Advertisment

ବସ୍ତିବାସିନ୍ଦାଙ୍କ ସାମ୍ବିଧାନିକ ଅଧିକାର

ସୂର୍ଯ୍ୟମଣି ମିଶ୍ର ସହରକୁ ଗଢି ତୋଳନ୍ତି ଯିଏ, ଯାହାଙ୍କୁ ରାଜନୈତିକ ନେତାମାନେ କହନ୍ତି ବିଶ୍ୱକର୍ମା, ସେମାନଙ୍କୁ ବେଘର, ବେସାହାରା କରାଯାଏ। ସେମାନେ ସନ୍ତସନ୍ତିଆ ଖାଲୁଆ ସ୍ଥାନ, ରେଳଲାଇନ୍ କଡ଼ ଏବଂ ପୋଲ ତଳେ ଝୁମ୍ପୁଡ଼ି ଘରକରି ବସବାସ କରନ୍ତି, ରାତି ପାହିଲେ ସେମାନେ ସହରର ସୌନ୍ଦର୍ଯ୍ୟକରଣରେ ଭାଗିଦାର ହୁଅନ୍ତି, ଗଢନ୍ତି ପ୍ରାସାଦ। ରାତି ପାହିଲେ ଯେଉଁଠି ସେମାନେ ରୁଣ୍ଡ ହୁଅନ୍ତି ତାଙ୍କୁ କୁହାଯାଏ ଶ୍ରମିକ ହାଟ। ସ୍ୱାଧୀନତାର ୭୩ ବର୍ଷ ପରେ ଓଡ଼ିଶାର ଭୁବନେଶ୍ୱର, କଟକ, ବ୍ରହ୍ମପୁର […]

author-image
Debendra Prusty
ବସ୍ତିବାସିନ୍ଦାଙ୍କ ସାମ୍ବିଧାନିକ ଅଧିକାର

890

ସୂର୍ଯ୍ୟମଣି ମିଶ୍ର

ସହରକୁ ଗଢି ତୋଳନ୍ତି ଯିଏ, ଯାହାଙ୍କୁ ରାଜନୈତିକ ନେତାମାନେ କହନ୍ତି ବିଶ୍ୱକର୍ମା, ସେମାନଙ୍କୁ ବେଘର, ବେସାହାରା କରାଯାଏ। ସେମାନେ ସନ୍ତସନ୍ତିଆ ଖାଲୁଆ ସ୍ଥାନ, ରେଳଲାଇନ୍ କଡ଼ ଏବଂ ପୋଲ ତଳେ ଝୁମ୍ପୁଡ଼ି ଘରକରି ବସବାସ କରନ୍ତି, ରାତି ପାହିଲେ ସେମାନେ ସହରର ସୌନ୍ଦର୍ଯ୍ୟକରଣରେ ଭାଗିଦାର ହୁଅନ୍ତି, ଗଢନ୍ତି ପ୍ରାସାଦ। ରାତି ପାହିଲେ ଯେଉଁଠି ସେମାନେ ରୁଣ୍ଡ ହୁଅନ୍ତି ତାଙ୍କୁ କୁହାଯାଏ ଶ୍ରମିକ ହାଟ। ସ୍ୱାଧୀନତାର ୭୩ ବର୍ଷ ପରେ ଓଡ଼ିଶାର ଭୁବନେଶ୍ୱର, କଟକ, ବ୍ରହ୍ମପୁର ଭଳି ସହରଠାରୁ ଆରମ୍ଭ କରି ଦେଶର ବିଭିନ୍ନ ରାଜ୍ୟର ସହରମାନଙ୍କରେ ଝୁମ୍ପୁଡ଼ି ଘରେ ରହୁଥିବା ବସ୍ତିବାସିନ୍ଦାଙ୍କୁ ବିସ୍ଥାପିତ କରାଯାଏ। ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ୍ ଭୋଟ୍‌ବେଳେ କହିଥିଲେ ଆମେ ବସ୍ତିବାସିନ୍ଦାଙ୍କୁ ସାମ୍ବିଧାନିକ ଅଧିକାର ପ୍ରଦାନ କରିବୁ। କିନ୍ତୁ ଏହି ଅଧିକାର ସେମାନଙ୍କ ପାଇଁ ଅନେକ ଦୂରରେ। ନା ଶିକ୍ଷା ନା ସ୍ୱାସ୍ଥ୍ୟ ନା ଗୃହ କୌଣସି ମୌଳିକ ସୁବିଧା ପାଆନ୍ତିନି ଏହି ବସ୍ତିବାସିନ୍ଦା। କୋର୍ଟ ମାଧ୍ୟମରେ ଏମାନଙ୍କୁ ବିସ୍ଥାପିତ କରିବା ପାଇଁ ଶାସକ ଦଳର ନେତା ଏମାନଙ୍କୁ ବେଘର କରନ୍ତି।

Advertisment

ଗତ ଦୁଇଦଶନ୍ଧି ମଧ୍ୟରେ ଏପରି କୌଣସି ମାସ ବା ବର୍ଷ ନାହିଁ ଯେବେ ସହରର ବସ୍ତିବାସିନ୍ଦାଙ୍କୁ ଥଇଥାନ ନାମରେ ଉଚ୍ଛେଦ ନ କରାଯାଇଛି। ଭୁବନେଶ୍ୱର ହେଉ ବା କଟକ, ଦିଲ୍ଲୀ ହେଉ ଅବା ଚେନ୍ନାଇ, ସହରର ତଳି ଅଞ୍ଚଳରେ ସନ୍ତସନ୍ତିଆ ଜାଗାରେ ବା ପାଣି ଜମୁଥିବା ସ୍ଥାନରେ ଅବା ରେଳଲାଇନ୍ କଡ଼ରେ ବା ପୋଲତଳେ ରହୁଥିବା ଲୋକମାନେ ହେଉଛନ୍ତି ବସ୍ତିବାସିନ୍ଦା। ଏମାନଙ୍କ ପାଇଁ ସମ୍ବିଧାନ ପ୍ରଦତ୍ତ ସମ୍ମାନର ସହ ବଂଚିବାର ଅଧିକାର ଯେପରି ବହୁ ଦୂରରେ?

ଆମ ସୁପ୍ରିମକୋର୍ଟ ନିକଟରେ ଦିଲ୍ଲୀର ରେଳଲାଇନ୍ କଡ଼ରେ ରହିଥିବା ଝୁମ୍ପୁଡ଼ି ବସ୍ତିକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀରେ ୪୮ ହଜାର ଝୁମ୍ପୁଡ଼ି ବସ୍ତି ହଟିବ। ସୁପ୍ରିମକୋର୍ଟ ଏହି ସମ୍ବନ୍ଧରେ ଏକ ସ୍ଥାୟୀ ଆଦେଶ ଜାରି କରିବା ଉଚିତ୍ ଯେ, ସରକାରୀ ଏବଂ ସାର୍ବଜନିକ ସ୍ଥାନରେ କୌଣସି ରାଜନୈତିକ ଦଳର ନେତାଙ୍କ ହସ୍ତକ୍ଷେପ ଅପରାଧ ବୋଲି ଗ୍ରହଣ କରାଯିବ। ଏଠାରେ ଆମର ଯାହା କିଛି ହେଉଛି ତାହା ତ ରାଜନୀତି ଦ୍ୱାରା ସ୍ଥିର ହୋଇଛି। ରାଜନୀତିରେ ପ୍ରବେଶ ପାଇଁ କିଛି ସର୍ତ୍ତ ରହିବା ଉଚିତ୍। କିନ୍ତୁ ଏପରି ନାହିଁ। ଫଳତଃ ରାଜନୀତି ଅପରାଧୀଙ୍କ ଆଶ୍ରୟସ୍ଥଳ ହୋଇଯାଉଛି। ଯେଉଁଠି ଅପରାଧୀ ତତ୍ତ୍ୱକୁ ସମସ୍ତ ପ୍ରକାର ସୁରକ୍ଷା ମିଳୁଛି।

