ଓଡ଼ିଶାରେ ନେତୃତ୍ୱ ବିକାଶରେ ସଂକଟ

ରବି ଦାସ

ରାଜ୍ୟରେ ଘଟିଯାଇଥିବା ବନ୍ୟା ସମୟରେ ବେସରକାରୀ ସଂସ୍ଥା, ରାଜନୈତିକ ଦଳ ଓ ସମାଜସେବୀ ଅନୁଷ୍ଠାନଗୁଡ଼ିକ ସହାୟତା ଓ ରିଲିଫ କାର୍ଯ୍ୟରେ ପୂର୍ବପରି ସକ୍ରିୟତା ପ୍ରକାଶ କରିବା କମିଯାଇଛି। ଓଡ଼ିଶାରେ ସ୍ୱାଧୀନତା ପୂର୍ବରୁ ଯେଉଁସବୁ ନେତୃତ୍ୱ ବିଭିନ୍ନ୍ ସ୍ଥାନରେ ପ୍ରକଟିତ ହୋଇଥିଲା ସେଥିରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜର ଜୀବନ ଓ ଘରକୁ ବିପନ୍ନ କରି କ୍ଷତିଗ୍ରସ୍ତ ଲୋକମାନଙ୍କୁ ସହାୟତା କରିବାର ଏକ ପରମ୍ପରା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଯେପରି ପ୍ରତିଷ୍ଠା କରିଥିଲେ ତାହା ରାଜ୍ୟର ସବୁ ଶ୍ରେଣୀର ଲୋକଙ୍କୁ ପ୍ରଭାବିତ କରିଥିଲା। ସ୍ୱାଧୀନତା ପରେ ମଧ୍ୟ ଏହି ପରମ୍ପରା ବଜାୟ ରହିଥିଲା। ୧୯୬୬ରେ କଳାହାଣ୍ଡିରେ ହୋଇଥିବା ବ୍ୟାପକ ମରୁଡ଼ି ଯୋଗୁ ଯେଉଁ ଦୁର୍ଭିକ୍ଷ ପରିସ୍ଥିତି ହୋଇଥିଲା ସେଥିରେ ରାଜନୈତିକ ଦଳର ଅନେକ ନେତା ମାସମାସ ଧରି ସେଠାରେ କାମ କରି ଲୋକମାନଙ୍କ ନିକଟରେ କିପରି ସହାୟତା ପହଁଚିବ ଓ କ୍ଷୁଧାରେ ଲୋକମାନଙ୍କ ମୃତ୍ୟୁ ହେବ ନାହିଁ ସେଥିପାଇଁ ଉଦ୍ୟମ କରିଥିଲେ। ଉପକୂଳ ଓଡ଼ିଶାରେ ବନ୍ୟା ସମୟରେ ଓ ବାତ୍ୟା ସମୟରେ ରାଜନୈତିକ ଦଳମାନଙ୍କର ଏ କ୍ଷେତ୍ରରେ ଆଗ୍ରହ ରହିଥିଲା। ଯେଉଁ ନେତା ବା ଦଳ ଏ କ୍ଷେତ୍ରରେ ଭଲ କାମ କରିପାରୁଥିଲା ସେମାନେ ଜନସାଧାରଣଙ୍କ ବିଶ୍ୱାସ ଅର୍ଜନ କରୁଥିଲେ। ଅନେକ ସମାଜସେବୀ ଅନୁଷ୍ଠାନ ଓ ଛାତ୍ର ସଂଗଠନ ପ୍ରଭୃତି ବିନା ସରକାରୀ ସାହାଯ୍ୟରେ ଲୋକମାନଙ୍କ ନିକଟରେ ରିଲିଫ ଓ ସହାୟତା ପହଁଚାଇବା ପାଇଁ ପ୍ରତିଯୋଗିତା କରୁଥିଲେ। କିନ୍ତୁ ଏବେ ପରିସ୍ଥିତି ସଂପୂର୍ଣ୍ଣ ବଦଳିଯାଇଛି। ସମ୍ଭବତଃ ପ୍ରାକୃତିକ ବିପର୍ଯୟର ଦାୟିତ୍ୱ ରାଜ୍ୟ ସରକାର ଗତ କେତେବର୍ଷ ହେଲା ଏପରି ଭାବରେ ନେଇଛନ୍ତି ଯେ, ନେତା, ସାମାଜିକ ସଂଗଠନ, ସମାଜସେବୀ ବା ଅନ୍ୟମାନଙ୍କର ଆବଶ୍ୟକତା ନ୍ୟୁନ ହୋଇପଡ଼ିଛି।

