ଓମ୍ ପ୍ରିୟଦର୍ଶୀ ଛୋଟରାୟ
କିଛିଦିନ ପୂର୍ବେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ ଯୋଗେ ଗୁଗଲ ଓ ଫେସବୁକର ଦମନ ପାଇଁ ସହଯୋଗ ଲୋଡିଥିଲେ। ଏଥି ସହ ମୋରିସନ ଇଂଲଣ୍ଡ, କାନାଡ଼ା ଓ ଫ୍ରାନ୍ସ ଆଦି ପ୍ରମୁଖ ରାଷ୍ଟ୍ରକୁ ମିଳିତ ଭାବେ ଏହି ସାମାଜିକ ଗଣମାଧ୍ୟମ ଗୁଡିକର ଦାଦାଗିରି ରୋକିବା ପାଇଁ ଆହ୍ୱାନ ଦେଇଛନ୍ତି। ଖୁବଶୀଘ୍ର ଅଷ୍ଟ୍ରେଲିଆ ସଂସଦରେ ଉଭୟ ଗୁଗଲ ଓ ଫେସବୁକ ପାଇଁ ନୂଆ ବିଲ ପାସ ହେବାକୁ ଯାଉଛି, ଯଦ୍ୱାରା ଅଷ୍ଟ୍ରେଲିଆ ସମ୍ବନ୍ଧୀୟ ଯେକୌଣସି ସମ୍ବାଦର ପ୍ରକାଶନ ପାଇଁ ସେମାନଙ୍କୁ ସ୍ଥାନୀୟ ଖବର ସଂସ୍ଥାଙ୍କୁ ଅର୍ଥ ଦେବାକୁ ହେବ। ଅଷ୍ଟ୍ରେଲିଆ ମତରେ ଗୁଗଲ, ଫେସବୁକ ଏବଂ ସେମାନଙ୍କ ସହଯୋଗୀଗଣ ଦୁନିଆର ବିଭିନ୍ନ ଦେଶର ଖବରକୁ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରିବା ସହ ତତ୍ ସଂଲଗ୍ନ ସୂଚନା ଓ ତଥ୍ୟକୁ ବିଭିନ୍ନ କର୍ପୋରେଟକୁ ବିକ୍ରି କରି ପ୍ରଚୁର ଧନ ଉପାର୍ଜନ କରିଛନ୍ତି। ସର୍ବଦା ଦେଶୀୟ ଆଇନକୁ ଅବଜ୍ଞା କରୁଥିବା ଏହି ଅନ୍ତଃରାଷ୍ଟ୍ରୀୟ ସଂସ୍ଥାଗୁଡିକ ସ୍ଥାନୀୟ ସରକାର ଓ ପ୍ରଶାସନକୁ ମଧ୍ୟ କୈଫିୟତ ଦେବାକୁ ନାରାଜ। ଓଲଟା ସେହି ଦେଶର ନାଗରିକଙ୍କୁ ସେବା ବହିର୍ଭୂତ କରିଦେବାର ଧମକ ଦେଉଛନ୍ତି। ଅତୀତରେ ଗୁଗଲ ଅଷ୍ଟ୍ରେଲିଆକୁ ଏପରି ଅନେକ ଚେତାବନୀ ଦେଇସାରିଛି।
ଫ୍ରାନ୍ସ ସହ ମଧ୍ୟ ଏମିତି ଘଟିଥିଲା। ପଦକ୍ଷେପ ସ୍ୱରୂପ ଫ୍ରାନ୍ସ ସମସ୍ତ ଫରାସୀ ଖବର ସରବରାହ ସଂସ୍ଥା ଉପରେ କପି ରାଇଟ କାନୁନ ଜାରି କରିଦେଲା, ଫଳରେ ଗୁଗଲକୁ ଏବେ ଫରାସୀ ସମ୍ବାଦ ପ୍ରକାଶନ ପାଇଁ ସମ୍ପୃକ୍ତ ଖବର ସଂସ୍ଥାକୁ ଲାଭାଂଶ ଦେବା ଅନିର୍ବାର୍ଯ୍ୟ ହୋଇଯାଇଛି। ଅନ୍ୟ ଇଉରୋପୀୟ ରାଷ୍ଟ୍ରମାନେ ମଧ୍ୟ ଏଭଳି କାନୁନ ଲାଗୁ କରିସାରିଛନ୍ତି। ଗୁଗଲ, ଫେସବୁକ, ଟ୍ୱିଟର, ଇଂଷ୍ଟାଗ୍ରାମ, ୟୁଟ୍ୟୁବ ଆଦି ସାମାଜିକ ସଂସ୍ଥାଗୁଡ଼ିକ ନିଜକୁ ଏଭଳି ପେଶ କରନ୍ତି, ଯେ ସେମାନେ ନିଷ୍କର ସେବକ ଭାବେ ବିଶ୍ଵର ସମସ୍ତ ଜନତାଙ୍କୁ ମାଗଣାରେ ଜ୍ଞାନ ବାଣ୍ଟି ଚାଲିଛନ୍ତି। ଯୋଗାଯୋଗ ପ୍ରକ୍ରିୟାରେ ଶୀଘ୍ରତା ଆଣିବା ସହ ଉନ୍ନୟନ ମୂଳକ କାର୍ଯ୍ୟରେ ଲୋକଙ୍କୁ ସଂଗଠିତ କରାଇବା, ସାମାଜିକ ସଚେତନତା ସୃଷ୍ଟି ଓ ପ୍ରାକୃତିକ ବିପତ୍ତି ସମ୍ପର୍କରେ ଆଗୁଆ ସୂଚନା ଦେବା ଆଦି ମହତ କାର୍ଯ୍ୟ ସେମାନଙ୍କ ଦ୍ୱାରା ବିନା ଶୁଳ୍କରେ ସମ୍ପାଦିତ ହେଉଛି। ସେମାନେ ଗୋଟିଏ ସାଧାରଣ ବ୍ୟକ୍ତିଟିକୁ ପ୍ରସିଦ୍ଧ ଲେଖକ, ଗାୟକ ଓ ଅଭିନେତାର ଚେହେରା ବନାଉଛନ୍ତି। ସମସ୍ତଙ୍କୁ ନିଜ ସ୍ୱର ଉତ୍ତୋଳନ ଓ ମତ ଉପସ୍ଥାପନ ପାଇଁ ସ୍ୱାଧୀନ ମଞ୍ଚ ମିଳୁଛି, ତାହାବି ମାଗଣାରେ। କେବଳ ସେମାନଙ୍କ ଅନୁକମ୍ପା ଯୋଗୁଁ ହିଁ ଆଜି ପ୍ରତ୍ୟେକ ମଣିଷ କୂପ ମଣ୍ଡୁକରୁ ଗ୍ଲୋବାଲ ସିଟିଜେନ ହୋଇପାରିଛି।
ସବୁ ଠିକ ଯେ, କିନ୍ତୁ କଣ ସତରେ ଏମାନେ ଏତେ ମହାନ? ଆଦୌ ନୁହେଁ। ଏମାନେ ଜଣେ ଜଣେ ସୂଚନା ସୌଦାଗର ଯେଉଁମାନେ ଆଜିର ଦୁନିଆର ସମସ୍ତ ଲୋକଙ୍କ ଉପରେ ଭର୍ଚୁଆଲି ଶାସନ କରୁଛନ୍ତି ଓ ସେମାନଙ୍କ ଦ୍ୱାରା ପ୍ରଦତ୍ତ ବ୍ୟକ୍ତିଗତ ତଥ୍ୟ ଓ ବିଚାରକୁ ନିଜସ୍ୱ ଦର୍ଶାଇ ବିଲିୟନ ଡଲାରରେ ବିକ୍ରି କରୁଛନ୍ତି। ଏମାନେ ବିଭିନ୍ନ ଦେଶର ଆଭ୍ୟନ୍ତରୀଣ ମାମଲାରେ ମଧ୍ୟ ହସ୍ତକ୍ଷେପ କରିବା ଆରମ୍ଭ କରି ଦେଇଛନ୍ତି। କିଛି ବର୍ଷ ପୂର୍ବେ ଇଣ୍ଟରନେଟ ବିପ୍ଳବ ଦ୍ୱାରା ଇଜିପ୍ଟ ସରକାରକୁ ଗାଦିଚ୍ୟୁତ କରିବା ଏହାର ପ୍ରଥମ ଟ୍ରାଏଲ ଥିଲା। ଯେଉଁକାର୍ଯ୍ୟ ଏକଦା ସି.ଆଇ.ଏ ଓ କେ.ଜି.ବି ଭଳି ଗୁଇନ୍ଦା ସଂସ୍ଥା କରୁଥିଲେ ତାହା ଏବେ ଏହି 'ସୂଚନା ପ୍ରଦାନକାରୀ' ନାମିତ ମୁଖା ତଳେ କରାଯାଉଛି। ଗତ ଗଣତନ୍ତ୍ର ଦିବସରେ ଘଟିଥିବା ଦିଲ୍ଲୀ ହିଂସା ଓ ସେଥିରେ ଟ୍ୱିଟରର ଭୂମିକା ଆମ ପାଇଁ ସଦ୍ୟତମ ଉଦାହରଣ ଅଟେ। ଜନତାଙ୍କୁ ମାଗଣା ଜ୍ଞାନ, ବୈଶ୍ବିକ ନାଗରିକତା ଓ ଅଭିବ୍ୟକ୍ତିର ଆଜାଦୀ ଦେବା ଛଳରେ ଏମାନେ ସେମାନଙ୍କ ଚିନ୍ତନ, ମନ୍ଥନ, କଥନ ଏବଂ ଲିଖନ ଉପରେ ପ୍ରଭୁତ୍ୱ ହାସଲ କରିସାରିଛନ୍ତି। ଅନ୍ୟଥା କୋଡ଼ିଏ ଜଣ ଯବାନଙ୍କ ମୃତ୍ୟୁ ପରେ ମଧ୍ୟ ଭାରତୀୟ ସରକାରଙ୍କ ଟିକଟକ୍ ଓ ପବ-ଜି ବ୍ୟାନକୁ ଅନେକ ଭାରତୀୟ ବିରୋଧ କରି ନଥାନ୍ତେ।
