ଭାରତରେ କୃଷକଙ୍କ ଦୁଃଖ ୧୪୧ ବର୍ଷର ପୁରୁଣା!

ସୂର୍ଯ୍ୟମଣି ମିଶ୍ର

ଦିଲ୍ଲୀରେ ୧୪ ଦିନରୁ ଅଧିକ ଦିନ ଧରି କୃଷକ ଆନ୍ଦୋଳନ ଏବଂ କୃଷକଙ୍କ ଆକ୍ରୋଶର ଚିତ୍ର ଦେଖିବାକୁ ମିଳିଛି। ଏହି ଆନ୍ଦୋଳନର ଜଡ଼ ୧୪୧ ବର୍ଷର ପୁରୁଣା। ଏହାର ପ୍ରମାଣ  ଇଂରେଜ ଶାସନ  କାଳର ଦସ୍ତାବିଜ୍। କୃଷକଙ୍କ ସଂପର୍କରେ ୧୮୭୯ରେ  ପ୍ରଥମେ ଅନୁଧ୍ୟାନ ଓ ଅଧ୍ୟୟନ କରାଯାଇଥିଲା। ସେହି ସମୟରେ ଭାଇସ୍ ରାୟ ଥିବା ଲର୍ଡ ମେୟା (୧୮୬୯ରୁ ୧୮୭୨) ଏହି ଭାଇସରାୟଙ୍କ ନିର୍ଦ୍ଦେଶରେ ଏଔହ୍ୟୁମ୍‌ଙ୍କ ଦ୍ୱାରା କୃଷକଙ୍କ ସ୍ଥିତିକୁ ନେଇ ଅଧ୍ୟୟନ କରାଯାଇଥିଲା।  ଗତ ୭୦ ବର୍ଷ ଧରି କୃଷକ ନିଜ ଫସଲର ଉଚିତ୍ ମୂଲ୍ୟ ପାଇବା ପାଇଁ ଦାବି କରୁଛନ୍ତି। କୃଷକଙ୍କ ଅଧା ଉତ୍ପାଦନ ସରକାରୀ ଲୋକ ଏବଂ ବଡ଼ ଜମିଦାର ଯେପରି ୧୪୧ ବର୍ଷ ତଳେ ଲୁଟି ନେଉଥିଲେ ଆଜି ଏହାର ନୂଆ ସଂସ୍କରଣ ଦେଖିବାକୁ ମିଳିଛି। ଏହି ସମୟରେ କର୍ପୋରେଟ ହାଉସ କୃଷକଙ୍କୁ ନିଜର ଗୋଲାମ କରି ରଖିବା ପାଇଁ ଷଡ଼ଯନ୍ତ୍ର ଆରମ୍ଭ କରିଛନ୍ତି। ଆଉ ସରକାର ଏହି ଷଡ଼ଯନ୍ତ୍ରର ବାସ୍ତବତାକୁ ଏବଂ ସମ୍ବେଦନଶୀଳ ସ୍ଥିତି ପ୍ରତି ବିପଦକୁ ନବୁଝି କର୍ପୋରେଟ ସ୍ୱାର୍ଥରେ ଆଣିଛନ୍ତି ୩ଟି ନୂଆ କୃଷି ଆଇନ୍ ।ବ୍ରିଟିଶ ଶାସନ ସମୟରୁ ଆଜିଯାଏ ୪୧ ଜଣ ଭାଇସରାୟ ଗଭର୍ଣ୍ଣର ଜେନେରାଲ୍‌, ୧୪ ପ୍ରଧାନମନ୍ତ୍ରୀ ଏବଂ ଦେଶରେ ୧୭ ସରକାରର ପରିବର୍ତ୍ତନ ହୋଇଛି। କିନ୍ତୁ କୃଷକଙ୍କ ଦୁଃଖ ଯାହା ଥିଲା ସେହି ଅବସ୍ଥାରେ। ଯେଉଁ ସମସ୍ୟା ୧୪୧ ବର୍ଷରେ ଦୂର ହୋଇପାରିଲା ନାହିଁ ତାହା ୧୪ ଦିନର ଆନ୍ଦୋଳନରେ କିପରି ଦୂର ହେବ? ୧୪ ଦିନର ଆନ୍ଦୋଳନକୁ ଚାପି ଦେବା ପାଇଁ କୃଷକ ଏକତାରେ ଫାଟ ତିଆରି କରିବା ପାଇଁ ଆରମ୍ଭ ହୋଇଛି ଯୋଜନା। ସରକାରୀ ଦଳ, ସରକାରୀ କଳ ଦେଶବ୍ୟାପୀ ଏହି କୃଷକ ଆନ୍ଦୋଳନକୁ ଚାପି ଦେବା ପାଇଁ ସମାନ ଭାବେ କୃଷକଙ୍କୁ ନେଇ ସଭା ସମାବେଶର ଆୟୋଜନ କରିବାକୁ ଯାଉଛନ୍ତି।