Advertisment

ଆମ ଦେଶ, ଆମ ରାଜ୍ୟରେ ଅଧିକାଂଶ କାର୍ଯ୍ୟରେ ରାଜନୈତିକ ହସ୍ତକ୍ଷେପ, ନିୟମ ପ୍ରକ୍ରିୟାକୁ ନେଇ ନିଜ ଲୋକଙ୍କୁ ବା ନିଜ ସମର୍ଥକଙ୍କୁ ଉପକୃତ କରିବା ପାଇଁ ସରକାରୀ ମେସନାରୀ ସମ୍ପତ୍ତିର ଦୂରୁପଯୋଗ ସାଧାରଣ କଥା ହୋଇଛି।

ସୁପ୍ରିମକୋର୍ଟ ଝୁମ୍ପୁଡ଼ି ବସ୍ତି ହଟାଇବା ପାଇଁ ନିଷ୍ପତ୍ତି ଶୁଣାଇଛନ୍ତି। ଏହାର ଏକ ମାନବୀୟ ପକ୍ଷ ଏହା ଯେ, ଏହି ବସ୍ତିରେ ଅଧିକାଂଶ ଗରିବ ଓ ଅତି ଗରିବ ଲୋକ ରହନ୍ତି। ଏବେ ଏହି ଲୋକଙ୍କ ପାଖରେ ସବୁଠୁ ବଡ଼ ସଂକଟ ହେଉଛି ସେ କେଉଁଠି ରହିବେ? ରାତାରାତି କେଉଁଠିକୁ ଯାଇ ରହିପାରିବେ ନାହିଁ। ସରକାରୀ ସଂପତ୍ତି ଆପଣଙ୍କର ନିଜର।  ଏହାର ସୁରକ୍ଷା କରିବାର ମୂଳମନ୍ତ୍ରକୁ ଭୁଲି ଲୋକ ସରକାରୀ ସମ୍ପତ୍ତିକୁ ଲୁଟପାଟ କରୁଛନ୍ତି। ଗରିବଙ୍କ ଦ୍ୱାରା ସଡ଼କ, ନଦୀ, ରେଳଲାଇନ୍ କଡ଼ରେ ବସ୍ତି ନିର୍ମାଣ ହେଉଛି। ରହିବା ପାଇଁ ଝୁମ୍ପୁଡ଼ି ବସ୍ତି ନିର୍ମାଣ କାର୍ଯ୍ୟକୁ ସମସ୍ତେ ଦେଖନ୍ତି।