ମହାବାତ୍ୟା ସମୟରେ ଓଡ଼ିଶାରେ ଯେଉଁ ଦୃଶ୍ୟ ଦେଖାଯାଇଥିଲା ସେହିପରି ଏକ ଘଟଣା ହେଲେ ହୁଏତ ସେତେବେଳେ ବେସରକାରୀ, ସ୍ୱେଚ୍ଛାସେବୀ ବା ନେତାମାନଙ୍କର ଆବଶ୍ୟକତା ଅନୁଭବ ହେବ। ଓଡ଼ିଶାର ବିସ୍ତୃତ ଖଣିଜ ସଂପଦ ଯୋଗୁ ଭାରତର ବଡ଼ ବଡ଼ କର୍ପୋରେଟମାନେ ଓଡ଼ିଶାରେ ଖଣି ଶିଳ୍ପରେ ଏପରି ଭାବରେ ପ୍ରବେଶ କରିଛନ୍ତି ଯେ, ସେମାନେ ବସ୍ତୁତଃ ଓଡ଼ିଶାର ରାଜନୀତିକୁ ଓ ସରକାରଙ୍କୁ ପୂରା ମାତ୍ରାରେ ନିୟନ୍ତ୍ରଣ କରିସାରିଛନ୍ତି। ଓଡ଼ିଶାର ରାଜନୀତିକୁ ନବୀନ ପଟ୍ଟନାୟକ ଯେପରି ପରିଚାଳନା କରୁଛନ୍ତି ସେଥିରେ ସେ ବସ୍ତୁତଃ ଜଣେ ଦୟାଳୁ ଏକଛତ୍ରବାଦୀ ଭାବରେ ଆବିର୍ଭାବ ହୋଇଛନ୍ତି। ଏହିପରି ଏକ ଅବସ୍ଥା କର୍ପୋରେଟକୁ ବେଶ୍ ସହାୟକ ହୋଇଛି। ନବୀନ ପଟ୍ଟନାୟକ ଦୀର୍ଘ ୨୨ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବରେ ରହିବା ଫଳରେ ତାଙ୍କୁ କେନ୍ଦ୍ରକରି ଚାଲିଥିବା ଶାସନ ବ୍ୟବସ୍ଥା ଯୋଗୁ ଓଡ଼ିଶାରେ ଯେଉଁ ରାଜନୀତି ଚାଲିଛି ସେଥିରେ କିଏ କେଉଁଠାରେ ବିଧାୟକ ହେବେ ବା ସାଂସଦ ହେବେ ଏପରିକି ମନ୍ତ୍ରୀ ହେବେ ତାହା ବସ୍ତୁତଃ ତାଙ୍କରି ଉପରେ ନିର୍ଭର କରୁଛି। ତାଙ୍କୁ ଏଥିରେ ଶାସନ ବ୍ୟବସ୍ଥା ସହିତ କର୍ପୋରେଟ୍ ସହାୟକ ହୋଇଥିବା ଜଳଜଳ ହୋଇ ଦେଖାଯାଉଛି।

ଓଡ଼ିଶା ଯେହେତୁ ରାଜା ମହାରାଜା ଓ ଜମିଦାରଙ୍କ ଶାସନରେ ବହୁକାଳ ଥିଲା ସେଥିରେ ଜଣେ ଦୟାଳୁ ଏକଛତ୍ରବାଦର ଶାସନକୁ ଜନସାଧାରଣ ସହଜରେ ଗ୍ରହଣ କରିଯାଇଛନ୍ତି। ଏପରି ଶାସନ ବ୍ୟବସ୍ଥାରେ ଯେଉଁଠାରେ ବିଧାୟକ, ସାଂସଦ ଓ ମନ୍ତ୍ରୀମାନେ ନଗଣ୍ୟ ସେଠାରେ ଶାସନର ବ୍ୟବସ୍ଥାରେ ଥିବା ଅଧିକାରୀମାନେ ଦୟାଳୁ ଏକଛତ୍ରବାଦୀଙ୍କ ନିର୍ଦ୍ଦେଶରେ ଯାହାସବୁ କରିବେ ସେଥିରେ ପ୍ରଶ୍ନ ଉଠାଇବା କଷ୍ଟସାଧ୍ୟ। ଏହିପରି ଏକ ବ୍ୟବସ୍ଥାରେ ଦୟାଳୁ ଏକଛତ୍ରବାଦୀଙ୍କର ବିଶ୍ୱସ୍ତ କୁହାଯାଉଥିବା ପ୍ରଶାସକ ସବୁକଥାକୁ ନିୟନ୍ତ୍ରଣ କରିବା ସହଜ ବୋଲି ଧରିନିଆଯାଇଛି। ଯେଉଁ ପ୍ରଶାସକମାନେ ଏହି ବିଚାରଧାରା ସହିତ ରହିବେ ସେହିମାନେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାମ କରିବେ ଓ ସେମାନଙ୍କର ପଦୋନ୍ନତି ଓ ଥଇଥାନ ସେହି ଅନୁସାରେ ହେବ। ଏହି ଶାସନ ବ୍ୟବସ୍ଥାରେ ପ୍ୟାରୀମୋହନ ମହାପାତ୍ର ଦୟାଳୁ ଏକଛଦ୍ରବାଦୀଙ୍କର ବିଶ୍ୱସ୍ତ ହୋଇ ରାଜ୍ୟରେ ସୁପର ଚିଫ୍ ମିନିଷ୍ଟର ଆଖ୍ୟା ପାଇଥିଲେ। କିନ୍ତୁ ସେ ବିଶ୍ୱାସ ହରାଇବା କ୍ଷଣି ଏକ ନୂଆ ବ୍ୟବସ୍ଥା କାଏମ କରାଯାଇଛି ଯେଉଁଠାରେ ପ୍ରଶାସନରେ ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱସ୍ତ ସେହିପରି ଆଚରଣ କରିପାରୁଛନ୍ତି।

