- ଦେବେନ୍ଦ୍ର ପୃଷ୍ଟି
ଏବେ ଆମ ଓଡ଼ିଶାରେ ସାମ୍ବାଦିକମାନଙ୍କ ବିରୋଧରେ ଅନେକ ଖବର ପ୍ରକାଶ ପାଉଛି। ଏହା ଆପଣମାନଙ୍କ ନଜରରୁ ଲୁଚି ରହିନଥିବ ନିଶ୍ଚୟ। କେଉଁଠି ସାମ୍ବାଦିକମାନେ ଦଲାଲୀ କରୁଥିବାର ଅଭିଯୋଗ। କେଉଁଠି କାହାକୁ ଧମକ୍ ଦେଇ ବଟି ଆଦାୟ କରୁଥିବାର ଅଭିଯୋଗ। କେଉଁଠି କାହାକୁ ବ୍ଲାକ ମେଲ୍ କରୁଥିବାର ଅଭିଯୋଗ। ଏମିତି କେତେ କ’ଣ ଅଭିଯୋଗ ଭିତରେ ସାମ୍ବାଦିକର ଭାବମୂର୍ତ୍ତି ଯେମିତି କ୍ଷୁର୍ଣ୍ଣ ସାମ୍ବାଦିକତାର ମାନ ଉପରେ ମଧ୍ୟ ସେମିତି ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ।
କୁହାଯାଉଛି ଓଡ଼ିଶାରେ ଏବେ ଛତୁ ଫୁଟିଲା ଭଳି ଡିଜିଟାଲ ମିଡିଆ ବା ୱେବ ପୋର୍ଟାଲ। ଛତୁ ଫୁଟିଲା ଭଳି ପତ୍ରପତ୍ରିକା। ଟିଭି ଚାନେଲ ଓ ଖବରକାଗଜ। ଏସବୁ ସହ ଜଡ଼ିତ ଅଛନ୍ତି ଅନେକ ସାମ୍ବାଦିକ। ବା ସାମ୍ବାଦିକର ପରିଚୟ ନେଇ ବୁଲୁଥିବା ଅନେକ ପ୍ରକାର ଲୋକ। ଏମାନଙ୍କ ଭିତରୁ କିଏ କ’ଣ କରୁଛି ନକରୁଛି ତାହା ଆପଣମାନଙ୍କ ବିଜ୍ଞ ବିଚାର ଓ ସତର୍କ ନଜର ଆଢ଼ୁଆଳରେ ରହୁ ନଥିବ ନିଶ୍ଚୟ। ରହୁନାହିଁ ବୋଲି ଅନେକ ଖବର ପଦାକୁ ଆସୁଛି। ଏମିତି କି ଏଇଭଳି କେତେକ ସାମ୍ବାଦିକଙ୍କ ବିରୋଧରେ ଯେଉଁ ଖବର ସବୁ ପ୍ରକାଶିତ ବା ପ୍ରସାରିତ ହେଉଛି ତାହା ପଛରେ ମଧ୍ୟ ସାମ୍ବାଦିକଙ୍କର ଭୂମିକା ରହୁଛି। ଅର୍ଥାତ ସାମ୍ବାଦିକମାନେ ହିଁ ସାମ୍ବାଦିକତାକୁ ସ୍ୱଚ୍ଛ ଓ ନିଷ୍କଳଙ୍କ ରଖିବା ପାଇଁ ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଯାହା ଅନ୍ୟ କୌଣସି ବୃତ୍ତି ବା ପେସାରେ ସାଧାରଣତଃ ଦେଖାଯାଏ ନାହିଁ। ଏହି ଦୃଷ୍ଟିରୁ ମୁଷ୍ଟିମେୟ କେଇ ଜଣଙ୍କ ଅପକର୍ମ ପାଇଁ ସମସ୍ତ ସାମ୍ବାଦିକଙ୍କୁ ଦୋଷ ଦେବା ଠିକ ନୁହେଁ କି ସାମଗ୍ରିକ ଭାବେ ସାମ୍ବାଦିକତାକୁ ସନ୍ଦେହ ଚକ୍ଷୁରେ ଦେଖିବା ଉଚିତ ନୁହେଁ।