୩୧ ଅଗଷ୍ଟ, ୨୦୨୦ରେ ସୁପ୍ରିମକୋର୍ଟ ଦିଲ୍ଲୀର ୭୦ କି.ମି. ଭଳି ରେଳଲାଇନ୍ ପାଖରେ ରହୁଥିବା ୪୮ ହଜାର ବସ୍ତିବାସିନ୍ଦାଙ୍କୁ ୩ ମାସ ମଧ୍ୟରେ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। କଥା ହେଉଛି ବିନା ପୁନର୍ବାସ ବ୍ୟବସ୍ଥା ନକରି ଗରିବଙ୍କୁ ବେଘର କରିବା ସମ୍ବିଧାନ ସମ୍ମତ କି? ଭାରତର ସମ୍ବିଧାନ ସମସ୍ତ ନାଗରିକଙ୍କୁ ସମ୍ମାନ ପୂର୍ବକ ଜୀବନ ଜୀଇଁବାର ଅଧିକାର ଦେଇଛି। ଆଦାନି କମ୍ପାନୀକୁ ୫ ହଜାର କୋଟି ଟଙ୍କା ଛାଡ଼, ୬୦୦ ରେଳଷ୍ଟେସନ, ୫୦ ରେଳବାଇ ପ୍ଲାଟ ଦେବା ତ ଦେଶ ମଙ୍ଗଳକାରୀ ନୁହେଁ। କୋଟି ଏବଂ ଅରବ ଟଙ୍କାର ସରକାରୀ ସମ୍ପତ୍ତି ଯେଉଁଥିରେ ଜଙ୍ଗଲ ଜମି ରହିଛି ସେ ସବୁର ସ୍ଥିତି କ’ଣ? ଏହା ଉପରେ ଶିଳ୍ପପତିଙ୍କ ଦଖଲକୁ ଲୋକ କମ୍ କରି ଦେଖୁଛନ୍ତି। ଆମ ବ୍ୟବସ୍ଥାରେ ଜବରଦଖଲ, ଅତିକ୍ରମଣ, ଅରାଜକତା, ଅପରାଧ ସହ ନେତା, ଶିଳ୍ପପତି ଏବଂ ସ୍ୱାର୍ଥୀତତ୍ୱଙ୍କ ଅସାଧୁ ମେଣ୍ଟ ବା ସମ୍ପୃକ୍ତି ଅଛପା ନୁହେଁ। ଲୋକଙ୍କର ତ ଶେଷ ଭରଷା କୋର୍ଟ ବା ସର୍ବୋଚ୍ଚ ନ୍ୟାୟାଳୟ। ଏହି ଜବରଦଖଲ ସଂପର୍କରେ କୋର୍ଟଙ୍କ ରାୟ କଣ? କଣ କେହି କେହି ଦେଖିପାରୁଛନ୍ତି ନା ଏହି ଶିଳ୍ପପତିଙ୍କୁ ଜବରଦଖଲରୁ ହଟାଇ ଦିଆଯାଇପାରୁଛି କି? ଲୋକଙ୍କ ଆବଶ୍ୟକତା ବାଧ୍ୟ ବାଧକତା ଏବଂ ଶାସନର ହୁଗୁଳା ନୀତି ତ ଦେଖିବାକୁ ମିଳୁଛି। ମିଲିଭଗତରେ ଫାଇଦା ଗୋଟାଇବା କାର୍ଯ୍ୟ ଚାଲିଛି। ନା ନିୟନ୍ତ୍ରଣ ହେଉଛି, ବରଂ ଅନିୟନ୍ତ୍ରିତ ଗତିରେ ଦେଶର ଥିଲାବାଲା ଶିଳ୍ପପତି ନିଜର ବେପାରର ସାମ୍ରାଜ୍ୟକୁ ଅଧିକ ବ୍ୟାପକ ବା ପ୍ରସାରିତ କରିବା ପାଇଁ ଜଳ, ଜମି, ଜଙ୍ଗଲକୁ ବେଆଇନ୍ ଭାବେ ହାତେଇ ଚାଲିଛନ୍ତି।

ନେତା ସମାଜର ଆବଶ୍ୟକତାରୁ ଜନ୍ମ ନିଅନ୍ତି। ସମାଜ ନେତାଙ୍କୁ ଜନ୍ମ ଦିଏ। ନେତା ସମାଜକୁ ସଠିକ୍ ଭାବେ ତିଆରି କରିବା ଉଚିତ୍। କିନ୍ତୁ ନେତା ଏପରି କରନ୍ତି ଯାହା ଲୋକଙ୍କୁ ଠିକ୍ ରାସ୍ତାରେ ଚାଲିବା ପାଇଁ ସୁଯୋଗ ଦିଏନି, ବରଂ ପଥଭ୍ରଷ୍ଟ କରେ। ଦେଖିବାକୁ ମିଳୁଛି ଅଧିକାଂଶ ନେତା ନିଜ ସ୍ୱାର୍ଥ ପାଇଁ ଲୋକଙ୍କୁ ଜାତି, ଧର୍ମ, ସମାଜ ନାମରେ ପଥଭ୍ରଷ୍ଟ କରନ୍ତି। ଏହି ନେତାଙ୍କ ଦ୍ୱାରା ସବୁଠୁ ବେଶୀ ଶିକାର ହେଉଛନ୍ତି ସମାଜର ସେହି ବଂଚିତ ବର୍ଗ। ଯାହାଙ୍କ ପାଖରେ ନା ଖାଦ୍ୟ ନା ବସ୍ତ୍ର ନା ବାସଗୃହ ନା ବୈଜ୍ଞାନିକ ଚେତନାସଂପନ୍ନ ଦୃଷ୍ଟି ରହିଛି।

