ଆର୍ଥିକ ଶୃଙ୍ଖଳା ନାମରେ ବିଶୃଙ୍ଖଳା କରୁଛନ୍ତି ରାଜ୍ୟ ସରକାର

୨୦୦୦-୦୧ରେ ଯେଉଁ ଋଣର ପରିମାଣ ୧୮୧୦୦ କୋଟି ଟଙ୍କା ଥିଲା ୨୦୨୦ ମାର୍ଚ୍ଚରେ ତାହା ୧ ଲକ୍ଷ ୩ ହଜାର କୋଟି ଟଙ୍କାରେ ପହଞ୍ଚିଥିଲା।

  • ପଞ୍ଚାନନ କାନୁନ‍୍‌ଗୋ

ଆର୍ଥିକ ଶୃଙ୍ଖଳା ଓ ଖର୍ଚ୍ଚ କାଟ ଦୁଇଟିଯାକ ଏକ କଥା ନୁହେଁ। ଆର୍ଥିକ ଶୃଙ୍ଖଳା ସର୍ବକାଳୀନ ବ୍ୟବସ୍ଥା, ଅଥଚ ଖର୍ଚ୍ଚକାଟ ବିପଦ ବା ସଂକଟ ସମୟର ବ୍ୟବସ୍ଥା। ଆର୍ଥିକ ଶୃଙ୍ଗଳା ସଂପଦ ଓ ବିପଦ ସବୁ ସମୟରେ ଲାଗୁ କରାଗଲେ କରଦାତାଙ୍କ ଧନକୁ ନେଇ ଅୟସ କରିବା ଓ ଅପଚୟ କରିବା ବନ୍ଦ ହେବା ସହିତ ସରକାର ଅନେକ ଅର୍ଥ ସଂଚୟ କରିଥାନ୍ତି ଓ ଯୋଜନା ବ୍ୟୟ ବୃଦ୍ଧି ପାଇଁ ସମ୍ୱଳ ବା ପୁଂଜି ପାଇଥାନ୍ତି। ଏବେ ରାଜ୍ୟ ସରକାର ଆର୍ଥିକ ସଂକଟର କଥା କହି ଏକ ବିସ୍ତୃତ କଟକଣା ପତ୍ର ଜାହିର କରିଛନ୍ତି ଓ କୌଣସି କାରଣରୁ ସ୍ୱଳ୍ପଘଣ୍ଟା ବ୍ୟବଧାନରେ ସଂଶୋଧନ କରିଛନ୍ତି। ମୂଳ କଟକଣା ପତ୍ରରେ ଉଭୟ ଶୃଙ୍ଖଳା ଓ ଖର୍ଚ୍ଚକାଟ ସଂପର୍କିତ ଅନେକ ବ୍ୟବସ୍ଥା ରହିଛି। ସେଥିରେ ଶୃଙ୍ଖଳା ଦିଗଟି ଅନୁଧ୍ୟାନ କଲେ ନୂଆ ଗାଡ଼ି କିଣା ବନ୍ଦ, କର୍ମଚାରୀଙ୍କ ଗସ୍ତ ଓ ଯାତ୍ରା ଜନିତ ଅଯଥା ଖର୍ଚ୍ଚ ବନ୍ଦ, ବିଦେଶ ଗସ୍ତ କାର୍ଯ୍ୟକ୍ରମ ବନ୍ଦ, ହୋଟେଲ ରହଣୀ ଖର୍ଚ୍ଚ ବନ୍ଦ, ମନ୍ତ୍ରୀ ଓ ସରକାରୀ କର୍ମଚାରୀଙ୍କର ଉଚ୍ଚ ବ୍ୟୟକାରୀ ଟ୍ରେନ‍୍‌ ଯାତ୍ରା ବା ଉଡ଼ାଜାହାଜରେ ଯାତ୍ରା ବନ୍ଦ, ଟେଲିଫୋନ ବା ମୋବାଇଲ ବାବଦ ଖର୍ଚ୍ଚ କମିବା ଆଦି ସୂଚୀତ ହୋଇଛି। ଏହା ନିଶ୍ଚୟ ସ୍ୱାଗତଯୋଗ୍ୟ। ଏହି ସବୁ ବ୍ୟବସ୍ଥା ସମେତ ଅନେକ ଅଯଥା ଅପବ୍ୟୟ ଯଥା, ବିଭିନ୍ନ ଇଂଜିନିୟର, ଏପରିକି ମନ୍ତ୍ରୀ, ପଦସ୍ଥ ଅଫିସରଙ୍କ ଘରେ ସରକାରୀ ଦରମାପ୍ରାପ୍ତ ଏକାଧିକ କର୍ମଚାରୀ ପ୍ରତ୍ୟାହାର ଏବଂ ଅଧିକ ତେଲ ଓ ମରାମତି ଲୋଡ଼ୁଥିବା ଗାଡ଼ି ବିକ୍ରୀ କରି ତା’ ଜାଗାରେ ଗାଡ଼ି ଭଡ଼ାରେ ନେବା ଆଦି ନିର୍ଦ୍ଦେଶନାମା ଆଦି ଜାରି ହୋଇଛି।

