ଏନଆଇଏନଏଲର ପୁନର୍ଗଠନ ଆଶା

ଦେବେନ୍ଦ୍ର ପୃଷ୍ଟି ବହୁ ବର୍ଷ ଧରି କ୍ଷତିରେ ଚାଲିବା ପରେ ଓଡ଼ିଶାର ଯାଜପୁର ଜିଲ୍ଲା ଅନ୍ତର୍ଗତ କଳିଙ୍ଗନଗର ଶିଳ୍ପାଞ୍ଚଳର ନୀଳାଚଳ ଇସ୍ପାତ ନିଗମ ଲିମିଟେଡ କାରଖାନାର ପୁନରୁଦ୍ଧାର ଓ ପୁନର୍ଗଠନ ପାଇଁ ପୁଣି ଥରେ ଆଶାର ସଂଚାର ହୋଇଛି। ଯଦି କେନ୍ଦ୍ର ସରକାର ଗ୍ରହଣ କରିଥିବା ନିଷ୍ପତ୍ତି ଦ୍ୱାରା କାରଖାନାର ପୁନରୁଦ୍ଧାର ଓ ପୁନର୍ଗଠନ ସମ୍ଭବ ହୁଏ ଏବଂ ଏହା ଏକ ଲାଭ ଅର୍ଜନକାରୀ ସଂସ୍ଥାରେ ପରିଣତ ହୁଏ ତେବେ ତାହା ନିଶ୍ଚୟ ଓଡ଼ିଶା ପାଇଁ ଶୁଭଙ୍କର […]

banner22-1

Debendra Prusty
  • Published: Thursday, 09 January 2020
  • , Updated: 09 January 2020, 07:28 PM IST

ଦେବେନ୍ଦ୍ର ପୃଷ୍ଟି

ବହୁ ବର୍ଷ ଧରି କ୍ଷତିରେ ଚାଲିବା ପରେ ଓଡ଼ିଶାର ଯାଜପୁର ଜିଲ୍ଲା ଅନ୍ତର୍ଗତ କଳିଙ୍ଗନଗର ଶିଳ୍ପାଞ୍ଚଳର ନୀଳାଚଳ ଇସ୍ପାତ ନିଗମ ଲିମିଟେଡ କାରଖାନାର ପୁନରୁଦ୍ଧାର ଓ ପୁନର୍ଗଠନ ପାଇଁ ପୁଣି ଥରେ ଆଶାର ସଂଚାର ହୋଇଛି। ଯଦି କେନ୍ଦ୍ର ସରକାର ଗ୍ରହଣ କରିଥିବା ନିଷ୍ପତ୍ତି ଦ୍ୱାରା କାରଖାନାର ପୁନରୁଦ୍ଧାର ଓ ପୁନର୍ଗଠନ ସମ୍ଭବ ହୁଏ ଏବଂ ଏହା ଏକ ଲାଭ ଅର୍ଜନକାରୀ ସଂସ୍ଥାରେ ପରିଣତ ହୁଏ ତେବେ ତାହା ନିଶ୍ଚୟ ଓଡ଼ିଶା ପାଇଁ ଶୁଭଙ୍କର ସାବିତ ହେବ। କାରଖାନା ଲାଭ ଅର୍ଜନ କଲେ ଏଥିରେ କାର୍ଯ୍ୟ କରୁଥିବା ଶ୍ରମିକ ଓ କର୍ମଚାରୀମାନଙ୍କର ଆୟ ବୃଦ୍ଧି ପାଇବା ସହିତ ଓଡ଼ିଶା ସରକାରଙ୍କ ଟିକସ ରାଜସ୍ୱ ମଧ୍ୟ ବୃଦ୍ଧି ପାଇବ। ଯଦି ପୁନର୍ଗଠନ ସର୍ତ୍ତାନୁଯାୟୀ ଏହି କାରଖାନାର ଉତ୍ପାଦନ କ୍ଷମତା ବୃଦ୍ଧି ପାଏ ତେବେ ଏଥିରେ କର୍ମଚାରୀ ନିୟୋଜନ ମଧ୍ୟ ବୃଦ୍ଧି ପାଇବ। ତାହା ଯାଜପୁର ଜିଲ୍ଲା ସମେତ ରାଜ୍ୟର ବେକାରୀ ସମସ୍ୟା ସମାଧାନ କରିବାରେ କିଛିଟା ସହାୟକ ହେବା ନିଶ୍ଚିତ। ତେବେ, କ୍ୟାପ୍ଟିଭ ଲୁହା ପଥର ଖଣି ଲିଜ୍‌ଧାରୀ ଏହି କମ୍ପାନକୁ କୌଣସି ଘରୋଇ କମ୍ପାନୀ ହାତରେ ଟେକି ନଦେଇ ଏହାକୁ ଭାରତ ସରକାରଙ୍କ ପରିଚାଳନାଧୀନ ଅନ୍ୟ କୌଣସି ବଡ଼ ଇସ୍ପାତ ଉଦ୍ୟୋଗରେ ସାମିଲ କଲେ ତାହା ସିଧାସଳଖ ଭାବେ ରାଷ୍ଟ୍ରହିତରେ ଲାଗିପାରିବ।

