- ସୁଧାଂଶୁ ରଞ୍ଜନ ଦାସ
ସମଗ୍ର ବିଶ୍ୱ ଆଜି ପ୍ରକୃତି ସାଙ୍ଗରେ ସାମଞ୍ଜସ୍ୟ ନରଖି ଅପବିକାଶ କରିବାଯୋଗୁଁ ଜଳବାୟୁ ପରିବର୍ତ୍ତନର ଶିକାର ହୋଇଛି। ବିଗତ ଦୁଇ ଦଶନ୍ଧିରେ ପ୍ରାକୃତିକ ଵିପର୍ଯ୍ୟୟର ସଂଖ୍ୟା ବଢିବା ସଂଗେ ସଂଗେ ଏହାର ଭୀଷଣତା ଅତ୍ୟଧିକ ଭାବରେ ବୃଦ୍ଧି ପାଇବାର ଅନେକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ସମଗ୍ର ବିଶ୍ୱରେ ଆଜି ଲକ୍ଷ ଲକ୍ଷ ଲୋକଙ୍କର ଧନ ଜୀବନହାନି ହେଉଛି। ବନ୍ୟା, ବାତ୍ୟା, ମରୁଡ଼ି, ଜଙ୍ଗଲରେ ନିଆଁ ଲାଗିବା, ଭୂମିକମ୍ପ, ବାଦଲ ଫାଟିବା ଓ ପାହାଡ଼ ଖସିବା ଇତ୍ୟାଦି ସତେ ଯେପରି ମଣିଷ ସମାଜକୁ ଏକ ଭୟଙ୍କର ପ୍ରଳୟ ଆସିବା ପୂର୍ବରୁ ବାରମ୍ବାର ଚେତାବନୀ ଦେଉଥିବାର ମନେହୁଏ।
ଆଜି ବିଶ୍ୱବାସୀ ଯଦି ନିଜର ଜୀବନ ଶୈଳୀରେ ପରିବର୍ତ୍ତନ ଆଣିପାରନ୍ତେ ତେବେ ସେମାନେ ଭବିଷ୍ୟତରେ ପ୍ରଳୟଙ୍କରୀ ପ୍ରାକୃତିକ ବିପର୍ଯୟକୁ ଏଡ଼ାଇ ଦେଇପାରିବେ। ଆଜି ଓଡ଼ିଶା କରୋନା ସାଙ୍ଗକୁ ଭୀଷଣ ଗ୍ରୀଷ୍ମ ପ୍ରବାହର ସାମନା କରିବାକୁ ଯାଉଛି। ମାର୍ଚ୍ଚ ମାସ ନପୂରୁଣୁ ରାଜ୍ୟରେ ୪୦ ଡିଗ୍ରୀ ସେଣ୍ଟିଗ୍ରେଡ଼ରୁ ଅଧିକ ତାପମାନ ହେଲାଣି।
ଓଡ଼ିଶାର ୩୩ ଲକ୍ଷ କୁମ୍ଭକାର ଅନେକ କିସମର ନିତ୍ୟବ୍ୟବହାର୍ଯ୍ୟ ଜିନିଷ ତିଆରି କରିବା ସଂଗେ ସଂଗେ ବିଭିନ୍ନ ପ୍ରକାରର ଘରସଜାଇବା ବସ୍ତୁ ମଧ୍ୟ ତିଆରି କରିଥାନ୍ତି। ଓଡ଼ିଶାବାସୀ ଯଦି ମାଟିରେ ତିଆରି ହେଉଥିବା ବିଭିନ୍ନ ପ୍ରକାରର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଓ ଘର ସଜାଇବା ଜିନିଷର ବହୁଳ ବ୍ୟବହାର କରିବେ ତେବେ ଏହା କରୋନା ସମୟରେ ଅନେକ ଲୋକଙ୍କ ପାଇଁ ରୋଜଗାରର ସମ୍ଭାବନା ସୃଷ୍ଟି କରିବା ସଂଗେ ସଂଗେ ଗ୍ରୀଷ୍ମ ପ୍ରବାହକୁ ଲାଘବ କରନ୍ତା।