ଏପରି ନିର୍ଦ୍ଦେଶନାମା ଏହି ସରକାରଙ୍କ ସମୟରେ ୨୦୦୨-୦୩ ଆର୍ଥିକ ବର୍ଷରେ ଆର୍ଥିକ ଶୃଙ୍ଖଳା ଓ ବଜେଟ‍୍‌ ପରିଚାଳନା ଆଇନ‍୍‌ ପ୍ରଣୟନର ବହୁ ପୂର୍ବରୁ ଆର୍ଥିକ ବିପତ୍ତିର ମୁକାବିଲା ତଥା ସୁପରିଚାଳନା ନିମନ୍ତେ କରାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ କ’ଣ ପାଇଁ ରାଜ୍ୟ ସରକାର ଅପବ୍ୟୟର ବାଟ ଖୋଲା କରିଦେଲେ ତାହା ଜଣା ପଡ଼ୁନାହିଁ। ସ୍ୱଚ୍ଛଳତା କ’ଣ ଅପରାଧ? ବରବାଦ କରିବାର ଏକ ସୁଯୋଗ ? କରଦାତାଙ୍କର ଏହା ଜାଣିବାର ଅଧିକାର ଅଛି।

ଅନ୍ୟ ବ୍ୟବସ୍ଥାଟି ହେଉଛି ଖର୍ଚ୍ଚକାଟ। ଅର୍ଥ ବିଭାଗର ସଦ୍ୟ ପ୍ରକାଶିତ ଘୋଷଣା ପତ୍ରରେ ଉଭୟ ଯୋଜନା ଓ ପରିଚାଳନା ବ୍ୟବସ୍ଥାରେ ଖର୍ଚ୍ଚକାଟ ଦେଖିବାକୁ ମିଳିଛି। ସମସ୍ତେ ଅବଗତ ଯେ ଏବେ ଯୋଜନା ଅଣ ଯୋଜନା ବ୍ୟବସ୍ଥା ଉଠିଯାଇଛି। ଅଣ ଯୋଜନା ପରିବର୍ତ୍ତେ ପରିଚାଳନାଗତ ଖର୍ଚ୍ଚ ରହିଛି। ପରସ୍ପର ପରିପୂରକ ଓ ଅନୁପୂରକ ମଧ୍ୟ। ଅର୍ଥାତ୍ ଆବଶ୍ୟକ ତଥା ଉପଯୁକ୍ତ ପରିଚାଳନା ହିଁ ଯୋଜନାକୁ ସଫଳ କରିବାର ମାଧ୍ୟମ। ପରିଚାଳନା ବ୍ୟବସ୍ଥାକୁ ଉପଯୁକ୍ତ ଭାବେ ସଜାଡ଼ି କରି ରଖିବା ଦରକାର। ଏହା ଠିକ୍ ରହିଲେ ଭଲ ସରକାର ବା ଗୁଡ୍ ଗଭର୍ଣ୍ଣାନ‍୍‌ସର ପରିଚୟ ଦେଇଥାଏ। ଯାହା ପ୍ରତ୍ୟେକ କରଦାତା ଆଶା କରିଥାନ୍ତି। ମାତ୍ର ରାଜ୍ୟ ସରକାର ଘୋଷିତ ସତର୍କତାମୂଳକ ଆର୍ଥିକ କଟକଣାରେ ଅନେକ ବିଲକ୍ଷଣ ଦେଖିବାକୁ ମିଳୁଛି। ସେଥିମଧ୍ୟରେ ବିଗତ ୫ ବର୍ଷରୁ ଅଧିକ ଖାଲିପଡ଼ିଥିବା ପଦପଦବୀ ଉଚ୍ଛେଦ, ନୂତନ ନିଯୁକ୍ତି ବନ୍ଦ, ଆଉଟ‍୍‌ସୋର୍ସିଂରେ ନିଯୁକ୍ତି, ଅବସର ପରେ ସରକାରୀ କର୍ମଚାରୀଙ୍କ ନିଯୁକ୍ତି ବନ୍ଦ କରାଯାଇଛି। ଏଥିସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବ୍ୟତୀତ କୌଣସି ସରକାରୀ ବିଭାଗର କୌଣସି ପ୍ରକାର ନିଯୁକ୍ତି, ନୂତନ ଯୋଜନା ବା ପ୍ରକଳ୍ପ ମଧ୍ୟ କରା ନଯିବାକୁ କୁହାଯାଇଛି। ସାଦା କାଗଜ ଓ ଅଫିସ‍୍‌ ଉପକରଣ ବ୍ୟବହାର ଉପରେ କଟକଣା ଜାହିର କରାଯାଇଛି। ଅଥଚ ଏହା ପରିବେର୍ତ୍ତ ବହୁ ମୂଲ୍ୟରେ ଇଲେକ୍ଟ୍ରୋନିକ ସରଞ୍ଜାମର ବ୍ୟବହାରକୁ ପ୍ରୋତ୍ସାହିତ କରାଯାଇଛି। ବୋଧହୁଏ ଏଥିପାଇଁ ଗଳାବାଟଟିଏ ରଖାଯାଇ ୨୫ ଲକ୍ଷ ଟଙ୍କାର ସରଂଜାମ ବା ୫ କୋଟିରୁ ଅଧିକ ଟଙ୍କାର ଟେଣ୍ଡରକୁ ଅନୁମତି ରହିଛି। ନୂଆ ପ୍ରକଳ୍ପ ହେବ ନାହିଁ କିନ୍ତୁ ପୁରୁଣା ପ୍ରକଳ୍ପ ଅନଗୋଇଂଗ ପ୍ରକଳ୍ପ ଚାଲୁ ରହିବାର ଅନୁମତି ଅଛି। ଏହିସବୁ କାର୍ଯ୍ୟ ଆର୍ଥିକ ସଂକଟର ସୂଚନା ଦେବା ସହିତ ସରକାରଙ୍କର ତୃଟିପୂର୍ଣ୍ଣ ଅର୍ଥନୀତିକୁ ସୂଚିତ କରୁଛି।