ଏକଦା ନୀଳାଚଳ ଇସ୍ପାତ ନିଗମ ଦେଶର ସର୍ବାଧିକ ପିଗ୍‌ ଆଇରନ୍‌ ଉତ୍ପାଦନକାରୀ ମାନ୍ୟତା ଅର୍ଜନ କରିଥିଲା। କିନ୍ତୁ ପରିଚାଳନାଗତ ତ୍ରୁଟି ଯୋଗୁଁ ଏହି କାରଖାନା ବିଭିନ୍ନ ସମୟରେ ବିପୁଳ କ୍ଷତିର ସମ୍ମୁଖୀନ ହେବା ପରେ ଏହାର ଭବିଷ୍ୟତ ନେଇ ନାନାଦି ଆଶଙ୍କା ପ୍ରକାଶ ପାଇଥିଲା। ଏହି କାରଖାନାରେ କେନ୍ଦ୍ର ସରକାରଙ୍କ ଏମଏମଟିସିର ୪୯.୬ ପ୍ରତିଶତ ଅଂଶଧନ ରହିଥିବାବେଳେ ଓଡ଼ିଶା ସରକାରଙ୍କ ଅଧୀନସ୍ତ ଓଡ଼ିଶା ଖଣି ନିଗମ ବା ଓଏମସି ଏବଂ ଶିଳ୍ପ ପ୍ରୋତ୍ସାହନ ନିଗମ ବା ଇପିକଲର ମୋଟ ପ୍ରାୟ ୩୨ ପ୍ରତିଶତ ଅଂଶଧନ ରହିଛି। ସେହିପରି କେନ୍ଦ୍ର ସରକାରଙ୍କ ଏନଏମଡିସି, ମେକନ୍‌ ଓ ଭେଲ୍‌ର ମଧ୍ୟ ଏଥିରେ ମୋଟ ପ୍ରାୟ ୧୨ ପ୍ରତିଶତ ଅଂଶଧନ ବିନିଯୁକ୍ତ ରହିଛି। ଏହି କାରଖାନା ପାଇଁ ଏକ ଉତ୍ସର୍ଗୀକୃତ ଲୁହା ଖଣି ମଧ୍ୟ ରହିଛି। ସେଥିରେ ପ୍ରାୟ ୧୧୦ ନିୟୁତ ଟନ୍‌ର ଉନ୍ନତ ମାନର ଲୁହା ପଥର ଗଚ୍ଛିତ ଥିବା ଆକଳନ କରାଯାଇଛି। କଳିଙ୍ଗନଗର ଶିଳ୍ପାଞ୍ଚଳରେ ୨୫୦୦ ଏକର ଜମି ଉପରେ ଏହି କାରଖାନା ଦଣ୍ଡାୟମାନ।

