- ସୂର୍ଯ୍ୟମଣି ମିଶ୍ର
୨୦୨୧ ଜାନୁଆରୀ ୨୬ ଦିନ ଭାରତ ଇତିହାସରେ ଲିପିବଦ୍ଧ ହୋଇ ରହିବ। ଏହି ଦିନ ଭାରତରେ ଏକା ସମୟରେ ସରକାର ଏବଂ କିଷାନ୍ଙ୍କ ପକ୍ଷରୁ ସମାନ୍ତର ଭାବେ ଗଣତନ୍ତ୍ର ଦିବସ ପାଳିତ ହୋଇଥିଲା। କିନ୍ତୁ ଆନ୍ଦୋଳନରତ କୃଷକ ଯେପରି ଅରାଜକତା ପରିସ୍ଥିତିକୁ ସାମ୍ନା କଲେ ତାହା ଦେଶ ପାଇଁ କେବଳ ଲଜ୍ଜାଜନକ ନଥିଲା, ବିଶ୍ୱସ୍ତରରେ ମଧ୍ୟ ଭାରତର ଚିତ୍ର ମଳିନ ପଡ଼ିଥିଲା। ବିଶ୍ୱରେ ଭାରତ ହେଉଛି ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର। କୃଷକ କୃଷି ଆଇନକୁ ରବ୍ଦ କରିବା ଦାବି ନେଇ ୫୨ ଦିନରୁ ଅଧିକ ସମୟ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚଳାଇ ରଖିଥିଲେ। କିନ୍ତୁ ଟ୍ରାକ୍ଟର ରାଲି ନାମରେ ଯେଭଳି ଅଭିଯାନକୁ ଆପଣେଇଲେ ତାହାର ପରିଣାମ ହେଲା ହିଂସା। କୃଷି ଆଇନ ବିରୋଧ ନାମରେ ଗଣତନ୍ତ୍ର ଦିବସ ଦିନ ଯେଉଁ ଅଘଟଣ ଘଟିଲା ତାହାକୁ ଦିଲ୍ଳୀ ଏବଂ ବିଶ୍ୱ ଦେଖିଲା, ଯାହା କଷ୍ଟଦାୟକ ଏବଂ ଲଜ୍ଜାଜନକ। କୃଷକଙ୍କ ମଧ୍ୟରେ କିଛି ଉପଦ୍ରବୀ ଯେଉଁ ହିଂସାକାଣ୍ଡ ଘଟାଇଲେ ତାହା ଅକ୍ଷମ ନୁହେଁ। କିନ୍ତୁ ଏଥିପାଇଁ ସମସ୍ତ କୃଷକଙ୍କୁ ଉପଦ୍ରବୀ ବୋଲି କହିବା ଭୁଲ ହେବ। କୃଷକ ତ ୨୮ ନଭେମ୍ବରରୁ ଆନ୍ଦୋଳନରତ। ଏହି ଆନ୍ଦୋଳନରେ କୃଷକ ନିଜର ୭୦-୭୫ ଜଣ ସାଥୀଙ୍କୁ ହରାଇଛନ୍ତି। ତେବେ ମଧ୍ୟ ଆନ୍ଦୋଳନରେ ଉଗ୍ର ଭାବ ଦେଖିବାକୁ ମିଳିନଥିଲା। କେଉଁଠି ମଧ୍ୟ ହିଂସାର ଚିହ୍ନ ପ୍ରକାଶ ପାଇନଥିଲା। କୃଷକଙ୍କ ଏହି ଆନ୍ଦୋଳନକୁ କିଛି ଉପଦ୍ରବୀ ହାଇଜାକ୍ କରିନେଲେ ବୋଲି ସ୍ୱୀକାର କରିବାକୁ ହେବ।
କେନ୍ଦ୍ର ସରକାର ଏହି ଉପଦ୍ରବୀକୁ ଚିହ୍ନଟ ଏବଂ ଗିରଫ କରିବା ଆରମ୍ଭ କରିଦେଇଛନ୍ତି, ଯାହା ସ୍ୱାଗତଯୋଗ୍ୟ। ଏହି ଲେଖା ହେବା ଯାଏ ଦିଲ୍ଲୀରେ ବିଭିନ୍ନ ଥାନାରେ ୨୨ଟି ଏଫଆଇଆର୍ ପଂଜିକୃତ ହୋଇଛି। ଦିଲ୍ଲୀ ପୁଲିସ ୨୦ କୃଷକଙ୍କୁ ଗିରଫ କରିଛନ୍ତି। ଆନ୍ଦୋଳନ ନାମରେ ହିଂସକ ପ୍ରଦର୍ଶନକୁ କେହି ବି ସମର୍ଥନ କରିପାରିବେ ନାହିଁ। ଗଣତନ୍ତ୍ର ଦିବସ ଦିନ ଟ୍ରାକ୍ଟର ପରେଡର ଦାବି ଭୁଲ ଥିଲା ଏବଂ ଏହାକୁ ମଂଜୁର ମଧ୍ୟ ସରକାରଙ୍କ ପାଇଁ ବିଫଳତା ଆଣିଦେଲା। ପରୋକ୍ଷରେ ଏହାକୁ ସରକାରଙ୍କ ବିଫଳତା ବୋଲି ସ୍ୱୀକାର କରିବାକୁ ହେବ। ଇଣ୍ଡିଆନ୍ ଏକ୍ସପ୍ରେସରେ ଗୃହବିଭାଗ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ତଥ୍ୟକୁ ଆଧାର କରି ଯେଉଁ ଲେଖା ପ୍ରକାଶ ପାଇଛି ତାହା ହେଲା କୃଷକଙ୍କ ସହ ପ୍ରତ୍ୟେକ ଆଲୋଚନାରେ ଦିଲ୍ଲୀ ପୁଲିସ ସରକାରକୁ ଜଣାଇଥିଲେ ଯେ, ଟ୍ରାକ୍ଟର ରାଲିକୁ ଅନୁମତି ଦିଆନଯାଉ। କିନ୍ତୁ ସରକାର ଅନୁମତି ଦେଲେ। ଆଉ ଯାହା ଲାଲ୍କିଲ୍ଲାରେ ଘଟିଲା ତାହା ପ୍ରତ୍ୟେକ ଭାରତୀୟଙ୍କ ମୁଣ୍ଡକୁ ତଳକୁ କରିଦେଲା। ଲାଲ୍କିଲ୍ଲାରେ ତ୍ରିରଙ୍ଗା ପତାକା ସହ ଆଉ ଏକ ଧାର୍ମିକ ପତାକା ଉଡ଼ାଗଲା। ଏହାକୁ ଯେତେ ନିନ୍ଦା କଲେ ବି କମ୍ ହେବ। ଲାଲ୍କିଲ୍ଲା ପରିସରରେ ପୁଲିସ କର୍ମୀଙ୍କ ଉପରେ ଉପଦ୍ରବୀମାନେ ପଥର ମାଡ଼ ସହ ଖଣ୍ଡାଧରି ଆକ୍ରମଣ କଲେ। ସତ ହେଉଛି ଏହା ସାଧାରଣ କୃଷକଙ୍କ କାର୍ଯ୍ୟ ନଥିଲା। ଏହି କୃଷକ ଆନ୍ଦୋଳନ ଭିତରେ କିଛି ଗୁଣ୍ଡା ତଥା ଅପରାଧୀ ତତ୍ତ୍ୱ ପ୍ରବେଶ କରିଥିଲେ। ଯାହାଙ୍କର ପରିଚୟ ମିଳିସାରିଛି। ଏହି ହିଂସାକାଣ୍ଡରେ ଯେଉଁ ଦୁଇଜଣଙ୍କ ନାମ ସାମ୍ନାକୁ ଆସିଛି ସେମାନେ ହେଲେ ଦୀପ ସିଦ୍ଧୁ ଏବଂ ଲାଖା ସିଘାନା। ଏହି ଦୁଇଜଣ କୃଷକ ଆନ୍ଦୋଳନକୁ ନିର୍ଦ୍ଧାରିତ ରାସ୍ତାଠାରୁ ଦୂରେଇ ଦେଇ ଲାଲକିଲ୍ଲା ଆଡ଼କୁ ମୁହାଁଇଦେଲେ। କିନ୍ତୁ କୃଷକ ଏହି ରାସ୍ତାରେ ଯିବାକୁ ଚାହୁଁନଥିଲେ। ଅନୁମତି ମଧ୍ୟ ନଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଲାଲକିଲ୍ଲାରେ ପହଂଚିବା ପରେ ଦୀପ୍ ସିଦ୍ଧୁ ଲାଲକିଲ୍ଲାର ପ୍ରାଚୀରରେ ଗୁରୁଦ୍ୱାରରେ ଉଡୁଥିବା ଧାର୍ମିକ ପତାକାକୁ ଉଡାଇବାକୁ କହିଥିଲେ।
