- ରବି ଦାସ
ସମ୍ବିଧାନରେ ପ୍ରତ୍ୟେକ ନାଗରିକଙ୍କୁ ମତପ୍ରକାଶ କରିବାର ଅଧିକାର ପ୍ରଦାନ କରାଯାଇଛି। ବାସ୍ତବିକ ଅଭିବ୍ୟକ୍ତିର ସ୍ୱାଧୀନତା ନଥିଲେ ସେହି ସମାଜକୁ ବା ଦେଶକୁ ଏକ ଗଣତାନ୍ତ୍ରିକ ଦେଶ ବୋଲି କୁହାଯାଇପାରିବନାହିଁ। ଯେଉଁ ଦେଶରେ ସ୍ୱାଧୀନ ମତପ୍ରକାଶ କରି ଯେତେ ଅଧିକ ସଂଖ୍ୟାରେ ଲୋକ, ପୁଲିସ ଓ ନିରାପତ୍ତାରକ୍ଷୀମାନଙ୍କ ଦ୍ୱାରା ଅତ୍ୟାଚାରିତ ହେଉଛନ୍ତି ବା ଅଟକ ରହୁଛନ୍ତି, ସେହି ଦେଶ ସେତିକି ପରିମାଣରେ ଅଗଣତାନ୍ତ୍ରିକ ବୋଲି ବିଚାର କରାଯାଉଛି।
ନିକଟରେ ପ୍ରଶାନ୍ତ ଭୂଷଣଙ୍କର ଦୁଇଟି ଟ୍ୱିଟ୍ ନେଇ ସୁପ୍ରିମକୋର୍ଟ ଯେପରି ମାନହାନୀ ମାମଲା ଦାୟର କରି ତାଙ୍କୁ ଦଣ୍ଡିତ କଲେ ସେଥିରେ ସାରା ଦେଶରେ ଏକ ଆଲୋଡ଼ନ ସୃଷ୍ଟି ହୋଇଛି। ବହୁ ପୂର୍ବତନ ଜଜ୍, ଆଇନଜୀବୀ, ଲେଖକ, ସାମ୍ବାଦିକ ଓ ବୁଦ୍ଧିଜୀବୀ ଅଭିବ୍ୟକ୍ତିର ସ୍ୱାଧୀନତା ଗଣତନ୍ତ୍ରର ଏକ ମୌଳିକ ଅଂଶ ହୋଇଥିବାରୁ ସୁପ୍ରିମକୋର୍ଟ ଅଦାଲତ ଅବମାନନା ଜରିଆରେ ଏହି ଅଧିକାରକୁ ସଂକୁଚିତ କରିବା ଠିକ ନୁହେଁ ବୋଲି ମତପ୍ରକାଶ ପାଇଛି। ଅଭିବ୍ୟକ୍ତିର ସ୍ୱାଧୀନତାରେ ଏକ ଲକ୍ଷ୍ମଣରେଖା ବିଭିନ୍ନ ଆଇନ ମାଧ୍ୟମରେ ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ଯଦି ଅଭିବ୍ୟକ୍ତିର ଅଧିକାର ସାବ୍ୟସ୍ତ କରିବାରେ ସମାଜର କିଛି କ୍ଷତି ହେଉନାହିଁ ବା ତାହା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁନାହିଁ ସେପରି କ୍ଷେତ୍ରରେ ଯେକୌଣସି ଆଇନ ବଳରେ ଅଭିବ୍ୟକ୍ତିର ଅଧିକାରକୁ ଅଦାଲତମାନେ ବା ସରକାରୀ କଳ ପ୍ରାଥମିକତା ପ୍ରଦାନ କରିବା ଉଚିତ।
