରାମର ସ୍ୱାଧୀନତା-ଯୋଦ୍ଧାମାନେ ଏ ମେସିନ୍ ମାଫିଆର ମତଲବକୁ ମୂଳପୋଛ ନକଲେ ନିଜେ ନିଶ୍ଚିହ୍ନ ହେବାକୁ ମଧ୍ୟ।
ବର୍ତ୍ତମାନ କୃଷିକ୍ଷେତ୍ରକୁ କବରଖାନାରେ ପରିଣତ କରି ଶିଳ୍ପକ୍ଷେତ୍ରର ଯେଉଁ ନବ୍ୟସାମ୍ରାଜ୍ୟବାଦ ବିସ୍ତାରିତ ହେବାରେ ଲାଗିଛି, ତାହା ଆମ ସମସ୍ତଙ୍କୁ ଦିନେ ଏକ ବିସ୍ଥାପିତ ବର୍ଗରେ ପରିଣତ କରିଦେବ – ଏଥିରେ ତିଳାର୍ଦ୍ଧ ସନ୍ଦେହ ନାହିଁ। ଶାସନ, ପ୍ରଶାସନ ଓ ଶିଳ୍ପାୟନ ବ୍ୟବସ୍ଥାର ତ୍ରିଶକ୍ତିମେଂଟରେ ଜନତା ଆଜି ତ୍ରିଶଙ୍କୁ। ତା’ର ନା ସ୍ୱର୍ଗ ଅଛି ନା ମର୍ତ୍ତ୍ୟ? କେବଳ ପାତାଳ। ଏବଂ ଏଇ ପାତାଳର ପ୍ରାଚୁର୍ଯ୍ୟ ପ୍ରତି ମଧ୍ୟ ନଜର ପଡ଼ିଛି ପରାଙ୍ଗପୁଷ୍ଟ ମାଲିକଶ୍ରେଣୀର। ଯଦି କୃଷିକ୍ଷେତ୍ରର ପୁନରୁଦ୍ଧାର ପାଇଁ ପ୍ରସ୍ତୁତିପର୍ବ ପୁଣି ଆରମ୍ଭ ନହୁଏ, ତା’ହେଲେ ଶିଳ୍ପକ୍ଷେତ୍ରର ଏ ବିସ୍ତାର ଦିନେ ଶେଷ କରିଦେବ ମାମୁଲି ମଣିଷମାନଙ୍କର ଅସ୍ତିତ୍ୱ।
ଜୀବନସଂଗ୍ରାମର ସ୍ୱାଧୀନତା – ଏହି ଦୃଷ୍ଟିରୁ ଆଜିର ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ। ଏ ଜୀବନସଂଗ୍ରାମର ସ୍ୱାଧୀନତା ପ୍ରତି ବିପଦ ଭିଆଇବାର ଅଭିସନ୍ଧି ଏବେ ସବୁଠି ଆମେ ଅଙ୍ଗେ ନିଭାଇଛୁ। ୪୦ ବର୍ଷ ତଳୁ ବିଦେଶରୁ ଆମଦାନି ହୋଇଥିବା ଗହମବସ୍ତା ଭିତରେ ଆମ ଦେଶକୁ ଚାଲିଆସିଥିଲା ବିଷାକ୍ତ ଘାସମଂଜି! ଏହା ଅଜାଣତରେ ଆସିନଥିଲା, ଆସିଥିଲା ଏ ଦେଶର ଉର୍ବର ଫସଲ କ୍ଷେତଗୁଡାକୁ ବାଂଝ ବଂଜର ଭୂଇଁରେ ପରିଣତ କରିବାର ଦୁରଭିସନ୍ଧି ଯୋଗୁଁ। ତା’ଛଡ଼ା ଏ ଦେଶର ଅର୍ଥନୀତିକୁ କୃଷକବିରୋଧୀ ଅର୍ଥନୀତିରେ ବଦଳାଇଦେବାର ବିଦେଶୀ ପ୍ରଭାବକୁ ସେତେବେଳେ କେହି