ଭାରତର ଜଣେ ଦିବଙ୍ଗତ ସାମ୍ବାଦିକ ଥରେ ଲେଖିଥିଲେ, ଯେଉଁ ସମାଜରେ ପୁଲିସ, ଡାକ୍ତର, ଓକିଲ ଓ ସାମ୍ବାଦିକଙ୍କ ସଂଖ୍ୟା ବଢ଼ୁଛି, ଜାଣ ଯେ ସେହି ସମାଜରେ ଅନେକ ପ୍ରକାର ସମସ୍ୟା ରହିଛି। ପୁଲିସ ସଂଖ୍ୟା ବଢ଼ୁଛି ମାନେ ଅପରାଧ ଓ ଅପରାଧୀଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ନହେଲେ ଅଳ୍ପ ଅପରାଧକୁ ଅଧିକ ପୁଲିସ ଦରକାର ହୁଅନ୍ତେ ନାହିଁ। ସେହିପରି ଡାକ୍ତରଙ୍କ ସଂଖ୍ୟା ବଢ଼ୁଛି ମାନେ ରୋଗ ଓ ରୋଗୀ ସଂଖ୍ୟା ବଢ଼ୁଛି। ଓକିଲ ସଂଖ୍ୟା ବଢ଼ୁଛି ମାନେ ବିବାଦ ଓ ମକଦ୍ଦମା ସଂଖ୍ୟା ବଢ଼ୁଛି। ଆଉ ସାମ୍ବାଦିକ ଓ ଗଣମାଧ୍ୟମ ସଂଖ୍ୟା ବଢ଼ୁଛି ମାନେ ନିଶ୍ଚୟ ଲୁଚାଚୋରା କାରବାର ଓ ମିଥ୍ୟାଚାର ବଢ଼ିଚାଲିଛି। ନହେଲେ ଏତେ ସଂସ୍ଥା ଖୋଲନ୍ତା ନାହିଁ କି ଏତେ ସତ୍ୟ ପ୍ରଘଟ ହୁଅନ୍ତା ନାହିଁ।
ସମାଜ ଓ ସରକାରରେ ଯଦି ବ୍ୟଭିଚାର ହେଉ ନଥାନ୍ତା, ଅନ୍ୟାୟ ଓ ଅତ୍ୟାଚାର ଘଟଣା ଘଟୁନଥାନ୍ତା, ଦୁର୍ନୀତି ଓ ଦ୍ୱାଚୋରୀ ହେଉ ନଥାନ୍ତା, ଅପରାଧ ଆଦି ଘଟୁ ନଥାନ୍ତା, ତେବେ ଭାବନ୍ତୁ, ଏତେ ସମ୍ବାଦସଂସ୍ଥା କ’ଣ କରୁଥାନ୍ତେ? ସାମ୍ବାଦିକମାନଙ୍କୁ ନ୍ୟୁଜ ମିଳନ୍ତା ନାହିଁ। ଏକଥା ମିଛ ନୁହେଁ ପାଠକ ଓ ଦର୍ଶକମାନେ ଅଧିକତର ହତ୍ୟା, ଧର୍ଷଣ, ଦୁର୍ନୀତି ଆଦି ଖବର ପଢ଼ିବାକୁ ବା ଦେଖିବାକୁ ଭଲ ପାଆନ୍ତି। ମନୋରଂଜନ ଓ ଖେଳ ସଂପର୍କୀତ ଖବର ମଧ୍ୟ ଭଲ ଚାଲେ। ମାତ୍ର, ଭଲ ଖବରର ପାଠକ ଓ ଦର୍ଶକ ସଂଖ୍ୟା ସେହି ଅନୁସାରେ କମ୍। ଆମ ସମାଜରେ ଭଲ କଥା ବି ଘଟୁଛି। ସେ ସଂପର୍କରେ ଖବର ମଧ୍ୟ ପଦାକୁ ଆସୁଛି। କିନ୍ତୁ ସେସବୁ ତୁଳନାରେ ଅପରାଧ, ଦୁର୍ନୀତି ଓ ବ୍ୟଭିଚାର ଆଦି ନ୍ୟୁଜ ଭଲ ଚାଲୁଛି। ଏଭଳି ଖବର ଗଣମାଧ୍ୟମକୁ ପ୍ରଭାବଶାଳୀ କରୁଛି।