ମୁଖ୍ୟମନ୍ତ୍ରୀ ଭୁଲିଯାଉଛନ୍ତି ଯେ, ଯେତେବେଳେ ସେ ରାଜ୍ୟରେ କ୍ଷମତା ହାସଲ କଲେ ସେତେବେଳେ ବିଜୁ ପଟ୍ଟନାୟକ ତାଙ୍କ ଦୀର୍ଘ ରାଜନୈତିକ ଜୀବନରେ ଯେଉଁସବୁ ପରପିଢ଼ିର ନେତାମାନଙ୍କୁ ସୃଷ୍ଟି କରିଥିଲେ ସେହିମାନେ ମିଳିତ ଭାବେ ରାଜ୍ୟରେ ବିଜୁ ପଟ୍ଟନାୟକଙ୍କ ରାଜନୈତିକ ଧାରାକୁ କାଏମ ରଖିବା ପାଇଁ ନବୀନ ପଟ୍ଟନାୟକଙ୍କୁ ନେତା ଭାବରେ ଉପସ୍ଥାପିତ କରିଥିଲେ। କିନ୍ତୁ ନିଜର ଆସ୍ଥାନ ମଜଭୁତ ହେବା ସହିତ ପର୍ଯ୍ୟାୟକ୍ରମେ ସେହି ପିଢ଼ିର ପ୍ରାୟ ସବୁ ନେତା ଅପସରି ଯାଇଛନ୍ତି। ଏବେ ଯେଉଁମାନଙ୍କୁ ପରପିଢ଼ିର ନେତା ଭାବରେ ଉପସ୍ଥାପିତ କରାଯାଉଛି ସେମାନଙ୍କ ଭିତରୁ ଅଧିକାଂଶ ସ୍ୱାଭାବିକ ନେତା ନୁହଁନ୍ତି। ମନୋନୟନ ପ୍ରକ୍ରିୟାରେ ସେମାନେ ନେତୃତ୍ୱ ହାସଲ କରୁଥିବାରୁ ନେତୃତ୍ୱର ବିଶ୍ୱାସ କେତେବେଳେ ଚାଲିଯିବ ତାହା ସେମାନେ ଅନୁମାନ କରିପାରୁନାହାନ୍ତି। ପୂର୍ବରୁ ଓଡ଼ିଶାରେ ଯେଉଁମାନଙ୍କୁ ମନ୍ତ୍ରୀ କରାଯାଉଥିଲା ସେମାନେ ଦକ୍ଷତା ଓ ନେତୃତ୍ୱ ଭିତ୍ତିରେ ମନ୍ତ୍ରୀ ହୋଇଛନ୍ତି ବୋଲି ଧରି ନିଆଯାଉଥିଲା। ହରେକୃଷ୍ଣ ମହତାବ ମନ୍ତ୍ରିମଣ୍ଡଳ ହେଉ, ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳ ହେଉ ବା ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳ ହେଉ ଅବା ନନ୍ଦିନୀଙ୍କ ମନ୍ତ୍ରିମଣ୍ଡଳ ହେଉ ବା ଜାନକୀ ବଲ୍ଲଭଙ୍କ ମନ୍ତ୍ରିମଣ୍ଡଳ ହେଉ, ସବୁଠାରେ ମନ୍ତ୍ରୀ ହେଉଥିବା ବ୍ୟକ୍ତିମାନଙ୍କର ଏକ ସ୍ୱାଭାବିକ ନେତୃତ୍ୱ ରହିଥିଲା। ତେଣୁ ମନ୍ତ୍ରୀମାନଙ୍କୁ ସହଜରେ ନ୍ୟୁନ ଭାବରେ କେହି ବିଚାର କରୁନଥିଲେ। କିନ୍ତୁ ଏବେ ପରିସ୍ଥିତି ସଂପୂର୍ଣ୍ଣ ଭିନ୍ନ ହୋଇଯାଇଛି। ମନ୍ତ୍ରିତ୍ୱ ହାସଲ ଏକ ଲଟେରୀ ଭଳି ମନେହେଉଛି। ସେଥିପାଇଁ ନବୀନଙ୍କ ଦୀର୍ଘ ଶାସନ ପରେ ଓଡ଼ିଶାର ପରବର୍ତ୍ତୀ ନେତୃତ୍ୱ ନେଇ କେହି କିଛି ବି କଳ୍ପନା କରିପାରୁନାହାନ୍ତି।