ଚିହ୍ନଟ କରିପାରିନଥିବା ହେତୁ କୃଷକମାନଙ୍କୁ ଚକ୍ରବୃଦ୍ଧି ସୁଧ ସହ ଯେଉଁ କୃଷିଋଣ ପ୍ରବର୍ତ୍ତନ କରାଯାଇଥିଲା, ତାହା ଯେ ଦେଶର ମେରୁଦଣ୍ଡ କୃଷକଶ୍ରେଣୀକୁ ଭାଙ୍ଗିବାର ଭୂମିକା ନିର୍ବାହ କରିଥିଲା – ଏ ଉତ୍କଟ ସତ୍ୟ ଆଜି ଉଣାଅଧିକେ ସମସ୍ତଙ୍କୁ ଗୋଚର।
ବର୍ତ୍ତମାନ ଗାଆଁଗାଆଁରେ ଶୂନ୍ଶାନ୍ ସମୟ। ଚାଷଜମିସବୁ ଚାକୁଣ୍ଡାଭୂଇଁ। ଯେଉଁ ଚଷା ସାରା ପୃଥିବୀର ଅନ୍ନଦାତା, ତା’ ପ୍ରତି ବିଶ୍ୱାସଘାତକତାର ଅନ୍ତହୀନ ବର୍ବରତା ବଜାୟ ରହିଛି ପୂର୍ବପରି। ଶାସନ, ପ୍ରଶାସନ ଓ ଶିଳ୍ପ ବ୍ୟବସ୍ଥା ପାରସ୍ପରିକ ରାଜିନାମାର ରାଜନୀତି ଚାଲୁରଖି ଏ କୃଷକଶ୍ରେଣୀକୁ ଉଚ୍ଛେଦ କରିବା ପାଇଁ କାହିଁକି ରତ୍ପର? କାରଣ କୃଷକ କେବଳ ତା’ ଫସଲକ୍ଷେତର ଜଗୁଆଳ ନୁହେଁ, ସେ ମଧ୍ୟ ଗ୍ରାମସଂସ୍କୃତିର ଗୃହରକ୍ଷୀ। କୃଷକଶ୍ରେଣୀ ମଜବୁତ ଥିବାଯାଏଁ ଗାଆଁକୁ ବଣିକବାହିନୀର ଭଡ଼ାଟିଆ ଗୁଣ୍ଡା କି ଶାସକ ବର୍ଗର ପାଳିତ ଶ୍ୱାନଦଳ ପଶିପାରିବା ଅସମ୍ଭବ। କୃଷକକୁ ଦୁର୍ବଳ କରିଦେଇ ତା’ ଜମି ଉପରେ କଳାକନାର ପତାକା ଉଡ଼ାଇବା ପାଇଁ ବଣିକ ଓ ଶାସକମାନଙ୍କ ମେଂଟ ଆଜି ପୂରାମାତ୍ରାରେ ସକ୍ରିୟ। ଏବେ ପୁଣି ଆଦିବାସୀଙ୍କୁ ଆଇନକାନୁନ୍ଠାରୁ ଦୂରେଇରଖି ସେମାନଙ୍କ ଜଙ୍ଗଲକୁ ଲୁଟ୍ କରିବାର ଚକ୍ରାନ୍ତ ଚାଲିଛି। ଖଣିଗୁଡ଼ାକୁ ବିକିଦେବାର ମସୁଧା ଚାଲିଛି। ରାଜିନାମାର ରାଜନୀତିରେ କେବଳ କୃଷକ ଓ ଆଦିବାସୀବର୍ଗ ନୁହନ୍ତି, ମେହନତି ମଜଦୁର ତଥା ଶ୍ରମିକଶ୍ରେଣୀ ମଧ୍ୟ ବଳି ପଡିବାକୁ ଯାଉଛନ୍ତି। ମେସିନ୍ ମାଫିଆ ଶ୍ରମିକ ମଜଦୁର ଭାଇଭଉଣୀମାନଙ୍କ ଜୀବନନାଟିକାକୁ ହରଣଚାଲ କରିନେବାକୁ ବାହା ପିଟୁଚି।