ତେବେ ଏସବୁ ଘଟଣା ଭାରତୀୟ ସ୍ୱଦେଶୀ ଆନ୍ଦୋଳନକୁ ନୂଆ ଧାର ଯୋଗାଇଛି। ରୋପୋସୋ, ଚିଂଗାରୀ ଭଳି ଦେଶୀ ଆପ୍ ଟିକଟକ୍ ର ସ୍ଥାନ ନେବାକୁ ଉଦ୍ୟମରତ। ପବ-ଜି ବଦଳରେ ଆସିଥିବା ଫୌ-ଜି ଖେଳ ବେଶ୍ ଆଦୃତ ହୋଇପାରିଛି। ମାଇକ୍ରୋବ୍ଲଗିଙ୍ଗ ସାଇଟ୍ ଟ୍ୱିଟରକୁ ଅନୁକରଣ କରି ଅପ୍ରମେୟ ରାଧାକ୍ରିଷ୍ଣଙ୍କ ଉଦ୍ୟମରେ ସ୍ବଦେଶୀ 'କୁ' ଆପ୍ ନିର୍ମାଣ ଓ ସେଥିରେ ଭାରତୀୟ ଇଲେକ୍ଟ୍ରୋନିକ ଓ ସୂଚନା ପ୍ରୌଦ୍ୟୋଗିକ ମନ୍ତ୍ରଣାଳୟର ଆନୁଷ୍ଠାନିକ ଆକାଉଣ୍ଟ ଚର୍ଚ୍ଚାର ବିଷୟ ପାଲଟିଛି। ଇତିମଧ୍ୟରେ ବହୁ ପ୍ରମୁଖ ସଙ୍ଗଠନ ଓ ପ୍ରତିଷ୍ଠିତ ବ୍ୟକ୍ତି 'କୁ'କୁ ଆପଣାଇ ସାରିଲେଣି। ହ୍ଵାଟସଆପ୍ର ସମାନ୍ତରାଳ ଭାବେ ଭାରତ ସରକାରଙ୍କ ଦ୍ୱାରା 'ସନ୍ଦେଶ' ଆପ୍ ବିକଶିତ କରାଯାଇଛି, ଯାହାର ବିଟା ଟେଷ୍ଟିଙ୍ଗ୍ ଚାଲୁଅଛି।ଆଶା ଯେ ରିଲାଏନ୍ସ ପକ୍ଷରୁ ପ୍ରସ୍ତୁତ ଜିଓ ବ୍ରାଉଜର ଗୁଗୁଲ ସହ ଦୃଢ଼ ପ୍ରତିଦ୍ୱନ୍ଦ୍ୱିତା କରିବ। ତଥାପି ଗାଁ କନିଆଁ ସିଙ୍ଘାଣୀ ନାକୀ ପରି ଅନାବଶ୍ୟକ ଖୁଣ କାଢି ଆମେ ଏହି ସ୍ୱଦେଶୀ ଆପ୍ ଗୁଡିକୁ ପୂର୍ଣତଃ ଆପଣାଇ ପାରୁନାହେଁ। ୟୁଜର୍ସ ସଂଖ୍ୟା କମ ରହିବାରୁ ଡେଭଲପରମାନଙ୍କୁ ଅଧିକ ପାଣ୍ଠି ମିଳୁନାହିଁ। ତେଣୁ ସେମାନେ ଆପ୍କୁ ଅଧିକ ବିକଶିତ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ପୁଣି ବିକଶିତ ନହେବାରୁ ଆମେ ସେ ଆପ୍ କୁ ଅନ ଇନ୍ସଟାଲ କରିଦେଉଛେ। ଶେଷରେ ଆଗ କୁକୁଡ଼ା ନା ଆଗ ଅଣ୍ଡା ବିତଣ୍ଡା ମଧ୍ୟରେ ଆପ୍ ଟି ବନ୍ଦ ହୋଇଯାଉଛି।
ବୈଦେଶିକ ସାମାଜିକ ଗଣମାଧ୍ୟମ ସଂସ୍ଥାଗୁଡିକ ଉପରେ ସରକାରୀ କଟକଣା ସହିତ ସ୍ୱଦେଶୀ ବିକଶିତ ଆପ୍ ଆମ ଜନମାନସରେ ଗ୍ରହଣୀୟ ହୋଇପାରିଲେ ଭାରତୀୟ ଡିଜିଟାଲ ବିପ୍ଳବ ବିଶ୍ୱରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଗୁଗଲ ଓ ଫେସବୁକର ଏହି ସାଇବର ସାମ୍ରାଜ୍ୟବାଦକୁ ରୋକିବା ପାଇଁ ସାମୂହିକ ପ୍ରଚେଷ୍ଟା ଅତ୍ୟନ୍ତ ଜରୁରୀ। (ଆଲେଖ୍ୟର ମତାମତ ଲେଖକଙ୍କର ସଂପୂର୍ଣ୍ଣ ନିଜସ୍ୱ।)
ମୋ: ୯୧୭୮୫୬୦୩୫୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।