ଗଣମାଧ୍ୟମମାନେ ଯେଉଁମାନେ ଅଭିବ୍ୟକ୍ତିର ସ୍ୱାଧୀନତାର ପ୍ରକୃତ ମାଧ୍ୟମ ସେମାନେ ନିଜସ୍ୱ ଉପାୟରେ ଓ ଆଦର୍ଶଗତ ଭିତ୍ତିରେ ଅଭିବ୍ୟକ୍ତି ଅଧିକାରକୁ ପରିବେଷଣ କରୁଛନ୍ତି। ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଗଣମାଧ୍ୟମ ଯେପରି ଭାବରେ ରିୟା ଚକ୍ରବର୍ତୀଙ୍କୁ ଅଭିଯୁକ୍ତ ସଜାଇ ଦୁଇମାସ ହେଲା ଏହାକୁ ଦେଶର ଏକ ନମ୍ବର ଖବର ଭାବରେ ଦର୍ଶାଇ ପରିବେଷଣ କରୁଛନ୍ତି ସେଥିରେ ଅନେକ ନିରୀହ ଲୋକମାନଙ୍କର ଅଭିବ୍ୟକ୍ତିର ଅଧିକାର ସଂକୁଚିତ ହୋଇଯାଉଛି।
ମୃତ୍ୟୁ ମାମଲାରେ ବା ସୁଶାନ୍ତଙ୍କ ବ୍ୟାଙ୍କ ଟଙ୍କାରୁ ରିୟା ଚକ୍ରବର୍ତୀ ବହୁ ଅର୍ଥ ନେଇଯାଇଥିବାର ଅଭିଯୋଗ ସିବିଆଇ କିମ୍ବା ଇଡି ସିଦ୍ଧ କରିବାରେ ବିଫଳ ହେବା ପରେ ଏନସିବି (ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ) ରିୟା ଅତୀତରେ ସୁଶାନ୍ତଙ୍କ ବାନ୍ଧବୀ ଭାବରେ ଗଞ୍ଜେଇ ଯୋଗାଡ଼ କରି ତାଙ୍କୁ ଦେଇଥିବାର ତଥ୍ୟ ଉପରେ ଗିରଫ କରିଛନ୍ତି।
ଦେଶର ତିନି ତିନୋଟି ବଡ଼ ଜାତୀୟ ଏଜେନ୍ସୀ ଯେଉଁ କାର୍ଯ୍ୟରେ ଗତ ୧୫ ଦିନ ହେଲା ବ୍ୟସ୍ତ ଅଛନ୍ତି, ତାହା ଉପରେ ଯଦି କେହି ଅଭିବ୍ୟକ୍ତିର ଅଧିକାରକୁ ସାବ୍ୟସ୍ତ କରି ଦୃଢ଼ ସମାଲୋଚନା କରେ ତେବେ ତାଙ୍କୁ ନିଶ୍ଚିତ ଭାବରେ ଜାତୀୟତା ବିରୋଧୀ ବୋଲି ଆଖ୍ୟା ଦିଆଯିବ। ରିୟା ଚକ୍ରବର୍ତୀଙ୍କ ଦୁର୍ଦ୍ଦଶା ସମୟରେ ଆଉ ଜଣେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣୱାତ ଅଭିବ୍ୟକ୍ତିର ସ୍ୱାଧୀନତା ପ୍ରୟୋଗ କରି ବମ୍ବେ ଚଳଚ୍ଚିତ୍ର ଜଗତର ଭିତିରିକଥା ବିଷୟରେ କିଛି ଅରୁଚିକର ମନ୍ତବ୍ୟ ଦେବା ସହିତ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ମୁମ୍ବାଇ ପୁଲିସ ଠିକ୍ ଭାବରେ ତଦନ୍ତ କରିନଥିବାର ଅଭିଯୋଗ କରିଥିଲେ। କେବଳ ସେତିକି ନୁହେଁ, ମୁମ୍ବାଇକୁ ସେ ପାକ୍ ଅଧିକୃତ କାଶ୍ମୀର ସହିତ ତୁଳନା କରି ମହାରାଷ୍ଟ୍ର ସରକାରଙ୍କୁ ତାଲିବାନ ଆଖ୍ୟା ଦେଇଛନ୍ତି।