ଏପରି ଆଥିର୍କ ସଂକଟ ଯେ ଏଇ ଗତ ଚାରିମାସ ଅର୍ଥାତ୍ ଫେବୃଆରୀଠାରୁ ଜୁଲାଇ ଭିତରେ ଘଟିଛି ତା ନୁହେଁ, ବହୁ ପୂର୍ବରୁ ମଧ୍ୟ ସ୍ପଷ୍ଟ ଦୃଶ୍ୟମାନ ଥିଲା। ସରକାର ଗତ ବଜେଟ‍୍‌ ଆଗତ କଲାବେଳେ ସ୍ୱୀକାର କରିଥିଲେ ଯେ ରାଜ୍ୟର ସାମଗ୍ରିକ ସମୃଦ୍ଧି ହାର କମିବା ସହିତ ବେକାରୀ ହାର ବୃଦ୍ଧିପାଇଥିଲା। ରାଜ୍ୟର ଆୟ କ୍ରମାଗତ ଭାବେ କମି ଚାଲିଛି। କେବଳ ପେଟ୍ରୋଲ ଡିଜେଲ ଉପରୁ ଆଦାୟ ହେଉଥିବା ଭାଟ ବା ବିକ୍ରିକର, ମଦବିକ୍ରି ଉପରୁ ଆଦାୟ ହେଉଥିବା ବିକ୍ରିକର ଆଦାୟ ରାଜ୍ୟକୁ ସମ୍ୱଳ ବୃଦ୍ଧିରେ କିଛି ପରିମାଣରେ ସହାୟକ ଥିଲା। କିନ୍ତୁ ବଜାରରେ କାରବାର କମିଥିଲା। ସବୁ ବର୍ଗର ଖାଉଟୀଙ୍କର କ୍ରୟଶକ୍ତି କମିବାରେ ଲାଗିଥିଲା। ତଥ୍ୟ ଅନୁସାରେ ରାଜ୍ୟର ନିଯୁକ୍ତି ହାର ସଂକୁଚିତ ହେଇଥିଲା। ଉଭୟ ସରକାରୀ ଓ ବେସରକାରୀ ବା ଉତ୍ପାଦନକାରୀ କ୍ଷେତ୍ର ନିଯୁକ୍ତି କମିବାରେ ଲାଗିଥିଲା। ସରକାରୀ କ୍ଷେତ୍ରରେ ସ୍ୱାସ୍ଥ୍ୟ, ଶିକ୍ଷା ବିଭାଗ ସମେତ ସବୁ ବିଭାଗର ମୋଟାମୋଟି ୧ ଲକ୍ଷ ୮୬ ହଜାର ପଦବୀ ଖାଲି ପଡ଼ିଥିଲା।