ଏହି ଲୋକ ରାଜନୈତିକ ଦଳର ସଭା, ସମାବେଶ, ଶୋଭାଯାତ୍ରା ପାଇଁ କାମରେ ଆସିଥାନ୍ତି। ଗାଁରେ କାମ ମିଳୁନଥିବାରୁ ବଡ଼ ସଂଖ୍ୟାରେ ଲୋକ ସହରକୁ ପଳାଇ ଆସୁଛନ୍ତି। ଗାଁରେ ରୋଜଗାର ନାହିଁ। ସହରରେ ରହିବାର ସୁବିଧା ନାହିଁ। କେଉଁଠି ରହିବେ, କେଉଁଠିକି ଯିବେ। କୋର୍ଟ ତ ଏ ସଂପର୍କରେ ବିଚାର କରିବା କଥା? ତେଣୁ ଝୁମ୍ପୁଡ଼ି ଘର ହିଁ ଗରିବଙ୍କ ପାଇଁ ଆଶ୍ରୟସ୍ଥଳୀ ହୁଏ। ବସ୍ତିରେ ରହୁଥିବା ଲୋକଙ୍କୁ କିଛି ଜାଗାରେ ସରକାରୀ ଦଳ ନିଜ ସପକ୍ଷରେ ଭୋଟ ନେବା ପାଇଁ ପଟା ଦିଅନ୍ତି। ସେମାନଙ୍କ ଝୁମ୍ପୁଡ଼ି ଘରକୁ ବିଦ୍ୟୁତ୍ ସଂଯୋଗ କରାଯାଏ। ସେମାନଙ୍କ ବସ୍ତିକୁ ରାସ୍ତା ତିଆରି ହୁଏ। ପାଣି ଟାଙ୍କି ବସାନ୍ତି, ଯଦିଓ ସବୁବସ୍ତିର ଲୋକ ଏହି ସୁବିଧା ପାଆନ୍ତିନି। ତେଣୁ ଲୋକଙ୍କୁ ବଳପୂର୍ବକ ହଟାଇବା ଦ୍ୱାରା ଏହାର ସମାଧାନ ହୋଇପାରିବ ନାହିଁ। ଏହାଦ୍ୱାରା ଅଧିକ ଲୋକ ବେଘର ହେବେ।