କଙ୍ଗନାଙ୍କ ମନ୍ତବ୍ୟ ଅରୁଚିକର ହେଲେ ମଧ୍ୟ ସେଗୁଡ଼ିକ ଅଭିବ୍ୟକ୍ତିର ଅଧିକାର ଭାବରେ ଗ୍ରହଣ କରାଯିବା ଉଚିତ। କିନ୍ତୁ ତାଙ୍କ ମନ୍ତବ୍ୟର ଜବାବ୍ ଦେଇ ଶିବସେନା ଓ ସଞ୍ଜୟ ରାଉତଙ୍କ ପକ୍ଷରୁ ଯେଉଁ ଧମକପୂର୍ଣ୍ଣ ମନ୍ତବ୍ୟ ସବୁ ପ୍ରକାଶ ପାଇଲା ତାହାର ଜବାବରେ ସେ ମୁମ୍ବାଇରେ ୯ ତାରିଖ ଦିନ ଯିବେ ଓ ତାଙ୍କୁ ସାହସ ଥିଲେ ଅଟକାଯାଉ ବୋଲି ପାଲଟା ଆହ୍ୱାନ ଜଣାଇଲେ। ଯେଉଁ ବ୍ୟକ୍ତି ଏପରି ପାଲଟା ଆହ୍ୱାନ ଦେଇପାରୁଛନ୍ତି ସେ ବ୍ୟକ୍ତି ଭୟଭୀତ ହୋଇ ନିଜ ରାଜ୍ୟ ହିମାଚଳ ପ୍ରଦେଶରେ ସରକାରଙ୍କୁ ନିରାପତ୍ତା ମାଗିବା ଓ ହିମାଚଳ ପ୍ରଦେଶ ସରକାର କେନ୍ଦ୍ର ସରକାରଙ୍କୁ ଏହା ଜଣାଇବା ପରେ କଙ୍ଗନାଙ୍କ ପାଇଁ କେନ୍ଦ୍ର ଗୃହମନ୍ତ୍ରଣାଳୟ ‘ୱାଇପ୍ଲସ’ ନିରାପତ୍ତା ବ୍ୟବସ୍ଥା କରିଛନ୍ତି।
ସ୍ୱାଧୀନତାରୁ ଏପର୍ଯ୍ୟନ୍ତ ବଲିଉଡର କୌଣସି ତାରକା ଏହି ସୁବିଧା ବା ସୁରକ୍ଷା କେବେ ବି ପାଇନାହାନ୍ତି। ସାରା ଦେଶରେ ୬୦ରୁ କମ୍ ଭିଆଇପିଙ୍କୁ ଏହି ସୁରକ୍ଷା ମିଳୁଛି। ଦେଶର ମୁଖ୍ୟ ବିଚାରପତି ଓ କଙ୍ଗନା ରଣୱାତଙ୍କ ସୁରକ୍ଷା ବ୍ୟବସ୍ଥା ଏବେ ସମାନ ହୋଇଗଲା। ଏଥିରେ ଅନେକ ଈର୍ଷା ପରାୟଣ ହେବେ ଓ ଏ ବିଷୟରେ ବିତର୍କ ଚାଲିବ। କିନ୍ତୁ ଅଭିବ୍ୟକ୍ତିର ସ୍ୱାଧୀନତା ରକ୍ଷା କରିବା ପାଇଁ କେନ୍ଦ୍ର ସରକାର କଙ୍ଗନାଙ୍କ ପାଇଁ ଏହି ସୁରକ୍ଷା ବ୍ୟବସ୍ଥା କରିଥିବା ଅନୁମାନ କରାଯାଉଛି।
ଏହି ପରିପ୍ରେକ୍ଷୀରେ ନିକଟରେ ଓଡ଼ିଶାର ସାଲେପୁରରୁ ସୟଦ ହାସନ ଅହମ୍ମଦ ନାମକ ଜଣେ ଯୁବକଙ୍କୁ ଉତ୍ତରପ୍ରଦେଶ ପୁଲିସ ଆସି ଗିରଫ କରିବା ଓ ସାଲେପୁରର ଜୁଡିସିଆଲ ମାଜିଷ୍ଟ୍ରେଟ୍ ଉତ୍ତରପ୍ରଦେଶ ପୁଲିସକୁ ୪ ଦିନର ଟ୍ରାଞ୍ଜିଟ ରିମାଣ୍ଡ ଦେଇ ବିଦା କରିଦେବା ଘଟଣା ଅଭିବ୍ୟକ୍ତିର ଅଧିକାର ଉପରେ ଏକ ବଡ଼ ଆକ୍ରମଣ ହୋଇଥିଲେ ମଧ୍ୟ ଓଡ଼ିଶାର ଗଣମାଧ୍ୟମମାନେ ଏ ସଂକ୍ରାନ୍ତରେ କଙ୍ଗନା ରଣୱାତ, ଏପରିକି ପ୍ରଶାନ୍ତ ଭୂଷଣଙ୍କ ଅଭିବ୍ୟକ୍ତି ଅଧିକାର ପ୍ରସଙ୍ଗ ପରି ଏହାକୁ ଉତଥାପନ କରିନାହାନ୍ତି।