ପୂର୍ବରୁ ସରକାର ଦୁଇ ଥରରେ ପାଖାପାଖି ତିନି ଲକ୍ଷ ପଦବୀ ଉଚ୍ଛେଦ କରିଥିଲେ। ୧୯୯୫ ରେ ଥିବା ୬ ଲକ୍ଷ ସ୍ୱୀକୃତ ପଦବୀ ସାଂକସନ‍୍‌ ପୋଷ୍ଟରୁ ପାଖାପାଖି ୩ ଲକ୍ଷ ପଦବୀ ଉଚ୍ଛେଦ କରିଥିଲେ ଓ ତା ଜାଗାରେ ଚୁକ୍ତିଭିତ୍ତିକ କର୍ମଚାରୀ ପାଖାପାଖି ଶିକ୍ଷକ ବା ୧ ଲକ୍ଷ ରଖି କାମ ଚଳାଉଥିଲେ। ପରବର୍ତ୍ତୀ ସ୍ପଷ୍ଟିକରଣରେ ଅର୍ଥବିଭାଗ ଜଣାଇଛି ଯେ କନ‍୍‌ସଲ‍୍‌ଟାଣ୍ଟ, ଆଉଟସୋର୍ସିଂ ଓ ଅବସରପ୍ରାପ୍ତୀ କର୍ମଚାରୀଙ୍କ ନିଯୁକ୍ତି ଉପରେ ପ୍ରତିବନ୍ଧକ ଲଗାଇବା ପୂର୍ବରୁ ଅର୍ଥ ବିଭାଗର ଅନୁମତି ନିଆଯିବ। ଏହି ସ୍ପଷ୍ଟିକରଣ ସରକାରଙ୍କ ଆଭିମୁଖ୍ୟକୁ ଅସ୍ପଷ୍ଟ କରିଛି ଓ ଅଧିକ ସନ୍ଦେହ ଭିତରକୁ ଠେଲି ଦେଇଛି। ଯେଉଁଠି କିଛି ଅଫିସରଙ୍କର ସ୍ୱାର୍ଥ ନିହିତ ରହିବ, ତାହାହିଁ ଚାଲୁହେବ। ସରକାରଙ୍କ ମନମାନୀ ଉପରେ ନିର୍ଭର କରିବ। ନଚେତ ଆଉସବୁ ବନ୍ଦ ରହିବ। କାରଣ ଦେଖାଯାଉଛି ତଳସ୍ତରରେ ବହୁସଂଖ୍ୟକ ପଦବୀ କାଟି ଉପର ସ୍ତରରେ ବହୁସଂଖ୍ୟା ପଦବୀ ସୃଷ୍ଟି କରାଯାଇଛି। ଚିଫ୍ ସେକ୍ରେଟାରୀ, କମିଶନର, ପ୍ରିନ‍୍‌ସିପାଲ ସେକ୍ରେଟାରୀ, ଇଞ୍ଜିନିୟର-ଇନ୍‌-ଚିଫ୍‌ ଓ ଚିଫ୍‌ ଇଞ୍ଜିନିଆର ଆଦି ପଦବୀ ସଂଖ୍ୟା ବଢ଼ାଇ ଦିଆଯାଇଛି। ଅନେକ କ୍ୟାବିନେଟ ପାହିଆ ଓ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମନ୍ତ୍ରୀ ପଦ ସୃଷ୍ଟି ହୋଇଛି। ଏମାନଙ୍କୁ ଯୋଗାଇ ଦିଆ ଯାଉଥିବା ସୁବିଧା ସୁଯୋଗର ମୂଲ୍ୟ ଖୁବ‍୍‌ ଅଧିକ।