ଏଇ ପ୍ରଭାବ ଓ ପତିଆରା ପାଇଁ କେହି କେହି ହୁଏତ କିଛି ସତ କିଛି ମିଛ ଯୋଡ଼ି ପ୍ରକାଶ ଓ ପ୍ରସାର କରୁଥାଇ ପାରନ୍ତି। କିଛି ଅସାଧୁ ପ୍ରକୃତି ଲୋକ ଏପରି ଖବର ପାଇ ସେଥିରୁ କିଛି ଫାଇଦା ଉଠାଇବାକୁ ଚେଷ୍ଟା କରୁଥାଇ ପାରନ୍ତି। ଏହା ସ୍ୱୀକାର ଯୋଗ୍ୟ। କିନ୍ତୁ, ଜଣେ ସାମ୍ବାଦିକ ଯେ ଜଣେ ଗୋଟାପଣେ ସାଧୁ ଲୋକକୁ ବ୍ଲାକମେଲ୍ କରିବ, ଏକଥା ସହଜରେ ହଜମ ହେଉନାହିଁ। ଯେଉଁମାନେ ଏଧରଣର ସାମ୍ବାଦିକ ସେମାନେ ଆଜି ନହେଲେ କାଲି ତା’ର ପରିଣାମ ଭୋଗିବେ। କିନ୍ତୁ ଯେଉଁମାନେ ନିଷ୍ଠାପର ଭାବେ ସାମ୍ବାଦିକତା କରୁଛନ୍ତି, ସେଥିପାଇଁ ଶାସକ ଓ ପ୍ରତିପତ୍ତିଶାଳୀ ଗୋଷ୍ଠୀର ଆକ୍ରୋଶର ଶିକାର ହେଉଛନ୍ତି ସେମାନଙ୍କ ପିଠିରେ ପଡ଼ିବାକୁ କେତେ ଲୋକ ବାହାରୁଛନ୍ତି? ଅସାଧୁ ସାମ୍ବାଦିକଙ୍କର ମୁଖା ଖୋଲିବା ଯେମିତି ଜରୁରୀ ସାଧୁ ସାମ୍ବାଦିକଙ୍କ ସହାୟତା କରିବା ତତୋଧିକ ଆବଶ୍ୟକ। ନହେଲେ ଆମ ସମାଜ ଓ ସରକାରରେ ଘଟୁଥିବା ବହୁ ଜନବିରୋଧୀ କାର୍ଯ୍ୟ ଲୋକଲୋଚନ ଆଢ଼ୁଆଳରେ ରହିଯିବ। ସେଭଳି କାର୍ଯ୍ୟରେ ଲିପ୍ତ ଥିବା ଲୋକମାନେ ସମାଜ ପାଇଁ ଅଧିକ ଘାତକ ଓ କ୍ଷତିକାରକ।
ତେଣୁ ଯେଉଁମାନେ ସମାଜର ଭଲମନ୍ଦ ବିଷୟ ଜାଣିବାକୁ ଆଗ୍ରହ ରଖି ଗଣମାଧ୍ୟମ ଉପରେ ଭରସା କରୁଛନ୍ତି ସେମାନେ ଏସବୁ ବିଷୟରେ ନିଜନିଜ ସ୍ତରରେ ତର୍ଜମା କରନ୍ତୁ ଓ କତିପୟ ଖଳ ଲୋକଙ୍କ ଭୁଲ କାମ ପାଇଁ ସମଗ୍ର ସାମ୍ବାଦିକତାକୁ ଦୋଷ ଦିଅନ୍ତୁ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।