ଏଠାରେ ଉଲ୍ଲେଖ କରିବା ଉଚିତ୍ ହେବ ଯେ, ଦୀପ ସିଦ୍ଧୁ ହେଉଛନ୍ତି ପଂଜାବୀ ଚଳଚ୍ଚିତ୍ରର ଅଭିନେତା, ଏହା ସହ ବିଜେପି ସାଂସଦ ସନି ଦେଓଲଙ୍କ ଡାହାଣ ହାତ। ଲୋକସଭା ନିର୍ବାଚନରେ ସନି ଦେଓଲଙ୍କ ନିର୍ବାଚନୀ କାର୍ଯ୍ୟକ୍ରମ ପରିଚାଳନା କରୁଥିଲେ। ଏହି ହିଂସାକାଣ୍ଡ ଘଟଣା ପରେ ସନି ଦେଓଲ ଦୀପଙ୍କ ସହ ସମସ୍ତ ସଂପର୍କ ଛିନ୍ନ କରିଥିବା ସୂଚାଇଛନ୍ତି। ଦୀପ ସନିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖକୁ ଯାଇଛନ୍ତି, ତାଙ୍କ ସହ ଉଠାଇଥିବା ଫଟୋ ଏବେ ଭାଇରାଲ୍ ହୋଇଛି ସୋସିଆଲ୍ ମିଡ଼ିଆରେ। ହିଂସାକାଣ୍ଡର ଦ୍ୱିତୀୟ ଚର୍ଚ୍ଚିତ ନାମ ହେଉଛି ଲାଖା ସିଂଘାନା। ପଞ୍ଜାବର ଭାତିଣ୍ଡାରେ ରହୁଥିବା ଲାଖା ଅପରାଧ ଜଗତର ଗୋଟିଏ ଚର୍ଚ୍ଚିତ ନାମ। ତାଙ୍କ ନାମରେ ଦୁଇ ଡଜନରୁ ଅଧିକ ମାମଲା ରହିଛି। ଏକାଧିକ ଥର ସେ ଜେଲ୍ ଯାଇଛନ୍ତି। ଏହାଙ୍କ ସଂପର୍କ ଖଲିସ୍ତାନୀ ନେତାଙ୍କ ସହ ରହିଛି। ସିଂଘାନାଙ୍କ ମୁଖ୍ୟ କାମ ହେଲା ବ୍ୟବସ୍ଥା ବିରୋଧରେ ଯୁବବର୍ଗଙ୍କୁ ଉସୁକାଇବା। ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ଦିନ ଯେଭଳି ଭାବେ ଦେଶର କୃଷକ ଏବଂ ସୈନିକଙ୍କ ମଧ୍ୟରେ ସଂଘର୍ଷ ଘଟିଲା ଆଉ ସଂଘର୍ଷରେ ବିଚ୍ଛିନ୍ନତାବାଦୀ ତଥା ଅପରାଧ ତତ୍ତ୍ୱ ସାମିଲ ହେଲେ ତାହା କୃଷକ ସମୁଦାୟଙ୍କ ପାଇଁ କେବଳ ଲଜ୍ଜାର ବିଷୟ ନୁହେଁ, ଚିନ୍ତାର ବିଷୟ। ସରକାର ଏହା ମଧ୍ୟରେ ମେଧା ପାଟେକର ଏବଂ ଯୋଗେନ୍ଦ୍ର ଯାଦବଙ୍କ ଭଳି ୩୭ ଜଣ କୃଷକ ନେତାଙ୍କ ବିରୋଧରେ ୩୦୭ ଦଫା ଅର୍ଥାତ୍ ହତ୍ୟା ଅଭିଯୋଗ ଭଳି ସଂଗୀନ ଅଭିଯୋଗକୁ ନେଇ ମାମଲା ରୁଜ୍ଜୁ କରିଛନ୍ତି। କୃଷକ ନେତା ଯୋଗେନ୍ଦ୍ର ଯାଦବ ଏହି କୃଷକ ରାଲିରେ ହିଂସାକାଣ୍ଡକୁ ନେଇ ନୈତିକ ଭାବେ ନିଜକୁ ଦାୟୀ କରିଛନ୍ତି। ମୂଳ ପ୍ରସଙ୍ଗ ହେଉଛି କ’ଣ କେବେ କୌଣସି ଆନ୍ଦୋଳନ ପୂର୍ବରୁ ହିଂସାମୁକ୍ତ, ଅରାଜକତାମୁକ୍ତ ରହିଥିଲା କି? ତେବେ ଦିଲ୍ଲୀ ପୁଲିସ ଏ ସଂପର୍କରେ ଜାଣି ମଧ୍ୟ ଉପଦ୍ରବୀଙ୍କୁ କିପରି ଲାଲକିଲା ଆଡ଼କୁ ଯିବା ପାଇଁ ସୁଯୋଗ ଦେଲା? ଯଦିଓ ଦିଲ୍ଲୀ ପୁଲିସର ସଂଯମୀ ଭୂମିକା ପ୍ରଶଂସନୀୟ ଥିଲା। କିନ୍ତୁ ଚାଷୀଙ୍କ ମଧ୍ୟରେ ପ୍ରବେଶ କରିଥିବା ଅପରାଧୀତତ୍ତ୍ୱ ଡିଟିସି ବସ୍, ଡମ୍ଫର, ଦିଲ୍ଲୀ ପୁଲିସ ବସ ସହ ବ୍ୟାରିକେଡକୁ ଯେଭଳି ଭାଙ୍ଗିଚାଲିଲେ ଏବଂ ପୁଲିସ ଉପରେ ଆକ୍ରମଣ କଲେ ତାହା ଅତିମାତ୍ରାରେ ନିନ୍ଦନୀୟ। କିନ୍ତୁ ପୁଲିସ ଶାନ୍ତି ବଜାୟ ରଖିବା ପାଇଁ ଚେଷ୍ଟା କରି ଶେଷରେ ଲୁହବୁହା ବାଷ୍ପ ସହ ଲାଠି ଚାର୍ଜ କଲେ। ଫଳରେ ସଂଘର୍ଷ ଆହୁରି ଉଗ୍ର ରୂପ ନେଲା। ଶେଷରେ ପ୍ରଶ୍ନ ହେଉଛି ଅତୀତରେ କୌଣସି ଆନ୍ଦୋଳନ ନିରାପଦ ଥିଲା କି ? ଅରାଜକତା-ମୁକ୍ତ ଥିଲା କି? ଆନ୍ଦୋଳନ ପ୍ରତିରୋଧକ୍ରାନ୍ତି ଆଦିର ଇତିହାସକୁ ଓଲଟାଇଲେ କୌଣସି ଆନ୍ଦୋଳନ ବିବାଦମୁକ୍ତ ଥିଲା ବା ଅରାଜକତା ରହିଥିଲା? ‘ଚୌରୀ ଚୌରା’ ଆନ୍ଦୋଳନ ଫେବୃଆରି ୧୯୬୨ରେ ହୋଇଥିଲା। କିନ୍ତୁ ଶାନ୍ତିପୂର୍ଣ୍ଣ ଏ ଆନ୍ଦୋଳନରେ ହିଂସକ ଘଟଣା ଘଟିବା ପରେ ମହାତ୍ମା ଗାନ୍ଧି ଏହି ଆନ୍ଦୋଳନକୁ ସ୍ଥଗିତ କରିଦେଇଥିଲେ। ୧୯୭୪-୭୫ରେ ଜୟପ୍ରକାଶ ନାରାୟଣଙ୍କ ସଂପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରେ ମଧ୍ୟ ହିଂସାର ଦୃଶ୍ୟ ଦେଖିବାକୁ ମିଳିଥିଲା। ୧୯୮୪ରେ ଶିଖ୍ ବିରୋଧୀ ହିଂସା ସମୟରେ ନବମନୋନିତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଅସଫଳ ନେତୃତ୍ୱ ଜଣାପଡ଼ିଥିଲା। ଇନ୍ଦିରା ଗାନ୍ଧିଙ୍କ ପାଇଁ ଖଲିସ୍ଥାନୀ ନେତା ସନ୍ଥ ଭିନ୍ଦରନୱାଲଙ୍କ ବ୍ୟବହାର କେତେ ଘାତକ ଥିଲା ତାହା ଇତିହାସରେ ଲିପିବଦ୍ଧ ହୋଇଛି। ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ନ୍ଦିରା ଗାନ୍ଧୀଙ୍କୁ ନିଜ ଜୀବନ ଦେବାକୁ ପଡ଼ିଥିଲା। ରାଜୀବ ଗାନ୍ଧିଙ୍କ ଜୀବନ ଦୀପ ମଧ୍ୟ ଏହିଭଳି କାରଣ ପାଇଁ ଲିଭିଥିଲା।
ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା କ’ଣ କେବେ ଚାହିଁ ଥିଲେ ବାବ୍ରି ମସ୍ଜିଦ୍କୁ ଭାଙ୍ଗି ଦିଆଯାଉ? ପୁଣି ତାଙ୍କ ଉପସ୍ଥିତିରେ ଓ ତାଙ୍କ ଆଖିଆଗରେ? କିନ୍ତୁ ୬, ଡିସେମ୍ବର ୧୯୯୨ ଅଯୋଧ୍ୟାରେ ଲାଲକୃଷ୍ଣ ଆଡ଼ଭାନୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀଙ୍କ ଭଳି ନେତାଙ୍କ ଉପସ୍ଥିତିରେ କରସେବକମାନେ ଚାହୁଁ ଚାହୁଁ ମସ୍ଜିଦ୍କୁ ଭାଙ୍ଗି ଦେଇଥିଲେ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି କହିଥିଲେ ଯେ, ସେ ମସ୍ଜିଦକୁ ରକ୍ଷା କରିବେ। ଦିଲ୍ଲୀରେ କଂଗ୍ରେସୀ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ଏହି ମସ୍ଜିଦ ଭଙ୍ଗାକୁ ଦେଖିଥିଲେ। ଅଯୋଧ୍ୟାରେ ଅରାଜକତତ୍ତ୍ୱ ନିଜର ହିଂସକ ଶକ୍ତିକୁ ଦେଖାଇଲେ। ଏହି ତତ୍ତ୍ୱରେ କେତେ ପ୍ରତିଶତ କରସେବକ ଥିଲେ ଓ କେତେ ଅରାଜକ ତାହାକୁ ନେଇ ଏବେବି ବିବାଦର ପ୍ରସଙ୍ଗ ଭାବେ ରହିଛି। ଏହା ହେଉଛି ଇତିହାସର ଦୁଇଟି ଘଟଣା। ବର୍ତ୍ତମାନ କିଷାନ ପ୍ରତିରୋଧ ବହୁରଙ୍ଗୀ। ଏଥିରେ ବିଭିନ୍ନ ବିଚାରପନ୍ଥୀ ତତ୍ତ୍ୱ ସାମିଲ ଅଛନ୍ତି। ସେଣ୍ଟ୍ରାଲ କମାଣ୍ଡର ଅଭାବ ରହିଛି। ଦେଶର ରାଜସତ୍ତା ପ୍ରଚଣ୍ଡ ଭାବେ ଶକ୍ତିଶାଳୀ। ଯେଉଁ ଦୀପ ସିଦ୍ଧୁଙ୍କ ନାମ ସାମ୍ନାକୁ ଆସିଛି ତାହାଙ୍କ ବିଗତ ଗତିବିଧି ସନ୍ଦେହାସ୍ପଦ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ଫଟୋ ରହିଛି। ବିଜେପି ସାଂସଦ ସନି ଦେଓଲଙ୍କ ନିର୍ବାଚନ ପ୍ରଚାରରେ ସେ ସାମିଲ ଥିଲେ। ଅତୀତରେ ବିଜେପିର କପିଲ ମିଶ୍ର, ଅନୁରାଗ ଠାକୁରଙ୍କ ଭଳି ଏପରି କିଛି ନେତା ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବାରେ ନିଜର ପରାକାଷ୍ଠା ଦେଖାଇଛନ୍ତି। ଦିଲ୍ଲୀ ନିର୍ବାଚନ ସମୟରେ ଅନୁରାଗ ଠାକୁର ଖୋଲାଖୋଲି କହିଥିଲେ, ଦେଶର ଗଦ୍ଦାରଙ୍କୁ ଗୁଳିମାର। କିନ୍ତୁ ଏହି ଠାକୁରଙ୍କ ବିରୋଧରେ କୌଣସି ମାମଲା ରୁଜ୍ଜୁ ହେଲା ନାହିଁ।