ଏ ସବୁ ଉଲ୍ଲେଖର କାରଣ ହେଉଛି ଯେ ଆର୍ଥିକ ସଂକୋଚନର ଦିଗଗୁଡ଼ିକ କ’ଣ ବୋଲି ସ୍ପଷ୍ଟ ହେଉନାହିଁ ? ଅନ୍ୟ ଏକ ସରକାରୀ ବ୍ୟତିକ୍ରମ ବାରମ୍ୱାର ଦେଖିବାକୁ ମିଳିଥାଏ। ସରକାର ପୁଞ୍ଜି ଆଖ୍ୟାଦେଇ ପୁଞ୍ଜି ଯୋଗାଡ଼ ନାମରେ ଋଣ ବଢ଼ାଇ ଚାଲିଛନ୍ତି। ୨୦୦୦-୦୧ରେ ଯେଉଁ ଋଣର ପରିମାଣ ୧୮୧୦୦ କୋଟି ଟଙ୍କା ଥିଲା ୨୦୨୦ ମାର୍ଚ୍ଚରେ ତାହା ୧ ଲକ୍ଷ ୩ ହଜାର କୋଟି ଟଙ୍କାରେ ପହଞ୍ଚିଥିଲା। ଗତ ୨୦ ବର୍ଷ ମଧ୍ୟରେ ପୁଞ୍ଜି ନାମରେ ଋଣ କରିଥିବା ଏକ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପରିମାଣର ବଅହତ ଅଂଶ ପୋଲ, କୋଠବାଡ଼ି, ନିର୍ମାଣରେ ଖର୍ଚ୍ଚ ହୋଇଛି। ଜଳସେଚନ, ଚେକ୍ଡ୍ୟାମ‍୍‌, ଉଠା ଜଳସେଚନ ଓ ଜଳାଶୟ ଗୁଡ଼ିକର ଜଳଧାରଣ ବ୍ୟବସ୍ଥା ବୃଦ୍ଧି, ସୂର୍ଯ୍ୟରଶ୍ମୀରୁ ଶକ୍ତି ଉତ୍ପାଦନରେ ସେହି ଅର୍ଥ ବିନିଯୁକ୍ତ ହୋଇଥିଲେ ଅନେକ ସୁଫଳ ମିଳିଥାନ୍ତା। ତିନି ଫସଲ, ଦୁଇ ଫସଲର ଚାଷ ସମ୍ଭବ ହୋଇଥାନ୍ତା। ଅବା ବିଭିନ୍ନ କ୍ଷୁଦ୍ର ମଧ୍ୟମ ଶିଳ୍ପର ପୁନଃଉଦ୍ଧାରରେ ଲାଗିଥିଲେ ଏହାର ଉତ୍ପାଦନ ସାମନାକୁ ଆସିଥାନ୍ତା। ତାହା ଏହି କୋଡ଼ିଏ ବର୍ଷର ଋଣ ନାମକ ପୁଞ୍ଜି ଲଗାଣ ସଂପର୍କିତ ନୁହେଁ। ଏ ରାଜ୍ୟ ଏବେବି ଏକ ପ୍ରମୁଖ ଖାଉଟୀ ରାଜ୍ୟଭାବେ ଖ୍ୟାତ। ଯେଉଁଥିପାଇଁ ରାଜ୍ୟବାସୀଙ୍କ ହାତକୁ ଆୟ ଯିବାର ପ୍ରାଧାନ୍ୟ ସରକାରଙ୍କ ପାଖରେ ରହିବା କଥା। ଏହାକୁ ଆଖି ଆଗରେ ରଖି ସରକାର ଘୋଷଣା କରିଥିବା ଆଥିର୍କ ଶୃଙ୍ଖଳାକୁ ସ୍ୱାଗତ କଲାବେଳେ ଖର୍ଚ୍ଚକାଟରେ ନିଯୁକ୍ତି ବା ଆୟକାରୀ ବ୍ୟବସ୍ଥା ଉଚ୍ଛେଦକୁ ଅର୍ଥରାସୀମାନେ ସହଜରେ ଗ୍ରହଣ କରି ପାରିବେ ନାହିଁ।