ବର୍ଷ ବର୍ଷ ଧରି କ୍ଷତି କରି ଚାଲିଥିବା ଏହି କାରଖାନା ନୂଆ ପୁଞ୍ଜିର ଅଭାବରେ ଏକପ୍ରକାର ଅଚଳ ଅବସ୍ଥାକୁ ଖସି ଆସିଥିଲା। କିନ୍ତୁ ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ଇସ୍ପାତ ମନ୍ତ୍ରଣାଳୟର ଦାୟିତ୍ୱ ପାଇବା ପରେ ଏହି କାରଖାନାର ଅଚଳାବସ୍ଥା ଦୂର କରି ଏହାକୁ ଏକ ଲାଭଜନକ ସଂସ୍ଥାରେ ପରିଣତ କରିବା ପାଇଁ ପୂର୍ବରୁ ଚାଲିଥିବା କେନ୍ଦ୍ରୀୟ ପ୍ରୟାସ ତ୍ୱରାନ୍ୱିତ ହୋଇଛି। ପୂର୍ବରୁ ଏହି କାରଖାନାକୁ ଭାରତୀୟ ଇସ୍ପାତ ପ୍ରାଧିକରଣ ବା ସେଲ୍‌ ସହିତ ମିଶାଇବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ କୌଣସି କାରଣ ବଶତଃ ତାହା ସମ୍ଭବ ହୋଇନାହିଁ। ସେହିପରି କେନ୍ଦ୍ର ସରକାରଙ୍କ ଅଧୀନସ୍ତ ଅନ୍ୟ ଏକ ସଂସ୍ଥା ରାଷ୍ଟ୍ରୀୟ ଇସ୍ପାତ ନିଗମ ସହିତ ମଧ୍ୟ ଏହାକୁ ମିଶାଇବା ପାଇଁ ହୋଇଥିବା ଉଦ୍ୟମ ଫଳବତୀ ହୋଇନାହିଁ। ଏବେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଏହାର ପୁଞ୍ଜି ପ୍ରତ୍ୟାହାର ନିମନ୍ତେ କେନ୍ଦ୍ରୀୟ କ୍ୟାବିନେଟ୍ ନିଷ୍ପତ୍ତି ଗ୍ରହଣ କରିଛି। କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ କେନ୍ଦ୍ର ସରକାରଙ୍କ ପରିଚାଳନାଧୀନ ଚାରିଟି ଉଦ୍ୟୋଗର ପୁଞ୍ଜି ପ୍ରତ୍ୟାହୃତ ହେବ। ଏହି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅଂଶଧନ ଅନ୍ୟ କୌଣସି କେନ୍ଦ୍ରୀୟ ସଂସ୍ଥା କିମ୍ବା ଘରୋଇ ଉଦ୍ୟୋଗ କିଣିନେବେ। ଏଥିପାଇଁ ଏକ ପ୍ରକ୍ରିୟା ମଧ୍ୟ ଚୂଡ଼ାନ୍ତ ହୋଇଛି। ଦ୍ୱିସ୍ତରୀୟ ନିଲାମୀ ପ୍ରକ୍ରିୟାରେ କିଏ ଅଂଶଧନ କିଣିବ ତାହ ଚୂଡ଼ାନ୍ତ ହେବ। ନିଲାମୀ ପ୍ରକ୍ରିୟାରେ ସମସ୍ତ ପ୍ରକାର ସ୍ୱଚ୍ଛତା ରକ୍ଷା କରାଯିବ।