ରାଜସତ୍ତା ସମଦର୍ଶୀ ନରହିଲେ ଅରାଜକତା ବଢିବ। ଶାସକ ନିରବ ରହିଲେ ଅରାଜକତା ବା ଅସାମାଜିକ ତତ୍ତ୍ୱକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ। ଏହି କଥା କେବଳ ବିଜେପି ସରକାର ପାଇଁ ନୁହେଁ, ଅଣବିଜେପି ସରକାର ମଧ୍ୟ ଏ ସଂପର୍କରେ ସମୀକ୍ଷା କରିବା ଉଚିତ୍। ଦେଶର ବରିଷ୍ଠ ନେତା ଶରତ ପାୱାର ଜାନୁଆରୀ ୨୬ରେ ଲାଲକିଲ୍ଲାରେ ଘଟିଥିବା ଘଟଣାକୁ ନେଇ ଅରାଜକତା ପାଇଁ କେନ୍ଦ୍ର ସରକାର ଦାୟୀ। ମନେପକେଇବା ଉଚିତ୍ ହେବ ଶ୍ରୀ ପାୱାର ୧୦ ବର୍ଷ ଯାଏ କେନ୍ଦ୍ରର କୃଷିମନ୍ତ୍ରୀ ରହିଥିଲେ। କିନ୍ତୁ କୃଷକ ସମସ୍ୟାର ସମାଧାନରେ ସଫଳ ହୋଇନଥିଲେ। ବାସ୍ତବରେ ଆନ୍ଦୋଳନ ଅରାଜକତାକୁ ସାଙ୍ଗରେ ନେଇ ଆଗକୁ ବଢୁଛି। ଯାହା ଅତୀତର ଇତହାସ ସୂଚାଏ। କେବଳ ଉପଦ୍ରବକୁ ଉତ୍ପୀଡ଼ନ ମାଧ୍ୟମରେ ବା ହିଂସାକୁ ହିଂସା ମାର୍ଗରେ ଅନ୍ତ ଘଟାଯାଇପାରେ ନାହିଁ। ସରକାର ଉତ୍ପୀଡ଼ନର ସୂତ୍ରକୁ ନ ଆପଣେଇ ଆନ୍ଦୋଳନ କାହିଁକି, ଏହା ପଛରେ କାରଣ କ’ଣ, ସରକାରଙ୍କ ବିରୋଧରେ ଦେଶବ୍ୟାପୀ କୃଷକ ଏକାଠି ହେଉଛନ୍ତି କାହିଁକି ଆଦି ପ୍ରଶ୍ନ ଉପରେ ସମୀକ୍ଷା କରିବା ଉଚିତ୍। ଜନମଙ୍ଗଳ ରାଷ୍ଟ୍ରରେ ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ ମିଛ ମକଦ୍ଦମା ବା ପୁଲିସ ଲଗାଇ ଦମନ କରାଯାଇନପାରେ। କୃଷକ, ଶ୍ରମିକ ହେଉଛନ୍ତି ରାଷ୍ଟ୍ରଗଠନର ବିଶ୍ୱକର୍ମା। ଏହି ବିଶ୍ୱକର୍ମାଙ୍କ ପ୍ରତି ଅବିଚାର ଆଦୌ ଗ୍ରହଣୀୟ ନୁହେଁ। ସରକାରଙ୍କ ଜିଦ୍ ପାଇଁ କୃଷକ ଆନ୍ଦୋଳନ ମହାଆନ୍ଦୋଳନର ରୂପ ନେଇଛି। ଇତିହାସର ପୃଷ୍ଠାକୁ ଓଲଟାଇବାର ସମୟ ଆସିଛି। ସରକାରଙ୍କ ନୀତି କୃଷକ ବିରୋଧୀ ନହୋଇ କୃଷକଙ୍କ ସପକ୍ଷରେ ହେଉ। ଆନ୍ଦୋଳନ କେବେ ଅହିଂସକ ନଥିଲା, ଗତ ଜାନୁଆରି ୨୬ରେ ହିଂସାମୁକ୍ତ ହୋଇଥାନ୍ତା ବା କିପରି?
ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର
ଫୋନ୍: ୯୪୩୮୦୦୬୨୧୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।