ଆଜି ଦିନରେ ସାର୍ବଜନିକ ସ୍ୱାସ୍ଥ୍ୟର ଜରୁରୀ ପରିସ୍ଥିତିକୁ ଦେଖି ବେଘର କରିବାର ଏହା ଯେ ସମୟ ନୁହେଁ, କୋର୍ଟ ଏ ସଂପର୍କରେ ବିଚାର କରିବା କଥା। ରେଳବାଇ ବିଭାଗ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିରେ ଉତ୍ସାହିତ ହୋଇ ସାରା ଦେଶରେ ଯେଉଁଠି ଯେଉଁ ରେଳଲାଇନ୍ କଡ଼ରେ ବସ୍ତି ଅଛି ତାହାକୁ ହଟାଇବ। ଜମିକୁ ଖାଲି କରିବ। ଯେତେବେଳେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଏ ସଂପର୍କରେ  ରେଳବାଇ ଜମିକୁ ନେଇ କଡ଼ା ନିଷ୍ପତ୍ତି ଦେଇସାରିଛନ୍ତି, ପ୍ରଶ୍ନ ହେଉଛି ପୁଣି ଦେଶର ଅନ୍ୟ ସହର ପାଇଁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବନାହିଁ? ଦେଶର ଅଧିକାଂଶ ସ୍ଥାନରେ ସରକାରୀ ଜାଗା ବା ରେଳଲାଇନ୍ କଡ଼ରେ ଝୁମ୍ପୁଡ଼ି ବସ୍ତିମାନ ରହିଛି। ଯେଉଁଠି ସହରୀବାବୁମାନେ ବା ସ୍ୱଚ୍ଛଳ ଲୋକ ରହିବାକୁ ପସନ୍ଦ କରନ୍ତିନି। ସହର ଅଞ୍ଚଳରେ କିନ୍ତୁ ଧାର୍ମିକ ସ୍ଥଳ ରହିବ। ଏହି ଧାର୍ମିକ ସ୍ଥଳ ସରକାରୀ ଜମିରେ ମୁଖ୍ୟତଃ ନିର୍ମିତ। ଯାହାକୁ ହଟାଇବା ପାଇଁ ସରକାର କେବେବି ହସ୍ତକ୍ଷେପ କରନ୍ତି ନାହିଁ। ଲୋକ ତ ଧର୍ମଭୀରୁ, ତେଣୁ ଏହାର ସୁଯୋଗ କିଛି ଲୋକ ନିଅନ୍ତି। ଧାର୍ମିକ ସ୍ଥଳ ନାମରେ ବେପାର ମଧ୍ୟ ଚାଲେ। କିନ୍ତୁ ପ୍ରଶ୍ନ ହେଉଛି ଧାର୍ମିକ ସ୍ଥଳ ନିର୍ମାଣ କୌଣସି ସରକାରୀ ଜମିରେ ହୋଇପାରିବ ନାହିଁ। ଧାର୍ମିକ ସ୍ଥଳ ନିର୍ମାଣ ପାଇଁ ସ୍ପଷ୍ଟ ନିୟମ ଆଇନ୍ ଅଛି ଯେ, ବେଆଇନ୍ ଭାବେ ସରକାରୀ ଜମିରେ ଧାର୍ମିକ ସ୍ଥଳ ନିର୍ମାଣ କରାଯାଇପାରିବ ନାହିଁ। ଲୋକ କିନ୍ତୁ ସଡ଼କ କଡ଼ରେ ଧାର୍ମିକ ସ୍ଥଳ ନିର୍ମାଣ କରିବା ଦ୍ୱାରା ଯେ ଦେବତାଙ୍କ ଗାରିମା ବୃଦ୍ଧି ପାଏନି ଏହା ସ୍ପଷ୍ଟ। ଏହି ନିର୍ମାଣ ଦ୍ୱାରା ଦେବତାଙ୍କ ଗାରିମା ବୃଦ୍ଧି ପାଇବନି ଏହା ମଧ୍ୟ ଜଣାକଥା।