ସମସ୍ତଙ୍କର ସ୍ମରଣ ଥିବ ଯେ ଆଜିର ସରକାର ଆଥିର୍କ କଟକଣା ଜାହିର କରି ୨୦୦୪ ଅଗଷ୍ଟ ୩ ତାରିଖରେ ସରକାରୀ ବିଜ୍ଞପ୍ତି ଜରିଆରେ ସବୁ ବିଭାଗରେ ଥିବା ଖାଲି ପଦବର୍ଗର ୭୫% ପଦବୀ ଉଚ୍ଛେଦ ହେଉ ବୋଲି ଜଣାଇ ଦେଇଥିଲେ। ଏହି କାର୍ଯ୍ୟର ମୁଖ୍ୟ କାରଣ ଭାବେ କୁହାଯାଇଥିଲା ଯେ ରାଜ୍ୟର ନିଜସ୍ୱ ଆୟର ୧୦୦% ଦରମା ବାବଦରେ ଖର୍ଚ୍ଚ ହେଉଥିବାରୁ ଉନ୍ନୟନ ପାଇଁ ପୁଂଜି ଚଳୁନାହିଁ। ପୁଞ୍ଜି ସୃଷ୍ଟିପାଇଁ ଏପରି କରାଗଲା। ଅବଶ୍ୟ ଏଥିରେ ଶିକ୍ଷା ସ୍ୱାସ୍ଥ୍ୟ, ପୋଲିସ‍୍‌ ବିଭାଗକୁ ଯୋଡ଼ା ଯାଇ ନଥିଲା। ଯଦିଓ ବିଭାଗୀୟ ପଦବୀ ୨୫% ପୂରଣ ପାଇଁ କୁହାଗଲା ତାହା ମଧ୍ୟ କରାଗଲା ନାହିଁ ମାତ୍ର ୫୦ ହଜାର ସ୍ୱଳ୍ପ ମଜୁରୀ ହାରରେ ଚୁକ୍ତିଭିତ୍ତିକ କର୍ମଚାରୀ ନିଯୁକ୍ତ ହେଲେ। ଏହାପରେ ଯେତେସବୁ ପଦବୀ ଖାଲି ପଡ଼ିଲା ତାହା ପୂରଣ ହେଲା ନାହିଁ। ବଢ଼ି ବଢ଼ି ଏହାର ସଂଖ୍ୟା ୨୦୨୦ ମାର୍ଚ୍ଚ ସୁଦ୍ଧା ୧ଲକ୍ଷ ୬୫ ହଜାର ଟପି ଯାଇଛି। ବର୍ତ୍ତମାନ ସରକାର ଏହିସବୁ ପଦବୀ ୧୦୦% ଉଚ୍ଛେଦ ପାଇଁ କହିଛନ୍ତି। ଏହାହିଁ ବଡ଼ ଚିନ୍ତାର କାରଣ। କେଉଁ ଆଧାରରେ ଏସବୁ ଆବଶ୍ୟକ ହେଲା ସେ ସବୁର ଉତ୍ତର ଖୋଜିଲେ ମିଳୁନାହିଁ। ରାଜ୍ୟ ସରକାରଙ୍କ ସଦ୍ୟ ନିଷ୍ପତ୍ତିରୁ ଗୋଟେ କଥାର ପ୍ରମାଣ ମିଳୁଛି ଯେ ଆର୍ଥିକ ଶୃଙ୍ଖଳା ଅପବ୍ୟୟ ରୋକିଥାଏ, ଅଯଥା ଆର୍ଥିକ କଟକଣା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ଅନ୍ତରାୟ ସୃଷ୍ଟି କରିଥାଏ।