୧୪୧ ବର୍ଷ ତଳେ ଏ. ଓ. ହ୍ୟୁମ୍ ନିଜ ଅନୁଧ୍ୟାନ ରିପୋର୍ଟରେ ଦେଶର କୃଷକଙ୍କ ଦୁଃଖଦ ସ୍ଥିତିକୁ ନେଇ କୃଷିକ୍ଷେତ୍ରର ସଂସ୍କାର ଉପରେ ଗୁରୁତ୍ୱ ଦେଇଥିଲେ। ସେ ତାଙ୍କ ରିପୋର୍ଟରେ କହିଥିଲେ ଯେ, ସରକାରୀ ଅଫିସର କୃଷକଙ୍କ ପାଇଁ ଦିନକୁ ୧୦ ଘଣ୍ଟା ସମୟ ଦେବା ଆବଶ୍ୟକ। କୃଷକଙ୍କ ସହ ରହି ସେ ସାମ୍‌ନା କରୁଥିବା ସମସ୍ୟାକୁ କିପରି ଦୂର କରାଯାଇପାରିବ ସେ ସଂପର୍କରେ ପଦକ୍ଷେପ ନେବା ଜରୁରୀ। ଜଣେ ଜଣେ ସରକାରୀ ଅଫିସର କୃଷକଙ୍କ ପାଇଁ ଗୋଟିଏ ସ୍ଥାନରେ ୧୦ ବର୍ଷ ରହିବା ଉଚିତ୍। ଏହା ସହ ସେ କୃଷି, ମହାବିଦ୍ୟାଳୟ ଖୋଲିବା ସହ କୃଷକଙ୍କ ଠାରୁ ବୈଜ୍ଞାନିକ, ବୈଜ୍ଞାନିକଙ୍କ ଠାରୁ କୃଷକ ଶିକ୍ଷା ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।  କୃଷକଙ୍କୁ କଳା, ବିଜ୍ଞାନ ଏବଂ ଉଦ୍ୟୋଗ ସହ ଯୋଡ଼ାଯିବା ଉପରେ ମଧ୍ୟ ସେ ତାଙ୍କ ରିପୋର୍ଟରେ ସୂଚାଇଥିଲେ। ୧ ଜୁଲାଇ ୧୮୭୯ରେ  ତତ୍କାଳୀନ ଭାଇସରାୟ ଲର୍ଡ ଲିଟନ୍‌ଙ୍କୁ ଏହି ରିପୋର୍ଟ ଦେଇଥିଲେ। ହ୍ୟୁମ୍ ଥିଲେ ତତ୍କାଳୀନ ଭାରତର କୃଷି, ରାଜସ୍ୱ ଏବଂ ବାଣିଜ୍ୟ ସଚିବ। ଏହି ରିପୋର୍ଟ ଦେବାର ୬ ବର୍ଷ ପରେ ଅର୍ଥାତ୍ ୧୮୮୫ରେ ହ୍ୟୁମ୍ ଚାକିରି ଛାଡ଼ି କଂଗ୍ରେସ ଦଳ ପ୍ରତିଷ୍ଠା କରିଥିଲେ। କାରଣ ସେ ଯେଉଁ ରିପୋର୍ଟ ତତ୍କାଳୀନ ଇଂରେଜ ସରକାରଙ୍କୁ ପ୍ରଦାନ କରିଥିଲେ ତାହା ସରକାର ନୀତି ବିରୋଧୀ ଥିଲା ବୋଲି ତାଙ୍କୁ ସଚିବ ପଦରୁ ହଟାଇ ଦିଆଯାଇଥିଲା। ହ୍ୟୁମ୍ ସେତେବେଳେ ସୂଚାଇଥିଲେ ଯେ, କୃଷକ କିପରି ଜଙ୍ଗଲ, ପୁଲିସ, ସେନା, ବାଣିଜ୍ୟ, ରାଜସ୍ୱ ବିଭାଗର ଅଧିକାରୀଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି ଓ ନିର୍ଯାତିତ ହେଉଛନ୍ତି। ଆଜିର କୃଷକ ଆନ୍ଦୋଳନ ଯଦିଓ ସରକାରଙ୍କ ଛାତି ଥରାଇଦେଇଛି, କିନ୍ତୁ ସରକାର ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ଏଠାରେ ମନେ ପକେଇଦେବା ଉଚିତ୍ ହେବ କୃଷକଙ୍କ ଆକ୍ରୋଶକୁ ଚପାଇ ଦେବାର ଅର୍ଥ ଦେଶର ଗଣତନ୍ତ୍ରକୁ ଚାପିଦେବା।