ଏବେ ଏହି କାରଖାନାରେ ୧୫୪୦ ଶ୍ରମିକ କର୍ମଚାରୀ ସିଧାସଳଖ ନିଯୁକ୍ତ ଅଛନ୍ତି। ସେହିପରି କାରଖାନାରେ ୯୭୦ ଜଣ କର୍ମଚାରୀ ଆଉଟସୋର୍ସିଂ ପଦ୍ଧତିରେ ନିୟୋଜିତ ଅଛନ୍ତି। କିଛି ଠିକା କର୍ମଚାରୀ ମଧ୍ୟ କାର୍ଯ୍ୟ କରୁଛନ୍ତି। ମୋଟ ଉପରେ ଏହି କାରଖାନା ଯୋଗୁଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ୫ ହଜାର ଲୋକ ନିଯୁକ୍ତି ସୁଯୋଗ ପାଇଛନ୍ତି। କେନ୍ଦ୍ର ସରକାର ଏହାର ପୁଞ୍ଜି ପ୍ରତ୍ୟାହାର ଜରିଆରେ କାରଖାନାର ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ଚାହୁଁଛନ୍ତି। ଏବେ ଏହି କାରଖାନାର ଉତ୍ପାଦନ କ୍ଷମତା ହେଉଛି ବାର୍ଷିକ ୧.୧ ନିୟୁତ ଟନ୍‌। କେନ୍ଦ୍ରୀୟ ଅଂଶଧନ ବିକ୍ରି ପରେ ଏହି କ୍ଷମତା ବାର୍ଷିକ ୧୦ ନିୟୁତ ଟନ୍‌କୁ ବୃଦ୍ଧି କରାଯିବାର ଯୋଜନା ରହିଛି। ଓଡ଼ିଶାରେ ଏବେ ବାର୍ଷିକ ୧୦ ନିୟୁତ ଟନ୍‌ ଉତ୍ପାଦନ କରିବା ଭଳି କୌଣସି ଇସ୍ପାତ କାରଖାନା ନାହିଁ। ନୀଳାଚଳ ଇସ୍ପାତ ନିଗମ ଏଯାଏଁ ଇସ୍ପାତ ଉତ୍ପାଦନ କରିନାହିଁ। ଏହା ଏଯାଏଁ ପିଗ୍‌ ଲୁହା ଓ ହଟ୍‌ ମେଟାଲ ଉତ୍ପାଦନ କରୁଥିଲା। ଯଦି ଏହି କାରଖାନାରୁ ବାର୍ଷିକ ୧୦ ନିୟୁତ ଟନ୍‌ ଇସ୍ପାତ ଉତ୍ପାଦନ କରାଯିବ ତେବେ କାରଖାନାରେ ନିଯୁକ୍ତି ସୁଯୋଗ ନିଶ୍ଚିତ ଭାବରେ ବହୁଗୁଣିତ ହେବ। ଯଦି ବି କେବଳ ଏହି କାରଖାନାରୁ କେବଳ ପିଗ୍‌ ଲୁହା ଓ ହଟ୍‌ ମେଟାଲ ଉତ୍ପାଦିତ ହେବ ତେବେ ବି ଅଧିକ ଉତ୍ପାଦନ ପାଇଁ ଅଧିକ ଲୋକଙ୍କ ଆବଶ୍ୟକତା ପଡ଼ିବ। ଏହା ହେଲେ ନୀଳାଚଳ ଇସ୍ପାତ ନିଗମରେ ନିଶ୍ଚୟ ସ୍ଥାନୀୟ ଲୋକଙ୍କ ପାଇଁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