ଆହୁରି ପଢ଼ନ୍ତୁ

‘ପରୀକ୍ଷା ଟାଳିବା ଅସମ୍ଭବ’, ୩୦ରେ ପରବର୍ତ୍ତୀ ଶୁଣାଣି କରିବେ ସୁପ୍ରିମକୋର୍ଟ

ପ୍ରତି ୧୫ ଦିନରେ କୋଭିଡ ହସ୍ପିଟାଲରେ ହେବ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ

କୃଷି ବିଲକୁ ବିରୋଧ, ଇଣ୍ଡିଆ ଗେଟ୍ ଆଗରେ ଟ୍ରାକ୍ଟର ଜଳାଇଲେ ଚାଷୀ

ବିବାଦୀୟ ଅଞ୍ଚଳକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ, ହଜାର ହଜାର ସୈନ୍ୟ ମୁତୟନ

ଚୀନର କ୍ରୁରତା, ହଜାର ହଜାର ଲୋକଙ୍କୁ ଦିଆଯାଉଛି ଅସୁରକ୍ଷିତ କରୋନା ଟିକା

ଗୁଳି କରି ଜଙ୍ଗଲରେ ପୋତି ଦେଇଥିଲେ, ଦେଢ଼ ମାସ ପରେ ବାହାରିଲା ମୃତଦେହ

ଖୁସି ବ୍ୟକ୍ତ କଲେ ପୁଲିସ ଡିଜି; କହିଲେ-ଆଗଉଛି ସ୍ୱାଭିମାନ ଅଞ୍ଚଳ

ସୁସ୍ଥ ହେଲେ ୩୩୭୮ କରୋନା ଆକ୍ରାନ୍ତ, ଆଗରେ କଟକ

କୃଷି ବିଲ୍‌କୁ ପାସ୍‌ କରିବା ବେଳେ ରାଜ୍ୟସଭାର ନିୟମ ଭାଙ୍ଗିଥିଲେ କି ଉପାଧ୍ୟକ୍ଷ?

‘ରାଜଧାନୀର ଧାରଣା ସ୍ଥଳରେ କଡ଼ାକଡ଼ି ହେବ କୋଭିଡ୍‌ ନିୟମ’

ଲଦାଖରେ ମୁତୟନ ହେଲା ଟ୍ୟାଙ୍କ, ବିଯୁକ୍ତ ୪୦ ଡିଗ୍ରୀରେ ବି ଦେଖାଇବ ପରାକ୍ରମ

ସଞ୍ଜୟ-ଫଡନାଭିସ ବୈଠକ ପଛର ଉଦ୍ଦେଶ୍ୟ ‘ସାମ୍ନା’କୁ ସାକ୍ଷାତକାର ନୁହେଁ!