ଘଟଣାର ବିବରଣୀ ଅନୁସାରେ ଏହି ୪୨ ବର୍ଷୀୟ ଯୁବକ ବିରୋଧରେ ଉତ୍ତରପ୍ରଦେଶର ବାଗପତ ଜିଲ୍ଲାର କୁଲଦୀପ ପାଞ୍ଝାଲ ନାମକ ହିନ୍ଦୁ ଯୁବବାହିନୀର ମୁଖ୍ୟ ଗୋଟିଏ ଏତଲା ଦେଇଥିଲେ। ସେଥିରେ କୁହାଯାଇଥିଲା ଯେ, ସାମାଜିକ ଗଣମାଧ୍ୟମରେ ଅହମ୍ମଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଥିଲେ। କୁଲଦୀପ ଏ ସଂକ୍ରାନ୍ତରେ ଅହମ୍ମଦଙ୍କୁ ଫୋନ୍ ଯୋଗେ ପଚାରିବା ସମୟରେ ସେ କୁଆଡ଼େ ମୋଦି ଓ ଆଦିତ୍ୟନାଥଙ୍କୁ ମାରିବାକୁ ଧମକ ଦେଇଥିଲେ। ଏଣୁ କୁଲଦୀପଙ୍କ ଏତଲା ଉପରେ ୟୁପି ପୋଲିସ ତଦନ୍ତ କରି ଆସି ସାଲେପୁରରେ ଅହମ୍ମଦଙ୍କୁ ଧରିଥିଲା।
ଯଦି ଏତଲାକୁ ଦେଖାଯାଏ ସେଥିରେ ଅହମ୍ମଦ ଯାହା ସାମାଜିକ ଗଣମାଧ୍ୟମରେ କହିଥିଲେ ସେଥିରେ ଖୁବବେଶୀରେ ତାଙ୍କ ବିରୋଧରେ ୫୦୭ ଦଫାରେ ମାମଲା ହେବା କଥା। କିନ୍ତୁ ଏତଲାକାରୀଙ୍କ ଫୋନ୍ କଥାବାର୍ତାକୁ ନେଇ ୟୁପି ପୋଲିସ ଅହମ୍ମଦଙ୍କ ବିରୋଧରେ ଦେଶଦ୍ରୋହ ଅପରାଧ ୧୨୪ (କ), ୫୦୪ ଓ ୫୩୩(କ)ର ମାମଲା ଦାୟର କରିଦେଲେ।
ଆଶ୍ଚର୍ଯ୍ୟର କଥା ଅହମ୍ମଦ ଜଣେ ଦୋକାନୀ ଓ ତାଙ୍କ ବିରୋଧରେ କେହି କୌଣସି ଅପରାଧିକ ମାମଲା କେବେବି ହୋଇନାହିଁ। ମୋଟାମୋଟି ଭାବରେ ସ୍ଥାନୀୟ ଲୋକମାନଙ୍କ ବକ୍ତବ୍ୟ ଅନୁସାରେ ଅହମ୍ମଦ ଜଣେ ଭଦ୍ର ବ୍ୟକ୍ତି ଭାବରେ ପରିଚିତ। ସାଲେପୁରରେ ରହୁଥିବା ଏପରି ଜଣେ ଯୁବକ ୩ ହଜାର କିମି ଦୂରରେ ଥିବା ଜଣେ ବ୍ୟକ୍ତିଙ୍କୁ ମୋଦି ଓ ଯୋଗୀଙ୍କୁ ମାରିବା ପାଇଁ ଧମକ ଦେବା ଓ ତାହାକୁ ବିଶ୍ୱାସ କରି ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଦାୟର ହେବା ଅଭିବ୍ୟକ୍ତିର ଅଧିକାର ବିରୋଧରେ ଏକ ପ୍ରଚଣ୍ଡ ଆକ୍ରମଣ।