ସମସ୍ତେ ପ୍ରଚାର କରୁଛନ୍ତି ପ୍ରଗତି - ପ୍ରଗତି! ଶିଳ୍ପ ଆସିଲେ କୁଆଡ଼େ ପ୍ରଗତି ଆସିବ। କିନ୍ତୁ ଯେଉଁ ପ୍ରଗତି ଆସିଲେ ମଣିଷର ଜମି, ଜଙ୍ଗଲ, ଜୀବନର ପତ୍ତା ସୁଦ୍ଧା ମିଳିବନି ଏବଂ ବିସ୍ଥାପିତ ବର୍ଗର ବିକଳ ଆର୍ତ୍ତନାଦରେ ସ୍ୱର୍ଗମର୍ତ୍ତ୍ୟପାତାଳ ଥରିଉଠିବ, ସେ ପ୍ରଗତି କାହାର? ସେ ପ୍ରଗତି ବଣିକର, ଶାସକର, ପ୍ରଶାସକର ପ୍ରଗତି – ସାଧାରଣ ମଣିଷର ମର୍ଯ୍ୟାଦା ସେ ପ୍ରକାର ପ୍ରଗତିରେ ଦିବାସ୍ୱପ୍ନ।
ଏବେ ସବୁଆଡ଼େ ଶସ୍ତା ସ୍ଲୋଗାନ୍। ବସ୍ତାବସ୍ତା ଭାଷଣବାଜିର ରିହାତି-ରାଜନୀତି। ଏ ଦଳ କହୁଚି ସେ ଦଳ ଚୋର, ସେ ଦଳ କହୁଚି ଏ ଦଳ ତସ୍କର। ଲୋକେ କହୁଛନ୍ତି ସବୁ ଦଳ - ପଙ୍ଗପାଳ। ଶାସନତନ୍ତ୍ରର ଶସ୍ୟକ୍ଷେତ୍ରରେ ପ୍ରବେଶ କରିବା ପାଇଁ ସମସ୍ତେ ପାଗଳ। ଆଗେ ଆମର ରାଷ୍ଟ୍ରନୀତିଜ୍ଞ ଥିଲେ – ଯେଉଁମାନଙ୍କ ସଂଖ୍ୟାହ୍ରାସ ଘଟିଛି ଶୋଚନୀୟ ଭାବରେ। ଏବେ ଅବଶ୍ୟ ରାଜନୀତିଜ୍ଞ ଅଛନ୍ତି କେତେକ – ମାତ୍ର ଚଳନ୍ତି ରାଜନୀତିର ଚକ୍ରବ୍ୟୂହରେ ସେମାନେ ନିଷ୍ପ୍ରଭ ଚରିତ୍ର ଜଣେଜଣେ। ବର୍ତ୍ତମାନର ରାଜନୀତି ଏକପ୍ରକାର ପ୍ରଜାଶୋଷଣଧର୍ମୀ ପ୍ରବୃତ୍ତି ନହେଲେ ରାଜକୋଷଲୁଣ୍ଠନମୁଖୀ ବାଜନୀତି। ରାଜନୀତିକୁ ବାଜନୀତିରେ ବଦଳାଇ ଦେଇଥିବା ଅପଶକ୍ତିର ଆଜ୍ଞାବହ ବର୍ଗ ଗୋଟିଏ ଗୋଟିଏ ଦଳ ଗଢ଼ି ସାରା ଦେଶକୁ ଦଖଲ କରିବାକୁ ବ୍ୟଗ୍ର। ଏମାନେ କେବଳ ମିଥ୍ୟାଚାରୀ, ଭ୍ରଷ୍ଟାଚାରୀ, ବ୍ୟଭିଚାରୀ, ଅବିଚାରୀ ବା ମୁଖାଧାରୀ ନୁହନ୍ତି, ଦରକାର ପଡ଼ିଲେ ଏମାନେ ବି ଭାରତୀୟ ଗଣତନ୍ତ୍ରର ହତ୍ୟାକାରୀ ହେବାକୁ ହାତ ମିଳାନ୍ତି ପରସ୍ପର ସହିତ।