ତେଲେଙ୍ଗାନା ରାଜ୍ୟର ଆଦିଲାବାଦ ଜିଲ୍ଲାର କୁମ୍ଭକାରମାନଙ୍କ ଦ୍ୱାରା ତିଆରି ମାଟି ମାଠିଆ ଭାରତର ଅନେକ ରାଜ୍ୟରେ ଲୋକପ୍ରିୟ ହୋଇପାରିଛି। ଗ୍ରୀଷ୍ମ ଋତୁରେ ଏହି ମାଠିଆଗୁଡ଼ିକ ବହୁତ ଅଧିକ ମାତ୍ରାରେ ବିକ୍ରି ହୋଇଥାଏ। ଓଡ଼ିଶାର କୁମ୍ଭକାରମାନେ ମଧ୍ୟ ମାଠିଆ, ସୁରେଇ, ହାଣ୍ଡି, ଧୂପଦାନୀ, ଫୁଲଦାନୀ, ମାଟିରେ ତିଆରି ଡାଇନିଂ ଟେବୁଲ, ମାଟିରେ ତିଆରି ଆଧୁନିକ ଘର ସିଲିଂ, ସୁନ୍ଦର ସୁନ୍ଦର ଘର ସଜାଇବା ଦ୍ରବ୍ୟ, ମୂର୍ତ୍ତି ଓ ମାଟିର ଚା ଗିଲାସ ଆଦି ସହ ସହ ପ୍ରକାରର ଜିନିଷ ବଜାରରେ ବିକ୍ରୀ କରିପାରିବେ।
ଓଡ଼ିଶାର ମୃତ୍ତିକା ଶିଳ୍ପୀମାନେ ଅତି ଉଚ୍ଚକୋଟୀର ଟେରାକୋଟା କାମ କରିପାରନ୍ତି ଯାହାର ଚାହିଦା ଦେଶ ବିଦେଶରେ ଅଛି। ଆଜି ଗୁଜୁରାଟରେ ତିଆରି ମାଟିହାଣ୍ଡି, କଡ଼େଇ ଓ ପାଣିବୋତଲ ଇତ୍ୟାଦି ସାରାଦେଶରେ ଲୋକପ୍ରିୟ ହୋଇପାରିଛି। ଓଡ଼ିଶା ସରକାର ଏହି ମୃତ୍ତିକା ଶିଳ୍ପୀମାନଙ୍କର ସୁବିଧା ଅସୁବିଧା ବୁଝି ସେମାନଙ୍କ ଜିନିଷ ଗୁଡ଼ିକ କିଭଳି ବିକ୍ରୀ କରିହେବ ସେଥିପାଇଁ ପଦକ୍ଷେପ ନେବା ଉଚିତ। ଯଦି ଉଚ୍ଚ ଶିକ୍ଷିତ ଲେଖକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଜନସାଧାରଣଙ୍କୁ ମାଟିରେ ତିଆରି ଦ୍ରବ୍ୟର ବହୁଳ ବ୍ୟବହାର କରିବାକୁ ପ୍ରେରିତ କରନ୍ତେ ତେବେ ଏହା ଓଡିଶାର ଅନେକ କୁମ୍ଭକାରଙ୍କୁ ଜୀବିକାନିର୍ବାହ କରିବାରେ ସହାୟକ ହୁଅନ୍ତା।
ଓଡ଼ିଶାର ଚା ଦୋକାନ, ହୋଟେଲ ଓ ଢାବାଗୁଡ଼ିକରେ ଓଡ଼ିଶାରେ ତିଆରି ମାଟି ପଦାର୍ଥର ବହୁଳ ବ୍ୟବହାର ହେବା ଉଚିତ। ଓଡ଼ିଶାର ଟେରାକୋଟା କାରିଗରମାନେ ଉଚ୍ଚକୋଟିର ଟେରାକୋଟା ଟାଇଲି, ବଡ଼ ବଡ଼ ହୋଟେଲରେ ଲାଗିବାପାଇଁ ୱାଲ ହାଂଗିଙ୍ଗ ଓ ଅନେକ କିସମର ସୌନ୍ଦର୍ଯ୍ୟ ବର୍ଦ୍ଧନକାରୀ ବସ୍ତୁର ନିର୍ମାଣ କରିଥାନ୍ତି।