ସଂଖ୍ୟାଲଘୁମାନଙ୍କ ବିରୋଧରେ ଉତ୍ତରପ୍ରଦେଶ ପୁଲିସର ଆଚରଣ ଜଣାଶୁଣା। ଏପରି ଅବସ୍ଥାରେ ସାଲେପୁର ମାଜିଷ୍ଟ୍ରେଟ୍ ଏତଲାକୁ ଭଲଭାବରେ ତର୍ଜମା ନକରି ଓ ସାକ୍ଷ୍ୟ ପ୍ରମାଣ କିଛି ତନଖି ନକରି ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ପଠାଇଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯେଉଁ ସଂଖ୍ୟାଲଘୁମାନେ ଓଡ଼ିଶାରେ ବିଜେପିକୁ ସମର୍ଥନ କରିବେ ନାହିଁ ବୋଲି ଗତ ନିର୍ବାଚନରେ ବିଜେଡିକୁ ସମର୍ଥନ କରି ଏହାକୁ ବିଜୟୀ କରିବାରେ ଏକ ଭୂମିକା ନେଇଥିଲେ ସେମାନେ ସାଲେପୁର ଘଟଣାରେ ବିମର୍ଶ ହୋଇପଡ଼ିଛନ୍ତି।
ଯେଉଁ ରାଜନୈତିକ ଦଳମାନେ ଏହି ସଂଖ୍ୟାଲଘୁମାନଙ୍କୁ ନେଇ ନାଗରିକ ଅଧିକାର ସଂଶୋଧନ ଆଇନ ବିରୋଧରେ ସମାବେଶ କରୁଥିଲେ ସେମାନେ ମଧ୍ୟ ସାଲେପୁର ଘଟଣାରେ ନିରବ ରହିଲେ। ସାଲେପୁର ମାଜିଷ୍ଟ୍ରେଟଙ୍କ ଅଦାଲତରେ ଠିକଣା ଭାବରେ ଓକିଲ ଯୁକ୍ତି କରିଥିଲେ ଅହମ୍ମଦଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନପଠାଇ ଜାମିନରେ ଛାଡ଼ି ବାଗପତ ଅଦାଲତରେ ହାଜର ହେବା ପାଇଁ କହିପାରିଥାନ୍ତେ। ଓଡ଼ିଶା ପୁଲିସର ଆଭିମୁଖ୍ୟ ମଧ୍ୟ ଏ କ୍ଷେତ୍ରରେ ସନ୍ତୋଷଜନକ ନୁହେଁ।
ଅଭିବ୍ୟକ୍ତିର ଅଧିକାର ଯେକୌଣସି ଗଣତନ୍ତ୍ରରେ ଏକ କ୍ରମାଗତ ଆନ୍ଦୋଳନ। ଏହା ଯେତେ ଦୃଢ଼ୀଭୂତ ହେବ ଗଣତନ୍ତ୍ର ସେତିକି ମଜଭୁତ ହେବ ଓ ନାଗରିକମାନଙ୍କର ସୁରକ୍ଷା ପ୍ରତିଷ୍ଠା ହେବ। ଅଭିବ୍ୟକ୍ତିର ଅଧିକାର ବିଭିନ୍ନ ଭାବରେ ଦେଶରେ ଦୁର୍ବଳ ହେଉଥିବା ଏବଂ ଯେଉଁମାନେ ଏଥିପାଇଁ ସ୍ୱର ଉତ୍ତୋଳନ କରୁଛନ୍ତି ସେମାନେ ସମସ୍ତଙ୍କ ନାଗରିକଙ୍କର ଅଭିବ୍ୟକ୍ତି ଅଧିକାରକୁ ସୁରକ୍ଷା ଦେବା ପାଇଁ ସେତିକି ତତ୍ପର ହେଉନାହାନ୍ତି। ସାଲେପୁର ଘଟଣା ଏହାର ଏକ ଜ୍ୱଳନ୍ତ ଉଦାହରଣ।
ବରିଷ୍ଠ ସାମ୍ବାଦିକ
ମୋ- ୯୪୩୭୪୦୪୪୫୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।