ଆଜି ସମସ୍ତଙ୍କ ମୁଣ୍ଡ ବିଗିଡ଼ିଯାଇଛି। ସେଥିପାଇଁ ଶାସକ ଓ ସୌଦାଗରମାନଙ୍କ ସୌଖିନ୍ ସଂସ୍କୃତିକୁ ସମସ୍ତେ ପ୍ରଗତିର ପ୍ରକୃତି ଭାବରେ ବୁଝୁଛନ୍ତି। କିନ୍ତୁ ମୁଣ୍ଡ କାମ କରିଥିଲେ ଏ ମୋହ ଆଉ ଆମେ କାହାକୁ ପାଗଳ କରୁନଥାନ୍ତା।
ଏବେ ମୁଣ୍ଡ ମରାମତି କାରଖାନା ଆଗେ ଦରକାର। ଏ ମୁଣ୍ଡ ମରାମତି କାରଖାନା କିଏ କରିବ? ନା, କୌଣସି ମାଲିକ ନୁହେଁ, ମହାଜନ ନୁହେଁ, ଶାସକ ନୁହେଁ, ସୌଦାଗର ନୁହେଁ – ଏ କାରଖାନା ଚଳାଇବେ ଆଦିବାସୀମାନେ, ଅଧିବାସୀମାନେ, କୃଷକଶ୍ରମିକମାନେ ଏବଂ ପ୍ରବଂଚିତ ଦଳିତ ଜନସମୂହ।
ମୁଣ୍ଡ ମରାମତି କାରଖାନା ଚାଲିଲେ ଜୀବନସଂଗ୍ରାମର ସ୍ୱାଧୀନତା ପାଇଁ ଆନ୍ଦୋଳନ ସାରା ପୃଥିବୀ ପାଇଁ ସୃଷ୍ଟି କରିପାରିବ ସଂଶୟମୁକ୍ତ ଶୁଭେଚ୍ଛା – ବଂଚିବାର ବାର୍ତ୍ତା। ପ୍ରଚାରରେ ପ୍ରଗତିର କୀର୍ତ୍ତନ ଚାଲିଛି, ବିଚାରରେ ନାହିଁ - ପ୍ରଗତି ନାଆଁରେ ଏ ଦୁର୍ଗତିକୁ ଚିହ୍ନଟ କର ଓ ପ୍ରତିବାଦ କର। ତୁମ ଜୀବନସଂଗ୍ରାମର ସ୍ୱାଧୀନତାକୁ ବିପନ୍ନ କରି ଯେଉଁ ରାଜନୈତିକ ଧାରା ବର୍ତ୍ତମାନ ନାନାଦି ଅର୍ଥନୈତିକ ଯୋଜନା ପ୍ରସ୍ତୁତ କରୁଛି, ସେ ଯୋଜନାରେ ଭୁଲି ନଯାଇ ନୂତନ ରାଜନୈତିକ ଦର୍ଶନ ପ୍ରସ୍ତୁତ କର। ଦେଶଦ୍ରୋହୀ, ଜନଦ୍ରୋହୀ ରାଜକୋଷ ଲୁଟେରାଙ୍କୁ ଚରମ ଶାସ୍ତି ଦିଅ। ଗାଆଁଗଣ୍ଡା, ଖଣିଖାଦାନ, ପାହାଡ଼ପଡ଼ିଆ, ସହରବଜାର – ସବୁ ତୁମ ଜୀବନସଂଗ୍ରାମର କୁରୁକ୍ଷେତ୍ର। କୃଷିଜୀବୀ, ଶ୍ରମଜୀବୀ ଜନସାଧାରଣ ଏକ୍ ହୁଅ - ମେଳି କର – ହକ୍ ଅଧିକାର ଛଡ଼ାଇ ଆଣ। କଷ୍ଟ ଓ ମୃତ୍ୟୁକୁ ଭୟ କରନା - ନିଜ ବିପର୍ଯ୍ୟୟକୁ ଜୟ କରି ତୁମେ ହୁଅ ଜଗତଜିତା।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।