ଓଡ଼ିଶାରେ ବିରୋଧୀ ପକ୍ଷରେ ଶୂନ୍ୟତା ଶାସନ କଳକୁ ବେଶ ସୁହାଇଛି। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରେ ଓଡ଼ିଶା କଂଗ୍ରେସ ଦଳରେ କୌଣସି ଗ୍ରହଣୀୟ ନେତୃତ୍ୱ ନଥିବାରୁ ଦଳ କ୍ରମାଗତ ଭାବରେ ଶକ୍ତି ହରାଇ ଚାଲିଛି। ଗତ ନିର୍ବାଚନରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱର ଉଦ୍ୟମ ଯୋଗୁ ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ହେବାର ମର୍ଯ୍ୟାଦା ପାଇଛି। କିନ୍ତୁ ଏହି ଦଳରେ ରାଜ୍ୟସ୍ତରରେ ନେତୃତ୍ୱର ଏପର୍ଯ୍ୟନ୍ତ ବିକାଶ ହୋଇପାରୁନାହିଁ। କେନ୍ଦ୍ରୀୟ ନେତୃତ୍ୱର ଭରସାରେ ରାଜ୍ୟ ବିଜେପି ପରିଚାଳିତ ହେଉଛି। ଯେଉଁ ବିଜେପି ନେତାମାନେ ରାଜ୍ୟରେ ଲୋକଙ୍କ ସହିତ କାମ କଲେ ସାଧାରଣରେ ଆସ୍ଥା ସୃଷ୍ଟି କରିପାରିବେ ସେମାନେ ରାଜ୍ୟ ଅପେକ୍ଷା ଦିଲ୍ଲୀ ନେତୃତ୍ୱ ଉପରେ ଅଧିକ ନିର୍ଭର କରି ରହିଛନ୍ତି। ସେଥିରେ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ, ଜୁଏଲ ଓରାମ ପ୍ରମୁଖ ନେତାମାନେ ରହିଛନ୍ତି। କିନ୍ତୁ ରାଜ୍ୟ ଭିତରେ ନେତୃତ୍ୱର ବିକାଶ ପାଇଁ ଓ ବିଶେଷ ଭାବରେ ନବୀନଙ୍କ ବିରୋଧରେ ଏକ ଚେହେରା ସୃଷ୍ଟି ପାଇଁ କେହି ବି ଉଦ୍ୟମ କରୁନାହାନ୍ତି। କେବଳ ଅପରାଜିତା ଷଡ଼ଙ୍ଗୀ କିଛି ଉଦ୍ୟମ କରୁଥିଲେ ମଧ୍ୟ ରାଜ୍ୟର ନେତାମାନେ ତାଙ୍କୁ ସହାୟତା କରିବାକୁ ପ୍ରସ୍ତୁତ ନୁହଁନ୍ତି। ଓଡ଼ିଶାରେ ପରିସ୍ଥିତି ଏପରି ହୋଇଛି ଯେ, ନବୀନଙ୍କ ପରବର୍ତ୍ତୀ ନେତୃତ୍ୱ କିପରି ବିକାଶଲାଭ କରିବ ସେ ନେଇ ଆଲୋଚନା କରିବାକୁ କେହି ସାହସ କରୁନାହାନ୍ତି। ଏପରି ଅବସ୍ଥାରେ ଓଡ଼ିଶାରେ ବୃଦ୍ଧି ପାଇଥିବା କର୍ପୋରେଟ ସ୍ୱାର୍ଥ ଭବିଷ୍ୟତ ନେତୃତ୍ୱ ସୃଷ୍ଟିରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ସହଜରେ ଅନୁମାନ କରାଯାଉଛି।

ବରିଷ୍ଠ ସାମ୍ବାଦିକ

ମୋ- ୮୦୧୮୦୯୪୪୫୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।