ଆମ ଶାସ୍ତ୍ର କହେ ଅନ୍ନ ହେଉଛି ବ୍ରହ୍ମ। ଏହି ବ୍ରହ୍ମକୁ ଯିଏ ଉତ୍ପାଦନ କରନ୍ତି ସିଏ ସର୍ବଶ୍ରେଷ୍ଠ। ତାଙ୍କୁ କର୍ପୋରେଟ ହାଉସର ଗୋଲାମ କରିବା ପାଇଁ ଯେଉଁ ଷଡ଼ଯନ୍ତ୍ର ତିଆରି କରାଯାଉଛି ତାହା ସରକାରଙ୍କୁ କେବଳ ଗାଦିଚ୍ୟୁତ କରିବ ନାହିଁ ୧୪୧ ବର୍ଷ ତଳର ଇଂରେଜ ସରକାରଙ୍କ ଦମନ ଏବଂ ସେ କିପରି ଦେଶଛାଡ଼ି ପଳାଇବାକୁ ବାଧ୍ୟ ହେଲେ ତାହାକୁ ସ୍ମୃତିଚାରଣ କରିବା ଉଚିତ୍। ଏକ ନିର୍ବାଚିତ ଗଣତାନ୍ତ୍ରିକ ସରକାର ନିଜର ଉତ୍ତରଦାୟିତ୍ୱକୁ ଭୁଲି କେବଳ କର୍ପୋରେଟ ହାଉସର ସେବା ପାଇଁ ନିଜକୁ ସମର୍ପି ଦେବା ଗଣତନ୍ତ୍ର ବିରୋଧୀ। ସର୍ବନିମ୍ନ ସମର୍ଥନ ମୂଲ୍ୟ, ମଣ୍ଡି ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ କୃଷକଙ୍କ ଦାବିକୁ କାହିଁକି ଗ୍ରହଣ କରୁନାହାନ୍ତି ସରକାର? ଗୋଟିଏ ନିର୍ବାଚିତ ସରକାର ରାଜ୍ୟସଭାରେ ନୂଆ ଆଇନ ସଂପର୍କରେ ବିତର୍କକୁ ସାମ୍ନା ନକରି ଯେପରି ପାଶ୍ କରିଦେଲେ ତାହା ତ ଗଣତାନ୍ତ୍ରିକ ନୁହେଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ ନୂଆ ନୂଆ କଥା କହୁଛନ୍ତି, ନୂଆ ଭରଷା ଦେଉଛନ୍ତି, ନୂଆ ସଂସଦ ଭବନର ଶିଳାନ୍ୟାସ କରିଛନ୍ତି, ନୂଆ ଆଇନ ତିଆରି କରୁଛନ୍ତି। ତେବେ ଏହି ନୂଆ ଆଇନ କୃଷକଙ୍କୁ ଯନ୍ତ୍ରଣାରୁ ମୁକ୍ତି ଦେବ ନା ଯନ୍ତ୍ରଣାର ବଳୟକୁ ଠେଲିଦେବ ତାହାକୁ ଥରେ ସମୀକ୍ଷା କରିବା ଉଚିତ୍। ଆଉ କୃଷକଙ୍କ ଆକ୍ରୋଶ ଆଗରେ ନିଜକୁ ସାମ୍ନା ନକରି ଯେପରି ଦମନ ପାଇଁ ଉଦ୍ୟମ ଆରମ୍ଭ ହେଉଛି ତାହା ସରକାରଙ୍କୁ ଗାଦିଚ୍ୟୁତ କରିବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ବରଂ ଭଲ ହେବ ଅନ୍ନଦାତା କୃଷକଙ୍କ ହକ୍ ଦାବିକୁ ଗ୍ରହଣ କରିବା।

ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର

ଦୂରଭାଷ: ୯୪୩୮୦୦୬୨୧୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।