ଭାରତର ଜନସଂଖ୍ୟା ପାଖାପାଖି୧୩୬ କୋଟିରେ ପହଂଚିଛି। ୨୦୨୦ ଶେଷ ସୁଦ୍ଧା ଏହି ଜନସଂଖ୍ୟା ୧୩୮ କୋଟିରେ ପହଂଚିଚବ ବୋଲି ଆକଳନ କରାଯାଇଛି। ଭାରତର ସହରୀ କ୍ଷେତ୍ରରେ ଝୁମ୍ପୁଡ଼ି ବସ୍ତିବାସିନ୍ଦାଙ୍କ ସଂଖ୍ୟା ୧୮ କୋଟିରୁ ଅଧିକ। ଦେଶର ସହରାଞ୍ଚଳରେ ଏବେ ୩୪.୪୭ ପ୍ରତିଶତ ଲୋକ ରହନ୍ତି। ଶୌଚାଳୟ ନିର୍ମାଣରେ ମଧ୍ୟ ସରକାରୀ ଜମିର ବ୍ୟବହାର କରାଯାଏ। କର୍ପୋରେଟରମାନେ ନିଜର ଅଫିସ ମଧ୍ୟ ତିଆରି କରନ୍ତି ବେଆଇନ୍ ଭାବେ ସରକାରୀ ଜମିରେ। ରାଜନୈତିକ ଦଳର ଅଫିସ ମଧ୍ୟ ସରକାରୀ ଜମିରେ ହୁଏ। ଏପରିକି କ୍ଲବ୍ ଘର ମଧ୍ୟ। ଏବେ କାହିଁକି ଏହି ଗରିବ ଅତିଗରିବ ବସ୍ତିବାସିନ୍ଦାଙ୍କୁ ହଟାଇବା ପାଇଁ ଅଭିଯାନ? ସମସ୍ତେ ଜାଣନ୍ତି ସୁପ୍ରିମକୋର୍ଟ ହେଉଛି ନ୍ୟାୟ ପାଇବା ପାଇଁ ଶେଷ ଭରଷା ବା ଶେଷ ଆଶ୍ରୟ। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶରେ ଯଦି ଦିଲ୍ଲୀର ରେଳଲାଇନ୍ କଡ଼ରେ ରହୁଥିବା ୪୮ ହଜାର ବସ୍ତିବାସିନ୍ଦା ବେଘର ହୁଅନ୍ତି ତେବେ ସେମାନେ ରହିବେ କେଉଁଠି? ସେମାନଙ୍କୁ ପୁନର୍ବାସ କରିବ କିଏ? ସମ୍ବିଧାନ ପ୍ରଦତ୍ତ ଅଧିକାର ଏହି ବସ୍ତିବାସିନ୍ଦାଙ୍କୁ ବଂଚିତ କରିବା ଅର୍ଥ ଏମାନଙ୍କ ଅଧିକାରକୁ ଏକ ଜନମଙ୍ଗଳ ରାଷ୍ଟ୍ରରେ ଆର୍ଥିକ କ୍ଷେତ୍ରରେ ଅନଗ୍ରସର ମଣିଷ ଆଜି ସ୍ୱାଧୀନତାର ୭୩ ବର୍ଷ ପରେ ଆର୍ଥିକ ସ୍ୱାଧୀନତା ପାଇବା ପାଇଁ ଅହରହ ଆବେଦନ କରିଚାଲିଛନ୍ତି। ଏହି ସମୟରେ ୪୮ ହଜାର ବସ୍ତିବାସିନ୍ଦାଙ୍କୁ ବେଘର ନୁହେଁ, ଥଇଥାନ ପାଇଁ ସୁପ୍ରିମକୋର୍ଟ ନିଷ୍ପତ୍ତିର ପୁନର୍ବିଚାର କରିବା ଉଚିତ୍। ଆଉ ଏହା ସହ ଦେଶର ରାଜନୈତିକ ଦଳ ଏବଂ ସରକାର ଏହି ବେଘର ହେବାକୁ ଯାଉଥିବା ବସ୍ତିବାସିନ୍ଦାଙ୍କୁ ସମ୍ମାନର ସହ ରହିବାର ଅଧିକାର ପ୍ରଦାନ ପାଇଁ ସୁପ୍ରିମକୋର୍ଟରେ ପୁଣିଥରେ ପୁନର୍ବିଚାର ପାଇଁ ଆବେଦନ କରିବା ଉଚିତ୍ ବୋଲି ମତପ୍ରକାଶ ପାଇଛି।

ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର

ଦୂରଭାଷ: ୯୪୩୮୦୦୬୨୧୫