୨୦୩୦ ସୁଦ୍ଧା ଭାରତରେ ୩୦୦ ନିୟୁତ ଟନ୍‌ ଇସ୍ପାତ ଉତ୍ପାଦନ ପାଇଁ ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି। ସେହି ସମୟ ସୁଦ୍ଧା ଓଡ଼ିଶାରେ ଏହାର ୩୦ ପ୍ରତିଶତ ଅର୍ଥାତ ପ୍ରାୟ ୧୦୦ ନିୟୁତ ଟନ୍‌ ଇସ୍ପାତ ଉତ୍ପାଦନ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ଓଡ଼ିଶା ସରକାର ମଧ୍ୟ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଇସ୍ପାତ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ନିମନ୍ତେ ଜୋରଦାର ଉଦ୍ୟମ ଚଳାଇଛନ୍ତି। ସେଭଳି ଏକ ସମ୍ଭାବ୍ୟ ସ୍ଥିତିରେ କଳିଙ୍ଗନଗର ସମଗ୍ର ଭାରତର ଇସ୍ପାତ ଉତ୍ପାଦନର କେନ୍ଦ୍ରସ୍ଥଳ ହେବ ବୋଲି ବିଶ୍ୱାସ କରାଯାଉଛି। କଳିଙ୍ଗନଗର ଶିଳ୍ପାଞ୍ଚଳ ପ୍ରତିଷ୍ଠା ହେବା ଦିନରୁ ଏହାକୁ ଭାରତର ଇସ୍ପାତ ରାଜଧାନୀରେ ପରିଣତ କରିବା ପାଇଁ ଉଦ୍ୟମ ହୋଇଆସିଛି। ସ୍ୱର୍ଗତ ବିଜୁ ପଟ୍ଟନାୟକ ଦ୍ୱିତୀୟ ବାର ମୁଖ୍ୟମନ୍ତ୍ରୀ ଥିଲାବେଳେ ସେଠାରେ ସ୍ୱରାଜ ପାଲ୍‌ଙ୍କ କାପାରୋ ଗୋଷ୍ଠୀ ଜରିଆରେ ଏକ ଇସ୍ପାତ କାରଖାନା ପ୍ରତିଷ୍ଠା କରିବାକୁ ଉଦ୍ୟମ ଚଳାଇଥିଲେ। ସେଥିରେ ସେ ବିଫଳ ହୋଇଥିଲେ ବି ପରବର୍ତ୍ତୀ ସମୟରେ ଓଡ଼ିଶା ସରକାରଙ୍କ ଉଦ୍ୟମରେ ସେଠାରେ ଅନ୍ୟୁନ ୧୩ଟି କାରଖାନା ପ୍ରତିଷ୍ଠା କରାଯାଇଥିଲା। ତନ୍ମଧ୍ୟରେ ଟାଟା ଓ ଜିନ୍ଦଲ ଗୋଷ୍ଠୀର କାରଖାନା ମଧ୍ୟ ଅନ୍ତର୍ଭୁକ୍ତ। ତେବେ, ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ଇସ୍ପାତ ଚାହିଦା କମିବା କାରଣରୁ ଏହି ଶିଳ୍ପାଞ୍ଚଳରେ ମଧ୍ୟ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ଏବେ କଳିଙ୍ଗନଗରର ଅଧିକାଂଶ କାରଖାନା ସେମାନଙ୍କର କ୍ଷମତା ଅନୁଯାୟୀ ଉତ୍ପାଦନ କରୁନାହାନ୍ତି।

ଏବେ ଯଦି କେନ୍ଦ୍ର ସରକାର ପୁଞ୍ଜି ପୁନର୍ଗଠନ ଜରିଆରେ ନୀଳାଚଳ ଇସ୍ପାତ ନିଗମର ପୁରୁଦ୍ଧାର କରିବାରେ ସଫଳ ହେବେ ତେବେ ତାହା ନିଶ୍ଚୟ ରାଜ୍ୟ ପାଇଁ ଏକ ବରଦାନ ହେବ। ଏ ଦିଗରେ ରାଜ୍ୟ ସରକାର କୌଣସି ରାଜନୀତିକ ଉଦ୍ଦେଶ୍ୟ ନରଖି ସବୁ ପ୍ରକାର ସହଯୋଗ ଯୋଗାଇଦେବା ଆବଶ୍ୟକ। ମାତ୍ର, ଯଦି ରାଜ୍ୟ ସରକାରଙ୍କଠାରୁ ପ୍ରତିରୋଧ କରାଯାଏ କିମ୍ବା କୌଶଳପୂର୍ଣ୍ଣ ଭାବେ ପ୍ରତିବନ୍ଧକ ସୃଷ୍ଟି କରାଯାଏ ତେବେ ହୁଏତ ଏହି କାରଖାନାରେ ସବୁ ଦିନ ପାଇଁ ତାଲା ପଡ଼ିଯିବାର ଆଶଙ୍କା ରହିଛି। ସେପରିସ୍ଥଳେ କାରଖାନା ଉପରେ ନିର୍ଭରଶୀଳ ୫ ହଜାର ଲୋକଙ୍କ ଭାତହାଣ୍ଡି ଭାଙ୍ଗିଯିବ।

Related story