କଟକର ଅନେକ କାରିଗର ଯଥା ଫକୀର ପରିଡ଼ା, ମାୟାଧର ବେହେରା, ଶ୍ରୀଧର ରଣା ଓ କେଦାର ବେହେରା ପ୍ରମୁଖ ଅନେକ ଦେଶ ବିଦେଶରେ ଅନେକ ମନ୍ଦିର ଓ କଳାକୃତି ସିମେଣ୍ଟରେ ତିଆରି କରିଥିବାର ଦେଖାଯାଏ। ସରକାର ହସ୍ତଶିଳ୍ପ ବିଭାଗରେ ସଚ୍ଚୋଟ, ନିଷ୍ଠାପର ଓ ଦକ୍ଷ ଅଧିକାରୀଙ୍କ ସହାୟତାରେ ରାଜ୍ୟରେ ଥିବା ଅସଲି ମୃତ୍ତିକା କାରିଗରଙ୍କର ଚିଠା ବନାଇବା ଦରକାର। ସେମାନଙ୍କ ପାଇଁ ପେନସନର ବ୍ୟବସ୍ଥା କରି ଯୁବପିଢ଼ିଙ୍କୁ ମୃତ୍ତିକା ଶିଳ୍ପ ବିଷୟରେ ତାଲିମ ଦେବା ନିତ୍ୟାନ୍ତ ଦରକାର। ଏଥିରେ ଓଡ଼ିଶା ସରକାର ରାଜସ୍ୱ ପାଇବା ସଂଗେ ସଂଗେ ଓଡ଼ିଶାର ପ୍ରାକୃତିକ ପରିବେଶରେ ସୁଧାର ଆଣିପାରିବେ।
ରାଜନୈତିକ ନେତାମାନେ ବିଳାସ ବ୍ୟସନରେ ନିଜର ମୂଲ୍ୟବାନ ସମୟ ନଷ୍ଟ ନକରି ପ୍ରକୃତ ଜନସେବା କରି ତାର ଆନନ୍ଦ ପାଇବା ଉଚିତ। ଶହ ଶହ ନେତା ଓଡ଼ିଶାରେ ଜନ୍ମ ହୋଇ ଚାଲିଗଲେଣି କିନ୍ତୁ ଯେଉଁମାନେ ସମାଜ ପାଇଁ କାମ କରି ଲୋକଙ୍କ ପାଇଁ ରୋଜଗାରର ବାଟ ତିଆରି କରିଛନ୍ତି ସେମାନଙ୍କୁ ଲୋକେ ସବୁଦିନ ମନେ ରଖିଥାନ୍ତି।
ଓଡ଼ିଶାର ମୃତ୍ତିକା ଶିଳ୍ପର ସୁରକ୍ଷା ଓ ବିକାଶ ପାଇଁ ରାଜନେତା , ବୁଦ୍ଧିଜୀବୀ, ଯୁବ ପିଢ଼ି ଓ ମିଡ଼ିଆର ସହଯୋଗ ନିତ୍ୟାନ୍ତ ଆବଶ୍ୟକ। ଓଡ଼ିଶାରେ କର୍ମ ସଂସ୍କୃତିର ବିକାଶ ଓ ନେତା ଓ ବୁଦ୍ଧିଜୀଙ୍କ ମନରେ ସାହସ ଓ ସଦ୍ଗୁଣର ଉଦ୍ରେକ ହେଲେ ଓଡ଼ିଶା ପୁଣି ବିଶ୍ୱ ଶିଳ୍ପଜଗତରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିପାରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।